Unknown

 

 

 

 

 

 

 

 

 

 

ଓଲଟ ପାଲଟ

କାହ୍ନୁଚରଣ ମହାନ୍ତି

 

 

ଛାଇନେଉଟ ବେଳ । ଖରା ତେଜ ମଉଳି ନଥାଏ । ବାଟକଡ଼ ଗଛତଳେ ବସି ଶଶୀ ବ୍ୟସ୍ତ ହୋଇପଡ଼ିଲା; କେଡ଼େ ଚଗଲା ବୁଲାଟା । ବସୁ ବସୁ କେତେବେଳେ ଆଖିପତା ମୁଦି ହୋଇଯାଇଛି । କୋଳରୁ ଉଠି ସେ ଚିତା କାଟିଛି । ବିରକ୍ତ ହୋଇ ମନକୁ ମନ କହିଲା, କୁକୁରଟା ଆଜି ଆସୁ କି ମାଡ଼ରେ ତାର ପିଠି ନ ଭାଙ୍ଗିଛି ଯଦି–

 

ନଈ ସେପାରି ଅନ୍ଧାରିଆ ଗଛ ଗହଳି । ଚାହୁଁ ଚାହୁଁ ତାର ଆଖିପତା ଓଦେଇ ଆସିଲା । କ୍ଷଣକ ଭିତରେ ଉତଳା ମନ ଅତୀତ ଆଡ଼କୁ ଟାଣି ହୋଇଗଲା । ଯେତେ ଭୁଲାଇଲେ ଅବୋଧ ମନ ମାନି ରହେ ନାହିଁ । ସବୁ ବାଧା ଆଡ଼େଇ ଅତୀତ ଆଡ଼କୁ ଧାଇଁଯାଏ, ପୁରୁଣା ଭିତରେ କଣ ନୂଆ ଖୋଜିବାକୁ । ଦେଖୁ ଦେଖୁ ଦଶବର୍ଷ ବିତିଗଲାଣି । ତଥାପି ସେ ତାର ଅତୀତକୁ ଭୁଲି ପାରିନାହିଁ । ବେଳ ବଦଳିଛି । ଦୁନିଆର ଛାତି ଉପରେ ପରିବର୍ତ୍ତନର ଢେଉ ଥରକୁଥର ଭାଙ୍ଗିଛି । ସଙ୍ଗେ ସଙ୍ଗେ ତାର ମଧ୍ୟ ପରିବର୍ତ୍ତନ ହୋଇଛି ।

 

ବୟସ ନଇଁଛି । ଢଳ ଢଳ ଯୌବନର ଲାବଣ୍ୟ ଆଉ ନାହିଁ । ଛଳ ଛଳ ମନମତାଣିଆ ରୂପ ସେ ତ ଦି ଦିନିଆଁ । ମଉଳି ଗଲାଣି । ଯେଡ଼େ ପରିଚିତ ହେଲେ ବି ଆଜି ତାକୁ କେହି ଚିହ୍ନିପାରିବେ ନାହିଁ । ନିର୍ବିଘ୍ନରେ ସେ ତାର ଖୋଲା ବାଟରେ ଚାଲିବ ।

 

ଦିନର ଆଲୁଅ ଲିଭି ଲିଭି ଆସିଲା । ବନ୍ଧ କଡ଼ରେ ଥୋଇଥିବା ପୁଡ଼ାଟିକୁ କୋଳକୁ ଆଉଜାଇ ସେ ବିଚଳିତ ହୋଇ ଚାରିଆଡ଼କୁ ଚାହିଁଲା । ବୁଲାର ଦେଖା ନାହିଁ । ପଛ ଗାଁ ଆଡ଼ୁ ବାଟୋଇଟିଏ ଛତା ବାଡ଼ି ଧରି ଆସୁଛି । ଚାହିଁଲା ତାରି ଆଡ଼କୁ । ଅନ୍ୟମନସ୍କ ହୋଇ ଡାକ ଛାଡ଼ିଲା, ବୁଲା ତୁ–ଉ । ଆଖି ଥାଏ ବାଟୋଇ ଉପରେ । ଏଥର ତାର ଡାକ ବିଫଳ ହେଲା ନାହିଁ । ବନ୍ଧ ତଳୁ ଉଠି କୁକୁରଟି ଧଇଁ ସଇଁ ହୋଇ ଛୁଟିଛି ତାରି ଆଡ଼କୁ । ଶଶୀର ସବୁ ରାଗ ଉଭେଇଗଲା-। ଡାକିଲା, ଆ–ଆ, ତୁ–ଉ ।

 

ବୁଲା ଛୁଟିଆସି ଏକାଥରେ ତାର ଗୋଡ଼ ତଳେ ଲୋଟିଗଲା । କୃତଜ୍ଞତାରେ ତଳେ ଲାଙ୍ଗୁଡ଼ ପିଟି କରୁଣ ଆଖିରେ ତା ମୁହଁକୁ ଚାହିଁରହିଲା । ଆଖି କୋଣରେ ଲୁହ । ଶଶୀ ତାର ମୁଣ୍ତ ଆଉଁସି ଗଦ୍‌ଗଦ କଣ୍ଠରେ ପଚାରିଲା, କୁଆଡ଼େ ଯାଇଥିଲୁରେ? ତତେ ଚାହିଁ ଚାହିଁ ଏଇ ବାଟ କଡ଼ରେ ମୋର ବେଳ ବୁଡ଼ିଲା । କୁକୁରଟି କଅଣ ବୁଝିଲା କେଜାଣି, ଆଗ ଗୋଡ଼ରେ ଭୂଇଁ ରାମ୍ପି ଥିର ହୋଇ ମୁହଁକୁ ଚାହିଁ ରହିଲା । ମନରେ ଯେତେ ଭାବ ଉଦୟ ହେଉଥାଏ, ତୁଣ୍ତରେ ପ୍ରକାଶ କରିବାର ଶକ୍ତି ଯଦି ତାର ଥାନ୍ତା !

 

ଶଶୀ ପଚାରିଲା, ତୋ ବେକରେ ଏ ଦଉଡ଼ିଟା କିଏ ବାନ୍ଧିଛି ? କେଉଁ ଅଲକ୍ଷଣା ତୋତେ ବାନ୍ଧି ରଖିଥିଲା କିରେ ? ବୁଲାର ଡର ଭାଙ୍ଗିଲା । ସେ ଖୁସିରେ ଲାଙ୍ଗୁଡ଼ ହଲାଇ ଶଶୀର ଗୋଡ଼ ଚାଟିବାକୁ ଲାଗିଲା ।

 

କିରେ, ଇଏ କଣ ? ତୋ ପାଟିରେ ରକ୍ତ ! କିଏ ତୋତେ ଏ ଦଶା ଦେଲା । ଦେଖେ ଶଶୀ ବୁଲାକୁ କୋଳରେ ନେଇ ତାର ପାଟି ମେଲା କରି ଦେଖିଲା, ଦାନ୍ତ ମୂଳରୁ ରକ୍ତ ବାହାରୁଛି ।

 

ତିନିବର୍ଷ ତଳର କଥା । ସେ ଗାଁ ନାଁ ଆଜି ଶଶୀର ମନେନାହିଁ। କେଉଁ ରାଇଜରେ, କେତେ ଦୂରରେ, ସେକଥା ବି ସେ କହିପାରିବ ନାହିଁ । ଜେଲରୁ ଖଲାସ ହୋଇ ମୁଠିଏ ଭାତ ପାଇଁ ପତରଚକି ପରି ସେ ଗାଁ ଗାଁ ବୁଲୁଥାଏ । ନିରୋଳା ଜାଗା ଦେଖି କେବେ କେମିତି ପୁଡ଼ାଟି ଖୋଲେ-। କଅଣ ଭାବେ, ତହିଁରେ ହାତ ଦେବାକୁ ମନ ଡାକେ ନାହିଁ । ଲମ୍ବା ଭବିଷ୍ୟତ୍‌ ଆଗରେ ପଡ଼ିଛି । କେତେବେଳେ କେଉଁ କଥା । ଏତିକିବେଳୁ ଟାଉ ଟାଉ ହେଲେ ଚଳିବ ନାହିଁ । ପୁଣି ପୁଡ଼ାଟି ଭଲ କରି ବାନ୍ଧି କୋଳରେ ଲୁଚାଏ । ଘୂରିବୁଲେ ବାତଚକ୍ର ପରି । କେଉଁଠି ଠା’କରେ ଥିର ହୋଇ ରହେ ନାହିଁ, ରହିପାରେ ନାହିଁ ।

 

ଦିନକର ଗାମୁଣ୍ତ ମଶାଣିପାଖ ତୋଟା କଡ଼ କିଆବାଡ଼ ଛାଇ ଉହାଡ଼ରେ ମୁଢ଼ି ଦିଟା ପାଟିରେ ପକାଉଛି, ଛୋଟେଇ ଛୋଟେଇ କୁକୁର ଛୁଆଟିଏ ଆସି ତା ଆଗରେ ଠିଆ ହେଲା । ବିକଳ ହୋଇ ତା ଆଡ଼କୁ ଚାହିଁ ରହିଲା । ଇସ୍, କି ଅପରିଚ୍ଛନ୍ନ ଛୁଆ । ଦେହରୁ ଅଧେ ରୁମ ଉପୁଡ଼ିଗଲାଣି । ବିରକ୍ତ ହୋଇ ଗଛ କଡ଼ରୁ ଉଠିଲା । ବାଡ଼ିଖଣ୍ଡି ହାତରେ ଧରି ପୁଡ଼ାଟି କାଖରେ ଜାକି ଗହୀର ବିଲରେ ଚଲାବାଟ ଧରି ଆଗକୁ ଚାଲିଲା । ପଛକୁ ଚାହିଁଲେ ଦେଖେ ସେଇ କୁକୁର ଛୁଆ ଗୋଡ଼ାଇଛି । ଡରାଇଲେ ଡରୁନାହିଁ, ଫେରୁନାହିଁ । ଦି ଆଖି ଲୁହରେ ଭରିଗଲା । ନଇଁପଡ଼ି ଛୁଆଟିକୁ ଛାତି ଉପରେ ଧରି ମୁଣ୍ତ ଆଉଁସି କହିଲା, ଆରେ, ମଣିଷ କେବେ ଆପଣାର ହୁଏନି ରେ, ଅତି ଅକୃତଜ୍ଞ ଜାତି । ତୁ ଆପଣାର ହୋଇପାରିବୁ ? ଆଖିରୁ ନିଗିଡ଼ି ପଡ଼ିଥିବା ଲୁହ ଦି’ ଠୋପା ଚାଟି କୁକୁର ଛୁଆଟି ଯେପରି କହିଲା, ମୁଁ ତ ମଣିଷ ନୁହେଁ ।

 

ସେଇ କୁକୁର ଛୁଆଟି ବୁଲା । ଶଶୀ ପାଖରେ ଏଡ଼େଟିରୁ ଏଡ଼େଟିଏ ହୋଇଛି । କେତେ ସ୍ନେହ, କେତେ ଆଦରରେ କୋଳରେ ବଢ଼ିଛି । ପୁଷମାସର ଭୁସ୍‌ଭୁସିଆ ଶୀତ, ଗଛତଳ ଶୀତଳ ଭୂଇଁରେ କାନି ପାରି ଶୀତରେ ଥରି ଥରି ରାତି କଟାଇଛି ଶଶୀ; କିନ୍ତୁ ବୁଲାକୁ କୋଳରୁ ତଳକୁ ଖସାଇନାହିଁ । ଧାରା ଶ୍ରାବଣର ଝଡ଼ ବର୍ଷା, ପର ପିଣ୍ତାରେ ଶଶୀ, ପାଣି ଛିଟାରେ ଜୁଡ଼ୁବୁଡ଼ୁ, ତଥାପି ବୁଲା ତାର କୋଳରେ । ଆହା, ନିଃସଙ୍ଗ ଜୀବନର ଅରକ୍ଷ ପିଲାଟି ବୁଲା । ତାଆରି ଆଶ୍ରାରେ ପଡ଼ିଛି । ତାକୁ ସେ ଓଦା ହେବାକୁ ଦେବନି । ବୁଲା ବଡ଼ ହେଲା । ନିଜକୁ ନିଜେ ବଞ୍ଚାଇ ପାରିବାର ଶକ୍ତି ହେଲା । ଶଶୀ ହେଲା ନିଶ୍ଚିନ୍ତ ।

•••

 

 

କିରେ, ତୁ କାହାକୁ କାମୁଡ଼ି ଆସିଛୁ ?

ବୁଲା ଭୟରେ ମୁଣ୍ତ ସିଧା କରି ତଳକୁ ନୋଇଁଲା ।

ସେ ଭୟରେ ଭୂଇଁକୁ ଚାହିଁଲା । ବେକରେ ବନ୍ଧାଥିବା ଦଉଡ଼ି ଖଣ୍ତି ଧୂଳି ଉପରେ ଲୋଟିଯାଉଛି । ବୁଲା ସେହି ଦଉଡ଼ିଖଣ୍ତି ଦାନ୍ତରେ ଧରି ଟାଣିବାକୁ ଲାଗିଲା ।

ଶଶୀ ସେ ଆଡ଼କୁ ଚାହିଁ ଟିକିଏ ଭାବି କହିଲା– ଆରେ, ତତେ କିଏ ବାନ୍ଧିରଖିଥିଲା, ଦଉଡ଼ି ଛିଣ୍ତାଇ ପଳାଇଆସିଛୁ ?

ବୁଲା କାନ ଟେକି ଆଗ ଗାଁକୁ ଚାହିଁଲା, ସେଇଠି ! ଶଶୀ ବୁଝିଲା କି ନାହିଁ କେଜାଣି, ବୁଲା ବେକରୁ ଦଉଡ଼ିର ଫାଶ ହୁଗାଳି କହିଲା– ଯେତେ କହିଲେ ମାନିବୁ ନାହିଁ । ମୋ ପାଖ ଛାଡ଼ିଗଲେ ତୋର ଏଇ ଦଶା ହେବ ।

ବାଟୋଇଟି ବାଟ ଭାଙ୍ଗି ତାଆରି ଆଗ ଦେଇ କରେଇ ଚାଲିଗଲା । ପଛରୁ ଡାକି ଶଶୀ ପଚାରିଲା– ଆଗ ଗାଁ ନାଁ କଣ ବାପ ?

ଚାଲି ଯାଉ ଯାଉ ବାଟୋଇ ଉତ୍ତର ଦେଲା, ନରଦା ।

ଶଶୀ ଚମକି ପଡ଼ିଲା । ନରଦା ନାମଟା ସେ ଆଗରୁ ଅନେକ ଥର ଶୁଣିଛି । କେଉଁଠି ଶୁଣିଛି, କାହାଠୁ ଶୁଣିଛି ଭାବିବାକୁ ତାକୁ ଡେରି ଲାଗିଲା ନାହିଁ । ତାଙ୍କରି ଗାଁରେ ତାଙ୍କରି ମୁହଁରୁ ଥରେ ନୁହେଁ, କେତେ ଥର । ସେ ଗାଁ-ଗୁମାସ୍ତା । ଖଜଣା ଅସୁଲ୍‌ କରିବାକୁ ଦେବୀ ନଦୀ ପାରିହୋଇ ଏଇଠିକି ବରାବର ଆସନ୍ତି ତ ! କେବେ କେବେ ରାତି ଅଧରେ ଫେରନ୍ତି । ବେଶି ଡେରି ହେଲେ କଚେରି ଘରେ ଅଟକିଯାଆନ୍ତି । ସେଇ ତ ନରଦା ! ଦୁନିଆଁରେ କେତେ ଲୋକ ସୁଖରେ ସଂସାର କରୁଛନ୍ତି । ଥିଲା ନଥିଲା ସମସ୍ତେ । ତା ପରି କିଏ ଆଜି ନିଜ ଇଚ୍ଛାରେ ବାଟର ଭିଖାରୁଣୀ ହୋଇ ଅତୀତକୁ ଝୁରିହେଉଛି ?

ମୁହଁ ସଞ୍ଜ ହୋଇଆସିଲା । ଆଉ ଡେରି କଲେ କି ଫଳ ! ପୁଡ଼ାଟି କାଖରେ ଜାକି ବନ୍ଧେ ବନ୍ଧେ ଆଗ ଗାଆଁକୁ ଚାଲିଲା । କୁକୁରଟି ପଛରେ ଚାଲିଥାଏ । ବେଳେ ବେଳେ ବନ୍ଧ ଉପରେ ଠିଆ ହୋଇ ଏଣିକି ତେଣିକି ଚାହେଁ । କଅଣ ଯେପରି କହିବ କହିବ ହୋଇ ବନ୍ଧ ଉପରେ ବସି ତଳେ ଲାଙ୍ଗୁଡ଼ ପିଟେ । ଶଶୀ ଫେରି ଚାହେଁ । ଡାକି କହେ କିରେ ବୁଲା, ଗୋଡ଼ ଥକିଗଲା କି ? ବୁଲା ଥିରି ଥିରି ପଛେ ପଛେ ଆସେ । ମନରେ ସରାଗ ନାହିଁ ।

ଦୂର ଗାଁ ପାଖେଇଆସିଲା । ବନ୍ଧ ଉପରୁ ଗଡ଼ି ନରଦା ଗାଁ ଭିତରକୁ ପଶିବାର କଥା । ଶଶୀ ତଳକୁ ଗଡ଼ିଲା । ବୁଲା ବନ୍ଧ ଉପରେ ବସିରହିଲା । ଯେତେ ଆଦର କରି ଡାକିଲେ କି ଯେତେ ଧମକ ଚମକ ଦେଲେ ବି ସେ ମୋଟେ ଚଙ୍କିଲା ନାହିଁ । ତାକୁ ଛାଡ଼ି ଶଶୀ ଯାଆନ୍ତା କିପରି-? ଶଶୀ ପୁଣି ବନ୍ଧ ଉପରକୁ ଫେରି ଆସିଲା । ବୁଲାର ଏପରି ନୂଆ ଢଙ୍ଗ ଦେଖି ସେ ଚାରିଆଡ଼କୁ ଚାହିଁ କେତେ କଥା ଭାବିଲା । ପାଖ ବୁଦାରୁ ବାହାରି ଶିଆଳଟିଏ ନଈ ଅତଡ଼ା ଆଡ଼େ ଚାଲିଗଲା । ତଥାପି ବୁଲା ନିଶ୍ଚଳ ହୋଇ ବସିଛି ।

 

କିରେ ବୁଲା, ଆଜି ତୋର କଅଣ ହୋଇଛି ? ସବୁଦିନେ ତୁ ଆଗେ ଆଗେ ଦଉଡ଼ୁ, ଆଜି କାହିଁକି ପଛଉଛୁ? ତା ମୁଣ୍ତରେ ହାତ ମାରିଲା । ପାଖ ଗାଁର ଅନ୍ଧାରିଆ ତୋଟା ଆଡ଼କୁ ଚାହିଁ ଥୋମଣି ଟେକି ସେ କରୁଣ ସ୍ୱରରେ କହିଲା, ଭୋ ଓ–ଓ–

ଶଶୀ ତାର କଥା ବୁଝିଲା ପରା ! କହିଲା, ଓ – ସେଇଠି? ସେଇଠି ତତେ କିଏ ବାନ୍ଧିରଖିଥିଲା ? ଗାଁ ଟୋକାଏ ଭାରି ଚଗଲା । ତାଙ୍କୁ ତୁ ଦାନ୍ତ ଦେଖାଇଲୁ କାହିଁକି ? ବୁଲା କାନ ନୁଆଇଁ ଶଶୀକୁ ଚାହିଁଲା, ଯେପରି ଆପତ୍ତି କଲା ।

ଆରେ ଡରୁଛୁ କାହାକୁ ? ରାତି ହେଲେ କିଏ କାହାକୁ ଚିହ୍ନୁଛି ? ସକାଳ ହେଲେ କିଏ ତୋଓର କଅଣ କରିବ ? ମୋର ପାଖେ ପାଖେ ଥିବୁ ଏକା । ଚାଲିଆ–

ଶଶୀ ତାଆର ଦେହମୁଣ୍ତ ଆଉଁସିଦେଲା । ପୁଣି ବନ୍ଧ ତଳକୁ ଗଡ଼ିଲା । ବୁଲା ସତେ କି ବାଧ୍ୟ ହୋଇ ତା’ ପଛେ ପଛେ ଗଲା ।

ନରଦା ଗାଁ, ବଡ଼ ବସ୍ତି, କେତେ ଦାଣ୍ତ, କେତେ ପଡ଼ା । ସବୁଜାତିର ଲୋକଙ୍କର ବସବାସ । ଶଶୀ ମଝି ଦାଣ୍ତେ ଦାଣ୍ତେ ଚାଲିଲା । ଦୁଇପାଖେ ଦି’ଧାଡ଼ି ଘର । ଉଚ୍ଚ ପିଣ୍ତା । ଚଉଡ଼ା ରାସ୍ତା । କେତେ ଲୋକ ଯା ଆସ । ନିଜ ଧନ୍ଦାରେ ନିଜେ ବ୍ୟସ୍ତ । କାହା କଥା ପଚାରୁଛି କିଏ ? ଗହଳ ଚହଳ, ପାଟି ତୁଣ୍ତ । ଶଶୀ ମହାବୀରଙ୍କ ଆସ୍ଥାନ ତଳେ ବଡ଼ କଦମ୍ବ ଗଛମୂଳେ ମିଳିଲା । କୁକୁରଟି ତରଙ୍ଗ ତରଙ୍ଗ ହୋଇ ଚାରିଆଡ଼କୁ ଚାହିଁ ତାରି ପଛେ ପଛେ ଚାଲିଥାଏ । ସେ ବି ସେଇଠି ଥମିଗଲା ।

ଚଉତରା ଉପରେ କେତେ ଲୋକ ବସି କଥାଭାଷା ହେଉଥିଲେ । ଶଶୀକୁ ଦେଖି ସେମାନଙ୍କର କଥାଭାଷା ବନ୍ଦ ହୋଇଗଲା । ଜଣେ ବୁଢ଼ା ପଚାରିଲେ, କିଏ ମା ତୁ, ଏଠି କାହିଁକି ?

କଥାର ପ୍ରତିଧ୍ୱନି ପରି ତୀବ୍ର ସ୍ୱରରେ ଆଉ ଜଣେ ପଚାରିଲେ, କିଏ ?

ପ୍ରଶ୍ନ ଟା ସଭିଙ୍କର ମୁହଁରେ ଖେଳିଗଲା ।

ଶଶୀ କହିଲା, ମୁଁ ଜଣେ ଭିକାରୁଣୀ ବାବା !

ଓ–ଓ–, କେତେଜଣ କହି ଉଠିଲେ ।

ତୋ ଘର କେଉଁଠି ଲୋ ?

ମୋ ଘର ଆଉ କେଉଁଠି ? ଯେଉଁଠି ଯେତେବେଳେ ରହେ ।

ହଉ, ଯା ଯା–, ବିଦାୟସୂଚକ ମୁଣ୍ତ ହଲାଇ ବୁଢ଼ା ପୁଣି ପୂର୍ବ କଥାର ଖିଅ ଧରି କହିଲେ– ଆରେ, କେଉଁ ଗାଁର କିଏଟାଏ । ଜମିଦାରଙ୍କ ଗୁମାସ୍ତା ବୋଲି ଯାହା ଇଚ୍ଛା ତା କରିବ ? ଗାଁ ମଝିରେ କଚିରି, ସେଇଠି ସମସ୍ତଙ୍କ ଆଗରେ ରଖିବ ବେଶ୍ୟା ? ଜମିଦାର ରହିଲେ ଦୂରରେ, ଶହେ କୋଶରେ । ଅକାଳେ ସକାଳେ ଦିନେ ଦେଖା ଦର୍ଶନ ମିଳେ ନାହିଁ । ବଜାରୀ ଭଡ଼ୁଆ ମଦୁଆଙ୍କ ହାତରେ ଇଲାକା ବାଡ଼ି ଛାଡ଼ି ଆମର ଇଜତ୍‌ମହତ୍‌ ଦିକଡ଼ା କରିବେ, ଏ ଗୁଡ଼ା କେଉଁ କଥାରେ କଥା ?

ଆଲୋ, ଠିଆ ହେଲୁ କାହିଁକି ? ଯା–ଯା–, ଜଣେ କିଏ କହିଲା ।

କୁଆଡ଼େ ଯିବି ସାନ୍ତେ ?

ସେ କଥା ମୁଁ ବତେଇ ଦେବି ? କୋଉଠୁ ଆଇଲୁ ?

ବାର ଗାଁ ବୁଲି ମାଗି ଖାଉଛି । ମୁଠିଏ ଖାଇବାକୁ ମିଳିଲେ କାହା ପିଣ୍ତା ତଳେ କାନିପାରି ରାତିକ ରହିଯିବି । ଶଶୀ ଆହୁରି କେତେ କଅଣ କହିଥାନ୍ତା, ବାଧା ଦେଇ କିଏ ଜଣେ କହିଲା – ଆଲୋ, ପେଟ ପାଇଁ ଏମିତି ବାରଦ୍ୱାର ବୁଲି ତୁଣ୍ତ ହରାଇ ହାତ ପତାଉଛୁ କାହିଁକି ? କୁକୁର ମାଙ୍କଡ଼ ପରି ଲୋକେ ଦୂର୍‌ଦୂର୍‌ କରିବେ । କାମ ନକଲେ କିଏ ଖାଇବାକୁ ଦେବ ? ଗୋଟିଏ କାମ କଚିବୁ ?

କଅଣ ସାନ୍ତେ ?

ତୁ କି ଜାତି ?

ଟିକିଏ ଭାବି ସେ କହିଲା, ତେଲିଘର ଝିଅ ।

ବେଶ୍‌ ! ଛୁଆଁ ଜାତି ତ । ଆଚ୍ଛା, ତୁ ଜମିଦାରଙ୍କ କଚିରି ଘରକୁ ଯା । ଗୁମାସ୍ତା ବାବୁ ଲୋକ ଖୋଜୁଛନ୍ତି । ଛୁଆଁ ଅଛୁଆଁ ତୋଓରି ପରି ସଭିଏଁ ସେଠି ଥାନ ପାଇ ପାରିବେ । ବିନା କାମରେ ଏ ଗାଁରେ ଏକା ସେହି ଖାଇବାକୁ ଦିଅନ୍ତି । ଭାରି ଦୟାବନ୍ତ ଲୋକ । ଯା, ଆଗରେ ତଲାସ କର ।

ଚଉପାଢ଼ି ଉପରେ ବସିଥିବା ଲୋକେ ଏକ ସଙ୍ଗେ ହସିଉଠିଲେ । ଶଶୀ ଏ କଥା, ଏ ହସର ମର୍ମ ବୁଝିପାରିଲା ନାହିଁ । ତଥାପି ତା ମନରେ ସନ୍ଦେହ ହେଲା । ନରଦାର ଗୁମାସ୍ତା ! ସେ–ଇ–ତ !

ଆଲୋ ଠିଆ ହୋଇ ଭାବୁଛୁ କଅଣ, ଯା । ପୁଣି ଥରେ ହସର ରୋଳ ଉଠିଲା ।

ବୁଢ଼ା କହିଲେ, ଅଃ, ଅରକ୍ଷିତଟାକୁ କାହିଁକି ଥଟ୍ଟା କରୁଛରେ ! ଯାଲୋ ମା, ତୁ ଯିବୁଟି । ଯିବୁ କଚିରି ଘରକୁ, ଗୁମାସ୍ତାଙ୍କ ପାଖକୁ, ବୁଝିଲୁ ?

ଶଶୀ ଚାଲିଗଲା ଆଉ ଆଡ଼େ ।

•••

 

 

ରାତି ଘନେଇ ଆସିଲା । ମୁଠିଏ ଭାତ ପାଇଁ ନରଦା ଗାଁର ଦାଣ୍ତେ ଦାଣ୍ତେ ଘରେ ଘରେ କେତେ ଡାକ ଛାଡ଼ିଲା, ମା ଗୋ, ମୁଠିଏ ଖାଇବାକୁ ଦିଅ ଗୋ । କାହାରି ମନ ତଟିଲା ନାହିଁ । କେହି ତାର ପେଟ କଥା ବୁଝିଲେ ନାହିଁ । ଯିଏ ଯାହାର କାମରେ ବ୍ୟସ୍ତ । ପର ଦୁଃଖକୁ କାନଉଛି କିଏ ? ଯିଏ ବା ଶୁଣେ ଖାଲି ନାକ ଛିଞ୍ଚଡ଼ା, ବିରକ୍ତ, ପରିହାସ । ବାଟକୁ ଆସିଲା ଦିନୁ ସବୁ ତାର ଦେହସହା । ଜନ୍ମଜାତକ ତାଆର ସେଇଆ । ନିଜ କର୍ମର ଫଳ, କିଏ ଭୋଗିବ ତା ବିନା ? ସେଥିକି ଦୁଃଖ କଅଣ ? କାହା ଉପରେ ରାଗରୋଷ କରିବ, ଅଭିମାନ କରିବ ? ଭାଗ୍ୟର ଦୋଷ-! ଏଇତ ମନକୁ ସାନ୍ତ୍ୱନା ।

 

ଜମିଦାରଙ୍କ କଚିରି । ଗୁମାସ୍ତାଙ୍କ ରହିବା ଥାନ ଏଇ ଆଗରେ, ଗାଁ ମଝିରେ । ଜହ୍ନ ଆଲୁଅ ହସିଉଠୁଛି । କେଡ଼େ ବଡ଼ ହତା । ଆଖି ପାଉନାହିଁ । ଆମ୍ବ, ଜାମୁ, ନଡ଼ିଆ, ଗୁଆ ଓ ଆହୁରି କେତେ ଗଛ । ଫାଟକ ଖୋଲା । କାହାର ପାଟି ଶୁଭିଯାଉଛି । କାହାର ? ତାଙ୍କରି ନୁହେଁ ତ ! କେଇଟା ବର୍ଷରେ ଏମିତି ବଦଳି ଯାଆନ୍ତା ନା ? ତଥାପି ତାଆର ଛାତି ଦୁକ୍‌ଦୁକି ପଡ଼େ । କାଳେ କାହିଁକି ସେ ଏଇ ବାଟରେ ଆସିବେ । ଆଗରେ ଥିବା କଟକିଆଣୀ ବେଶ୍ୟା କି ଆଉ କିଏ ? କେମିତି ସହିବ ?

 

ଯେମିତି ସହିଥିଲେ ସେ । ଅଜାଣତରେ, ନା, ଜାଣିଶୁଣି ଆଖି ବୁଜିଥିଲେ ପରା ! ବୋଧହୁଏ ତାହା ବି ନୁହେଁ । ଅବିଶ୍ୱାସ କରିବାକୁ ଇଚ୍ଛା ହେଉନଥିଲା ସାହସ ହେଉନଥିଲା । ଦୁନିଆର ସମସ୍ତେ ତାଙ୍କ ଆଖିରେ ତୁଳସୀ ଗଛ । ଯାହା ପାଇଁ ଶଶୀ ଆଜି ବାଟରେ, ତାକୁ ବି ସେ ଏତେ ଭଲ ପାଆନ୍ତି । ଦେଖିଲେ ଆଗ ଡକା ପଡ଼େ, ହେଇ ହୋ, ବୃନ୍ଦାବନ ଆସିଲାଣି । ଆରେ, ଖିଆପିଆର ଭଲ ବରାଦ କର । ଦେଖିଲେ ଏଡ଼େ ରଙ୍କ ପରି ହୁଅନ୍ତି । ଏତିକି ଖୁସି । ହସ ବୋହିଯାଏ ଓଠରୁ ।

 

ଯିବି, ହାତ ପାତି ମୁଠିଏ ଖାଇବାକୁ ମାଗିବି । କାଳେ ଚିହ୍ନିବେ ! ନା, ଚିହ୍ନି ପାରିବେ ନାହିଁ । ଦଶବର୍ଷର ଅଦେଖା । କମ୍‌ ନୁହେଁ, ଗୋଟାଏ ଯୁଗ । କେତେ ବଦଳିଛି ଦୁନିଆଁ । ରାତି, ଚିହ୍ନି ପାରିବେ ନାହିଁ । ଦୟାପାଇ ହୁଏତ ମୁଠିଏ ଖାଇବାକୁ ଦେବେ । ସେତିକି ମୋର ଲୋଡ଼ା । ରାତି ନ ପାହୁଣୁ ଗାଁ ଛାଡ଼ି ଚାଲିଯିବି । କେହି ଜାଣିବେ ନାହିଁ । ବାଟର ବାଟୋଇ, ଖବର ରଖିବାକୁ କାହାର ଗରଜ ବଳେଇଛି ?

 

ଗୋଟାଏ ଆଲୁଅ ଦିଶିଲା । ନଲଟଣଟିଏ ହାତରେ ଝୁଲାଇ ଏ ଘରୁ ବାହାରି ସେ ଘରକୁ ପଶିଗଲା କିଏ ସେ । ପିଲାଟିଏ ପରି ଦେଖାଗଲା ତ ! ଦଶ ବରଷର ! ନା ଆହୁରି ବେଶୀ ହେବ ପରା ! ସେ କଅଣ– ।

 

ଆହା ! ପ୍ରାଣ ଭୟରେ ସେ ଭୁଲ କରିଥିଲା ଦିନେ, ଦଶବର୍ଷ ତଳେ । ଯେଉଁ ପ୍ରାଣକୁ ସେ ଏଡ଼େ ସେରନ୍ତା ମଣିଥିଲା ସେହି ପ୍ରାଣ ତାଆର ଅଛି । କେତେ ଝଡ଼ ତୋଫାନ ଭିତର ଦେଇ ସେ ଅଲୋଡ଼ା ପ୍ରାଣକୁ ଆଜିଯାଏ ଟାଣିଆଣିଛି । କିଛି ଆଜି ସେ ପ୍ରାଣର ସାର୍ଥକତା ନାହିଁ । ସେ ବୁଝିପାରେନା, କାହିଁକି ସେ ବଞ୍ଚିଲା । ଶଶୀର ଦୁଇ ଆଖି ଲୁହରେ ଭରିଗଲା ।

 

ଫେରିଯିବ ? ଖାଇବା ଲୋଡ଼ା ନାହିଁ । ଦେଶର ଏ ମୁଣ୍ତରୁ ସେ ମୁଣ୍ତଯାଏ ବୁଲିଛି । କେତେ ଗାଁ କେତେ ଘରର ଅତିଥି ସେ, ପତରଚକି । କେଉଁଠି ଦିନକରୁ ଦୁଇଦିନ ରହି ନାହିଁ । କାଳେ ଚିହ୍ନା ପଡ଼ିବ, ଧରା ପଡ଼ିବ, ଏହି ଡରରେ । ଛି, ଛି, ଏଇଠି, ଏଇ ନରଦା ଗାଁରେ, ଏତେ ଲୋଭ !

 

ବୁଲା, ଯିବା ଚାଲ୍‌ ରେ.... । ବେଳ ପାଇ ବୁଲା ଟିକିଏ ବସିଯାଇଥିଲା । ଉଠି ଠିଆହେଲା ।

 

ପୁଣି କାହାର ପାଟି ଶୁଭିଲା କଚେରିଘରୁ । ଶଶୀର ଗୋଡ଼ ଅଟକିଗଲା । ପିଲାଳିଆ ପାଟି । ପୁଣି ତୁନିତାନି । ଫେରିଯିବ ? ଥରେ ହେଲେ ଦେଖିବ ନାହିଁ ? ଅନ୍ତଫାଡ଼ି ଜନ୍ମ ଦେଇଛି । ଦେଖିବାର ଅଧିକାର ତାର ଅଛି। ଠାକୁରେ ଆଖି ଦେଇଛନ୍ତି । କିଏ ମନା କରିବ ? ଛାତି ଭିତରେ ତୀବ୍ର ଅଘାତ ଦେଲା ସେଇ କଅଁଳିଆ ସ୍ୱରଟା । ଶଶୀ ଦୁଇ ହାତ ଛାତିରେ ଛନ୍ଧିଲା ।

 

ଦଶବର୍ଷ ତଳେ । ସେଦିନର ଅନ୍ଧାର ରାତି । ପୁଷମାସିଆ ଶୀତ । ଚାରିଆଡ଼ ଶୂନ୍‌ଶାନ୍‌-। ଯେ ଯାହା ଘରେ ଗହନ ନିଦରେ ଅଚେତ । ସେ ଘରେ ନାହାନ୍ତି, ଏଇ ନରଦା, ଏଇ କଚେରି ଘରେ ହୁଏତ ଥିଲେ । ହାତ ପାଖେ ଜହର । ଗାଁମୁଣ୍ତ ତୋଟାରେ ବୃନ୍ଦାବନ । କୋଳରେ ପିଲା । ଗୋଟାଏ କିଛି କରିବାକୁ ହେବ, ନୋହିଲେ ପରିତ୍ରାଣ ନାହିଁ ।

 

କାହିଁକି ସେ ଜହରର ଲୋଭ ଛାଡ଼ି ଆସିଲା ? ଶୋଇଲା ପିଲାର କପାଳରେ ଚୁମା ଦେଇ ଆଖିରୁ ଲୁହ ଗଡ଼ାଇ ଅନ୍ଧାର ଭିତରକୁ ଡେଇଁପଡ଼ିଥିଲା ଯାହାରି ପାଇଁ, ହୁଏତ ତାର ଆଦରର ପିଲାଟି ସେ ! ଥରେ ହେଲେ ଦେଖିବ । ହଜିଲା ଧନ ନମିଳୁ । ଦେଖିବ, ଅଛି, ଭଲରେ ଅଛି । ଦଶବର୍ଷ ତପସ୍ୟାର ଫଳ । ତାପରେ ସେ ଚାଲିଯିବ, ଗାଁ ଛାଡ଼ି । ଦି ଆଖି ଯେଣିକି ନେବ ।

 

ବୁଲା, ଏଇଠି ଏଇ ଫାଟକ ପାଖରେ ବସିଥା, ମୁଁ ଆସୁଛି । ଶଶୀ ବୁଲା କୁକୁର ମୁଣ୍ତରେ ହାତ ମାରି ବାଡ଼ିଖଣ୍ତିକ ବାଡ଼କୁ ଆଉଜାଇଲା । ଛିଣ୍ତା ଲୁଗାର ସିଆଁ କାନିଟା ମୁଣ୍ତ ଉପରକୁ ଟାଣି ଅଧେ ମୁହଁ ଘୋଡ଼ାଇ ପୁଣି ବୁଲାକୁ କହିଲା, ଏଇଠି ବସିଥା । ତାପରେ ଟିପେଇ ଟିପେଇ ହତା ଭିତରକୁ ପଶିଲା ।

 

କିଏ ସେ ? ପାଖ ଗଛଛାଇ ତଳୁ ପ୍ରଶ୍ନ ଆସିଲା ରୁକ୍ଷ-ସ୍ୱରରେ ।

 

କଚିରି ଘରଟା ଆଗରେ, ବାଟ ଦଶ ଖୋଜ ହୁଏ ନହୁଏ । ଶଶୀ ଅଟକି ରହିଲା ନାହିଁ । ଆଗକୁ ଚାଲିଗଲା ।

 

ମ, ଶୁଭୁ ନାହିଁକି ? ମୁଁ ପଚାରୁଛି କିଏ ସେ ?

 

ଗଛମୂଳ ଛାଇତଳୁ ଲୋକଟି ଆଲୁଅକୁ ବାହାରିଆସିଲା । ହାତରେ ଗୋଟାଏ ଠେଙ୍ଗା । ଶଶୀ ଅଧବାଟରେ ଅଟକି ଠିଆହେଲା । ଲୋକଟି ଆଗକୁ ଆସି କହିଲା, କଥା ନାହିଁ, ଜବାବ ନାହିଁ, କୁଆଡ଼େ ଚାଲିଛୁ ଲୋ ?

 

କଚେରୀକୁ ।

 

ଭାରି ସାହସ ! ରାତି ପହରକେ କଚେରୀରେ ତୋର କି କାମ ? କୁହା ନାହିଁ, ବୋଲା ନାହିଁ ।

 

ଗୁମାସ୍ତା ଅଛନ୍ତି ? କହୁ କହୁ ଯେପରି ସେ ଚମକି ଉଠିଲା ।

ନାହାନ୍ତି ।

ଆଉ କିଏ ଅଛି ?

କି କାମ ଅଛି ଶୁଣେ ? ଘର କେଉଁଠି ?

ଭିକାରୁଣୀଟା, କିଛି ମାଗିବାକୁ ଆସିଛି ।

 

ରାତି ଅଧରେ ମାଗିବାକୁ ଆସିଛୁ ? ନିକଲ । ଲୋକଟି ତାର ଠେଙ୍ଗା ଉପରକୁ ଟେକିଲା, କହିଲା ଯା ଏଠୁ, ହତା ବାହାରକୁ ।

 

ତାର ବିରକ୍ତି ଦେଖି ଶଶୀ ପଦାକୁ ଫେରିଆସିଲା । ଲୋକଟି ଫାଟକ ବନ୍ଦ କରି କହିଲା, ଫାଟକ ଖୋଲି ଆସିବୁ ତ ଦେଖିବୁ ।

 

ହତା ବାହାରେ ଫାଟକ କଡ଼ ଗଜା ଆମ୍ବଗଛ ଛାଇରେ ଶଶୀ ବସିଲା । ବୁଲା ତାର ପାଖକୁ ଆସିଲା । ଶଶୀ କହିଲା, ଆଜି ଉପାସ ରହିବାରେ ବୁଲା, ଏଇ ଗଛମୂଳେ ରାତି ପାହିବ । ବୁଲା ଆଗରେ ଶୋଇଲା ।

 

ଆକାଶରେ ଖଣ୍ତ ଖଣ୍ତ ଚଳନ୍ତି ମେଘ । ତାଆରି ଭିତରେ ଜହ୍ନମାମୁଁର ଲୁଚକାଳି ଖେଳ । ଘଡ଼ିଏ ଚାହିଁ ରହିଲା ତେଣେ । ଇମିତି ତାର ଜୀବନ କେତେଖଣ୍ତ ବଉଦ ଫାଙ୍କରେ ଗଳି ଆସିଛି । ସଞ୍ଜ ସକାଳର ଦମକା ବାଆ ତାର କିଛି କରିପାରିନାହିଁ । ଆଜି ବା କଣ କରିପାରିବ ?

 

ଭାବିବାକୁ ଲାଗିଲା, ଶେଷକୁ ତାଙ୍କର ଏହି ଗତି ହେଲା ! ମଦ, ବେଶ୍ୟା, ପୁଣି ପିଲାଟା ଆଗରେ । ଏଡ଼ିକି ନିର୍ଲଜ, ଏଡ଼ିକି ବେହିଆ ! ଭାରି ଭଲ ପାଇଥିଲେ ଦିନେ । କେଇଟା ବର୍ଷର ଘରକରଣା, ସୁଆଗ । ତାର ପୋଡ଼ାପ୍ରାଣ ଭଙ୍ଗାଛାତିର ସେତିକି ସମ୍ବଳ ! ସ୍ୱପ୍ନ–ଦୁଃସ୍ୱପ୍ନ ! ଭାବିଥିଲା, କେବଳ ଧନରତ୍ନ ମଣିଷ ଜୀବନର ସାର୍ଥକତା, ସବୁ ସୁଖ ସବୁ ଆନନ୍ଦର ମୂଳ । ଏ ଧାରଣା ବଦଳିଗଲା ଯେତେବେଳେ ଯୌବନ-ଫୁଲଟା ମଉଳିଗଲା । ମଉଳା ଫୁଲର ପ୍ରଭା ଲିଭିଗଲା । ସୁଗନ୍ଧ ମିଳାଇଗଲା । ଦୁର୍ନାମ ରଟିଗଲା, ଚହଳ ପଡ଼ିଗଲା ସହରସାରା । ତାପରେ ଜେଲ୍‌ । ଜେଲ୍‌ରୁ ଫେରିଲା । ଆଉ ସେ ନରକ ବାଟକୁ ଯିବାକୁ ମନ ଡାକିଲା ନାହିଁ ।

 

ସାତ ବର୍ଷ… ଗୋଟାଏ ଅନ୍ଧାର ଭୟଙ୍କର ରାତିର ଦୁଃସ୍ୱପ୍ନ ପରି ଲାଗିଲା । ଶିଥିଳ ମନ ଫେରିଗଲା ଅତୀତ ସ୍ମୃତିର ବାଟ ଖୋଜି । କଅଁଳିଆଁ ଦେଢ଼ ବରଷର ପିଲାଟି । କେଡ଼େ ସୁନ୍ଦର, କି ଶୋଭା ହସ । ଠୁକୁରୁଠୁକୁ ଚାଲି । ଗୁଲୁରୁ ଗୁଲୁରୁ କଥା । ହାତୀଝୁଲା । ଗୁଗୁପାଞ୍ଚ, ଧେଇନାଟ । ପ୍ରେମର ଉପହାର ସେତକ । ମନେପଡ଼ିଗଲା ସବୁ । ଛାତି କରତି ହେଲା । ଫେରିଯିବାକୁ ମନ ହେଲା । ସାହସ ହେଲା ନାହିଁ । ସାତ ବର୍ଷ–ଓଃ କେଡ଼େ ଲମ୍ବା ! ତାକୁ ସିନା ଗୋଟିଏ ରାତିର ଦୁଃସ୍ୱପ୍ନ, ଦୁନିଆକୁ ନୁହେଁ । କେତେ ପରିବର୍ତ୍ତନ ହୋଇଥିବ । ନା, ସେ ଯିବ ନାହିଁ, ବାଟ ଜାଣେ ନାହିଁ । ଆଖି ଯୁଆଡ଼େ ଟାଣିବ ସେ ଯିବ । ପ୍ରାଣର ପ୍ରତିମାକୁ ଦେଖିବାକୁ ଦିନେ ହେଲେ ସୁବିଧା ଘଟିବ, ନିଶ୍ଚୟ ଘଟିବ, ପ୍ରାଣ ତ ରହିଛି !

 

ତିନିବର୍ଷ କଟିଲା । ଶେଷକୁ ନରଦା । ପ୍ରାଣର ସଙ୍ଖାଳି ତାର ଏଇଠି, ଏଇ ଆଗରେ ଅଛି । ଥରେ ହେଲେ ଦେଖିବ । ତାପରେ ସେ ଚାଲିଯିବ ।

 

ପୁଣି ଫାଟକ ଖୋଲିଲା । ଶବ୍ଦ ଶୁଣି ବୁଲା ମୁଣ୍ତ ଟେକି ଚାହିଁଲା । ଭୁକି ଉଠିଲା । ଶଶୀର ଭାବନା ଭାଙ୍ଗିଲା । ସେ ମୁହଁ ବୁଲାଇଲା ଫାଟକ ଆଡ଼କୁ । ଜହ୍ନ ଆଲୁଅରେ ପିଲାଟିଏ । ଦଶ ବାର ବର୍ଷର ହେବ । ଧୋବ ଲୁଗା ପିନ୍ଧିଛି, ବେକରେ ଗାମୁଛା ।

 

ଏଇ ତାର ପ୍ରାଣପ୍ରତିମା ଟୁନୁ ?

 

ପିଲାଟି ଗୁଣୁଗୁଣୁ ହୋଇ ମନକୁ ମନ କଅଣ କହୁଥାଏ । ଫାଟକ ବନ୍ଦ କରି କୁଆଡ଼କୁ ନଚାହିଁ ଏକମୁହାଁ ହୋଇ ଚାଲିଯିବାକୁ ବସିଲା । ଜହ୍ନରାତିର ଅସ୍ପଷ୍ଟ ଆଲୁଅରେ ତାର ମୁହଁଟି ଭଲ ବାରି ହେଉନଥାଏ । ହେଲେ ବା ଶଶୀ ଚିହ୍ନନ୍ତା କିପରି? ଛାଡ଼ି ଯାଇଥିଲା ପାଣିହାଣ୍ତି ଛୁଆ । ଦଶ ବର୍ଷରେ କେତେ ବଦଳିଯିବଣି । ସମୟ ଅଭିଜ୍ଞତାର କେତେ ନୂଆ ନୂଆ ଛାପା ମାରି ତାର କଅଁଳ ତରଳ ମନ ଓ ଦେହକୁ ନୂଆ ଛାଞ୍ଚରେ ଗଢ଼ିସାରିବଣି । ସେ କୁଲୁକୁଲିଆ ଟିକି ମୁହଁଟି କେଡ଼େ ସୁନ୍ଦର, ଜହ୍ନମାମୁଁ ସଙ୍ଗେ ଯାହାକୁ ତୁଳନାକରି ସେ ଗୀତ ବୋଲେ–ତୋ ମୁହଁ ତା ମୁହଁ ଏକାପରି ତ, ଦୁହିଁଙ୍କି ବସାଇ ଦେବା ସଙ୍ଗାତ । ଆ ଜହ୍ନ ମାମୁ ସରଗ ଶଶି ! ସେ ମୁହଁଟି ଆଜି ଆଉ ଶଶୀର ମନେନାହିଁ ।

 

ଚାଲିଯାଉଥିଲା ପିଲାଟି । ଶଶୀ ଡାକ ଛାଡ଼ିଲା, ହେ ବାପ, ହେ ବାପ, ହେ–

ପିଲାଟି ଫେରି ଚାହିଁଲା । କହିଲା, କିଏ ଲୋ ତୁ ଅନୁକୂଳବିଗାଡ଼ି ।

ଶୁଣିଲୁ ଟିକେ !

ତୋର ବୋଲକରା ହୋଇଚି ମୁଁ, କଣ କହୁନୁ ?

 

ତାର ବିରକ୍ତଭାବ ଦେଖି ଶଶୀ ଫାଟକ କଡ଼ରୁ ଉଠି ପାଖକୁ ଗଲା । ମୁହଁକୁ ଚାହିଁ କଣ ପଚାରିବ ପଚାରିବ ହୋଇ କହିପକାଇଲା, ସତେ ତୋର ଅନୁକୂଳ ଭାଙ୍ଗିଲି ବାପ ?

 

ଭାଙ୍ଗିଲୁ ନାଇଁ ତ ଆଉ କଣ ! ଏତେ ରାତି ହେଲାଣି, ଦୋକାନ ପଡ଼ିଯିବ ।

ଓ, ଦୋକାନକୁ ଯାଉଛୁ ସଉଦା ପାଇଁ ? କି ସଉଦା ଆଣିବୁ ?

ସବୁ କଥା ତତେ କହିଦେବି ପରା ! କିଏ ଲୋ ତୁ ? ତୋ ଘର କେଉଁଠି ବା ?

ମୋ ଘର ସେଇ ଆର ଗାଁରେ । ଗୁମାସ୍ତାଙ୍କ ପାଖକୁ ଆସିଥିଲି କାମରେ ।

କି କାମରେ ? ପିଲାଟି ନଇଁପଡ଼ି ତଳୁ କଣ ଗୋଟାଇଲା ।

ଗୁହାରି କରିବା କଥା । ଦୁଃଖୀରଙ୍କିଙ୍କର ଆଉ କି କାମ ? ସେ ଅଛନ୍ତି ?

 

ଥିଲେ; ସଞ୍ଜ ଆଗରୁ କଟକ ଚାଲିଗଲେ । ଦିନେ ଦି ଦିନ ପରେ ଆସିବେ । ପିଲାଟି ହାତ ମୁଠା କରି ମୁଣ୍ତ ଉପରକୁ ଟେକିଲା ।

 

ଶଶୀ ପଚାରିଲା, କଟକ କାହିଁକି ଯାଇଛନ୍ତି ?

ତୋର ଜାଣି ଲାଭ କଣ ?

ଜରୁରି କାମ ଥିଲା ବାପ ।

 

ବୁଝିଲି, ଗାଁ ଲୋକେ ତତେ ଚର କରି ପଠାଇଛନ୍ତି, ନା ! ବଦମାସ୍‌ ! ତାର ଟେକିଲା ହାତଟି ତଳକୁ ନଇଁ ଆସିଲା । ବୁଲା ଚିତ୍‌କାର କରି କାନ୍ଦିଉଠି ପଛକୁ ହଟିଗଲା । ପର ମୂହୂର୍ତ୍ତରେ ବାଘ ପରି କୁଦାମାରି ଛୁଟିଗଲା ପିଲାଟି ଆଗକୁ । ଦୁଇ ଗୋଡ଼ରେ ଠିଆ ହୋଇ ଗର୍ଜନ କରି ପଳାଇ ଯାଉଥିବା ବାଳକର ଗତିରୋଧ କଲା । ବଡ଼ ବଡ଼ ଦାନ୍ତ କାଢ଼ି ତା ଉପରକୁ କୁଦିପଡ଼ିଲା । ତାର ଯୁଦ୍ଧ ଡାକ ଶୁଣି ଆଖପାଖର କେତେଟା କୁକୁର ଭୁକି ଭୁକି ଯୁଦ୍ଧ ଭୁଇଁକୁ ଡେଇଁପଡ଼ିଲେ। ଗାଁର ଆଉ କୁକୁରଗୁଡ଼ାକ କାହିଁ କେତେ ଦୂରରୁ ଯୁଦ୍ଧ ଡାକର ଉତ୍ତର ଦେଲେ ।

 

ପିଲାଟି ଛାନିଆଁ ହୋଇପଡ଼ିଲା । ଯୁଆଡ଼େ ଚାହିଁଲେ ଶତ୍ରୁ । ପଳାଇବାର ଉପାୟ ନାହିଁ-। ବୁଦ୍ଧି ହଜିଗଲା । ସେ ବାଧ୍ୟ ହୋଇ ଆତ୍ମସମର୍ପଣ କରି ପାଟି କରି ଉଠିଲା ।

 

ଶଶୀର ହଂସା ଉଡ଼ିଗଲା । କଣ ହୋଇଛି ସେ ଅନୁମାନ କରିନେଲା । ଡେରି କରି ଚାହିଁ ରହିଲେ ଆଉ ରକ୍ଷା ନାହିଁ । ବୁଲାକୁ ସେ ଭଲ କରି ଚିହ୍ନେ । ନିଜ ଉପରେ ଆଘାତ ଆସିଲେ ସେ ଇନ୍ଦ୍ର ଚନ୍ଦ୍ର ମାନେ ନାହିଁ । କାହାରି କଥା ଶୁଣେ ନାହିଁ । ପ୍ରାଣ ପଛେ ଯାଉ, ସେ ଛାଡ଼ିବ ନାହିଁ । ନିଶ୍ଚୟ ପ୍ରତିଶୋଧ ନେବ । ଆହା, ପିଲାଟିକୁ ଝୁଣି ପକାଇବ ଯେ । ତାଆର ପିଲା । ସେ ସହିବ କିପରି ? ବୁଲା, ବୁଲା, ବୁଲା, ବୁଲା ।

 

ବୁଲା ମାନିଲା ନାହିଁ । ହୁଏତ ଶଶୀର ଡାକ ତାକୁ ଶୁଭିନାହିଁ । ଶଶୀ ଠେଙ୍ଗା ଟେକିଲା । ଗାଁ କୁକୁର ଯିଏ ଯୁଆଡ଼େ ପଳେଇଲେ । ବୁଲା ଅପସରି ଆସିଲା । ବାଳକଟି ସୁବିଧା ବେଳ ଉଣ୍ତି ଚିଲ ପରି ଛୁଟି ପଳାଇଲା ଅନ୍ୟଆଡ଼େ । ଭୟାତୁର ତେରଛ ଆଖିରେ ପଛକୁ ଚାହୁଥାଏଁ ଥରେ ଥରେ, କାଳେ କୁକୁରଟା ପଛରେ ଖେଦିଥିବ ।

 

ଆହା, ଶଶୀର ଅନେକ କଥା ପଚାରିବାକୁ ବାକି ରହିଗଲା । ନାଆଁଟା ସୁଦ୍ଧା ପଚାରି ପାରିଲା ନାହିଁ । ଏକୋଇଶାକୁ କିଏ କେତେ ନାମ ଦେଲେ । କାହାରି ନାମ ରହିଲା ନାହିଁ । ଆଈ କହିଲେ ଏଣ୍ତୁଅ ଡାକ – ଜନ୍ମବେଳେ ଏଣ୍ତୁଅ ପରି ଏଡ଼େ ବକଟେ ହୋଇଥିଲା । ବାପେ କହିଲେ, ଛି, କି ଅବର୍ଯ୍ୟା ଅସନା ନାଆଁଟା ! ସେ ଡାକିଲେ ଧଡ଼ିଆ । ଶଶୀର ମନକୁ ଆସିଲା ନାହିଁ । ସେ ଡାକିଲା ଟୁନୁ । ଦେଖଣାହାରୀ ସାହି ପଡ଼ୋଶୀ, ଗଲା ଆଇଲା କିଏ କେତେବେଳେ କଅଣ ଡାକେ, ଶଶୀର ମନେନାହିଁ ।

 

ବୁଲାକୁ କୋଳକୁ ଆଣିଲା । ମୁଣ୍ତରେ ମୁଣ୍ତ ଲଗାଇ ଗେଲ କରି କହିଲା, ଆରେ ବୁଲା, ତୁ କାହା ପରି ପାଇଲୁ କି ତାକୁ, ସେ ଆଗ ନା ତୁ ଆଗରେ ! ବୁଲା ଉତ୍ତର ଦେଲା ନାହିଁ । ଶଶୀ କହିଲା, ଚାଲ୍ ବୁଲା ଏଥର ଦିନଯାକ ଧାଇଁ ଧାଇଁ ଥକିଗଲୁଣି । କିଛି ଖାଇବାକୁ ମିଳୁ ନମିଳୁ, କେଉଁଠି ଟିକେ ଶୋଇପଡ଼ିବା । ଆଉ ଏଘର ସେଘର ହୋଇ ପାରିବା ନାହିଁ । ବୁଲା କାନ ଟେକିଲା । ଶଶି ଶୁଣିଲା ପଛରୁ କଚେରି ଘର ହତା କଡ଼ରୁ କିଏ ପତର ଖସ୍‌ଖସ୍‌ କରି ଆସୁଛି । ବେଳେବେଳେ ଚୁପ୍‌ଚୁପ୍‌ କରି ଯେପରି କାହାକୁ କଣ କହୁଛି । ଶଶୀ ବୁଲାକୁ ଧରି ଛାଇ ଜାଗାକୁ ଘୁଞ୍ଚିଗଲା ।

 

–ଲୋକଟା କଅଣ ହାବୁଡ଼େ ପଡ଼ିଲେ ଖସିଯିବ ?

 

ଖସିଯିବ ! ତାଆର ହାଡ଼ ଗୋଡ଼ ଚୂନା କରି ତାକୁ ଆଜି ରାତାରାତି ଦେବୀ ନଈ ବାଲିରେ ପୋତିବା । ଦେଖିବା, ଗୁମାସ୍ତା ହୋଇଚି, କେଡ଼େ ବଳବନ୍ତ, କେଡ଼େ ବୁଧିଆ । କେଉଁ ଗାଁର କିଏ । ଚାକିରୀ ଖଣ୍ତେ ପାଇଲା ବୋଲି ଏଠିକି ଆସି ଷଣ୍ଢପଣିଆ କାଢ଼ୁଛି । ପର ଝିଅ ବୋହୁଙ୍କୁ ଆଖିମିଟିକା ମାରୁଛି । ଏଇ ହାତରେ ଯଦି ତାଆର ଆଖି କଣା ନକରିଛି ତ ମତେ କହିବ-

 

ଶଶୀର ଛାତିରେ ଛନକା ପଶିଲା । ଆହା, ଶେଷକୁ ତାଙ୍କର ଏହି ପ୍ରକୃତି ହେଲା । ଦି’ ବର୍ଷ ସଂସାର କରିଛି, ତାଙ୍କର ଏ ପ୍ରକୃତି, ଏ ବଦ୍‌ଖୋଇ ଦେଖିବା ତ ଦୂରର କଥା, କାନରେ ଶଶୀ ଶୁଣିନଥିଲା । ଲୋକେ ପ୍ରଶଂସା କରନ୍ତି, ପର ପିଲାଙ୍କୁ ଦେଖିଲେ ସେ ଆଖି ତଳକୁ କରନ୍ତି । ଗାଁ ମାଇପେ ଆଡ଼ ନହେଉଣୁ ସେ ଆଗ ଆଡ଼େଇଯାଆନ୍ତି । କେଡ଼େ ସରଳ । ତାଙ୍କର ସେଇ ଗୁଣପାଇଁ ସିନା ଶଶୀର ଅବାଟକୁ ଗତି । ଆଜି ସବୁ ବଦଳିଛି, ଆହା !

 

–ଆରେ, ଏଇ ହାତରେ ତାର ପ୍ରାଣ ନେବି, ଥରେ ସେ ହାବୁଡ଼େ ପଡ଼ୁ ।

ଶଶୀ ମନକୁମନ ହସିଲା । ଭାବିଲା ଯାହାକୁ ଖୋଜୁଛ ସେ ଯାଇଁ କଟକରେ ।

କିଏରେ ଛାଇ ତଳେ ?

 

ମୁଁ ବାବା, ଶଶୀ; ଏକୁଟିଆ ସେ ଜହ୍ନ ଆଲୁଅକୁ ଆସିଲା । ଓ, ତୁ-ଉ, ହା-ହା-ହା । ଲୋକଟି ନଇଁପଡ଼ି ତାର ମୁହଁକୁ ଚାହିଁ ବଡ଼ ପାଟି କରି ହସିଉଠିଲା ।

 

କିଲୋ, ଗୁମାସ୍ତାଙ୍କ ସଙ୍ଗେ ଦେଖା ହେଲା ?

 

ନାଇଁ ବାବା, ଡାକିଲେ କେହି ଶୁଣୁନାହାନ୍ତି । ଘରେ ନଲଟଣ ଧରି ଲୋକେ କାରବାର ହେଉଛନ୍ତି । ଡାକି ଡାକି ମୋର ତଣ୍ଟିପଡ଼ିଗଲା, କେହି ଜବାବ ଦେଲେ ନାହିଁ । କଅଣ କରିବି, ଏଇଠିତ ବସିଚି ।

 

ଓ–ଓ, ତାଙ୍କର ମଉଜ ଲାଗିଛି, ଗରିବଟାର କଥା କିଏ ଶୁଣୁଛି ? ହଉ ନେ, ଯା ।

 

କୋଟି ପରମାୟୁ ହୋଇଥାଉ ବାବା, ଅଧିକରୁ ଅଧିକ ହେଉ । ଶଶୀ ପଇସାଟି ହାତରେ ଧରି ଠିଆ ହେଲା ।

 

ନେ ନେ । ତୁ ଆଗ ଯିବୁଟି ଏଠୁ ।

 

ଆଉ ଗୋଟିଏ ପଇସା ଅନ୍ୟଠାରୁ ପାଇ ଶଶୀ କଲ୍ୟାଣ କରି ଆଗକୁ ଚାଲିଲା । ହାତରେ ବାଡ଼ି, କାଖରେ ପୁଡ଼ା, ପଛରେ ବୁଲା ।

•••

 

 

କିଏ ଲୋ ତୁ, ଏଠି ଲମ୍ବ ହୋଇ ଶୋଇଛୁ ?

ପରଦେଶୀ ଭିଖାରୁଣୀଟା ମା !

ଆହାରେ, କି କଅଁଳ କଥା ! ଆଉ କୋଉଠି ଥାନ ମିଳିଲା ନାହିଁ ପରା !

 

ଶଶୀ ଉଠି ବସିଲା । କହିଲା, ନାଇଁ ମା, ଦିନଯାକ ଚାଲି ଚାଲି ଆସିଛି । କେଉଁଠି ଟିକେ ପଡ଼ିଯିବି ବୋଲି ଯାହା ପିଣ୍ତାରେ ଗୋଡ଼ ଦେଉଛି ସେ ମତେ ତଡ଼ୁଛି ।

 

ଆଉ ଏଇଠି ଶସ୍ତା ଦେଖିଲୁ, ନା ଲୋ ? ପିଣ୍ତାଟି ସର୍ବସାଧାରଣ ଆଖଡ଼ା କି ନା ! କେଡ଼େ ଗେଲବସର କଥା । ଚୋର କି ତସ୍କର କି ଆଉ କଣ । ଯା ଯା, ତୁ ଏଠୁ ଯିବୁଟି !

 

ତେଲିଘର ଝିଅ ସାଆନ୍ତାଣୀ ! ଅଚ୍ଛବ ଜାତି ନୁହେଁ ।

 

ତୋ ହାତରେ କିଏ ପାଣି ଖାଇବାକୁ କହୁଛି କି ଜାତିଗୋତ୍ର ବାହୁନି ହେଉଛୁ । ବାରଜାତି ତେର ଗୋଲା, ଛତରଖାଈ । ଯା, ଆଉ କୋଉଠି ଶୋଇବୁ । ନୋହିଲେ ତୋ ମୁହଁରେ ନିଆଁ କୁଢ଼େଇବି । ଏତିକି କହି ସ୍ତ୍ରୀ ଲୋକଟି ଖଞ୍ଜା ଭିତରକୁ ମୁହଁ ଗଳାଇ ଡାକ ଛାଡ଼ିଲେ, ଆଲୋ ଶାନ୍ତି, ଶାନ୍ତି ଲୋ !

 

କଅଁଳ କଣ୍ଠରେ ଜବାବ ଆସିଲା, ଏଁ !

ଝାଡ଼ୁ ମୁଠାକ ଆଇଁଲୁ । କିଲୋ ଚୁଲିପଶି, ଯାଉଛୁ ଏଠୁଁ, ବାହାର ବାହାର ।

ଝାଡ଼ୁ କଣ କରିବୁ ବୋଉ ? ଆରଘରୁ ଶାନ୍ତି ପଚାରିଲା ।

ତୁ ତ ଆଣିବୁ ଯାହା କହିଲି, ତତେ ଏତେ ଜେରା କରିବାକୁ କିଏ କହୁଛି ?

ସାଆନ୍ତାଣୀ, ମୋ ଦିହ କଣ ହେଉଛି । ରାତିଟା ଏଇଠି ଟିକେ ରହିବାକୁ ଥାନ ଦିଅ ।

ତୋ ଧିଅପାଇଁ ଓଷଦ ସଜାଡ଼ୁଛି ଟିକିଏ ରହ । କିଲୋ, ଆଇଲୁ ଶାନ୍ତି ।

ଯା-ଉ-ଛି ।

କେତେ ଜାଉ ଖାଉଛୁ ଲୋ ?

 

ସାଆନ୍ତାଣୀ ! ମୋତେ ମାର କି ଯାହା କର, ମୋର ଗୋଡ଼ ଚଳୁନାହିଁ । ଶଶୀର ତଣ୍ଟି ରୁଦ୍ଧ ହୋଇ ଆସିଲା । ଭାବିଲା, ଓହୋ, ଲୋକେ ଏଡ଼େ ନିଷ୍ଠୁର ହୁଅନ୍ତି ।

 

ଝିଅଟିଏ ଆସିଲା । ଆଠ ବର୍ଷର ହେବ । ସୁନ୍ଦର ରୂପ । ହାତରେ ମୁଠାଏ ଛାଞ୍ଚୁଣି ଧରିଛି । କହିଲା, ବୋଉଲୋ, ଗୁନା ଶୋଇଛି, ବେଳେ ବେଳେ ଚମକି ଉଠୁଛି ।

 

କିଏ ଅଛି ତା ପାଖରେ ?

ସମସ୍ତେ ତଳ ଖଞ୍ଜାରେ । ମୁଁ ଥିଲି, ତୁ ମତେ ଡାକିଲୁ ।

 

ଆଲୋ, ତାକୁ ଛାଡ଼ି ଆଇଲୁ ? କୁଆଡ଼େ ଗଲା ସେ ଖଣ୍ତିଆ ଟୋକା ? ଆଜି ଆସୁକି ଏଇ ଛାଞ୍ଚୁଣିରେ ତା ପିଠି ଭାଙ୍ଗିଦେବି । ରାତି ଅଧ ହେଲାଣି, କୋଉଠି ମରୁଛି କେଜାଣି ।

 

ସେ ଖଞ୍ଜା ଆଡ଼କୁ ଗଲେ । ଝିଅଟି ଫେରି ଯାଉଣୁ ପଚାରିଲା, କିଏ ବୋଉ, ଟୁନା ଭାଇ-?

 

ହଁ, ସେଇ ଅଲକ୍ଷଣା, ଅବେଇଜ ଟୋକା । ଛୁଆଟାକୁ ମୋର କୋଉଠି ଡରେଇ ଆଣିଛି-

 

ଶଶୀ ନିଶ୍ଚିନ୍ତ ହେଲା । ଝାଡ଼ୁଟା ଯେ ତା ଉଦ୍ଦେଶ୍ୟରେ ଆସିଥିଲା ଏଥିରେ ସନ୍ଦେହ ନାହିଁ । ପୁଅର ଚମକା କଥା ଶୁଣି ସ୍ତ୍ରୀ ଲୋକଟି ତା କଥା ପାସୋରିଗଲେ । ହରି ବଡ଼ ଲୋକ । ଶଶୀ ପୁଣି ଶୋଇଲା । ନିଦ ହେଲା ନାହିଁ। ବାରକଥା ବାରଚିନ୍ତା ମନକୁ ଅସ୍ଥିର କଲା । ବେଶୀ ସେଇ ପିଲାଟି କଥା । ହୃଦୟର ରକ୍ତ ଦେଇ ଗଢ଼ିଛି । ସେହି ଭାବନାରେ ହିଁ ତାର ଆନନ୍ଦ । ଜୀବନର ଅବୁହା ବୋଝ, ସେହି ଭାବନାରେ ହିଁ ତାର ଲାଘବ ହୋଇଆସେ । ଅସୀମ ଦୁଃଖର ଅନ୍ଧାର ଭିତରେ ଆଶା ନୁହେଁ, ଆନନ୍ଦର ଦୀପ ଶିଖା ଦିକି ଦିକି ଜଳିଉଠେ । ସାରା ଜୀବନର ପାପକାଳିମା ପୋଡ଼ିଲା ଜଳିଲା ମନରୁ ପୋଛି ହୋଇଯାଏ ।

 

ଦୂରରୁ କୁକୁରଟିଏ ଭୁକି ଉଠିଲା । ଶଶୀ ମୁହଁରୁ ଲୁଗା କାଢ଼ି ଚାହିଁଲା । ବୁଲାର ଦେଖା ନାହିଁ । ଚଗଲାଟା ପୁଣି କୁଆଡ଼େ ଯାଇ କଜିଆ କଲାଣି । ଇସ୍‌, ମଶାଗୁଡ଼ା କଣ ହେଉଛନ୍ତି । ଶୁଆଇ ଦେଉନାହାନ୍ତି ଲୋ ମା । ଶଶୀ ପୁଣି ମୁହଁ ଉପରକୁ ଲୁଗାକାନି ଟାଣିଆଣିଲା ।

 

ଘଡ଼ିଏ ବିତିଲା । ଛାଇନିଦ ଘୋଟିଆସୁଥାଏ । ଖଞ୍ଜା ଭିତରୁ ବିକଳ ହୋଇ କାନ୍ଦି ଉଠିଲା କିଏ । ଚମକି ଚାହିଁଲା, ବୁଲାଟା କେତେବେଳୁ ଆସି କୋଳରେ ଶୋଇଛି । ଖଞ୍ଜା ଭିତରୁ ପାଟି ଶୁଭୁଛି । ଆଖି ଖୋଲି କାନ ପାରି ଶୁଣିଲା – ଚୁଲିପଶା କେତେବେଳୁ ଆସି ଢିଙ୍କିଚାଳିରେ ଅଣଆଡ଼ିଆ ତୁନି ହୋଇ ଶୋଇଛି । କେଡ଼େ ସାହସ ଲୋ ମା ଦେଖ ତ ! ପିଲାଟାକୁ ମୋର, ଉଁ ।

 

ପୁଣି କିଏ କାନ୍ଦି ଉଠିଲା– ଛାଞ୍ଚୁଣି ଗେବାରେ ଗାଲ ଭାଙ୍ଗିଦେବି, ତୋ ଅଲିଅଳଗିରି ଛଡ଼େଇଦେବି, କଅଣ କରି ପାଇଲୁ କି ମତେ !

 

ଥାଉ ରତନ, ପିଲା ଲୋକ ।

 

କି ପିଲା ଲୋ ! ବାର ବରଷର ଟୋକାଟା । ଛୁଆଟାକୁ ବନ୍ଧ ଉପରେ ଏକୁଟିଆ ବସେଇ କୁଆଡ଼ର ବୁଲା କୁକୁରଟା, ତାକୁ ଦଉଡ଼ିରେ ବାନ୍ଧି ଖେଳ ଲଗେଇଛି । ଛୁଆଟା ଡରିବ ନାହିଁ ଏଥିରେ ?

 

କାନ୍ଦଣା ସ୍ୱରରେ ପିଲାଟି କହିଲା, ମୁଁ କୁକୁର ବାନ୍ଧି ନାହିଁ । ଚକରା ବାନ୍ଧିଥିଲା ।

ପୁଣି ଜବାବ ଦଉଛି, ଏଁ ।

ଦୁମ୍‌ଦୁମ୍‌ ଶୁଭିଲା । କାନ୍ଦି ଉଠିଲା ପିଲାଟି । ବୋଉଲୋ, ମରିଗଲି ଲୋ–

ଏ କଅଣ, ଏ କଅଣ ରତନ !

ଏ କଣ ରତନି ଅପା ?

 

 

ଛାଡ଼୍, ଛାଡ଼୍ ମୋ ହାତ । ଆଜି ମୁଁ ତାର ରକ୍ତ ଚିତା ଘେନିବି । କେଉଁ ବାପା ବୋଉ ତା ପିଠିରେ ପଡ଼ିବେ ଦେଖିବି । କୁଞ୍ଜ ଆସୁ, ତୋ ପିଠିରୁ ଛାଲ ନ ଉତାରିଛି ଯଦି ମୁଁ ବାପର ଝିଅ ନୁହେଁ ।

 

ଛି ରତନ, ଲୋକେ ଶୁଣିଲେ କଅଣ କହିବେ ?

 

ଆଜିଯାଏ ଆଉ ବାକି କଣ ରଖିଛନ୍ତି ? କୋଉ ଲୋକଟାକୁ ମୋର ଡର ? ହଇରେ ଖଣ୍ତିଆ, ତୁ ମୋ ଆଗରୁ ଯିବୁଟି । ଯା କୋଉ ବାପା ମା ପାଖକୁ । ତୋ ମୁହଁ ଚାହିଁକରି ନାହିଁ ।

 

ଦାଣ୍ତ କବାଟ ଖୋଲିଲା । ସ୍ତ୍ରୀ ଲୋକଟିଏ, ବାଳକଟିର ଡେଣା ଧରି ପଦାକୁ ଛିଞ୍ଚାଡ଼ି ଦେଲା । ପୁଣି ଦାଣ୍ତ କବାଟ ବନ୍ଦକରି ଭିତରୁ କହିଲା – କାଲି ଯଦି ତତେ ଦେଖେ, ଏଇଠି ତୋର ରକ୍ତ ପିଇବି ରେ ।

 

ଶଶୀର ଆଉ ନିଦ ହେଲା ନାହିଁ । ଆହା, କି ଦୋଷ କରିଥିଲା ପିଲାଟି, ଅଧରାତିରେ ତା ଉପରେ ଏ କଠୋର ଦଣ୍ତ । ଭିକ ମାଗି ମାଗି କେତେ ଗାଁ କେତେ କେତେ ଘର ବୁଲିଛି । କେଡ଼େ କେଡ଼େ ଲୋକଙ୍କ ପିଣ୍ତାରେ ଶୋଇ ରାତି କଟାଇଛି । ଏଇ ଦୁଇ ଆଖି ତାର କେତେ କଥା ଦେଖିଛି । ଦୁଇକାନ ତାର କେତେ କଥା ଶୁଣିଛି । ଏପରି ନୃଶଂସତା କେଉଁଠି ଦେଖି ନାହିଁ । ପିଲାମନ, ପିଲାବୁଦ୍ଧି, ସଦାବେଳେ ଚଞ୍ଚଳ, ଖେଳପ୍ରିୟ । ଭଲମନ୍ଦ ଜାଣନ୍ତି ନାହିଁ, ବୁଝନ୍ତି ନାହିଁ । ନଜାଣି ଭୁଲ କରିବା ତାଙ୍କର ଖୋଇ । ବୁଝାଇ ସୁଝାଇ ଭୁଲ୍‌କୁ ସୁଧାରି ନନେଇ ପିଠିରେ ହାତସୁଖ ସାରିବାକୁ ଲୋକଙ୍କର ମନହୁଏ କିପରି, ସତ ବଳେ କେମିତି ?

 

ଶଶୀ କର ଲେଉଟାଇ ତାକୁ ଚାହିଁଲା । ପିଲାଟି ଖଣ୍ତେ ଦୂରରେ କାନ୍ଥକୁ ଆଉଜିବସି କଇଁ କଇଁ ହୋଇ କାନ୍ଦୁଛି । ଇଚ୍ଛା ହେଲା, ପାଖକୁ ଯାଇ ତାକୁ କୋଳକୁ ଟାଣିଆଣିବ । ଦୁଇ ହାତରେ ଛାତିରେ ଭିଡ଼ି ଧରି ଆଖିର ଲୁହ ପୋଛିଦେବ । ଗେଲ କରି କହିବ– ତୁନି ହ ବାପ, ଆଉ ଦିନେ ଦୁଷ୍ଟାମି କରିବୁ ନାହିଁ । ଭୟ ହେଲା । କାଳେ ତାର ବାଘୁଣୀ ମା କେଉଁଠି ଛକି ବସିଥିବ, ବାହାରି ପଡ଼ି ରଡ଼ି ଛାଡ଼ିବ– ତୁ କିଏ ଲୋ, ମୋ ପୁଅ ପାଖେ ସାକୁଲେଇ ହେଉଛୁ ? କେମିତିକା ମାଆ ସେ କେଜାଣି, କି ଧାତୁରେ ତାର ଛାତି ଗଢ଼ା !

 

କେତେ କଣ ଭାବୁଥାଏ । ଘଡ଼ିଏ କଟିଗଲା । ଜହ୍ନ ବୁଡ଼ିବାକୁ ବସିଲା । ଶଶୀ ଦେଖିଲା, ପିଲାଟି ପିଣ୍ତାଉପରେ ଲମ୍ବ ହୋଇ ଶୋଇଛି । କାନ୍ଦ ବନ୍ଦ ହେଲାଣି । କୋହ ଉଠୁଛି । ଖଞ୍ଜା ଭିତରୁ ଆଉ କାହାରି ପାଟି ଶୁଭୁନାହିଁ । ସମସ୍ତେ ବୋଧହୁଏ ଶୋଇଲେଣି । ଚାରିଆଡ଼ ଶୂନଶାନ୍‌ । ନିଶା ଗର୍ଜ୍ଜୁଛି । ଗାଁ ମଶାଣି ଆଡ଼ୁ ପେଚାର ଡାକ । ନଈ ସେ ପାରିରୁ କେଜାଣି କେଉଁ ଅଜଣା ବାଟୋଇର କୁହାଟ କାନରେ ବାଜୁଛି ।

 

ପିଲାଟିର କଥା ସମସ୍ତେ ଭୁଲିଗଲେ ପରା – କେହି ପଚାରୁନାହାନ୍ତି । ମଶା ବଣରେ ପଡ଼ି ଛଟପଟ ହେଉଛି । ଶଶୀ ଯାଇ ତା ପାଖରେ ବସିଲା । ଲୁଗା କାନିରେ ବିଞ୍ଚି ଦେହରୁ ମଶା ହୁରୁଡ଼େଇବାକୁ ଲାଗିଲା । ନିଦରେ ଆଖି ମାଡ଼ିପଡ଼ୁଥାଏ । ପର ପିଲାକୁ ସେବା କରିବାର ପ୍ରଲୋଭନ, ଆନନ୍ଦ ସେ ଛାଡ଼ି ପାରିଲା ନାହିଁ ।

 

ଦାଣ୍ତ କବାଟ ଖୋଲିବାର ଶବ୍ଦ ହେଲା । ଶଶୀ ଭୟରେ ଉଠିଗଲା ଆର ପିଣ୍ତାକୁ । ଶୋଇପଡ଼ି ଭାବିଲା, ମାଆଲୋ, ସେହି ବାଘୁଣୀ ମା ତାର ପୁଣି ଆସିଲାଣି କି କଣ ! ପିଲାଟାକୁ ଅଇଛିକା ମାରି ପକାଇବ । ନା, କେଜାଣି ରାଗ ଶାନ୍ତି ହେବଣି । ମା ମନ, ତାକୁ କୋଳକୁ ନେବାକୁ ଆସିଛି ।

 

ଟୁନାଭାଇ, ଟୁନାଭାଇ – କଅଁଳ ପାଟିରେ ଥିରି ଥିରି ଡାକ ।

 

ସେଇ ଝିଅଟି ହେବ ! ଶଶୀ ମୁହଁରୁ ଲୁଗା କାଢ଼ିଲା । ଶାନ୍ତି ଧୀରେ ଧୀରେ ଶୋଇଲା ପିଲାର ଦେହରେ ହାତମାରି ପୁଣି ଡାକିଲା, ଭାଇ, ଭାଇ ମ !

 

ନାଇଁ ନାଇଁ ମୁଁ ଆଉ ବାନ୍ଧିବି ନାହିଁ – ପିଲାଟି ଚମକି ଚିତ୍କାର କରିଉଠିଲା ।

 

ଚୁପ୍‌ । ଶାନ୍ତି ତାର ପାଟିରେ ହାତ ଦେଇ ଖଞ୍ଜା ଆଡ଼କୁ ଚାହିଲା । ଟିକିଏ ରହି ଡାକିଲା, ଭାଇ, ଭାଇ ମ !

 

ଉଁ-ଉଁ । ସେ ଅଳସ ଭାଙ୍ଗି ଚାହିଁଲା ଉପରକୁ ।

ମୁଁ ଶାନ୍ତି ।

କଣ ଲୋ ଶାନ୍ତି ? ଉଠି ବସିଲା ପିଲାଟି ।

 

ଖୁସି ହୋଇ ଶାନ୍ତି କହିଲା, ଭାଇ, ତତେ ଭୋକ କରୁଛି ? ସକାଳୁ ଖାଇନୁ, ନେ ଜଳଖିଆ ଆଣିଛି ।

 

କିଏ ଦେଲା ?

 

ଅଣ୍ଟିରୁ କଣ କାଢ଼ି ଟୁନାକୁ ଦେଇ କହିଲା, ସମସ୍ତେ ଶୋଇଲେଣି । ମୁଁ ରୋଷଘର ଶିକାରୁ ଆଣିଛି । କେହି ଦେଖିନାହିଁ । ତୁ ଝଅଟ ଖାଇଦେ – ପୋଡ଼ପିଠା, ପାଚିଲା କଦଳୀ ।

 

ବୋଉ ଜାଣିଲେ ତତେ ମାରିବ ।

 

କେହି ଜାଣିପାରିବେ ନାହିଁ । ତୁ ଖାଇଦେ । ମୁଁ ପାଣି ଆଣେ । ଶାନ୍ତି ଚାଲିଗଲା । ଟୁନା ଜଳଖିଆ ଖାଇବାକୁ ଲାଗିଲା । ଶାନ୍ତି ପାଣି ନେଇ ଫେରିଆସିଲା । ଝଅଟ ପିଇଦେବୁଟି । ମୁଁ ଯାଇ ମାଇଁ ପାଖରେ ଜାକିଜୁକି ହୋଇ ଶୋଇପଡ଼େ…. ରାତି ପାହିଲେ ପିଠା ଖୋଜା ପଡ଼ିବ - ହେବ ବିଲେଇ ନାଆଁ ।

 

ଆଉ କଦଳୀ ?

ମୋ ନାଁ । ବୋଉ କଅଣ ମତେ ଆରିବ କି ?

ଖାଇସାରି ଟୁନା କହିଲା, ଶାନ୍ତି, ମୁଁ ପାହାନ୍ତାରୁ ଉଠି ଆଈମା ପାଖକୁ ଯାଉଛି ।

ବାଟ ଦେଖିଛୁ ?

ଏଇ କଣ - ନଈ ସେପାରି । ମଲିପୁର, ବାଟ କୋଶେ ହେବ ।

 

ଶଶୀ ଚମକି ଚାହିଁଲା । ମଲିପୁର । ସେଇ ମଲିପୁର । ପିଲାଟିର ନାଁ ଟୁନା ! ତାର ପ୍ରାଣର ଅମୂଲ୍ୟମଣି ଟୁନା ! ତେବେ ସେ ଆର ପିଲାଟି କିଏ ? ଗୁମାସ୍ତାଙ୍କ ପୁଅ ! ମୁଣ୍ତ ଭିତରେ ସବୁ ଚିନ୍ତା ଗୋଳମାଳ ହୋଇଉଠିଲା । ଯେତେ ଭାବିଲେ ସେ କିଛି ଠିକ୍‌ କରିପାରିଲା ନାହିଁ । ଇଚ୍ଛା ହେଲା ସବୁ କଥା ପଚାରି ବୁଝିବ, ସବୁ ସନ୍ଦେହ ତୁଟାଇବ । ସାହସ ହେଲା ନାହିଁ । ପ୍ରାଣ ଖାଲି ଛଟପଟ ହେବାକୁ ଲାଗିଲା । କେଜାଣି କାହିଁକି ଦୁଇ ଆଖିରୁ ଲୁହ ଧାର ପଡ଼ିଲା । ସେ ଥିର ହୋଇ ପଡ଼ିରହିଲା ।

 

–ତୋ ସଙ୍ଗେ ମୁଁ ଯିବି ଟୁନା ଭାଇ !

 

ମୋ ସୁନାଟା, ତୁ କୁଆଡ଼େ ଯିବୁ ଲୋ ? ଚାଲି ପାରିବୁ ନାହିଁ ନଈ ବାଲିରେ । ଘର ଭିତରୁ କାହାର ପାଟି ଶୁଭୁଛି । ତୁ ଯା ଶୋଇବୁ । ଧରା ପଡ଼ିଲେ ମୋ ପାଇଁ ମାହାଳିଆ ତୁ ମାଡ଼ ଖାଇବୁ ।

 

ଶାନ୍ତି କଅଣ ଭାବି ଟୁନାର ବେକ ଧରି ତା କାନ୍ଧ ଉପରେ ମୁଣ୍ତ ରଖି କହିଲା, କେବେ ଆସିବୁ ?

 

କାନ୍ଦୁଛୁ କାହିଁକି, ଯିବୁଟି ଘରକୁ, କିଏ ଆସିବ କାଳେ । ମୁଁ ଯେବେ ହେଲେ ଆସିବି ଯେ, ଯା–

 

ପାଞ୍ଚ ମିନିଟ୍‌ ଉଭୟେ ନୀରବ ରହିଲେ । ଶୁକୁ ଶୁକୁ କାନ୍ଦ ଶୁଭିଲା । ଭାଇ ଭଉଣୀ ଦିଓଟି । କେଡ଼େ ଭଲ ପାଆନ୍ତି ପରସ୍ପରକୁ । ଜୀବନର ସକାଳ ପହର । ସେଇଠୁ ପୁଣି ବିଚ୍ଛେଦ ଆରମ୍ଭ ।

 

ବୋଉ ଯଦି ମରିଯାନ୍ତା !

ଛି ଶାନ୍ତି, ତୋ କଥା ଗୁନା କଥା କିଏ ବୁଝିବ ?

–ଶାନ୍ତି !

 

ଘର ଭିତରୁ କିଏ ଡାକିଲା । ଶାନ୍ତି ଧଡ଼ପଡ଼ କବାଟ ବନ୍ଦ କରି କହିଲା – ଯାଉଛି ମାଇଁ, ମୁତିଉଠିଥିଲି ।

 

ଟୁନା ଲମ୍ବ ହୋଇ ପିଣ୍ତା ଉପରେ ଶୋଇପଡ଼ିଲା ।

•••

 

 

ଭାଇ-ଭଉଣୀ ଦିଓଟିଙ୍କର କଥା ଶୁଣି ଶଶୀ ମୁଗ୍‌ଧ ହୋଇଥିଲା, କୌଣସି ବିଷୟ ଭାବିବାକୁ ଅବସର ନଥିଲା । ଶାନ୍ତି ଚାଲିଗଲା – କବାଟ ବନ୍ଦ କଲା । ଶଶୀ ଉଠି ବସିଲା । ଦେଖିଲା, ଲୁଗାକାନି ଘୋଡ଼ିହୋଇ ଟୁନା ଶୋଇପଡ଼ିଲାଣି । ସେ ତାରି ଆଡ଼କୁ ଚାହିଁ ରହିଲା ଏକା ଆଖିରେ । ଛାତି ଥରିଉଠିଲା । ଆଖିରୁ ଲୁହ ଝରିଲା । ମନର ବେଦନା, ଅନ୍ତରର କଥା ଖୋଲି କହିବାକୁ ବୁଲା ଛଡ଼ା ଦୁନିଆରେ ଆପଣାର କେହି ନାହିଁ । ବୁଲାକୁ କୋଡ଼କୁ ଆଣି ମୁଣ୍ତରେ ମୁଣ୍ତ ଲଗାଇ କହିଲା, ବୁଲାରେ, ଦୁନିଆଁ ସାରା ବୁଲି ବୁଲି ଦୁନିଆଁରେ କେତେ ହାନିଲାଭ ଭଲମନ୍ଦ ଦେଖିଲି, କିନ୍ତୁ ଦୁନିଆକୁ ଚିହ୍ନିପାରିଲି ନାହିଁ । କହିପାରିବୁ ବାବୁ କିଏ, କିଏ ମୋର ଟୁନା ?

 

ଘୋଟି ରହିଥିବ ଅନ୍ଧାର ଆଡ଼କୁ ବୁଲା ମୁଣ୍ତ ଟେକି ଚାହିଁଲା । ଅନ୍ଧାର, ଦଶ ବରଷର ନିଘଞ୍ଚ ଅନ୍ଧାର !

 

ତୁଇ କହିପାରିବୁରେ, ଆଉ କେହି ପାରିବେ ନାହିଁ । ରକ୍ତର ଗନ୍ଧ, ଲୁହର ସ୍ୱାଦ ଏକା ତୁଇ ବାରିପାରିବୁ, ଯା । ବୁଲାକୁ ତଳକୁ ଓହ୍ଲାଇ ଦେଲା କୋଳରୁ । ଯାଆରେ, ଛାତିର କୋହ ଆଉ କେତେଦିନ ସହି ରହିପାରିବି ? ଅନ୍ଧାର ଭିତରେ କେତେ ଅଣ୍ତାଳିହେବି ? ଆଖି ଲୁହରେ ଦୃଷ୍ଟି ମୋର ଯାଇଛି । ବଡ଼ ଆଶା କରି ଯାହାକୁ ଧରିବାକୁ ଯାଇଛି, ଧରା ଦେଇନାହିଁ । ଝାପ୍‌ସା ସନ୍ଦେହ ପୁଣି ଘୋଟିଯାଇଛି । ବୁଲା ଠିଆହୋଇ ରହିଲା, ନିରୁତ୍ତର ।

 

ଯିବୁ ନାହିଁ ? ତାର ମୁଣ୍ତ ଶୁଙ୍ଘି ବୁଝିପାରିବୁ ନାହିଁ ସେ ଏଇ ରକ୍ତର ଛୁଆ କି ନୁହେଁ ? ଡରୁଛୁ ବୁଲା ? ନା, ନା, ତତେ ଆଉ ସେ ବାନ୍ଧି ରଖିବ ନାହିଁ । ଥରେ ବାନ୍ଧିବାର ପରାଭବ ପାଇଛି-

 

ଟୁନାକୁ ନିଦ ହୋଇଗଲା । ତାର ଘୁଙ୍ଗୁଡ଼ି ଶୁଣି ଶଶୀ କହିଲା, ଏଇରେ, ପିଲାଟି ଶୋଇପଡ଼ିଲାଣି । ଅକୃତଜ୍ଞ ବୁଲା ! ତୁ ସେଇଠି ଥା, ମୁଁ ନିଜେ ଯାଇଁ ଦେଖେ । ଇଃ, କି ଅନ୍ଧାର ! ଏତିକି ବେଳକୁ ତାର ହଟ ।

 

ଜହ୍ନ ବୁଡ଼ିଲା । ଅନ୍ଧାର ଘୋଟିଗଲା ଦୁନିଆସାରା । ନୀରବ ପ୍ରକୃତି କି ଭୟଙ୍କର !

 

ଏମିତି ଅନ୍ଧାର ରାତି, ଏମିତି ନିଘୋଡ଼ ନିଦରେ ଶୋଇଥିଲା ତାର ଟୁନା । ହାତ ପାଖରେ ଗରଳ । ଶାଶୁଙ୍କ ଆଦେଶ, ସାତଦିନର କଣ୍ଟ ଆଜି ପୂରିବ । ଏଇ ତାର ଶେଷ ରାତି । ସ୍ୱାମୀ ଘରେ ନାହାନ୍ତି, ନରଦାରେ ଥିବେ କି କଣ । କି ଜରୁରି କାମରେ ପନ୍ଦର ଦିନ ଅଟକି ରହିବାର କଥା । ଭଲମନ୍ଦ କିଛି ଜାଣିଲେ ନାହିଁ । ଖବର ଅନ୍ତର କିଛି ପାଇଲେ ନାହିଁ । ତାଙ୍କର ଅଜାଣତରେ ସେ ଗରଳ ଖାଇ ମରିବ, ନୋହିଲେ ଚାଲିଯିବ ଭାଗ୍ୟ ଅନୁସରି ।

 

ଅନ୍ୟ ଉପାୟ ନାହିଁ । ଶାଶୁଙ୍କ ଆଦେଶ । ଅଛୁଆଁ ହାଡ଼ୀ ବାଉରୀ ପରି ରହି ଅପବାଦ ସହିବା ମରଣଠୁଁ ବଳେ । ଶାଶୁ କହିବେ, କେତେ ଯୋଖିଜାଖି ବନେଇ ଚୁନେଇ କହିବେ । ଛି, କି କଳଙ୍କର କଥା ! ତାର କି ଦୋଷ ? ବୃନ୍ଦାବନର କି ଦୋଷ ? ଗୋଟାଏ ଉତ୍ତେଜନା ଛଡ଼ା ଆଉ କିଛି ନୁହେଁ ତ !

 

ଟୋକାଟାକର ମଣିଷ । ମୋହ ଉତ୍ତେଜନା କେଡ଼େ ସ୍ୱାଭାବିକ । କିନ୍ତୁ ଅତି ଛୋଟ ଘଟଣା, ଆଖିରେ ପଡ଼ିଲା ଶାଶୁଙ୍କର ।

 

କଥା ମାଜିଲେ ମୋଟ । ସନ୍ଦେହରେ କଳା ହୁଏ ଧଳା । ଛୋଟ ଛୋଟ ଘଟଣା, ଅକଥାକୁ ନିଠେଇ ଧରିଲେ ପ୍ରମାଣ ଗଢ଼ିବା ସହଜ । ଯେତେ ବୁଝେଇଲେ, ଯେତେ ଭଲେଇହେଲେ କଅଣ ହେବ ?

 

ସନ୍ଦେହ !

ନିଆଁବାଣ ଶାଶୁ ।

 

ଯାହାର ଯାହା ପ୍ରକୃତି । ଯେତେ ଯାହା ଆଣ ନିଆଁରେ ଜଳିପୋଡ଼ି ପାଉଁଶ ହେବ । କଥାଟା ସେ ରାଷ୍ଟ୍ର କରିବେ । ଦୁନିଆଁ ଜାଣିବ, ସେ ଜାଣିବେ । ଛି, ପୋଡ଼ାମୁହଁ ସେ ଦେଖାଇବ କାହାକୁ ? କିପରି ବା ତାଙ୍କ ଆଗକୁ ଯିବ ? ହେଉପଛେ ତାଙ୍କର ମୁହଁବଢ଼ା, ସେ ତ କିଛି କହି ନଥିଲେ ?

 

ଛି, ବରଂ ମରଣ ଭଲ ! ଆହା ! ଛୁଆଟିର ମାୟା ! ନା ପଳାୟନ । ବଞ୍ଚିଥିଲେ ଦିନେ ଦେଖାହେବ ।

 

ଗାଁମୁଣ୍ତରେ ବୃନ୍ଦାବନ ।

ଶୋଇଲା ପିଲା । ଆଖି ଲୁହରେ କପାଳ ତାର ଭିଜିଛି ।

 

ରାତି ପାହିବ । ହୁଏତ ସେ ଆସିବେ । ତା ପରେ ? ଛିଃ ! ନା । ଆଉ ସେ ଡେରି କରିବ ନାହିଁ । ଶେଷଥର ପାଇଁ ଏମିତି ତା ଗାଲରେ ଚୁମା ଦେଇଥିଲା, ଠିକ୍‌ ଏମିତି, ବିଦାୟ ଆଗରୁ ।

 

ପିଲାଟି ଧଡ଼ପଡ଼ ହୋଇ ଉଠି ବସିଲା । ସେ ପାଟିକରି ପଚାରିଲା, କିଏସେ ?

 

ଲାଜରେ ନା ଭୟରେ ନା ଆଉ କାହିଁକି, ଶଶୀ ଚଞ୍ଚଳ ନିଜ ଥାନକୁ ଫେରିଆସିଲା । ଦେହଟା ବରଡ଼ାପତ୍ର ପରି ଥରୁଥାଏ । ହାତକୁ ଛାତିରେ ଚାପି ଧରି ଥରିଲା ସ୍ୱରରେ କହିଲା, ମୁଁ-ଉ- ।

 

କିଏ ଲୋ ତୁ ?

ଶଶୀ ଉତ୍ତର ଦେଇପାରିଲା ନାହିଁ ।

 

ଅନ୍ଧାରରେ ମସ୍‌ମସ୍‌ ହୋଇ କିଏ ଜଣେ ପିଣ୍ତା ଉପରକୁ ଉଠିଲା । ପାହାଚ ପାଖରେ ଟୁନା ବସିଛି । ଲୋକଟି ଅଣ୍ଟା ନୁଆଇଁ ପଚାରିଲା, କିଏ ବସିଛି ଏଠି ?

 

ଡରି ଡରି ଉତ୍ତର ଦେଲା, ମୁଁ ଟୁନା ।

 

ଏତେ ରାତିରେ କାହିଁକି ତୁ ଏଠି ବସିଛୁରେ ? ଆଗନ୍ତୁକ ଜଞ୍ଜିର ଖଡ଼ ଖଡ଼ କରି ଡାକିଲେ, ଶାନ୍ତି, ଶାନ୍ତି–

 

ବାଳକ ଉତ୍ତର ଦେଲା ନାହିଁ । ସେ ବ୍ୟସ୍ତ ହୋଇ କହିଲେ, ଅଧରାତି ଯାଏଁ କେଉଁଠି ବୁଲି ବୁଲି ଆସି ତୁନି ହୋଇ ଏଇଠି ବସିଯାଇଛୁ ନା । ଏସା ଚଗଲା, ପାଠ ପଢ଼ା ଛାଡ଼ି ଚଗଲା ପିଲାଙ୍କ ସଙ୍ଗେ ପଡ଼ି ବଦମାସି ଆରମ୍ଭ ହେଲାଣି । ପୁଣି ଜଞ୍ଜିର ଖଡ଼ ଖଡ଼ କଲେ । ଡାକିଲେ ଆଲୋ ଶାନ୍ତି !

 

ବାଳକଟି କହିଲା, ମୁଁ କୁଆଡ଼େ ଯାଇନାହିଁ ମାମୁଁ, ମୁଁ ଘରେ ଥିଲି । ଗୁନା କେଉଁଠି ଡରିଲା, ଏବେ ଶୋଇକରି ଚମକି ଉଠୁଛି । ବୋଉ ମତେ ମାରି ଘରୁ ତଡ଼ିଦେଇଛି ।

 

ତୋ ଗୁଣରୁ । ଗୁନାକୁ ନେଇ ତୁ ଦିପହରଯାକ ଖରାରେ ବୁଲାଉଛୁ ।

 

ମୁଁ ମୋର ଏଇଠି ତୁନି ହୋଇ ଶୋଇଛି । କିଏ ଗୋଟାଏ ଆସି ମୋ ମୁହଁ ଶୁଙ୍ଘୁଛି, ମତେ କାମୁଡ଼ୁଛି । ହେଇଟି, ମୋ ଗାଲରେ ପାଣି ପାଣି ହୋଇ କଣ ଲାଗିଛି । ପିଲାଟି ଠିଆ ହୋଇ ଆଗନ୍ତୁକକୁ କଣ ଦେଖାଇଲା ।

 

ଇସ୍‌, କିଏରେ ସେ କାମୁଡ଼ିଛି ? ଜନ୍ଦା ନା ପିମ୍ପୁଡ଼ି ? କାହିଁ ଗଲା ସେ ?

ଆର ପିଣ୍ତାରେ ବସିଛି ।

 

ଦିହେଁ ଶଶୀ ପାଖକୁ ଆସିଲେ । ଶଶୀର ବୁଦ୍ଧି ହଜିଗଲା । ଦେହ ଥରିବାକୁ ଲାଗିଲା । ସେ ପଚାରିଲେ ତାର ଅନଧିକାର କର୍ମର କି କୈଫିୟତ ଦେବ ! ପିଲାଟା ଚେଇଁଛି ବୋଲି ତ ସେ ଜାଣେ ନାହିଁ । ସତରେ ଏକା, ତାର ମନ କଣ ହେଲା, କି ଆଶାରେ ପାଗଳ ହୋଇ ପରପିଲାର ଗାଲରେ ବୋକ ଦେଲା । ସେ ଜାଣି ଜାଣି ଏହା କରିନାହିଁ, ସେତେବେଳେ ତାର ଚାରା ନଥିଲା ।

 

କିଏ ଲୋ ତୁ, ଏଁ ?

ଶଶୀର ପାଟିରୁ ବାହାରିଗଲା, ଭିଖାରୁଣୀଟା ବାବା !

ଓ...ତୁ ? ତୁ ଆସି ଏଠି ? ତୁ କାହିଁକି ?

 

ମୁଁ ବିଲୁଆ କୁକୁର ନୁହେଁ ଯେ ପରପିଲାକୁ କାମୁଡ଼ି ଗୋଡ଼ାଇବି । ମାଡ଼ଖାଇ ପିଲାଟା କାନ୍ଦି କାନ୍ଦି ପିଣ୍ତାରେ ମଶା ବଣରେ ଶୋଇ ଛଟପଟ ହେଉଥିଲା । ବିକଳ ପାଇ ମୁଁ ଯାଇ ତା ମୁଣ୍ତ ପାଖରେ ବସି ମଶା ହୁରୁଡ଼ାଉଥିଲି ।

 

ମାଡ଼ ଖାଇଲାତ ସେ, ତୋ ବୋପାର କଅଣ ଗଲା ଲୋ ଡାଆଣୀ ?

 

ହଁ ବାପା, ଯାହା କହ ପଛେ ମୁଁ ଛୁଆରଙ୍କିଣୀ। ପରପିଲାକୁ ଦେଖିଲେ ମୋର ପେଟ ପୂରିଉଠେ ।

 

ବଦମାସ୍‌ । ସେଇଥିପାଇଁ ପରପିଲା, ଶୋଇଲା ପିଲାର ମୁହଁରେ ମୁହଁ ଲଗାଇ ରକ୍ତ ଶୋଷି ଖାଇ ପେଟ ପୂରାଉ, ନା ! ନିକଲ୍‌ ବଜ୍ଜାତ୍, ନିକଲ ଏଠୁ । କହୁ କହୁ ଶଶୀର ପିଠିରେ ଗୋଇଠାଏ ଦେଲେ । ଗୋଡ଼ ଟେକି ଆହୁରି ଗୋଟିଏ ଗୋଇଠା ଦେବାକୁ ପ୍ରସ୍ତୁତ ହେଉଣୁ ବୁଲା ଭାଉଁ ଭାଉଁ ହୋଇ ଦୂରରୁ ଧାଇଁଆସିଲା । ଶଶୀ ଉପରେ ମାଡ଼, ସେ ସହନ୍ତା କିପରି ?

 

ଶଶୀ ବାଧା ଦେଇ କହିଲା, ବୁଲା, ବୁଲା, ଛି, ତୁନି ହ । ସେ କିଛି ଜାଣନ୍ତି ନାହିଁ ।

 

ଶଶୀ ବୁଲାକୁ ଦୁଇ ହାତରେ ଅଟକାଇ କୋଡ଼କୁ ଭିଡ଼ିନେଲା । ଅବିଚଳିତ ହୋଇ କହିଲା, ତୁନି ହ ରେ ବୁଲା । ଆମ ମଣିଷ ଜାତି ଏମିତି ଅବୁଝା । ନଈ ନଦେଖି ଲଙ୍ଗଳା ହୁଅନ୍ତି । କାହା ଉପର ରାଗ କାହା ଉପରେ ସେ ସୁଝାଉଛନ୍ତି । ମାରନ୍ତୁ, ତାଙ୍କ ମନର ଓରମାନ ଭାଙ୍ଗୁ ।

 

ଶଶୀର କୋଳରେ ଥାଇ ବୁଲା ରହି ରହି ଭୁକିବାକୁ ଲାଗିଲା । ଶତ୍ରୁକୁ ଡରାଇ ପଛାଇ ଦେବାକୁ ସେ ଚାହେଁ । ସତକୁ ସତ ସେ ଗୋଡ଼ ନୁଆଇଁ ପଛକୁ ହଟିଗଲେ ।

 

ଟୁନା କହିଲା, ମାମୁଁ, ସେ ମୋତେ କାମୁଡ଼ିଛି କି ନାହିଁ ମୁଁ ଜାଣେ ନାହିଁ । ଗାଲରେ କଅଣ ପାଣି ପରି ଲାଗିଲା ।

 

ଏଇଆ–

ଟୁନାର ଗାଲରେ ଠୋ କରି ଚାପୁଡ଼ା ବାଜିଲା । ପିଲାଟା ଚିତ୍କାର କରି ବସିପଡ଼ିଲା ।

 

ମାଡ଼ ନିଜେ ଖାଇଲା ପରି ଶଶୀକୁ ଲାଗିଲା । କଅଣ କହିବାକୁ ଯାଉଛି, ବିରକ୍ତ ହୋଇ ସେ କହିଲେ, ଭଲରେ ଦୁନିଆଁ ନାହିଁରେ ! ଗରିବ ଭିଖାରୁଣୀ, ତା ନାମରେ ତୁ ମିଛ କହୁଛୁ । ଶୁଅଲୋ ତୁ । ଓହୋ, ଶକଉଛି ! ସୁନା ଲୁହ ତଳେ ଗଡ଼ିଯିବ ଯେ ! ଆହା....ହା.... । ମାରି ଦିଅନ୍ତି ପୁଣି ଏକ ଚାପୁଡ଼ା ଯେ ଆର ଗାଲ ଭାଙ୍ଗିଯାଆନ୍ତା ।
 

ସ୍ତ୍ରୀ ଲୋକ ଜଣେ ପଦାକୁ ଆସି ଆଗନ୍ତୁକର ହାତଧରି କହିଲେ, ଛି, ଏ କଅଣ ? ଭଣଜାଟା, ହାତ ଥରିବ । ପିଲାଟା ଅପାଙ୍କଠାରୁ ଗୁଡ଼ାଏ ମାଡ଼ ଖାଇଛି, ଥାଉ, ଘରକୁ ଆସ ।

 

ଓ-ହୋ, ଛାଡ଼୍ ମୋ ହାତ, ଆସିଲେ ଭଲେଇ ହେବାକୁ ।

 

କେତେ ରାତି ଯାଏ ତମକୁ ଅନେଇଁ ଚେଇଁ ରହିଥିବି କହିଲ ? ଭାତ ଦୋଟି ଶୁଖି ଚଣାଚାଉଳ ହେବଣି । ଯିଏ ଯେଉଁଠି ନିଦରେ ଶୋଇପଡ଼ିଲେଣି ।

 

ପିଲାଟା କଅଣ ସୁଧାର ମଣିଷ ପରା ? ସବୁ ନାଟର ସେ ଗୋବର୍ଦ୍ଧନ । ଭଣ୍ଡାରୀ, ଗଉଡ଼, ପାଣ, କଣ୍ଡରା ଟୋକାଙ୍କ ସଙ୍ଗେ ସାଙ୍ଗ ହେବ, ଘର କଥା ନେଇ ଦାଣ୍ଡରେ ଥୋଇବ, ପର କାନରେ ଫୋଡ଼ିବ । ଏଥିରେ କାମ ଭଣ୍ଡୁର ହେବ ନାହିଁ ? ଅପା କେମିତି ତା ମୁହଁ ଚାହୁଁଛି କେଜାଣି-?

 

କଅଣ ହେଲା କି ?

 

ହେବ ଆଉ କଅଣ ? ବୃନ୍ଦାବନ ଗୁମାସ୍ତା ସଞ୍ଜ ପହରୁ କଟକ ଯାଇ କେଉଁଠୁ ଖବର ପାଇଛି ଯେ ଆମେମାନେ ତା ବିପକ୍ଷରେ ଚକ୍ରାନ୍ତ କରିଛୁ । ସେଇ ଯେଉଁ ଚକରା ବୋଲି ଭଣ୍ଡାରୀ ଟୋକାଖଣ୍ଡ–ମହା ଚାଇଁ । ସେ ଆସିଲେ ତାକୁ ଘରେ ପୂରାଅ କାହିଁକି ? ସେଇ ଯାଇଁ ସବୁ କହିଛି । ଗୁମାସ୍ତା ଆଗରୁ ସାବଧାନ ହୋଇ ଚମ୍ପଟ୍ ।

 

ନାରୀ କଣ୍ଠରୁ ଉତ୍ତର ଆସିଲା, ଚୁଲିପଶା ଭଣ୍ଡାରୀ ଟୋକାର ବଡ଼େଇ କେତେ ! ଆମେ ତାକୁ ଘରେ ପୂରାନ୍ତୁ କାହିଁକି ? ସେ ତା ମନକୁ ସବୁବେଳେ ଟୁନା ସଙ୍ଗେ ଆସି ଘରେ ପଶେ । ପର ପିଲାକୁ ଘର ମନା କରିବା କଅଣ ଭଲ ?

 

ରାଗିଯାଇ ସେ କହିଲେ, ଟୁନାକୁ କଅଣ କମ୍‌ ଜନ୍ତୁଟିଏ ପାଇଲ କି ? ଅପା ଲୁହା ଜାଣି ପାଣି ଦିଏ । ସେ ଚିହ୍ନେ ତାକୁ । ସେଇଥିପାଇଁ ଗୋଡ଼େ ଗୋଡ଼େ ଜଗିଥାଏ। ପାଞ୍ଚଣ ପାହାରରେ ତାକୁ ମାରି ମାରି ଲଙ୍ଘା କରିଦେବି । ଦେଖିବି କୋଉ ବୋପା ଆସି ତା ପିଠିରେ ପଡ଼ିବ ।

 

ଛି ଛି– ।

ରକ୍ତ ଟାଣୁଛି, ସେ କଅଣ କରିବ ? ବୋପା ପାଇଁ–

ସ୍ତ୍ରୀଲୋକଟି ପାଟି ବୁଜି ଧରିଲା । କଥା ଅଧା ରହିଗଲା ।

ହଉ ଆସ, ରାତି ବଳେଇଲାଣି ।

ତାଙ୍କୁ ଘର ଭିତରକୁ ଟାଣିନେଲେ । ମୁହଁ ପଦାକୁ କାଢ଼ି ସେ କହିଲେ, ମା ଯେମିତି–

ପୁଣି କିଏ ପାଟି ବୁଜି ଧରି କହିଲା, ଛି, ପିଲାଟାକୁ–

କବାଟ ବନ୍ଦ ହେଲା । ଶବ୍ଦ ଭିତରେ କଥାର ଆର ଅଧକ ଗୋଳେଇ ହୋଇଗଲା ।

•••

 

 

ଶଶୀ ଅନେକ କଥା ଭାବିଲା । ଯାହା ସନ୍ଦେହ କରୁଥିଲା କେତେ ପରିମାଣରେ ସେହି ସିଦ୍ଧାନ୍ତରେ ପହଞ୍ଚିଲା । ଆହା, ତାଆରି ପ୍ରାଣର ଟୁନା ତାଆରି ଆଗରେ, ଅଥଚ ମୋର ବୋଲି କହିବାର ସାହସ ଶଶୀର ନାହିଁ ! ଆଖି ଆଗରେ କୋଳର ପିଲାକୁ କେତେ ଅବସ୍ଥା ଦେଉଛନ୍ତି । ଦେଖୁଛି, ଛାତି ସହୁଛି, ଫାଟିଯାଉନାହିଁ । ମା ନଥିଲା ପିଲା, ଯେତେ ଯାହା ଥିଲେ ସେ ସାହାହୀନ । ଆପଣାର ହୋଇ ପଦେ କହିବାକୁ କାହାରି ମନ ତଟେ ନାହିଁ । ରକ୍ତ ଘାଣ୍ଟିହୁଏ ନାହିଁ । ସେ ନିଜେ ଥାଇ ମଧ୍ୟ ନଥିଲାଠୁ ବଳି । ମଲା ସାପ, ଫଣା ନଇଁଛି ।

 

କହିବ, ସବୁ କଥା ଖୋଲି କହିବ, ଅନାଥ ନୁହଁରେ ଟୁନା ତୁ, ତୋର ମା ମରିନାହିଁ । ତୋରି ପାଇଁ, ତୋରି ଭଲ ଦେଖିବାକୁ ସେ ମରଣ ଭୁଲୁଛି । ତୋତେ ମଣିଷ କରି ସଂସାରରେ ଚାଲିବାର ଦେଖିବା ପାଇଁ ସେ କେତେ ପ୍ରଲୋଭନ ଛାଡ଼ି ବାଟର ଭିଖାରୁଣୀ ହୋଇଛି । ପାପର ପ୍ରାୟଶ୍ଚିତ୍ତ କରିସାରିଛି । ଆଉ ଭୟ ଭାବନା କରିବା ଦରକାର ନାହିଁ ।

 

ସେ ବିଶ୍ୱାସ କରିବ ?

 

ଶଶୀ କଥାସବୁ ଖୋଲି କହିବ କିପରି ? ପିଲାଲୋକ, କଅଣ ବୁଝିବ ତା କଥାରୁ ! ହୁଏତ ସନ୍ଦେହ କରିବ, ହୁଏତ ଘୃଣା କରିବ । ଭୟ କରି ପାଖରୁ ଚାଲିଯିବା ଅସମ୍ଭବ ନୁହେଁ । କହିବ କି, ପିଲାଟିଏ ହୋଇଥିଲୁରେ ଟୁନା, ଦେଢ଼ବରଷର । ବାପ-ମାଆର ଗେହ୍ଲା । ଦଣ୍ଡେ ନଦେଖିଲେ ପ୍ରାଣ ଛଟପଟ ହୁଏ, ମୁହୂର୍ତ୍ତେ ଆଖି ଉହାଡ଼କୁ ନେଇଗଲେ ଛୁଆଖାଇ ବିଲେଇ ପରି ଏକର ସେକର ହେଉଥାଏ, ଏଣେ ତେଣେ ଚାହୁଁଥାଏ । କ୍ଷଣେ ହେଲେ କୋଳରୁ ଓହ୍ଲେଇେବାକୁ ମନ ହୁଏ ନାହିଁ । ତୁ ମୋର ସେହି ଗେଲବସର ଟୁନା । ଦଶମାସ ତତେ ଗର୍ଭରେ ଧରି ଏ ଦୁନିଆଁକୁ ଆଣିଥିଲି । ସେଇ ବୃନ୍ଦାବନ ଗୁମାସ୍ତା ପାଇଁ–

 

କହିବି କିମିତି ? ଛି, କଣ କହିବି । ତୋ ବାପର ମାମୁଁ ପୁଅ ଭାଇ ବୃନ୍ଦାବନ ଗୋଟାଏ ଭୁଲ, କ୍ଷଣକର ଉତ୍ତେଜନାରେ ନିଜକୁ ଭୁଲି ମୋର ଅନ୍ୟମନସ୍କ ବେଳରେ, ମୋର ଅସାବଧାନତାର ସୁଯୋଗ ନେଇ ମୋତେ ଗେଲ କରିଥିଲେ ବୋଲି ତୋଓରି ଆଈମା ଦେଖି ମୋ ଚରିତ୍ର ଉପରେ ସନ୍ଦେହ କଲେ । କୁଳର କଳଙ୍କ ଦୂର କରିବାକୁ ମୋତେ ବିଷ ଆଣି ଦେଲେ । ନା, କହିପାରିବ ନାହିଁ, ଲାଜର କଥା, ପୁଅ ଆଗରେ । ପିଲା ପୁଅ । ଖେଳ ଛାଡ଼ିନାହିଁ । ବୁଦ୍ଧି ହୋଇନାହିଁ-। ଭଲମନ୍ଦ ଜାଣେ ନାହିଁ । ସଂସାରରେ ଚାଲୁଛି ବୁଲୁଛି । ସେ କଥା ସେ ଜାଣେ । ସଂସାର ଯେ କିପରି ଚାଲେ ତା ଜାଣେ ନାହିଁ ।

 

ଶଶୀ କିଛି ଠିକ୍‌ କରିପାରିଲା ନାହିଁ । ଟୁନା ଆଗପରି ପିଣ୍ଡା ଉପରେ ଶୋଇପଡ଼ିଲାଣି । ମଶା କାମୁଡ଼ା ସହିନପାରି ଏକଡ଼ ସେକଡ଼ ହେଉଛି । ନିଦ ହୋଇନାହିଁ ପରା !

 

କି ଯୋଗରେ ରାତି ପାହିଥିଲା । ସେ ସୁଖୀ ହେଲା କି ଦୁଃଖୀ ହେଲା ବୁଝିପାରିଲା ନାହିଁ-। ଡହଳବିକଳ ହେବାହିଁ ସାର ହେଲା । ଅତୀତ ସଜୀବ ହୋଇ ଆଗରେ ଠିଆ ହେଲା । ସେ ଦିଗକୁ ଚାହିଁବାକୁ ଇଚ୍ଛା ହେଲା ନାହିଁ । ଓହୋ, କି ଭୟଙ୍କର, କେଡ଼େ ଅନ୍ଧାର ! ଆଉ ଭବିଷ୍ୟତ ? ଆହା, ଟୁନା ଯଦି ଥରେ ଚିହ୍ନନ୍ତା, ମା ବୋଲି ଛାତିକୁ ଆଉଜି କୋଳରେ ମୁହଁ ଲୁଚାନ୍ତା, ତେବେ ଭବିଷ୍ୟତ୍ ଆସନ୍ତା ହାତମୁଠାକୁ । ଭବିଷ୍ୟତ ଆଜ୍ଞାଧୀନ ହୋଇ ରହନ୍ତା ।

 

ଦାଣ୍ଡକବାଟ ଖୋଲିଲା । ଅନ୍ଧାରରେ କିଛି ଦିଶୁନାହିଁ । କିଏ ଜଣେ ପଦାକୁ ଆସିଲା ।

ଟୁନା ଭାଇ, ଟୁନା ଭାଇ ! ଶାନ୍ତି ଡାକିଲା ।

ପୁଣି କଣ ଲୋ ଶାନ୍ତି, ନିଦ ହେଉନି ? ଟୁନା ଆଦର କରି ପଚାରିଲା ।

ଆଉ ତତେ ?

 

ମଶାଗୁଡ଼ା କାମୁଡ଼ୁଛନ୍ତି । ପିଣ୍ଡାରେ କିଏ ଗୋଟାଏ ଶୋଇଛି । କଞ୍ଚା ଡାହାଣୀ ଲୋ ଶାନ୍ତି ! ଶୋଇପଡ଼ିଲେ ମୋ ରକ୍ତ ଶୋଷିନେବ । ପିଲାଲୋକ ତୁ, ଡରିବୁ । କବାଟ ବନ୍ଦକରି ଭିତରକୁ ଯା, ଶୋଇବୁ । ମୁଁ ଚେଇଁଛି । ଏଥର ଯଦି ସେ ଡାଆଣୀ ପାଖକୁ ଆସେ, ତା ଦି ପାଟି ଦାନ୍ତ ଭାଙ୍ଗିଦେବି । ଏଇ ଦେଖିଲୁ ଏ ପଥର – ଦାଣ୍ଡରୁ ଗୋଟେଇ ରଖିଛି ।

 

ଟୁନାଭାଇ ଏ ଦାଣ୍ଡଘରେ ଶୋଇବୁ ଆ ।

 

ଶଶୀର ଛାତିରେ ସତେ କିଏ ଛୁରି ମାରିଦେଲା । ତାରି ପାଇଁ ପିଲାଟିର ଏତେ ଡର, ଆହା !

 

ମୁଁ ଶୋଇବି ନାହିଁ । ଏଇଠି ବସିବି, ରାତି ପାହିବା ଯାଏ । ତୁ ଶୁଅ । ଏଇ ନେ ଘୋରିହେଲା । ଘୋରିହୋଇପଡ଼, ଆଉ ଏ ଲୁହାକଣ୍ଟା ପାଖରେ ରଖିଥା । ଡାହାଣୀ ତୋ କତିକି ଆସିବ ନାହିଁ । ଟିକିଏ ରହି ଶାନ୍ତି ପୁଣି କହିଲା– ହଇରେ, ମାମୁଁ ତତେ ମାଇଲେ?

 

ହଁ, ମାଇଲେ । ମୋର କିଛି ଦୋଷ ନାହିଁ । ମୋ ଗାଲରେ ହାତ ମାଇଲୁ – ଦେଖିଲୁ, କେମିତି ପାଞ୍ଚ ଆଙ୍ଗୁଠି ବସିଛି ।

 

ଇଲୋ, ହଁଲୋ..... । ତତେ ତ ଯାଉଁ ଆସୁ ସମସ୍ତେ ମାଇଲେ । ନା, ତୁ ଏଠି ରହ ନା ଭାଇ, ତୁ ଆଈମା ପାଖକୁ ଚାଲିଯା । ନୋହିଲେ ଏମାନେ ତତେ ମାରିପକାଇେବ ।

 

ଯିବି ଶାନ୍ତି, ଏଇ ପାହାନ୍ତାରୁ ଉଠି ଚାଲିଯିବି । କାହାକୁ ତୁ କହିବୁ ନାହିଁ ।

କହିବି ନାଇଁ ଭାଇ । ଗୋଟାଏ କଥା ଦେବି, ନେବୁ ?

କଣ ?

ଏଇ ନେ ।

ଦି ପଇସା ! ତୁ କୋଉଠୁ ପାଇଲୁ ?

 

ମତେ ମାମୁଁ ଦେଇଥିଲେ କୁଣ୍ଢେଇ କିଣିବାକୁ । କେତେ ଦିନରୁ ତାକୁ ପାଖରେ ରଖିଛି । ମୋର କଣ ହେବ ? ତୁ ନେ, ବାଟରେ ଭୁଜା ଖାଇବୁ ।

 

ଶଶୀର ମନ ହେଲା ପିଲାଟାକୁ କୋଳକୁ ଆଣି ଗେଲ କରିବ । ଏଡ଼ିକି ଟିକେ ପିଲା, ଭାଇକୁ କେଡ଼େ ଭଲ ପାଏ ।

 

ରାତି ଅଧ । ଆଖିକି ନିଦ ନାହିଁ । ମନ ଛଟପଟ ହେଉଛି । ବାରମ୍ବାର ଉଠି ପଦାକୁ ଆସୁଛି ଭାଇର ଖବର ବୁଝିବାକୁ । ଯେତେ ପଚାରିଲେ ମନବୋଧ ହେଉନାହିଁ । କେଡ଼େ ସ୍ନେହ ମମତା । ତାର କି ଚାରା ? ରକ୍ତ ଘାଣ୍ଟୁଛି । ମନ ସମ୍ଭାଳି ହେଉନି । ଭଗବାନ ପିଲା ଦିହଁଙ୍କି ଆଇଷ ନିହତ ଦିଅନ୍ତୁ । ଦୁନିଆରେ ସୁଖ ଆନନ୍ଦରେ ଘର କରନ୍ତୁ । ଏଇ ସ୍ନେହ-ମମତା ଚିରଦିନ ଥାଉ ।

 

ଶଶୀର ଆଖି ଳୁହରେ ଭରିଗଲା । ଅଜଣା କେଉଁ ଠାକୁରଙ୍କ ଉଦ୍ଦେଶ୍ୟରେ ତଳେ ମୁଣ୍ଡ ଲଗାଇଲା । ଆଖିର ଲୁହ-ଅର୍ଘ୍ୟ ଦେଇ ଆକୁଳ ପ୍ରାଣରେ କେତେ ମିନତି କଲା । କଣ କାନରେ ପଡ଼ିଲାରୁ ସେ ଚମକି ଚାହିଁଲା ।

 

ଡାଆଣୀ ବୁଢ଼ୀ କହିଲେ କହିବ, ବୋଉ ମୋତେ ମାରିବ । ମୁଁ ମାଇଁର ଶରଣ ପଶିବି । ତୋତେ ତ ଆଉ କେହି କିଛି କହିବେ ନାହିଁ ? ସେତେବେଳକୁ ଖୋଜିଲେ ବି କେହି ତୋତେ ପାଇବେ ନାହିଁ ।

 

ନାଇଁ ଶାନ୍ତି, ଗୋଟିଏ କାମ କର । ନେ, ଗୋଟାଏ ପଇସା ତାକୁ ଦେ । ସେ ପଇସା ନେଲେ ଆଉ କାହାକୁ କିଛି କହିବ ନାହିଁ । ନାଇଁ ଲୋ, ତୁ ତା କତିକି ଯାଆନା । ଶୋଇବୁ ଯା । ମୁଁ ତାକୁ ପଇସା ଦେଇ ନେହୁରା ହୋଇ କହିବି ।

 

କଥା ମାନି ଶାନ୍ତି ଘର ଭିତରକୁ ଚାଲିଗଲା । ଧୀରେ ନିଃଶବ୍ଦରେ କବାଟ ବନ୍ଦ କଲା ।

 

ଶଶୀ ବୁଲା କୋଡ଼ରେ ପୁଡ଼ାଟି ରଖି ଟୁନା ପାଖକୁ ଆସିଲା । କହିଲା– ବାବା, ମୁଁ ଡାଆଣୀ ପିଚାଶୁଣୀ ନୁହେଁ ରେ, ମୁଁ ଗୋଟାଏ ଅରକ୍ଷିତ ଭିଖାରୁଣୀ । ଘର ଘର ବୁଲି ଭିକମାଗି ଖାଏ । ତୋର ଦୁଃଖ କଷ୍ଟ ଦେଖି ମନ ସମ୍ଭାଳି ହେଲା ନାହିଁ । ପାଖରେ ବସି ମଶା ହୁରୁଡ଼ାଉଥିଲି ।

 

ତୁ ଭାରି ଭଲଲୋକ । ଦୂରେଇ ଠିଆ ହ । ପାଖକୁ ଆଇଛୁ ତ ଫେର ଦେଖିବୁ । ଏଇ ପଥରରେ.... ।

 

ପାଖକୁ ଯାଉନି । ଗୋଟାଏ କଥା ପଚାରିବି କହିବୁ ?

ନେ ଏ ପଇସା ଧର । ସକାଳେ କେହି ପଚାରିଲେ କିଛି କହିବୁ ନାହିଁ । ଯା, ମୁଁ ଶୁଏଁ ।

 

ପଇସା ଶଶୀର କାନିରେ ପଡ଼ିଲା । ସେ ଗୋଟେଇ ଧରି କହିଲା, ପଇସା କଅଣ ହେବ ? ମୋ କଥାର ଜବାବ ନଦେଲେ କାଲି ସକାଳେ ତୋ ମାମୁଁ ଆଗରେ ସବୁ କହିବି । ତୋ ବୋଉ ବାଘୁଣୀକି ସବୁ କହିବି । କହିବି, ରାତିରେ କେତେଥର ଶାନ୍ତି ଆସିଲା, ଟୁନାକୁ ଖାଇବାକୁ ଦେଲା, ଘୋରିହେଲା ଦେଲା, ପଇସା ଦେଲା ମିଛରେ କେତେ ଯୋଖିଦେବି । ଶାନ୍ତିକି ଟାଙ୍କେ ଛେଚେଇବି । ଶଶୀ ତୁନି ହେଲା ।

 

ମୁହୂର୍ତ୍ତେ ଟୁନା କଅଣ ଭାବିଲା । କହିଲା, ମୋ ପାଇଁ ପିଲାଟାକୁ ମାଡ଼ ଖୋଇବୁ ନାହିଁ, ତୋ ପୁଅ ରାଣ । ପଚାର୍ ।

 

ଶଶୀ ଜିଭ କାମୁଡ଼ିଲା । କେଡ଼େ ରାଣଟାଏ ପକାଇ ଦେଲା ଚଗଲାଟା ! ପଚାରିଲା, ତୋ ବାପ ଅଛିଟି ?

 

ହଁ, କଲିକତା ଯାଇଛି । ଘରେ ଏକା ଅଛି ଆଈମା, ମୁଁ ତାରି ପାଖକୁ ଯାଉଛି ।

ଶଶୀ ଚିନ୍ତିତ ହେଲା । ପଚାରିଲା, ୟେ କଣ ତୋ ସାବତ ମା ।

ହଁ ସାବତ ମା । ତୋର କଅଣ ଗଲା ?

ତୋ ଜନମକଲା ବୋଉ କାହିଁ ?

ସେ ମରିଛି । ହଇଜା ହେଲା– ସେ ମରିଗଲା ।

ଶଶୀ ହସିଲା । କହିଲା, ହଇରେ ତୁ ମିଛ କହୁଛୁ ?

 

ଟୁନା ସଜାଡ଼ି ହେଲା । କହିଲା, ଆଇଚି ମୋ ହାକିମ ! ମିଛ କହିଲେ ଖଚ କହି ପରା ଶାନ୍ତିକୁ ମାଡ଼ ଖୋଇବୁ ? ତତେ ମିଛ କହିବି କାହିଁକି ? ସତ କହୁଛି ।

 

ସେ ଠିଆ ହେଲା । ଶଶୀ ଆଉ କିଛି ପଚାରିବା ଆଗରୁ ଅନ୍ଧାରିଆ ଗାଁ ଗୋହିରି ଆଡ଼େ ଚିଲପରି ଛୁଟିଗଲା, ଗୋଟିଏ ଚିତ୍କାର କରି ବୋଉ ଲୋ, ଆଇଲା–

 

ତାର ପାଟି ଶୁଣି ବୁଲା ଦୁଇଥର ଖେଙ୍କିଉଠିଲା । ଶଶୀ ମୁଣ୍ଡରେ ହାତ ଦେଇ ବସିପଡ଼ିଲା ।

 

ବୁଲା, ଜୀବନଟା ତ ଶୋଇ ଶୋଇ କଟାଇଲେ, ଗୋଟାଏ ରାତି କଅଣ ଅନିଦ୍ରା ରହିପାରିବା ନାହିଁ ? ପିଲାଟା ଅନ୍ଧାରରେ କୁଆଡ଼େ ଚାଲିଗଲା, ଆଇଲୁ ଦେଖିବା । ଶଶୀ ବାଡ଼ିଖଣ୍ଡି ଓ ପୁଡ଼ାଟି ଧରି ଉଠିଲା । ବୁଲା ମଧ୍ୟ ତା ସଙ୍ଗେ ସଙ୍ଗେ ଉଠିଲା ।

 

ଦାଣ୍ଡ କବାଟ ଖୋଲିଲା । ଶଶୀ ଫେରି ଚାହିଁଲା । ସ୍ତ୍ରୀଲୋକଟିଏ, କାଖରେ ତିନି ବର୍ଷର ଛୁଆ, ଡାହାଣ ହାତରେ ନଲଟଣ, ଉଜ୍ଜ୍ୱଳ ଆଲୁଅ ।

 

ଟୁନା, ଟୁନାରେ – କହୁ କହୁ ପିଣ୍ଡାଉପରକୁ ଆସିଲେ । ଚାରିଆଡ଼େ ଆଖି ପକାଇ ବିରକ୍ତିରେ ମୁହଁ ଫୁଲାଇ ମନକୁ ମନ କହିଲେ, କୁଆଡ଼େ ଗଲା ଅଲକ୍ଷଣା । ବଡ଼ ପାଟିରେ ଡାକ ଛାଡ଼ିଲେ – ଟୁନାରେ !

 

ଉତ୍ତର ପାଇବା ଆଶାରେ ଟିକିଏ ଅପେକ୍ଷା କରି କହିଲେ, କୁଆଡ଼େ ଯାଇ ମଲାଣି । ଆସୁ ତା ପିଠି ଭାଙ୍ଗିବି ।

 

ପିଲାଟି ମୁହଁ ଫଟାଇ କାନ୍ଦଣା ସ୍ଵରରେ କହିଲା, ହୁଁ-ହୁଁ, ଭାଇ କତିକି ଯିବି ।

 

ତାକୁ ଗେଲ କରି ସ୍ତ୍ରୀଲୋକଟି କହିଲେ, ମୋ ବାପ, ମୋ ସୁନା, କାନ୍ଦ୍‌ନା ମୋତେ ଆଉ ଚିଡ଼ାନା । ରାତି ଅଧ ହେଲାଣି, ଚାଲ୍‌ ଶୋଇପଡ଼ିବା । ହେଇ ଶୁଣ୍‌, ନିଶା କେମିତି ଗର୍ଜ୍ଜୁଛି ।

 

ଅଝଟ ପିଲା ପୁଣି ଜିଦ୍ ଧରିଲା, ନାଇଁ ତୁ ଭାଇକୁ ଡାକ୍ । ଆଖିରେ ଲୁହ ଭରିଗଲା ।

କୁଆଡ଼େ ଗଲା ଲୋ ସେ, କାଲି ଆସିବାକୁ କହିଛି ?

 

ପ୍ରଶ୍ନ ଶଶୀ ଉପରେ ପଡ଼ିଲା । ସେ ସ୍ଥିର ଆଖିରେ ସ୍ତ୍ରୀ ଲୋକର ଗୋଡ଼ରୁ ମୁଣ୍ଡଯାଏ ଚାହିଁ ରହିଥାଏ । ଦୁଇ ଆଖି ତାର ଲୁହରେ ଭରିଗଲାଣି । ଅତି କଷ୍ଟରେ ଶଶୀ କହିଲା, ହୁଁ ।

 

 

ସେ ଆଉ ଅପେକ୍ଷା କଲେ ନାହିଁ । କହିଲେ, ଚାଲ୍ ଶୋଇବା । ଟୁନା କାଲି ସକାଳେ ଆସିବ । ଏଇ ଶୁଣ୍, କକବାୟା ଡାକୁଛି ! ମୋ ବୋଉଲୋ, ଧରିନେବଟି ! ଦାଣ୍ଡଘରକୁ ଯାଇ ଧଡ଼କରି କବାଟ ବନ୍ଦ କଲେ ।

 

ଅନ୍ଧାରରେ ଶଶୀ କ୍ଷଣକାଳ ଠିଆହୋଇ ଭାବିଲା । ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି ମନକୁ ମନ କହିଲା, ଖାଲି ହାତ ! ତେବେ ସେ ଆଉ ଏ ସଂସାରରେ ନାହାନ୍ତି । ଟୁନା ମାଆକୁ ହରାଇଥିଲା, ବାପକୁ ବି ହରାଇଛି ।

 

ଆଖିରୁ ଲୁହ ପୋଛି କହିଲା, ଚାଲ୍‌ରେ ବୁଲା । କି ଦୁଃଖ ଆଉ ତୋ ଆଗରେ କହିବି ? ଘର ଛାଡ଼ିଲା ଦିନରୁ ଏବଯାଏ – ଗୋଟାଏ ଯୁଗ – ମୁଁ ଏଇ ଦୁନିଆରେ ବୁଲୁଛିରେ, କେତେ ଘାଟରେ ପାଣି ପିଇଛି । କି ବୁଝିବୁରେ ବୁଲା, ତୁ ତ କୁକୁର ପିଲା । ଏ ଦୁନିଆଁରେ ଲୋକଗୁଡ଼ା ତୋଓରି ପରି କୁକୁର । ତୋଠୁ ବଳି ତାଙ୍କ ପ୍ରକୃତି – ଆହୁରି କାମୁଡ଼ା । କେତେ ତ ମୋର ଦେହର ମାଂସକୁ ପୁଳା ପୁଳା କରି କାମୁଡ଼ି ଖାଇଛନ୍ତି । ଭଲ କି ଅଇଁଠା, ସଜ କି ସଢ଼ା କେହି କେବେ ବାରିନାହାନ୍ତି । ମୋ ମନକୁ ବି ସେମିତି ସେମାନେ ପୁଳା ପୁଳା କରି ଟାଣି ଓଟାରି ଖାଇ ଭିଣିଭିଣା କରିଛନ୍ତି । ତେବେରେ ବୁଲା, ମୋ ମନରେ ଗୋଟିଏ ଗରବ ଲୁଚକାଳି ଖେଳେ – ମୁଁ ଯାହା ହୁଏ ପଛେ, ମୁଁ ସଧବା । ଆଜି ଜାଣିଲି, ସେ ଗରବ ମୋର ଭାଙ୍ଗିଛି । ଶଶୀ ଅନ୍ଧାରରେ ଆଗକୁ ଚାହିଁଲା-। ଆଜି କାହିଁକି ସେ ନିଜକୁ ଆହୁରି ନିଃସହାୟ ମଣିଲା ।

•••

 

 

ଦିଦିନ ପରେ–

କିଛି ଖବର ମିଳିଲା, ଚକରା ?

 

ଚକରା ଆଡ଼େଇ ଆଡ଼େଇ ବୁଲା ଆଡ଼କୁ ଚାହିଁ ଫାଟକ ବନ୍ଦ କଲା । ଅନ୍ୟମନସ୍କ ହୋଇ କହିଲା, ହଁ ମିଳିଲା । ତା କଥା ତୋର ଜାଣିବାକୁ ଏତେ ଜିଗର କାହିଁକି ଶୁଣେ ? ଭିକାରୀ ଲୋକ । ପରଦୁଆରେ ଧାରଣା ଦେଇ, ଦାନ୍ତ ନିକୁଟି, ବାପଲୋ ଧନଲୋ କହି ମୁଠିଏ ଖାଇବାକୁ ଯୋଗାଡ଼ କରିବା ତୋର କାମ । କାହାର ହାନୀଲାଭ ମଲାହଜିଲାରେ ତୋର କଅଣ ଥାଏ ? ମିଛଟାରେ ଦି ଦିନ ହେଲା ମୋ ସାଙ୍ଗରେ କାହିଁକି ଲାଗିଛୁ, ବସେଇ ଉଠେଇ ଦେଉନୁ !

 

ରହ ବାପା, ମୋର ପଦେ କଥା ଶୁଣି ଯା । ଚାଲିଯାଉଥିବା ଚକରା ଆଡ଼କୁ ଶଶୀ ଆକୁଳ ଆଖିରେ ଚାହିଁଲା । ଫେରିପଡ଼ି ଚକରା ବିରକ୍ତ ହୋଇ କହିଲା, ତୋର ସେଇ ବଦ୍‌ଖୋଇ, ପଛରୁ ନ ଡାକିଲେ ହୁଏ ନାହିଁ, କଅଣ ?

 

ଶଶୀର ମୁହଁରେ ଦୁଃଖର ଦାଗ ଫୁଟିଉଠିଲା । କହିଲା, ବାପା, ଭିଖାରୁଣୀଟା ବୋଲି ମୁଁ କଣ ମଣିଷ ନୁହଁରେ? ମୋର କଣ ମନ ନାହିଁ ? ଛାତି ନାହିଁ ? ଟୁନା ତୋର ଖେଳସାଥୀ, ଏକା ସାଙ୍ଗର, ମେଳର । ମାଡ଼ ଖାଇ ସହିନପାରି ସେ ଚାଲିଗଲା । ତା ପାଇଁ କେହି କାନ୍ଦିଲେ ନାହିଁ, କେହି ଭାବିଲେ ନାହିଁ । ରାତିଅଧରେ ଉଠିଆସି ତୁ କାହିଁକି ତାର ବେକ ଚାରିକତି ହାତ ଗୁଡ଼େଇ କାନ୍ଦିଲୁ ?

 

ଭୟରେ ଚାରିଆଡ଼କୁ ଚାହିଁ ଚକରା ପଚାରିଲା, କଣ କହିଲି ତୁ ଶୁଣିଛୁ ? ସନ୍ଦେହରେ ତା ମୁହଁକୁ ଚାହିଁଲା ।

 

ଧର୍ମ ସାକ୍ଷୀ, ମୁଁ ଶୁଣି ନାହିଁ । ଶୁଣିଥିଲେ ତତେ ବିରକ୍ତ କରନ୍ତି କାହିଁକି ?

 

ମନର ସନ୍ଦେହକୁ ହୁଗାଳି ଦେଇ ସେ ଖର ନିଶ୍ୱାସ ଛାଡ଼ିଲା । କହିଲା, କହିଲି ତୋ ଆଈପାଖକୁ ଚାଲିଯା । ତୁଛାଟାରେ ଏଠି ମାଡ଼ ଖାଇ ମରିବୁ କାହିଁକି ? ତତେ ତ ଏଠି କେହି ଦେଖିପାରନ୍ତି ନାହିଁ । ଏତିକି କହି ଚକରା ଚାଲିଗଲା ।

 

ଶଶୀ ସେହି ଫାଟକ ପାଖରେ ବସି ଭାବିବାକୁ ଲାଗିଲା । ରାତି ଅଧରେ ଦିହେଁ ଦିହିଙ୍କ କାନରେ ଫୁସ୍‌ଫାସ୍ ହେଲେ । ଦିହେଁ ଦିହିଙ୍କି ଧରି କାନ୍ଦିଲେ । ଅଣ୍ଟାରୁ କାଢ଼ି ଚକରା ତା ହାତରେ କଅଣ ଦେଲା । ଅନ୍ଧାର । ସେ ଭଲ କରି ଦେଖିପାରିଲା ନାହିଁ । ତାପରେ ଟୁନା ବିଦାୟ ନେଲା । କଅଁଳ ଖରା ପାକଳ ହୋଇଆସିଲା । ଶଶୀ ଗୁମାସ୍ତାଙ୍କ କଚିରୀ ଫାଟକ ପାଖରୁ ଉଠିଆସିଲା ।

 

ଗା ଦାଣ୍ଡରେ କେତେ ଲୋକ ଯା ଆସ କଲେଣି । ସେ ଆଡ଼େଇ ହୋଇ ଚାଲିଯାଉଥାଏ-। ଦାଣ୍ଡ ମୋଡ଼ରେ କମାରଶାଳ ଆଗରେ ଖଣ୍ଡେ ଚଉଖୁଣ୍ଟିଆ ଜମି । କେତେ ଭେଣ୍ଡିଆ ସେଇଠି ରୁଣ୍ଡ ହୋଇ ପାଟି କରୁଛନ୍ତି । ଦାଣ୍ଡ କଡ଼କୁ କେଇଖଣ୍ଡି ଲଙ୍ଗଳ ମୁଣ୍ଡା ପଡ଼ିଛି । କଡ଼ ଗୋବର ଖାତ ଆଗରେ ଯୋଡ଼ାଏ ଦରଚିରା ଆମ୍ଵ ଗରିଣ୍ଡା । ତାଆରି ଉପରେ ଧାଡ଼ିଏ ଲୋକବସିଛନ୍ତି । ସଭିଙ୍କ ହାତରେ କିଛି ନା କିଛି ଅଛି । ଲଙ୍ଗଳ ଲୁହା, ଗୁଆକାତି, ଦାଆ, ପନିକି, ସବୁ ପଜା ହେବ । ଶାଳ ଭିତରୁ ଲୁହାବାଡ଼ିଆ ଶବ୍ଦ ଶୁଭୁଛି । ଶାଳ ବାହାରେ ଲୋକଙ୍କର ନିରର୍ଥକ ହସ ।

 

ସେଇବାଟେ ଶଶୀକୁ ଯିବାକୁ ହେବ । ବାଟ ବନ୍ଦ । ଯିବ କେମିତି ? ବୁଲା ଅତି ଚଲାଖ-। ଆଗରୁ ସତର୍କ ହୋଇ ସେ ଗୋବରଖାତ ପଛପଟେ ଆର ପାଖକୁ ଚାଲିଗଲା । ଶଶୀ ଏପାଖେ ଠିଆ ହୋଇ ରହିଲା । ଲୋକେ ଆଡ଼େଇ ହୋଇଗଲେ ସେ ହାତ ଦେଇ ଚାଲିଯିବ; କିନ୍ତୁ ଲୋକେ ଆଡ଼େଇହେଲେ ନାହିଁ । ଯାହାକୁ ଧରି ସେ ଥଟ୍ଟା ତାମସା ଆରମ୍ଭ କରିଥିଲେ ତାକୁ ହିଁ ଘେରି ରହିଲେ ।

 

ହଁ ଅଜା, କହ, ବାହାଘର କଥା କଅଣ ହେଲା ।

 

ମୁହୂର୍ତ୍ତେ ସମସ୍ତେ ତୁନି ହୋଇଗଲେ । ଲୋକପରିଧିର କେନ୍ଦ୍ରରେ ବସିଥିବା ଲୋକଟି ଅଜା ! କଅଣ କହିଲା କେଜାଣି, ପୁଣି ସେମାନେ ହସି ଉଠିଲେ । ଶଶୀ ଉପରେ କେତେଜଣଙ୍କର ନଜର ପଡ଼ିଲା । ଜଣେ ଦିଜଣ ଏକା ସଙ୍ଗରେ ପାଟି କରି ଉଠିଲେ – ଘୁଞ୍ଚରେ, ଆଈ ଆଇଲେ ।

 

ଲୋକେ ଶଶୀ ମୁହଁକୁ ଚାହିଁଲେ । ଗହଳି ଦିଭାଗ ହୋଇ ଫାଟିଗଲା । ବାଟ ଖୋଲି ଗଲା । ଶଶୀ କାହାକୁ କିଛି ନକହି ଅଣ୍ଟାନୁଆଇଁ, ହାତ ଝୁଲାଇ ଚାଲି ଯାଉଣୁ ଲୋକଗହଳି ପୁଣି ବୁଜିହୋଇଗଲା । ସେ ରହିଗଲା ମଝିରେ । ଯୁଆଡ଼କୁ ଚାହିଁଲେ ଲୋକ । ସଭିଙ୍କର ମୁହଁରେ ହସ । ଯିବା ବାଟ ବନ୍ଦ । ଆଗରେ ବସିଛି ଝାମ୍ପୁରା ବାଇଆ । ବୁଢ଼ା ଲୋକ । ତେଣୁ ସେ ଅଜା, ଗାଁ ଅକର୍ମାଙ୍କ ଥଟ୍ଟା ତାମସାର ଜୀବ । ବ୍ୟର୍ଥ ଜୀବନର ଅଲୋଡ଼ା ଅଖୋଜା ବେଳ ବିତେଇବାର ଚିଜ ।

 

ହେ ଅଜା, ମନକୁ ଅଇଲା ତ ? କିଏ, ଜଣେ ଶଶୀକୁ ଉପଲକ୍ଷ୍ୟ ଦେଇ ପଚାରିଲା ।

 

ଲୋକଟି ବଲ ବଲ କରି ଶଶୀର ମୁହଁକୁ ଚାହିଁଲା । କେଡ଼େ ନିରୀହ ତା ଆଖିର ଆଲୁଅ-! ସଂସାରର ଭଲ ମନ୍ଦ ବୁଝେ ନାହିଁ ସେ । ଯିଏ ଯାହା ପଚାରେ, ଉତ୍ତର ଦିଏ ମୁଣ୍ଡ ହଲାଇ ହଁ କି ନାହିଁ । ବୁଝେ ନାହିଁ ଏହାର ଅର୍ଥ । ଜାଣେ ନାହିଁ ଲୋକେ କାହିଁକି ହସନ୍ତି । ତାର ନିର୍ବୋଧ ଉତ୍ତର ଭିତରୁ କି ଆନନ୍ଦ ପାଆନ୍ତି ? ତାର ଅଲରା ରୂପ ଓ ଅସନା ଭେକ କେତେ ଲୋକଙ୍କୁ କେତେ ପ୍ରକାର ଖୁସି କରିପାରେ । ମୁହଁରେ ହସ ଆଣିପାରେ ।

 

ସେ ମୁଣ୍ଡ ହଲାଇ ଉତ୍ତର ଦେଲା - ନାଁ ।

 

ଲୋକେ ହସି ଉଠିଲେ । ଭିଖାରୁଣୀ ନିଠେଇ ଚାହିଁଲା ତା ରୂପକୁ । ହସିବାର କିଛି ନାହିଁ-। କାନ୍ଦିବାର ଅନେକ ଅଛି ।

 

ଆରେ, ଆଈର ମନକୁ ପାଇଛି ରେ ! ନାଇଁ ଲୋ ? କିଏ ଜଣେ କହିଲା ।

 

ସେ ଛଳ କଲା ନାହିଁ, କେବେ କରେ ନାହିଁ । ସେ ଜାଣେ, ସବୁରି ମନ ଏକା ନୁହେଁ । କାହା କଷ୍ଟ କେହି ଦେହକୁ ନିଅନ୍ତି ନାହିଁ । କାହାରି ଦୁଃଖ କେହି ମନରେ ପୂରାନ୍ତି ନାହିଁ । ସେ ବିଷୟରେ କେହି କେବେ ଭାବନ୍ତି ନାହିଁ । ସେମାନେ ସମସ୍ତେ ଦିଗୋଡ଼ିଆ କୁକୁର । ନିଆଶ୍ରା ଜାଣି ବାଟୋଇଙ୍କର ମନକୁ ଭିଣାଭିଣା କରି ଖାଉଛନ୍ତି ।

 

ଧୀରେ ଧୀରେ କହିଲା, ଗରିବ ଦୁଃଖୀରଙ୍କି ହେଲେ ବି ମଣିଷ ଆମେ, ମାଙ୍କଡ଼ ନୋହୁଁ ଯେ ଟେକା ପକାଇଲେ ଦାନ୍ତ ଦେଖାଇବୁ । କଣ୍ଢେଇ ନୋହୁଁ ଯେ ଯେମିତି ମନ ସେମିତି ନଚାଇବ-। ତା ମୁହଁ ଦୁଃଖର ଛାୟାରେ ଢାଙ୍କି ହୋଇଗଲା ।

 

ସାଇକଲ ଘଣ୍ଟି ଶୁଭିଲା ପଛପଟୁ । ଲୋକେ ପଛକୁ ଚାହିଁଲେ ।କହିଲେ- ଉଠ ଉଠ ଗୁମାସ୍ତା ଆସୁଛନ୍ତି । ଲୋକେ ଦି’ଭାଗ ହୋଇ ଦି କରକୁ ପାଖେଇଗଲେ । ବାଟ ଛାଡ଼ିଲେ । ଶଶୀ ମନ ଭିତରେ ଗୋଟାଏ ତୀବ୍ର ବେଦନା ଅନୁଭବ କଲା । ଗୋଡ଼ ହାତରୁ ପ୍ରାଣ ଛାଡ଼ିଆସିଲା ସତେ-!

 

ଗୁମାସ୍ତା ବୃନ୍ଦାବନ, ପରିଚିତ ଦିଅର ତାର ! ଚାହିଁବାକୁ ସାହସ ହେଲା ନାହିଁ । ଦିଅର ବୃନ୍ଦାବନ ! ଦଶବରଷ ତଳର ଯୁଆନ ଭେଣ୍ଡା । ତମ୍ବାତାର ପରି ଦେହ, ବଳିଲା ବଳିଲା, ଗୁଣ୍ଠୁଣି ହାତୀ ! କି ସୁନ୍ଦର ରୂପ, ଦେଖିଲେ ଆଖି ଲାଖେ, ପେଟ ପୂରେ । କେଡ଼େ କଅଁଳ ହୃଦହଜା କଥା ! କି ଚମତ୍କାର ମନଭୁଲା ହସ ! ପ୍ରାଣ-ଓଟରା ଶାନ୍ତ ଧୀର ଚାହାଣୀ । ସେହି ବୃନ୍ଦାବନ ଗୁମାସ୍ତା ଯାହାରି ପାଇଁ ସେ ଆଜି ଦାଣ୍ଡରେ । କେମିତି ଚାହିଁବ ମୁହଁକୁ ?

 

ଲୋକେ ହାତ ଯୋଡ଼ି ଜୁହାର କଲେ । ଗୁମାସ୍ତା ବାବୁ ଶୂନଗାଡ଼ିରୁ ଓହ୍ଲାଇ ଦାଣ୍ଡେ ଦାଣ୍ଡେ ଯିବାକୁ ଲାଗିଲେ । କିଏ ଜଣେ ପଚାରିଲା, ଦି’ଦିନ ହେଲା ବାବୁଙ୍କର ଦେଖା ନାହିଁ ଯେ !?

 

ବୃନ୍ଦାବନ ଗୁମାସ୍ତା କହିଲେ, କେତେ କାମ, ବାର ଜଞ୍ଜାଳ, ପର ଘରେ ମୁଣ୍ଡ ବିକିଲେ ଯାହା ହୁଏ । ଜମିଦାରୀ ସଂକ୍ରାନ୍ତୀୟ ମୋକଦ୍ଦମାର ତଦ୍‌ବିଜ କରିବାକୁ କଟକ ଯାଇଥିଲି । ମାହାଲର ଖଜଣା ବାକୀ । ଜମିଦାରଙ୍କର କଡ଼ା ତାଗିଦ୍ ଆସିଛି । ପିଆଦାମାନେ ଦୁଆର ଦୁଆର ବୁଲି ଫେରୁଛନ୍ତି । ଅସୁଲ ନାହିଁ । ମାହାଲ ରହେ କେମିତି ? ନିଜ ନିଜର ଖଜଣାପତ୍ର ଦେଇ ଦେଉନା କାହିଁକି ?

 

ଆଜ୍ଞା, ଅଭାବ ପଡ଼ିଛି । ଗରିବ ପ୍ରଜା, ସବୁର୍ ନକଲେ ଏବେ କାହୁଁ ପାଇବୁ ? ଲୋକଙ୍କର ହସ ତାମସା ଉଭେଇଗଲା । ଖଜଣା ନାମ ଧରିଲେ ପ୍ରଜାଙ୍କର ହାଲୁକ ଶୁଖେ, ରକ୍ତ ପାଣି ଫାଟିଯାଏ, ଛାତି ଦୁକୁ ଦୁକୁ ହୁଏ ।

 

ବୃନ୍ଦାବନ କହିଲେ, ଭଲରେ ଦେଉନା, ପଛେ ବେଜିତ୍ ହୋଇ ଦେବ । ମୋ ଦୋଷ ଧରିବ ନାହିଁ । ଗୁମାସ୍ତା ସାଇକେଲ ଧରି ଆଗେଇ ଆସିଲେ । ଶଶୀ ପିଠିକରି କଡ଼େଇ ଯାଇ କଣେଇ ଚାହିଁଲା । ହଁ ବୃନ୍ଦାବନ । ଇଃ- ସେ ରୂପ, ସେ ଦେହ କାହିଁ ? କଳାପାଣି ବୋହି ପଡ଼ୁଛି । ବାଉଁଶ କଣିପରି ଗୋଡ଼ ହାତ । ମୁହଁରେ ବରଗୁଡ଼ି ଚିହ୍ନ । ଗାଲ ଦି’ଫାଳ ପଶିଯାଇଛି । ଆଖି କୋରଡ଼ିଆ । କେତେ ଚିନ୍ତା କେତେ ନୈରାଶ୍ୟର ରେଖା କପାଳ ଉପରେ ଫୁଟିଉଠିଲାଣି । ଚନ୍ଦାମୁଣ୍ଡର ଅବଶିଷ୍ଟ ବାଳଗୋଛିକ ଦରପାକଲା । ତଥାପି ସେ ବୃନ୍ଦାବନ ।

 

ଶଶୀ ମୁହଁ ଫେରାଇଲା । ଆଖି କୋଣରେ ଲୁହବିନ୍ଦୁ ଢଳଢଳ ହେଲା, ଜାଣେ ନା କାହିଁକି । ଗୁମାସ୍ତା ମୁଣ୍ଡ ବୁଲାଇଲେ । ତାଙ୍କର ଆଖି ଶଶୀ ଉପରେ ପଡ଼ିଲା । ସେ ପଚାରିଲେ, ଲୋକଟା କିଏ ହୋ ?

 

କିଏ ଜଣେ ଉତ୍ତର ଦେଲା, ବାଇଆ ବୁଢ଼ା ।

ଆଉ ଜଣେ କହିଲା, ଉଁ-ହୁଁ, ଭିକାରୁଣୀ ।

 

ସେଇମାନଙ୍କୁ ଧରି ତାମସା କରୁଛ ନା ? ଗୁମାସ୍ତାଙ୍କର ସିଝିଲା ଓଠରେ ଦରଫୁଟା ହସ ଖେଳିଗଲା । ଶଶୀ ମୁହଁରେ ଆଖି ପଡ଼ିଲାରୁ ତାଙ୍କର ଭ୍ରୂଲତା ଉପରକୁ ଉଠିଗଲା । ଆଖିର ପ୍ରଭା, ପାହାନ୍ତି ଦୀପ ପରି ମଳିନ ହୋଇଆସିଲା । ସେ ଚାଲିଗଲେ । ଖଣ୍ଡେ ଦୂର ଯାଇ ପୁଣି ପଛକୁ ଚାହିଁଲେ, ଦେଖିଲେ ଭିକାରୁଣୀଟା କାହିଁକି ତାଙ୍କରି ଆଡ଼କୁ କଟମଟ କରି ଚାହିଁରହିଛି । ମୁହଁ ବୁଲାଇଲେ, କିନ୍ତୁ ଗୁମାସ୍ତାଙ୍କର ଛାତିତଳେ କେଉଁ ଦରମରା ସ୍ମୃତି ବିକଟାଳ ରୂପଧରି ଚେଇଁଉଠିଲା-। ଛାତିର ଦୁକ ଦୁକିକୁ ବେଗେ ବେଗେ ଆଘାତ କଲା । ସେ ଆଉ ଫେରି ଚାହିଁବାକୁ ସାହସ କଲେ ନାହିଁ । ଅଦୃଶ୍ୟ ହେଲେ ।

 

ବୁଲା ତୁ-ଉ-

 

ଦି କଡ଼ରେ କଣ୍ଟାସିଜୁ ବାଡ଼ । ମଝିରେ ମଝିରେ ବାଇଗବା, ପାଳଧୁଆ, ସଜନା ଗଛ । ବାଡ଼ ଆଡ଼େଇ କୁକୁରଟି ତୀର ପରି ଛୁଟିଆସିଲା ଶଶୀ ଆଗକୁ । ସେ ନଇଁପଡ଼ି ତାଆର ମୁଣ୍ଡରେ ହାତ ମାରି କଅଁଳେଇ କହିଲା, ମୋ ପାଆରେ ଥାଆରେ ବାବୁ, କୁଆଡ଼େ ଯାଇ ବୁ..ଲୁନା । ଦିନକରୁ ତିନିଦିନ ହେଲା । ଲୋଭ ଲାଗିଯିବ । ଏ ଗାଆଁରେ ଆଉ ରହିବା ଭଲ ନୁହେଁ । ଆଜି ଚାଲିଯିବା, ଖରା ନଉଁ ।

 

ବରକୋଳି ପରି ତା ଆଖିରୁ ବଡ଼ ବଡ଼ ଲୁହ ଟୋପା ଗଡ଼ିପଡ଼ିଲା ।

ବୁଲା ତାର ପଛେ ପଛେ ଚାଲିଲା ।

•••

 

 

ଦଶ ବର୍ଷର ତଳର କଥା ।

 

ରେଳ ଚାଲିଛି । ଷ୍ଟେସନ ପରେ ଷ୍ଟେସନ ଆଖି ଆଗକୁ ଆସି ପୁଣି ପଛରେ ପଡ଼ୁଛି । ବୃନ୍ଦାବନ ରେଳଗାଡ଼ିର କବାଟକୁ ଆଉଜି ପଦାକୁ ଚାହିଁରହିଛନ୍ତି । ମନରେ ସୁଖ ନାହିଁ । ବେଳେ ବେଳେ ପଦାରୁ ମୁହଁ ଟାଣି କୋଠରୀ ଭିତରେ ବେଞ୍ଚ କରରେ ବସିଥିବା ଶଶୀଆଡ଼କୁ ଚାହିଁ ମୁହଁ ଫେରାଉଛନ୍ତି । ଶଶୀ କଣ ଭାବି ବେଞ୍ଚ ଉପରୁ ବୃନ୍ଦାବନଙ୍କ ପାଖକୁ ଉଠିଆସିଲା । ତାଙ୍କର ହାତ ଧରି ବେଞ୍ଚ ପାଖକୁ ଫେରିଆସିଲା । କୋଠରୀଟି ଅତି ଛୋଟ । ବେଶି ଲୋକ ନାହାନ୍ତି । ଯେଉଁ ଲୋକ ଅଛନ୍ତି ସେମାନେ ପଶ୍ଚିମା । ନିଜ ନିଜ ଭିତରେ ଅବୁଝା ଭାଷାରେ କଥାଭାଷା ହେଉଛନ୍ତି ।

 

ଶଶୀ ପଚାରିଲା, କଣ ଭାବୁଛ ବୃନ୍ଦାବନ ?

ବୃନ୍ଦାବନ କହିଲେ, ମତେ କ୍ଷମାକର ନୂଆବୋହୂ । ତାଙ୍କର କଣ୍ଠସ୍ୱର ଥରି ଉଠିଲା ।

 

ଶଶୀ କହିଲା, ତମର କିଛି ଦୋଷ ନାହିଁ । କାହାରି ଦୋଷ ନାହିଁ । ଗୋଟାଏ ସ୍ୱାଭାବିକ ଉତ୍ତେଜନା । କେହି ନ ବୁଝନ୍ତୁ, ବୋଉ ମୋର ବୁଝିବ । ଶାଶୁମତେ କିପରି ଦେଖି ପାରନ୍ତି କିଏ ନଜାଣେ ? ସେ ଦିନେ ଅନୁତାପ କରିବେ ଯେ ! ନିଜେ ଆସି ବୋଉ ପାଖରୁ ମତେ ସେ ନେଇଯିବେ । ବ୍ୟସ୍ତ ହୁଅନା ବୃନ୍ଦାବନ, ମୋତେ ତମେ ବୋଉ ପାଖରେ ଛାଡ଼ିଦେଇ ଆସ । ସେତିକି ତମର କାମ – କହୁ କହୁ ଆଖିରେ ଲୁହ ଭରିଗଲା ।

 

ସେ ପୁଣି କହିବାକୁ ଲାଗିଲା, ଆହା, ମୋର ଟୁନାଟି ବୃନ୍ଦାବନ ! ସାମାନ୍ୟ ଦୋଷ ତମର କ୍ଷମା କଲି । ଯଦି ମତେ ଦୁନିଆ ତ୍ୟାଗ କରେ, ମା କୋଳରେ ଯଦି ମୁଣ୍ଡ ଗୁଞ୍ଜିବାକୁ ଥାନ ନପାଏ ତେବେ ? ନା, ତମଠି ମୋର କାମ ନାହିଁ । ମୋ କଥା ମୁଁ କରିବି । ଟୁନାଟି ମୋର, ଟିକିଏ ତାକୁ ନିଘା ରଖିଥିବ । ତମେ ତ ପୁରୁଷ ପିଲା, ତମର କିଏ କଣ କରିବ ? ପାରିବ ବୃନ୍ଦାବନ ?

 

ପାରିବି ନୂଆବୋହୂ । ତାଙ୍କର ସ୍ୱରରେ ଶଶୀ ପ୍ରତିଜ୍ଞାର ଦୃଢ଼ତା ଉପଲବ୍ଧି କରିଥିଲା ।

 

ବୋଉ ପୀଡ଼ିତ, ସାଂଘାତିକ । ସେବା କରିବାକୁ ଆପଣାର କେହି ପାଖରେ ନାହିଁ । ଝିଅ ପାଖକୁ ଖବର ଯାଇଛି। ଦୂରବାଟ । ବଡ଼ ଘରର ବୋହୂ । ପଠେଇବେ କି ନାହିଁ ? ଭଙ୍ଗା ଚାଳଘରର ଭୂଇଁରେ ଖଣ୍ଡେ ଚିରା ସତରଞ୍ଜି ଉପରେ ସେ ଶୋଇଛନ୍ତି । ଗୋଡ଼ତଳେ ଶ୍ରୀମତୀ - ଧର୍ମର ଝିଅ - ଜାତିରେ ବାଉରୀ ।

 

ରାତି ଅଧ । ଡିବିରିଟିଏ ମିଞ୍ଜି ମିଞ୍ଜି ଜଳୁଛି । ବାହାରେ ନିବିଡ଼ ଅନ୍ଧାର ।

ବୋଉ.... । କେଡ଼େ ବ୍ୟଥାଭରା ସେ ଡାକଟା !

କିଏ ଲୋ .... ।

 

ରୋଗୀଟି ମୁଣ୍ଡ ଟେକି ଚାହିଁଲା । ଶୁଖିଲା ଓଠରେ ହସର ସରୁ ଗାରଟିଏ ଟାଣି ହୋଇଗଲା । ମୁଣ୍ଡଟି ତଳକୁ ଖସି ପଡ଼ିଲା । ଧୀର ସ୍ୱରରେ କହିଲେ, ଆଇଲୁ ମତେ ଦେଖିବାକୁ ? ତତେ ଛାଡ଼ିଲେ ? ଆଉ କିଏ ସଙ୍ଗରେ ଆସିଛି ?

 

ଶଶୀ ଉତ୍ତର ଦେଲା ନାହିଁ । ଗାଁ ମୁଣ୍ଡରୁ ବୃନ୍ଦାବନ ବିଦାୟ ନେଇଥିଲେ – ଶେଷ ବିଦାୟ । ସେହି ଶେଷ ଦେଖା ।

 

ଶଶୀର ଭାବନା ଭାଙ୍ଗିଲା ।

 

ଡାହାଣ ହାତ ପିଣ୍ଡା ଉପରେ, ଦରଫୁଲ ନାଲି ଟୁକୁ ଟୁକୁ ପଦ୍ମ କଢ଼ ଦେହରେ ପାହାନ୍ତି କାକର ପରି ଟିକି ଝିଅଟିର ମଉଳା ମୁହଁର ବଡ଼ ବଡ଼ ମଳିନ ଆଖି କୋଣରେ ଲୁହ ବିନ୍ଦୁ । ଶଶୀର ଆଖିରୁ ଦି ଠୋପା ତତଲା ପାଣି ନିଗିଡ଼ିପଡ଼ିଲା । ବାଡ଼ି ଭରା ଦେଇ ସଳଖି ଠିଆ ହୋଇ ସେ ମୁହଁ ଟେକି କହିଲା– ମା, ଭିକ ମୁଠେ ମିଳୁ ।

 

କଅଁଳ କଣ୍ଠରେ ଝିଅଟି ପଚାରିଲା, ଚାଉଳ ନେବୁ ?

 

ନାଇଁ ମା, ମୁଁ ଚାଉଳ ନିଏ ନାହିଁ । ନେଲେ କଣ କରିବି, କେଉଁଠି ଫୁଟେଇ ଖାଇବି ? ପଇସାଟିଏ ଦିଅ ।

 

ରାଗରେ ତାର ଟିକି ନାକଟି ଫୁଲିଉଠିଲା । ନାଲି ଓଠ ଦିଫାଳ ଥରାଇ ସେ ବିରକ୍ତ ହୋଇ କହିଲା, ଭିକ ମାଗିବାକୁ ଆସି ତୋର ବରାଦ କେତେ ଲୋ ! ପଇସା ତତେ କିଏ ଦେବ ?

 

ମା, ମୁଠିଏ ଭାତ କି ମନ୍ଦାଏ ତୋରାଣି ହେଲେ ପଇସା ମୋର ଲୋଡ଼ା ହେବ ନାହିଁ ।

 

କାଲିଠୁ ଆମର ଚୁଲି ଜଳିନାହିଁ । ଆମେ ସବୁ ଚୁଡ଼ା ଖାଇ ରହିଛୁ । କାହା ମନରେ ସୁଖ ନାହିଁ ।

 

କାହିଁକି ମା ?

 

ମୋ ସାନଭାଇ ଗୁନାକୁ ଜର ଯେ ତା ଆଖି ଫିଟୁନାହିଁ । ସମସ୍ତେ ତା ପାଖରେ ଜଗି ବସିଛନ୍ତି । ଯେତେବେଳେ ଆଖି ଖୋଲୁଛି, ଖାଲି ଟୁନା ଭାଇକୁ ଖୋଜୁଛି, କାନ୍ଦୁଛି । ପୁଣି ତା ଆଖିରେ ଲୁହ ଢଳ ଢଳ ହେଲା ।

 

ଶାନ୍ତି...ଇ..., ଘର ଭିତରୁ ଡାକରା ଆସିଲା ।

ଯାଉଛି ବୋଉ...

ପିଲାଟି ଭିତରକୁ ଗଲା । ଶଶୀ ନଈ କୂଳକୁ ମୋହିଁଲା ।

 

ଗୁନାକୁ ଜର, ଟୁନାକୁ ଖୋଜୁଛି । ଏହି କଥା ଶଶୀ ମନକୁ ଅସ୍ଥିର କଲା । ରକ୍ତରେ ବାଡ଼ ଦେବ କିଏ ? ନିଜ ଗୁଣରେ ସର୍ବସହଣୀ ବାଳୁତ ପିଲା । ସମସ୍ତଙ୍କୁ ଆପଣାର କରିପାରିଲା । ହୃଦୟ ପାଖକୁ ଟାଣିଆଣିଲା । କେବଳ ପାରିଲା ନାହିଁ ଜଣକୁ - ବିମାତାକୁ । ରକ୍ତର ଆକର୍ଷଣ ନାହିଁ-। ମଣିଷ ପଣିଆରେ ମୋହ ତ ଅଛି ! ସ୍ୱାର୍ଥର ଅଦେଖା ଟଣାଓଟରାରେ ସ୍ନେହର ନିଗୂଢ଼ ବନ୍ଧନ ତ ଥିବାର କଥା ।

 

ବୁଲା, ଏଇ ନଈକୂଳ, ଗଛମୂଳରେ ବସ୍ । ଇସ୍, କେଡ଼େ ଟାଣ ଖରା !

 

ବର୍ଷାପାଣି ଗଡ଼ି ନଈଭିତରକୁ ନାଳ ପଡ଼ିଛି । ମୁଣ୍ଡଘୁରା ଭୟଙ୍କର ଅତଡ଼ା, ପାଖରେ ଡେଙ୍ଗା ସାଗୁଆନ ଗଛ । ତାଆରି ତଳେ ଶଶୀ ବସିଲା । ଦୁଇ ଆଖି ତାର ନଈ ସେପାରି ଗଛ ଗହଳି ଉପରେ । ମରୁଭୂମି ପରି ବାଲି । ତତଲା, ଖଇଫୁଟା, ମାଇଲିଏ ଚଉଡ଼ା । ସେ ପାରିର ଉଚ୍ଚ ଖଣ୍ଡି ତଳେ ପାଣିର ଗାର । ଦେବୀ ନଈର ପାଣି । କୁମ୍ଭୀର ମଗର ହାଉଯାଉ । ଗୋଡ଼ ବଢ଼ାଇଲେ ଟା’କୁ କରି ଧରିବେ । ପରିତ୍ରାଣ ନାହିଁ । ତତଲା ବାଲି । ମାଇଲିଏ ପାରି ହୋଇ ସେ ଯିବ ଆର ପାରିକି । ଅନ୍ଧାରିଆ ଗଛଗହଳି । ତାଆରି ମଝିରେ ବାଟ । ଲମ୍ବା ଗହୀର । ଗହୀର ସେପାରି ଗାଁ । କେଡ଼େ ପରିଚିତ । କାର୍ତ୍ତିକ ପୁନେଇଁ ଭେଳା ଭସାଇବାକୁ ଗାଁ ମାଇପଙ୍କ ସଙ୍ଗେ କେତେଥର ସେ ଆସେ । ଭଲ ଦିନେ ଭଲ ପର୍ବରେ ଗୋଧୋଇ ଆସନ୍ତି ଭେଡ଼ା ମଝିକି । ମଲିପୁର-– କର୍ମଭୂଇଁ - ଶାଶୂରଘର ସେହି ଗଛଗହଳି ଆରପାଖେ ।

 

ଖରା ତାତି ମାଡ଼ିଆସୁଛି ରେ ବୁଲା, ଟୁନା ମୋର ସେଇଠି ଅଛି । ଚାଲ୍ ଯିବା । ଶଶୀ ତାର ମୁଣ୍ଡ ଆଉଁସିଲା । ବୁଲା ମୁଣ୍ଡଟେକି ଲାଙ୍ଗୁଡ଼ ହଲାଇଲା ।

 

ଚିଁ ଚିଁ ଚିଁ - ଗୁଣ୍ଡୁଚି ମୂଷା ସାଗୁଆନ ଗଛର ଚାରିପାଖେ ବୁଲିଗଲା । ଯୁଦ୍ଧର ଡାକ ! ବୁଲା ଲାଙ୍ଗୁଡ଼ ହଲାଇ କାନ ଟେକିଲା, ଆଖି ଟେକି ଚକ୍ରପରି ଘୁରାଇଲା । ଶଶୀ ତାକୁ କୋଳକୁ ଆଉଜାଇଲା । ଛି ବୁଲା, ପର ପିଲା । ବୁଲା ମୁଣ୍ଡ ନୁଆଁଇଲା ।

 

ଶଶୀ ତୁନି ହେଲା । ଗୋଡ଼ ଚଳିଲା ନାହିଁ । ରୁଦ୍ଧ ଅଭିମାନ, ରୁଦ୍ଧ କ୍ରୋଧ ତାଆର ଅନ୍ତର ଭିତରୁ ତୁହାଇ ତୁହାଇ ଉଠିଲା । ଯିବ ପୁଣି ମଲିପୁର ? ଅତୀତ ତାର ଏମିତି ଜଳିଲା ବାଲିପରି । ଏମିତି ଗୋଟାଏ କ୍ଷୀଣ ଆଶାର ରେଖାକୁ ଚାହିଁ ରହିଥିଲା - ଉଭେଇଗଲା । ମୁହଁ ଫେରାଇଲା ନରକ ଆଡ଼କୁ । ସହିପାରିଲା ନାହିଁ । ଲୋକଙ୍କର ନିଷ୍ଠୁର କଥା, ନିର୍ମମ ପରିହାସ ।

 

ଅତୀତ ଆସି ଆଗରେ ଠିଆ ହେଲା ।

 

ମା ମରିଲା ଶାନ୍ତିରେ, ସେ କିଛି ଜାଣି ନ ଥିଲା । ଶଶୀ ତାଙ୍କୁ ଜାଣିବାକୁ ଦେଇ ନାହିଁ, ମୁମୂର୍ଷୁ ପ୍ରାଣରେ କାଳେ ଦୁଃଖ ହେବ ସେଇଥିପାଇଁ । ମୁଣ୍ଡ ପାଖରେ ଶଶୀ ବସିଥାଏ, ଆଖିରୁ ଲୁହ ଧାର ଝରି ପଡ଼ୁଥାଏ ।

 

ମାସ ପରେ ମାସ ବିତିଲା । ଉପାସ ଭୋକରେ କାନ୍ଦି କାନ୍ଦି ଛ ମାସ ଗଡ଼ିଲାଣି । କ୍ଷୀଣ ଆଶାର ଅସ୍ପଷ୍ଟ ଗାରଟିକୁ ଚାହିଁ ସମୟ କଟିଲା । ସନ୍ଦେହ ! ଲୋକେ ସର୍ବଜ୍ଞ ନୁହନ୍ତି । ସନ୍ଦେହ ସ୍ୱାଭାବିକ । କେତେ ଟାହିଟାପରା । କେତେ ନିଲଠା ସହାନୁଭୂତି ସହିଲା ଛ ମାସ । ହୃଦୟର ସବୁ ପ୍ରେମ ଅଜାଡ଼ି ଦେଇଥିଲା ନିଃଶେଷ କରି ଯାହାର ଗୋଡ଼ତଳେ, ସେହି ସ୍ୱାମୀ ତାର ନୀରବ । ଦିନ ରାତି ପ୍ରତି ମୁହୂର୍ତ୍ତ ଯାହାର ଭାବନାରେ, ଯାହାର ମଙ୍ଗଳ କାମନାରେ ଉତ୍ସର୍ଗ କରିଥିଲା, ସେହି ସ୍ୱାମୀ ତାର ନିଶ୍ଚିନ୍ତ । ପ୍ରାଣର ଅମୂଲ୍ୟ ମଣିଷକୁ ଥୋଇ ଆସିଥିଲା ଯାହାଙ୍କ ଘରେ, ସେ ଅନୁଦାର-

 

ଆଉ ବୃନ୍ଦାବନ ! ତାଙ୍କର ତରୁଣ ମନରେ ରୂପର ବତାସ ଲାଗିଥିଲା, ପ୍ରଲୋଭନର ଭେଳିକି ଲାଗିଥିଲା । ଗୋପନରେ, ଶଶୀର ଅଜ୍ଞାତରେ, କ୍ଷଣକର ଉତ୍ତେଜନା, କ୍ଷଣକର ଭୁଲରେ ସେ ଦିନେ ନିଜକୁ ଭୁଲି, ଦୁନିଆଁକୁ ଭୁଲି, ନଇଁପଡ଼ିଥିଲେ ତାଆରି ଉରପକୁ । ତୁଷାର୍ତ୍ତ ଅଧର ଦିଓଟି ଥରାଇ ଥରାଇ ଯିଏ ନଇଁ ପଡ଼ିଥିଲେ, ସେ ଆଜି କାହାନ୍ତି? ଇଃ, ସେହି ମୁହୂର୍ତ୍ତର ଉତ୍ତେଜନା ଟିକକ-! ନିଜକୁ ସମ୍ଭାଳିନେଇ ବୃନ୍ଦାବନକୁ ମଧୁର ତିରସ୍କାର କରିବା ଆଗରୁ ଘର ଭିତରକୁ ପଶିଆସିଲେ ଶାଶୁ । ଆସିଲା ବଜ୍ର, ଆସିଲା ତୋଫାନ । ଆଗ୍ନେୟଗିରିର ପ୍ରଳୟ ହୁଙ୍କାର । ତା’ପରେ ସବୁ ଶାନ୍ତ-। ଯେତେବେଳେ ତାର ହଜିଲା ମନ ଫେରିଆସିଲା, ଦେଖିଲା ଆଗରେ ବୃନ୍ଦାବନ, ତଳକୁ ମୁହଁ, ଭୟରେ ଥରୁଛନ୍ତି । ମନରେ ଦୟା ହେଲା । ନିଜର ଦୁଃଖ ସେ ଭୁଲିଗଲା ।

 

ସେହି ବୃନ୍ଦାବନ ଆଜି କାହାନ୍ତି ?

 

ଅକୁହା ଅପବାଦ, ଅଶୁଣା କଳଙ୍କର କଥା ରଟିଗଲା ଗାଁ’ସାରା । ତାଆରି ଶାଶୁ ତାଆରି ନାମରେ କେତେ କଣ କହିଲେ, ଆଖିରେ ଦେଖିଲା କଥା । ପରତେ ନଯିବ କିଏ । ରାଗ ହେଲା, କାହା ଉପରେ ଶୁଝି ପାରିଲା ନାହିଁ । ଜହର ଖାଇବ ? ଇଚ୍ଛା ହେଲା ନାହିଁ ପିଲାଟିପାଇଁ । ରହି ହେଲା ନାହିଁ ଗାଁରେ । ସେ ଚାଲିଆସିଥିଲା ବାପଘରକୁ, ମାଆ ପାଖକୁ, ଯିଏ ଏବେ ସ୍ୱର୍ଗରେ ।

•••

 

 

ଜାଣିନଥିଲା ଯେ ସେ ନରକର ବାଟ ଖୋଜିଚାଲିଛି ।

ନରକପଥରୁ ଫେରି ଆସିଲା ବଡ଼ ଡେରିରେ ।

 

ରାଗ ଅଭିମାନ ଭାଙ୍ଗିଛି । ଯିବ ସେ ତାର ଟୁନାକୁ ଖୋଜି ଖୋଜି ? ଯାହା ଉପରେ ଅଭିମାନ କରନ୍ତା ସେ ଆଜି ନାହାନ୍ତି । ମଶାଣି ଭୂଇଁର ମାଟିକୁଢ଼ ଆଗରେ ସବୁ ଦୋଷ ମାନିନେବ-? ଯିବ ? ପତର ଗହଳି ଭିତରୁ ଝରି ଝରି ସୂର୍ଯ୍ୟକିରଣ ତାର ଲୁହଧୂଆ ମୁହଁରେ ପଡ଼ିଲା । ସେ ଆଖି ମଳି ଆଗକୁ ଚାହିଁଲା । ବୁଲା ଜିଭ କାଢ଼ି ତାଆରି ମୁହଁକୁ ଚାହିଁ ଧକାଉଛି । ସେ ଉଠିଲା ।

 

ଚାଲ୍ ବୁଲା, ଖରା ମାଡ଼ିଆସୁଛି । ମଲିପୁର ଗାଁ’ମୁଣ୍ଡ ମଶାଣି । ଟିକିଏ ଛାଡ଼ି ଡାହାଣହାତି ବଡ଼ ଯୋର । ଠାଏ ଠାଏ ତୁଠ । ଦଶଖଣ୍ଡି ମଉଜାର ଲୋକେ ଏଇ ଯୋର ପାଣି ବ୍ୟବହାର କରନ୍ତି । ମଶାଣିପାଖ ବାଟକଡ଼ ଆମ୍ବଗଛ ଛାଇରେ ଶଶୀ, ଅଣ୍ଟିରେ ମୁଠିଏ ଚୁଡ଼ା । ଆଗରେ ବୁଲା ବସିଛି । ଲୋଭିଲା ଆଖିରେ ଶଶୀ ହାତକୁ ଚାହିଁ ଲାଙ୍ଗୁଡ଼ ଏ ପାଖ ସେ ପାଖ କରୁଛି ।

 

ସେ ଆଡ଼କୁ ଶଶୀର ନିଘା ନାହିଁ । ତାର କରୁଣ ଆଖି ଦୂର ପୋଖରୀ ଉପରେ ଲାଖିରହିଛି । କେତେଲୋକ କେତେ ମାଇପେ ଆସୁଛନ୍ତି ଯାଉଛନ୍ତି । ସମସ୍ତେ ତାର ଚିହ୍ନା । ସବୁ ସେମିତି ଆଗପରି ରହିଛି । ସେହି ଗଛ, ସେଇ ପୋଖରୀ ସେଇ ମଣିଷ । ସେମିତି ଆସୁଛନ୍ତି । କଥାଭାଷା, ହାସପରିହାସ, ରାଗରୋଷ । ଦଶ ବରଷର ଅଦେଖା, କିଛି ନୂଆ ଲାଗୁ ନାହିଁ । ସବୁ ପୁରୁଣା, ସବୁ ଆଗପରି ସେମିତି । ଏକା ବଦଳିଛି ସେ, ଭିତରେ ଓ ବାହାରେ । ନିଜକୁ, ପରକୁ, ଦୁନିଆର ସଭିଙ୍କୁ ସେ ଦିଶୁଛି ଯେପରି ସେ ଶଶୀ ନୁହେ, ଆଉ ଜଣେ କିଏ ।

 

ଏଇ ତୋଟା, ଏଇ ମଶାଣି, ପୋଖରୀ ବାଟ କେଡ଼େ ପରିଚିତ, କେଡ଼େ ଆପଣାର । ଆଜି ସମସ୍ତେ ପର । ସମସ୍ତେ ଯେପରି ସନ୍ଦେହମିଶା ପଚାରିଲା ଆଖିରେ ଚାହିଁରହିଛନ୍ତି । ପାଖକୁ ଆସିବାକୁ ଯେପରି ହାତ ହଲାଇ ମନା କରୁଛନ୍ତି । ଆସିଲେ ସଂଙ୍କୁଚିତ ହୋଇ ଅପସରି ଯାଉଛନ୍ତି-। ନିଜ ପ୍ରତି ନିଜର ଘୃଣା ସତେକି ଆକାଶ ପବନ ପ୍ରକୃତି ସଭିଙ୍କ ଦେହରେ ପ୍ରତିଫଳୁଛି ।

 

ଗାଁ’ମୁଣ୍ଡ ମାଶାଣିପାଖ ତୋଟାର ଆମ୍ବଗଛ । ହୁଏତ ଏଇ ! ଏହାରି ମୂଳରେ ବୃନ୍ଦାବନର ଦେଖା ହୋଇଥିଲା । ଅନ୍ଧାର ରାତି । ରାତି ଅଧ ।

 

ଚାଲ ବୃନ୍ଦାବନ, ମୋ ବୋଉ ପାଖେ ମୋତେ ଛାଡ଼ିଦେଇ ଆସିବ ।

 

ସେ ମଙ୍ଗିଲେ । ଭୟରେ ? ଗୋଟାଏ ଆଶାରେ ? କେଜାଣି ବା ସାମାନ୍ୟ ଭୁଲ୍‌ ପାଇଁ ଅନୁତାପରେ ? ସୁଯୋଗ ନୁହେଁ, ଜୀବନର ଗୋଟାଏ ଦୁର୍ଯୋଗ ସେ । ନୋହିଲେ, ସେହି ରାତିରେ ଏଇ ପୋଖରୀରେ ଆଶ୍ରା ନେଇଥାଆନ୍ତି । ଏତେ ଦହଗଞ୍ଜ ହୁଅନ୍ତା କାହିଁକି ?

 

ଆଜି ଆଉ ତାର ମରିବାକୁ ଇଚ୍ଛା ନାହିଁ । ଜୀବନକୁ ବନ୍ଧନହୀନ ଶୃଙ୍ଖଳହୀନ କରି ସମୟର ଚଳନ୍ତି ସୁଅରେ ଭସାଇ ଦେଇଥିଲା କେବଳ ଜୀବନପାଇଁ ! ଯାଉ – ଯେଣେ ଇଚ୍ଛା ତେଣେ ଯାଉ । ଲକ୍ଷ୍ୟହୀନ, ଉଦ୍ଦେଶ୍ୟହୀନ । କୁଳକିନାରା ନାହିଁ – ସେ ଭାସିଛି, କେତେ ବାଧାବିଘ୍ନ କେତେ ଘୂର୍ଣ୍ଣନର ମଝିରେ ପଡ଼ିଆସିଛି । ବୁଡ଼ିନାହିଁ । କୂଳ-କିନାରା ପାଇନାହିଁ । ପାଇବାକୁ ଆଶା କରିନାହିଁ । ଚେଷ୍ଟା କରିନାହିଁ ।

 

ଆଜି ଇଚ୍ଛା ହେଉଛି, ହାତ ବଢ଼ାଇ କାହାକୁ ଧରି ରହିବ । ମୁହଁ ଫେରାଇ ଆଶା ମୁଖରେ ଚାହିଁବ ଟୁନାଆଡ଼କୁ । ଟୁନା, ଯାହାରି ଭିତରେ ସେ ନିଜକୁ ଅନୁଭବ କରିଥିଲା, ଆଜି ମଧ୍ୟ କରୁଛି, ତାକୁ ମଣିଷ ହେବାର ଦେଖିଯିବ । ତା’ରି ଭିତରେ ସେ ବଞ୍ଚିରହିବ ଅନାଦି କାଳଯାଏ । ତାରି ଭିତରେ ସେ ନିଜକୁ ହଜାଇଦେବ । ନଜାଣୁ ସେ, ନବୁଝୁ । ଦୂରରେ ଥାଇ ଶଶୀ ଜାଣିବ, ବୁଝିବ, ଦେଖିବ । ସେତିକି ତାର ଶେଷ ଆଶା, ଶେଷ ଆନନ୍ଦ ।

 

ଯାହାଙ୍କ ଭରସାରେ ସେ ତାର ପ୍ରାଣର ଟୁନାକୁ ଛାଡ଼ିଯାଇଥିଲା, ସେ ନାହାନ୍ତି । ହୁଏତ ଏଇ ମଶାଣିଭୂଇଁର ଧୂଳିକଣା ଦେହରେ, ଆକାଶ ପବନରେ ମିଶି ଯାଇଛନ୍ତି । ଛାଡ଼ିଯାଇଥିଲା ଶିଶୁଟିକୁ ସେ ଅନ୍ଧାର ଭିତରେ । ଏକମାତ୍ର ଆଲୋକଶିଖା ଲିଭିଯାଇଛି । ଆଜି ସେ ଅନ୍ଧାର ଭିତରେ ଅନ୍ଧ । ସହାନୁଭୂତି ଦୂରର କଥା, ନିର୍ଯ୍ୟାତନା ସହି ନପାରି ପିଲାଟି ପଳାଇଆସିଛି । ଆଲୁଅ ଜାଳି ଅନ୍ଧାର ଘୁଞ୍ଚାଇବାର ସାହସ କି ଅଧିକାର ତାର ନାହିଁ । ଅନ୍ଧାର ଭିତରେ ହାତ ବଢ଼ାଇ ଅଜାଣତରେ ତାକୁ ଅଭୟ ଦେବା ହିଁ କର୍ତ୍ତବ୍ୟ ।

 

ପାରିବି ରେ ବୁଲା, ପାରିବି ? ଶଶୀ ବୁଲାକୁ ଚାହିଁଲା । ଯେପରି କୁକୁରଟା ତାର ମନର ଭାବନା ବୁଝେ ।

 

ବୁଲା ମୁଣ୍ଡ ନୁଆଇଁ ତାର ଅଣ୍ଟିକୁ ଚାହିଁଲା । ଶଶୀ ତାଆର ସାଇତିଲା ପୁଡ଼ାଟିକୁ କୋଳକୁ ଯାକିଆଣିଲା ।

 

ବୁଲା, ଟୁନା ମୋର କାହିଁ ଗଲାରେ ? ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ବୁଲିଆସିଲି, ଦେଖା ନାହିଁ । ସେ କଅଣ ଏଠିକି ଆସିନାହିଁ ? ଚକରା ମିଛ କହିଲା ? ବୁଲା ବେକ ମୋଡ଼ି ପଛକୁ ଚାହିଁଲା ।

 

ଦିଜଣ କିଏ କଥାଭାଷା ହୋଇ ତୋଟା ଆଡ଼ୁ ଆସୁଛନ୍ତି – ଧାନତକ ପୁଅ ବାହାରେ ଖରଚ ହୋଇଗଲା । ତମେ ଧାନ ଦି’ ଭରଣ ଧାର୍ ନଦେଲେ ମହତ ରହିବ ନାହିଁ ।

 

ଆରେ, କହିବାକୁ ଅଛି କିଏ ଯେ ଏତେ ଡର ? ବୁଢ଼ୀ ତ ହାଉଳି ବାଉଳି, ପର ହାତଟେକାରେ ଥାଆନ୍ତି । ପୁଅ ମଲା ଦିନୁ କେଉଁ କଥା ସେ ବୁଝୁନାହାନ୍ତି । ବୋହୁ ଯାଇ ବାପ ଘରେ । ତୋ ମହତ ସାରିବ କିଏ ?

 

କୁଞ୍ଜବାବୁ ଭାରି କଡ଼ାଲୋକ ।

ଓହୋ, କୁଞ୍ଜବାବୁ, କେଉଁ ଗାଁର କିଏ ।

 

ସେଇ ତ ଆଜିକାଲି ସର୍ବେସର୍ବା । ଚାଷବାସ ଭାଙ୍ଗି ଜମିତକ ଭାଗବଟା ଲଗାଇଲା ଦିନୁ ସେଇ ବେଳେ ବେଳେ ଆସି ସବୁ କଥା ବୁଝନ୍ତି । ସଲାମି ନିଅନ୍ତି । ଭାଗଧାନ ଅସୁଲ କରିନ୍ତି । ସବୁ ଘରେ ତାଲା ପକାଇ ବୁଢ଼ୀକୁ ଦାଣ୍ଡଘରେ ରଖିଛନ୍ତି । ସେଇଠି ତାକୁ ପଡ଼ି ଦେଇ ଯାଆନ୍ତି । ବୁଢ଼ୀଙ୍କର ପଡ଼ିଗଣ୍ଡାକରେ ଅଧିକାର । ତା ଛଡ଼ା–

 

ରହ, ପିକାଟା ଲଗାଏଁ ।

 

ବଟୁଆରୁ ଚକ୍‌ମକି କାଢ଼ିଲା । ଗଛମୂଳେ ଠିଆହୋଇ କହିଲା, ତେବେ ତ ଭଲ । କୁଞ୍ଜବାବୁ ଆସିଲେ ବେକରେ ଚଦର ପକାଇ ଲମ୍ବହୋଇ ଓଲଗି ହେବୁ । କହିବୁ, ଆଜ୍ଞା ମା ବାପ, ଢିପ ଜମି ଦିମାଣ, ମରୁଡ଼ି ମଲା । ବିହନଗଣ୍ଡା ବୁଡ଼ିଲା । ଗରିବ ଚାଷୀ ମରିଗଲୁ ।

 

ସେ ମାମଲତ୍‌କାର । ମୋ କଥାରେ ବିଶ୍ୱାସ ଯିବେ ନାହିଁ । ଜମି ଦିମାଣ ଭାଗ ଦେଇଛନ୍ତି । ଯଦି ଛଡ଼ାଇ ନିଅନ୍ତି ପିଲା ଛୁଆ ଭୋକରେ ଗଡ଼ିବେ ।

 

ବାଉରୀ ପିଲାଟା, ତୋର ଅକଲ କେତେ ? ଆରେ, ଆଗତ ସନ ପାଇଁ ସଲାମି ଟଙ୍କା ଆଗ ଦାଖଲ କରି ଟିକିଏ ଟେକାଟେକି କରି କହିଦେଲେ ସେ ଭୁଲିଯିବେ । ଚକେ ଗଲେ ବାରହାତ-। ଦେଖାଯିବ ତେଣିକି । ଆଜିକାଲି କାଳ ଯେମିତି, ଆଗତୁରା ଟଙ୍କା ପାଇଲେ ସେ ପଛକଥା ଭୁଲିଯିବେ ।

 

ଆଉ ଯଦି ଟଙ୍କାତକ ଫସଲ ଆଡ଼କୁ ମାଡ଼ିବସନ୍ତି ?

ତୋର ସେଥିରେ କିଛି କ୍ଷତି ନାହିଁ । ହକ ଧାରିଛୁ । ରହ, ଏଇ କିଏ ଗୋଟାଏ !

ଭିକାରୁଣୀଟାଏ ।

ନାଇଁମ, ପୋଖରୀ ଆଡ଼ୁ । ତୋ ମା ପରା, ଦଉଡ଼ିଛି !

•••

 

Unknown

୧୦

 

ଏଇ ଗୋପି ସୋଇଁ ୟାଙ୍କରି ଘର କୋଠିଆ, ୟାଙ୍କରି ଘରେ ମଣିଷ । ତିନିଓଳିରେ ପେଜ ମିଳେ ନାହିଁ । ଦେହରେ ତିନିଖଣ୍ଡ ନେକୁଡ଼ି । ଯାଦୁରେ ଖପର ଖପର ହେଉଥାଏ । ମୁଣ୍ଡଯୁଡ଼ାକୁ ତେଲ ଟୋପେ ମିଳେ ନାହିଁ । ଉକୁଣୀ ଭର ଭର । ଏଇ ଗୋପିଆ ଆଜ୍ଞାକୁ ଅବଧାନ-। ରାତି ଅଧରେ ଡାକପଡ଼ିଲେ ଆଗ ଓକରେ । ଦୁଆର ମଝିରେ ପତର ପାତି ବସେ । ନିଜ ହାତରେ କେତେ ଥର ପରଷିଛି ଶଶୀ । ତୁଣ୍ଡରୁ ବଚନ ବାହାରି ନାହିଁ । ଆଜି ସେହି ଗୋପୀ ସୋଇଁ, ନିଜ ହାତରେ ନିଜେ ଚଉଦପା ! ମଣିଷ ପରି ମଣିଷ । ଚୌହାତି । ଗତ କଥା ଭୁଲିଛି । ଖାଉଁଦର ଲୁଣ ଖାଇ ଖାଉଁଦକୁ ଧପା ଦେବାକୁ ଫୁସୁଲାଉଛି ରାଧିଆକୁ । ବେଳ ଏମିତି ବଦଳେ । ଗୋପି ସୋଇଁ ଆଜି ମଣିଷ, ଚହଟଚିକ୍କଣ । ଶଶୀ ତାରି ଆଗରେ ବାଟର ଭିକାରୁଣୀ । କେଡ଼େ ସୁଆଗର ଜୀବନ ତାର ହେଲା ଅଲୋଡ଼ା, ଅକାରଣ !

ଆଉ ଏ ରାଧୁଆ, କାଲିକାର ମେଞ୍ଚଡ଼ ଗାଇଜଗା ଟୋକା । ଗୁଣ୍ଡିଧାପେ ପାଇଁ ଅଳି କରେ । ପାନ ବକଟେପାଇଁ ଗହୀର ବୁଲି ହୁଙ୍କାଛତୁ, ବାଲିଛତୁ, ତୋଳିଆଣେ, ସାନ ସାନ୍ତାଣୀଙ୍କର ମନ ନେବାକୁ । ଶଶୀର ଭାରି ଶରଧା ଛତୁ ପୋଡ଼ାରେ । ତାପରି ସିଏ ଆଜି । ଚେକା ଚଉଧୁରୀ ! ଆଖି ଯାଇଁ କେତେ ଉପରେ । ତା ଆଖିରେ ବି ସେ ହୀନ ! ଯୁଗ ଓଲଟା । କର୍ମର ଦୋଷ । ଦଇବ ଦଉଡ଼ି ।

ତାଆର ଶାଶୂ ବୁଢ଼ୀ ପର ହାତ ଟେକାରେ । ଶାଶୂ, ଗାଁଯାକରେ ମଣିଷଟାଏ । ଆଖି ଆଗକୁ ଆସିବ କିଏ ? ସାମ୍‌ନା ଉପରେ ପାଟି ଖୋଲିବ କାହାର ? ଜଳନ୍ତା ନିଆଁ । ଆଖିରେ ବେଆଡ଼ା କାମ ଯାଏ ନାହିଁ । କାମ ଖଇଚା କରି ଉଧୁରିଯିବ କିଏ ? ହାତ ଗୋଡ଼ ଖଲ ଖଲ ହେଉଥାଏ । ଚାକର ବାକର ପୋଇଲି ପରିବାରୀ କିଏ ତାଙ୍କ ଗୋଡ଼ ହାତର ମହିମା ନବୁଝିଛି, ବିଶେଷତଃ ଶଶୀ । ଗରିବ ଘରର ଝିଅ ବୋଲି ସବୁ ଓରମାନ ତାରି ଉପରେ । ପୁଅ ତ ସାମ୍‌ନାରେ ଠିଆ ହୋଇପାରନ୍ତି ନାହିଁ । ମାଆଙ୍କର ଅକଥା ତାଙ୍କର କଥା । ତାଙ୍କ କଥାରୁ ବାହାର ହେବେ ନାହିଁ । ଭୟ ! ଭକ୍ତି ? ସେ ପୁଣି ପରର ହାତ ଟେକାରେ ! ଶାଶୂ, ଫଣାଟେକା ସାପ, ଫଣା ନଇଁଛି ।

କେହି ତାକୁ ଚିହ୍ନିପାରିଲେ ନାହିଁ । ସେ ଚିହ୍ନିଲା ସଭିଙ୍କୁ । ସମସ୍ତେ ଅଛନ୍ତି, ଦୁଃଖୀ ନାହିଁ । ଦୁଃଖୀ ଆଜି ଶଶୀ । ଦୁଃଖୀକୁ ସମସ୍ତେ ଚିହ୍ନନ୍ତି, ଶଶୀକୁ କେହି ଚିହ୍ନନ୍ତି ନାହିଁ । ଦୁଃଖୀ ଆଜି ଶଶୀ; କିନ୍ତୁ ଶଶୀ ଆଜି ଦୁଃଖୀ ନୁହେଁ. କୁଳର ବୋହୂ, ଘରର ଘରଣୀ । ଭିକାରୁଣୀ ସେ !

ସ୍ତ୍ରୀ ଲୋକଟି ପୋଖରୀ ଆଡ଼କୁ ଧାଇଁ ଆସିଲା । ଶଶୀ ଚାହିଁଲା, ରାଧିଆମା ବାଉରାଣୀ-। ଘର ଲିପେ । କଂସାଏ ତୋରାଣୀ, ସାମୁକାଏ ଲୁଣପାଇଁ ଖତକୁଢ଼ ସଫା କରେ । ସେ ମୂଲ ଲାଗେ । କିଛି ବଦଳି ନାହିଁ । ସେମିତି ଧଡ଼ିଆ ଧେଡ଼ଙ୍ଗ ରୂପ । ସାତଗଇଁଠା ଭେକ । ଫୁର୍‌ଫୁର୍‌ ପାକଲା ବାଳ । ପଥର ପରି ଦିପାଟି ଦାନ୍ତ । ହୁଏତ ଚିହ୍ନିପକାଇବ ସେଇ । ଶଶୀ ମୁଣ୍ଡ ଉପରକୁ ଲୁଗା ଟାଣିଲା ।

ରାଧିଆମା । କୁଆଡ଼କୁ ତାର ନଜର ନାହିଁ । ଏକାମୁହାଁ ହୋଇ ଧାଇଁଛି । ଉଚ୍ଛନ୍ନ । ରହିଗଲା ଏ ଦୁଇଜଣଙ୍କ ଆଗରେ ।

ଆରେ ଗୋପି, ଆରେ ରାଧିଆ–

କିଲୋ କଥା କଅଣ, କାହା ଘରେ ନିଆଁ ଲାଗିଲା କି ?

ନାଇଁରେ, ଆମ ବୁଢ଼ୀ ସାନ୍ତାଣୀ, ମଧୁସାନ୍ତଙ୍କ ବୋଉ- । ଧଇଁସଇଁ ହେଉଛି, କଥା ଶେଷ କରି ପାରିଲା ନାହିଁ ।

ଯୋଡ଼ରେ ଗୋଡ଼ ଖସିଗଲା କି ? ରାଧିଆ ନବଜ ପରି ପଚାରିଲା ।

ଆହା, ବିଚାରା ତ୍ରାହିଗତି ପାଇଗଲା - ଗୋପି କହି ମୁରକି ହସିଲା ।

ଆ, ଏମିତି କଣ କହୁଛରେ । ମୁଁ କହୁଛି, ବୁଢ଼ୀ ସକାଳ ପହରୁ ପୋଖରୀ କୂଳେ । ପଲ ପଲ ଆସୁଛନ୍ତି ଯାଉଛନ୍ତି। ସେ ମୋଟେ ଚଙ୍କୁନାହାନ୍ତି । ବେଳ ଦିପହର ହେଲା । କେତେ ଥର ଗାଧୋଇ ଉଠିଲେଣି । ପାଣିରେ ପଶି ଅଣ୍ଡାଳି ଅଣ୍ଡାଳି ଖଣ୍ଡିଆ ଦାନ୍ତକାଠି, ଗେଣ୍ଡା, ବାଲିଗରଡ଼ା, ଛିଣ୍ଡାକନା, ପୋଖରୀକୂଳରେ ବହେ ଗଦେଇଲେଣି । ମାଟି କାଦୁଅ ଦିହଯାକ । କିଏ କହିବ ଲୋ ମା !

ଗୋପୀ ସୋଇଁ ହସିଲା । କହିଲା, କିଲୋ, ତୋର କଣ ଗଲା ? କୋଉ ଏବେ ନୂଆ କଥା କରୁଛନ୍ତି କି? ସବୁ ଦିନେ ତ ସେଇଆ । ମଧୁବାବୁ ମଲାଦିନୁ ସବୁଦିନେ ତ ସେମିତି କରନ୍ତି । ଛାଇ ନେଉଟିଲେ ଆପଣା ମନକୁ ଘରକୁ ଫେରନ୍ତି । ବୁଢ଼ୀ ହେଲେ ହାଉଳିବାଉଳି ! ଯା, ଯା–

ଗୋପୀ ସୋଇଁ ଆର ଗାଁକୁ ଚାଲିଗଲା ।

ରାଧିଆ ଚାଲି ଯାଉଥିଲା ତା ପଛେ ପଛେ, ହାତ ଧରି ଅଟକାଇଲା ରାଧିଆ ମା । ଲୁହ-ଢଳଢଳ ଆଖିରେ ଅନୁଯୋଗ କରି କହିଲା, ଦିହ ସହୁନାହିଁରେ ରାଧୁ, ମୋତିମା ଗଉଡ଼ୁଣୀଟା, କଣ ବୁଢ଼ୀ ପଦେ କହିଦେଲେ ଯେ ସେ ତାଙ୍କୁ ବାରକଥା କହି ଶୋଧୁଛି । କାନ ଶୁଣିବ ନାହିଁ । ଆହା ! ଆଜି ମଧୁ ସାନ୍ତେ ଥାନ୍ତେ, ତା ଛାତିରେ ଚଢ଼ି ଜିଭ ନ ଓପାଡ଼ନ୍ତେ ଯଦି ! ପଦେ ଭଲରେ କହିଲି, ମୋତେ କାଟୁଛି ଯେ କାନ ଶୁଣିବ ନାହିଁ ।

ବେଶ୍ କରିଛି । ଉପରେ ପଡ଼ି କଣ୍ଟାବାଡ଼ରେ ଲୁଗା ପକାଇ ତୁ କଜିଆ କରିବୁ ତ–

ଦାନା ଖାଇଛିରେ ରାଧିଆ, ଦିହ ସହିଲା ନାହିଁ ।

ଦିହ ସହିଲା ନାହିଁ ତ ପିଠି ସହିବ, କାନ ସହିବ । ଛାଡ଼୍‌ ହାତ । ହାତ ଓଟାରିନେଇ ରାଧିଆ ଚାଲିଗଲା ।

ଲୁହ ବଲ ବଲ ମୁହଁରେ ରାଧିଆ ମା ପଛରୁ ଡାକି କହିଲା – ଲୁଣ ଖାଇଛରେ, ଆରେ ଧର୍ମ ସହିବ ନାହିଁ ।

ତମ ତମ ହୋଇ ଫେରି ଆସିଲା ରାଧିଆ । ନାଲିଆଖି ଦେଖାଇ ହାତମୁଠା ଟେକି ଦାନ୍ତ ଚିପି କହିଲା, ଲୁଣ ଖାଇଛୁ ତୁ, ଗୁଣ ଗାଇବୁ ଯା । କିଲୋ, ମାହାଳିଆ କିଏ କାହାକୁ ଦିଏ ? ମୂଲ ଲାଗି ପେଟ ପୋଷିବା କଥା । କିଏ କାହାର ଧାରେ ? ଧର୍ମ କଣ ନିର୍ଲଜ ହୋଇଛି କି ?

ଏ କଣ, ଚିହିଁକି ଆସୁଛୁ ମାରିବୁ କି ?

ରାଧିଆମା ହଟି ଆସିଲା । ଗଛମୂଳରେ ଭିକାରୁଣୀ ଆଡ଼କୁ ଚାହିଁ ସରମରେ ରାଧିଆ ହାତ ନୁଆଁଇଲା । ରାଧିଆମା ସାହସ ବାନ୍ଧି କହିଲା— ହଉ, ମାର୍‌ ମାର୍‌, ଦଶମାସ ପେଟରେ ଧରିଥିଲି, କେତେ ଗୋଇଠା ସହିଛି, ଏଡ଼େଟିରୁ ଏଡ଼େ କଲି । କେତେ ମାଡ଼ ଖାଇ ପିଠିରେ ମୋର ବିଣ୍ଡି ହୋଇଛି । ଗୋଟାଏ ବିଧା ଖାଇ କଣ ଅକଲ୍ୟାଣ କରିବିରେ ? ପୁଅ ତ...

ଲାଜରେ ରାଧିଆ ଫେରିଗଲା । ପଛକୁ ଚାହିଁଲା ନାହିଁ ।

ଶଶୀ ମୁଣ୍ଡରେ ଲୁଗା ଟାଣି ପାଖକୁ ଆସି ପାଟି ଖୋଲିଲା, ମାଉସୀ, ବୁଢ଼ୀ କଣ ପାଗଳ-?

ରାଧିମା ଦୋ ଦୋ ଚିହ୍ନା ହୋଇ ଶଶୀକୁ ଚାହିଁ କହିଲା, ନାଇଁ ଲୋ ମା, ବୁଢ଼ୀ କେଡ଼େ ବଅସର ହେଲେଣି, ପୁଅ ମଲାଦିନରୁ ସେ ହାଉଳି ଧରିଛନ୍ତି । କଣ କରୁଛନ୍ତି ତ କରୁଛନ୍ତି, ଅନ୍ୟଆଡ଼କୁ ନିଘା ନାହିଁ । ଏବକା କଥା ପଛକୁ ମନେ ରହୁନାହିଁ । ହେଇଟି, ପୋଖରୀକୂଳେ ଗେଣ୍ଡା ପଥର ବେତାଏ ଜମାଇଲେଣି ।

କାହିଁକି ମାଉସୀ, ମନା କରୁନ ।

ଆଲୋ ଝିଅ, କାହା ମନା ସେ ଘେନନ୍ତି ନାହିଁ, ଓଲଟି ଚିଡ଼ନ୍ତି । ସବୁଦିନେ ସେଇଆ । ତାଙ୍କୁ ପଚାରିଲାରୁ କହିଲେ, ମଧୁ ମୋର ଗାଧୋଇ ଆସିବ, ତୁଠ ସଫା କରୁଛି । ଗାଧଉ ଗାଧଉ କଅଣଟାଏ କାମୁଡ଼ି ଦେଇଥିଲା; ସାତଦିନ କଷ୍ଟ ପାଇ ମଧୁସାନ୍ତେ ସେ ପୁରକୁ ଚାଲିଗଲେ । ସେ ଆଉ କାହାନ୍ତି ? ଯାଇ ସ୍ୱର୍ଗରେ । ମୁଣ୍ଡ ଉପରକୁ ଆଙ୍ଗୁଠି ଟେକିଲା ।

ନ ଜାଣିଲା ପରି ଶଶୀ ପଚାରିଲା, ମଧୁ କିଏ ମାଉସୀ ? ବେଦନାର ଦାଗ ଫୁଟି ଉଠିଲା ତାର ମୁହଁରେ । ତୀବ୍ର ଯନ୍ତ୍ରଣା ଛାତିରେ ଅନୁଭବ କଲା । ଦେହ ତାର ଥରିବାକୁ ଲାଗିଲା ଭୟରେ, ଅନୁତାପରେ । ଆହା, କାହିଁକି ଏ ପ୍ରଶ୍ନ ପଚାରିଲା ସେ ? କେବଳ ନିଜର ମନକୁ ପୋଡ଼ି ଜାଳି ମାରିବାକୁ ସିନା ।

ବୁଢ଼ୀ କହିଲା– ଆହା, ସାଁନ୍ତେ କେଡ଼େ ଦୟାବନ୍ତ ପୁରୁଷ । ମାଛିକୁ ମ କହନ୍ତି ନାହିଁ । ମାଆଙ୍କ କଥାରୁ ବାହାର ହେବେ ନାହିଁ । ମା କହିଲେ ସେ ନିଆଁକୁ ଡେଇଁବେ । କୋଉ ମାଆ ନଝୁରିବ ? ଏକୋଇର ବଳା ବିଶିକେଶନ । ଯାଏଁ ଲୋ ମା ।

ଯାଉ ଯାଉ ସେ ପୁଣି କହିଲା, କଲା କର୍ମର ଫଳ ତ ସେ ଭୋଗୁଛନ୍ତି, ଦେହ ସହୁନି ସିନା,ଧର୍ମ ତ ଅନ୍ଧ ନୁହେଁ ।

କଥାଟା ଜାଣିବାକୁ ଆଗ୍ରହ ଦେଖାଇ ଶଶୀ ପଚାରିଲା, କଣ ତାଙ୍କର କଲାକର୍ମ ମାଉସୀ-?

ରାଧିଆ ମା ମୁହଁ ଫେରାଇ ସନ୍ଦେହରେ ଚାହିଁଲା । ପଚାରିଲା, କିଏ ମା ତୁ, ଘର କେଉଁଠି, କି ଜାତି, ପରଘର କଥା ଜାଣିବାକୁ କାହିଁକି ତୁ ହମ ହମ ଲୋ ମା ! ଭିକାରୁଣୀଟିଏ ତ ?

ଶଶୀ ମୁହଁ ଶୁଖାଇ କହିଲା, ତେଲୀ ଘର ଝିଅ । ଘର କୁଜଙ୍ଗ, କେହି ମୋର ନାହାନ୍ତି । କପାଳ ଫାଟିଲାରୁ ଗାଁ ଗାଁ ବୁଲି ଭିକ ମାଗି ଖାଉଛି । ପୋଡ଼ା କରମ । ସଂସାର ଲୋକଙ୍କ ଦୁଃଖ କାହାଣୀ ଶୁଣିଲେ ମୋ ମନ ଘାଣ୍ଟି ଚକଟି ହୁଏ, ଜାଣିବାକୁ ମନ କରେ; ନିଜେ ତ ମୁଁ ଦୁଃଖୀ ।

ସହାନୁଭୂତି ଦେଖାଇ ଚୁ ଚୁ କରି ରାଧିଆମା କହିଲା, କି ଶୋଭା ରୂପ ତୋର ଆଲୋ ଝିଅ, ତମ ଘରେ ତ ଦୁତୀୟ ଅଛି ?

ଶଶୀ କହିଲା, ପୋଡ଼ିଗଲା ତିଅଣର କି ସ୍ୱାଦ ଆଉ ଥାଏ ଲୋ ! ସେ ଆଖି ପୋଛି ପୁଣି କହିଲା, କପାଳ ତ ପୋଡ଼ିଲା, ଆଉ କାହିଁକି ତେଣିକି ମନ କରିବି । ଲୋକେ ‘ଦୁତୀୟ’ ‘ଦୁତୀୟ’ କହି ବ୍ୟସ୍ତ କଲେ । ଲୋକଙ୍କର ଯେମିତି ନିଆଁଲଗା ଆଖି, କଞ୍ଚା ଗିଳିଦେବାକୁ ପାଞ୍ଚ କରନ୍ତି । ସେଇ ଜାଳାରେ ଗାଁ ଗଣ୍ଡା ଛାଡ଼ି ଭିକ ମାଗିଲି ମାଉସୀ । ନୋହିଲେ କଣ ଦୁଃଖ ଧନ୍ଦା କରି ପେଟ ପୋଷି ନଥାନ୍ତି ? ସେ ପୁଣି ଆଖି ପୋଛିଲା ।

ରାଧିଆମା ଆଖି ଚିପୁଡ଼ି କହିଲା, ଆହା ମା, ସେମିତି ରାଧିଆଟି ମୋର ବରଷ କର ହୋଇଥାଏ, ମୋ କପାଳ ଫାଟିଲା । ଲୋକେ କହିଲେ ଦୁତୀଅ ହ । ମୋର ଏକା ନାହିଁ । ଦୁଃଖ ଧନ୍ଦା କରି ପିଲାଟିକି ମଣିଷ କଲି । ଠାକୁରେ ବଡ଼ ଲୋକ । ବଳ ବୟସ ବିତିଲା । ରାଧିଆ ହାତର ନିଆଁ ଟିକକୁ ଚାହିଁ ରହିଛି । ମୁହଁ ତୋରା ହୋଇ ଉଠିଲା । କହିଲା, ନାତି ନାତୁଣୀ ମୋର ଅଛନ୍ତି, ଠାକୁର ତାଙ୍କୁ ଆଇସ ନିହତ ଦେଉ । ହଁ, କହୁଥିଲି ପରା ମଧୁସାନ୍ତଙ୍କ କଥା–

ପୁଣି ଗୋଟାଏ କାଳିଆମେଘ ତା ମୁହଁ ରେ ଢାଙ୍କିଆସିଲା । କହିଲା, ଦୁଃଖୀ ରଙ୍କୀଙ୍କ ପ୍ରତି ତାଙ୍କର ଭାରି ଦୟା । ରାଧୁଆକୁ ସେଇ କୂଳରେ ଲଗେଇଛନ୍ତି । ଘୃଣାରେ ନାକ ଟେକି କହିଲା, ଆଉ ଏ ବୁଢ଼ୀ ସାଆନ୍ତାଣୀ, ଛି– ।

କଅଣ ଲୋ ?

ଭାରି ପାପ ! କାନ ଶୁଣିବ ନାହିଁ । କାନରେ ହାତ ଦେଇ ପୁଣି କହିଲା, ବୁଢ଼ା ସାଁନ୍ତେ ୟାଙ୍କରି ଜାଳାରେ ଗଜା ବୟସରୁ ଗଲେ । ଏଡ଼େ କଳିହୁଡ଼ୀ, ଏଡ଼େ ବାଘୁଣୀ ! ତୁନୀ ତୁନୀ କହିଲା, ସୁନା କଣ୍ଢେଇ ବୋହୂ, ଲକ୍ଷ୍ମୀ ପରି ରୂପ ଲୋ, ତୋରି ଛିଟିକା । ବୁଢ଼ୀ ସାଁନ୍ତେ ଗରିବଘର ପିଲା ଦେଖି, ରୂପଗୁଣ ଦେଖି ନିର୍ବନ୍ଧ କରି ଯାଇଥିଲେ । ବୋହୂ ଦେଖିଲେ ପେଟ ପୂରିବ । ଆହା ! ଆଖିରୁ ଲୁହ ଝରିଲା ।

ଶଶୀ ଉଦ୍‌ଗତ ଦୁଃଖର ରିହକୁ ଚାପି ନେଲା । ରାଧିଆମା କହିଲା ଅଢ଼େଇ ବର୍ଷର ବୋହୂପଣିଆ । ଚନ୍ଦ୍ର ସୂର୍ଯ୍ୟ ତାଙ୍କୁ ଦେଖୁନଥିଲେ । ଗରିବ ଘରର ଝିଅ । ଶାଶୁଙ୍କ ମନକୁ ତା କାମ କିଛି ଆସେ ନାହିଁ । ଯାଉ ପଦେ, ଆସୁ ପଦେ । ଭାରି ସହିଛି ସେ ମାଡ଼ ଗାଳି । ମୁହଁ ଖୋଲି ଜବାବ ଦେଇନଥିଲା । ବୁଢ଼ୀ ଏବେ ଭାବୁଛନ୍ତି । ଆଉ କାହିଁ ଥାଏ ?

ସେ କଅଣ ମରିଗଲା ?

ମଲାଠୁଁ ବଳି । କୂଳରୁ ଗଲେ ଯିଏ, ମଲେ ସିଏ । ସେ ପୁଅର ମା, ତା ନାମରେ ବାର ନିନ୍ଦା ଉଠାଇଲେ । ଶାଶୂ ମୁହଁରୁ ଶୁଣିଲେ କିଏ ପରତେ ନ ଯିବ ? କିଏ ଗୋଟାଏ ବୃନ୍ଦାବନ ଯେ ତାଆରିପାଇଁ ଅପବାଦ । ତା ପରା ବୋହୂକୁ ବୁଢ଼ୀ ହାତରେ ବିଷ ଦେଲା ।

ଆଙ୍ଗୁଠି ଦେଖାଇ ଭ୍ରୂଲତା ଟେକି କାନ ପାଖରେ ତୁନୀ ତୁନୀ କହିଲା, ବିଷ, ଜହର ! ହାତରେ ଦେଇଆସିଲା ଖାଇବାକୁ । ଜୀବନ ମାୟା ଲୋ ମା, ବଞ୍ଚିଥିଲେ ଆଶା ଥାଏ । ପୁଅକୁ ଛାଡ଼ି ରାତି ରାତି ସେ ବୋହୂ କୁଆଡ଼େ ପଳାଇଲା ।

ରାଗରେ ତା’ର ମୁହଁ ରଙ୍ଗା ଦିଶିଲା । କହିଲା, ପାପର ଫଳ ଏବେ ଭୋଗୁଛନ୍ତି ବୁଢ଼ୀ । ବଡ଼ଘର ଝିଅ ଦେଖି ପୁଣି ବୋହୂ କରି ଆଣିଲେ । ତା ତୋଡ଼ କିଏ ସହିବ ? ନାକରେ କାନ୍ଦୁଛନ୍ତି ବୁଢ଼ୀ । ଓଠ ନେଫଡ଼ି ଅଣ୍ଟା ସଳଖି ପୁଣି କହିଲା । ଆଉ ଥାଏକି, ନେଡ଼ିଗୁଡ଼ କହୁଣୀରେ । କାନ୍ଦୁଥା ଲୋ ମା, ଅଖା ଧୋଉଥା, ଗୁଣ ଗାଉଥା ।

ଏତିକି କହି ରାଧୁଆମା ଗାଁ ଆଡ଼କୁ ଚାଲିଗଲା । ଶଶୀ ପଛରୁ ଡାକି ଆଉ କିଛି ପଚାରିବାକୁ ସାହସ କଲା ନାହିଁ । ଗଛମୂଳକୁ ବୁଲା ପାଖକୁ ଫେରିଆସିଲା । ଦୁଇ ଆଣ୍ଠୁ ମଝିରେ ମୁହଁ ରଖି ଦୁଇ ହାତରେ ମୁହଁ ଘୋଡ଼ାଇ ସେ କେତେ କାନ୍ଦିଲା । କାନ୍ଦି କାନ୍ଦି ସେ ମଶାଣିଭୂଇଁରେ ଏକୁଟିଆ ଗଜା ଆମ୍ବଗଛ ତଳ ଶୁଖିଲା ଘାସଉପରେ ଲୋଟିପଡ଼ିଲା ।

ସାନ୍ତ୍ୱନା ଦେବାକୁ ବୁଲା ତାର ଲମ୍ବା ମୁହଁଟି ଶଶୀର ମୁଣ୍ଡ ଉପରକୁ ଆଉଜାଇ ଆଖି ବୁଜିଲା । ଆଖିକୋଣରୁ ଝରିଆସିଲା ଲୁହଧାର । ଝାଇଁ ପବନ ସିରି ସିରି ବହି ଆସିଲା ନଈଆଡ଼ୁ । ଗଛ ଉପରୁ କାଉଟିଏ ଡକା ଛାଡ଼ିଲା–କା-ଆ-କା-ଆ- ।

•••

 

୧୧

 

ଗଛମୂଳେ କିଏ ଲୋ ତୁ ଛତରାଖାଈ ? ତୋର ଏଡେ ବଡ଼େଇ ଲୋ ?

ପୁଣି ତେଣେ କୁଆଡ଼େ ଯାଉଛ ଖୁଡ଼ୀ ?

ତୋ ମୁହଁରେ ନିଆଁ ଦେବାକୁ । ଛାଡ଼ ଲୋ ମତେ; ଦିଏଁ ତାକୁ ଦି ଗୋଇଠା ।

ଛାଇ ନେଉଟିଲା, ଦାଣ୍ଡରେ ବସିଛନ୍ତି କୁଣିଆ, ତମେ ଆସୁନ ।

 

ଶଶୀର ନିଦ ଭାଙ୍ଗି ଆସୁଥାଏ । ସ୍ୱପ୍ନରେ କିଏ କହିଲା ପରି କଥାଗୁଡ଼ା ତାର କାନରେ ପଡ଼ିଲା । ସୁଖ ସ୍ୱପ୍ନ ଭାଙ୍ଗିଯାଇଥିଲା କେତେବେଳୁ । ଟୁନା କିପରି ଆସି କୋଡ଼ରେ ମୁହଁ ଲୁଚାଇ କାନ୍ଦୁଛି । ମା ବୋଲି ଚିହ୍ନିପାରୁଛି । ତାର ଶିଶୁ ଜୀବନର ସବୁ ଦୁଃଖ ଅଭିଜ୍ଞତା କହୁଛି । ଶୁଣି ଶୁଶି ଶଶୀ ବି କାନ୍ଦୁଛି । ଗଳାରେ ହାତ ବେଢ଼ାଇ ତାକୁ ଗେଲ କରି କହୁଛି, ତୁନି ହ ବାବୁ, ମୁଁ ଫେରିଆସିଲିଣି । ଆଉ ତୋ ଦେହରେ କେହି ଟିପ ଦେଇପାରିବେ ନାହିଁ । ସ୍ୱପ୍ନ ଭାଙ୍ଗିଯାଇଥିଲା । ସେ ଆଖି ବୁଜି ଲୁହ ଗଡ଼ାଉଥିଲା ।

 

ବୁଲା ଗଁ ଗଁ ହୋଇ କାହାକୁ ଡରାଇବାକୁ ଚେଷ୍ଟା କଲା । ତା ପରେ ଭୁକି ଉଠିଲା ।

 

ଶଶୀ ଆଖି ଖୋଲିଲା । ଫୁଲିଲା ଆଖିପତାରୁ ଝରିଲା ଲୁହ ଦି ପହରର ଝାଇଁ ପବନରେ କେତେବେଳୁ ଶୁଖିଗଲାଣି। ଦେହ ଅବଶ ଲାଗୁଛି । ବାରକଥା ଭାବି ମୁଣ୍ଡ ବଥାଉଛି । ଆଖିପତା ପୁଣି ମାଡ଼ିପଡ଼ୁଛି । ଆଖି ଖୋଲିଲା । ଆଗରେ ଦୁଇଜଣ ସ୍ତ୍ରୀଲୋକ । ଚିହ୍ନେ ନାହିଁ । କପାଳ ଉପରକୁ ଭ୍ରୁଲତା ଟେକି ହୋଇଗଲା । ସେ ଉଠି ବସିଲା । ଆଖି ତାର ଲାଖିଗଲା ଅଇଲା ସ୍ତ୍ରୀଲୋକ ଦୁହିଁଙ୍କ ଉପରେ । ବୁଲାର ସାହସ ବଢ଼ିଲା । ସେ ଘନଘନ ଭୁକିବାକୁ ଲାଗିଲା ।

 

ମଲାରେ ଏ କୁକୁରଟା କଣ ହେଉଛି ବା !

 

ତମେ ତା ପାଖକୁ ଯାଅନା, ପାଖରୁ ପଳାଇ ଆସ ଖୁଡ଼ୀ । କାମୁଡ଼ା କୁକୁର, କେମିତି ଆଖି ତରାଟିଛି ଦେଖିଲ !

 

ରହ ମୋତି, ମୁଁ ତା ମୁହଁରେ ଦି ଗୋଇଠା ଦିଏଁ । କିଏ ଲୋ ତୁ, କେଉଁ ଗାଁର ବା ?

 

ପ୍ରଶ୍ନଟା ଶଶୀ ଉପରେ ପଡ଼ିଲା । ସେ ଗୋଟିଏ ହାତରେ ବୁଲାକୁ କୋଳକୁ ଟାଣି ତାର ପାଟି ବୁଜି ଧରିଲା। ସ୍ନେହରେ ତାର ମୁହଁ ହଲାଇ କହିଲା, ତୁନୀ ହ ବୁଲା, ତୁ ଭାରି ଦୁଷ୍ଟ !

 

ଆଗରେ ଶାଶୂ । ଶଶୀ ଚିହ୍ନିଲା, କିନ୍ତୁ ଏ କି ରୂପ ? ଦେହର କଣ୍ଟା ଦୋହଲୁଛି । ଆଖି ଡୋଳା କାହିଁ ଯାଇ । ଚନ୍ଦା ମୁଣ୍ଡ । ପାଚିଲା ଆମ୍ବ ଦେହ କଳାକାଠ ହୋଇଛି । ଦିପାଟି ଦାନ୍ତ ଯାଇଛି-। ପାକୁଆ । ଦେହର ଲୁଗାଖଣ୍ଡିକ କୋଚଟ ମଇଳା, ମାଟି ଜୁଡ଼ୁବୁଡ଼ୁ । ଶତ୍ରୁଶଙ୍କା ଚେହେରା ଫୁଙ୍କିଲେ ଟଳିପଡ଼ିବ ।

 

ଶାଶୂ, ଜୀଅନ୍ତା ଦେବତା ! ଆଗ ସେ ସେବା କରେ ତାଙ୍କରି । କର୍ତ୍ତବ୍ୟ । ସନ୍ତୁଷ୍ଟ ହେବା ନହେବା ତାଙ୍କ ଉପରେ । ସନ୍ତୁଷ୍ଟ ସେ କେବେ ହୋଇନାହାନ୍ତି । ସେବାରେ ଶଶୀ ତ୍ରୁଟି କରିନାହିଁ, ଭୟରେ ହେଉ ବା ଭକ୍ତିରେ ବା ଅଭ୍ୟାସରେ । ପାଖରୁ ନ ଆସିବାଯାଏ ତା ପିଣ୍ଡରେ ପ୍ରାଣ ନଥାଏ-। କାଳେ କେଉଁଠି ଭୁଲ ହେବ, ବେଆଡ଼ା ହେବ । ଡର ଯେଉଁଠି, ସବୁ ଭୁଲ ସବୁ ବେଆଡ଼ା ସେଇଠି-

 

ହାତଧରି ମୋତି ଅଟକାଇ ରଖିଛି । ଚଷାଘର ଝିଅ ବୋଲି ସେ କହେ । ସମୟ ସୁଅରେ ଭାସି ଆସୁ ଆସୁ ଲାଖି ଯାଇଥିଲା ମଲିପୁରରେ, ପିଲାଟି ଦିନୁ । ସେଇଦିନୁ ସେ ଏଇଠି । ସମ୍ବଳ କୁଡ଼ିଆଖଣ୍ଡି । ଚିରକୁମାରୀ । ଜୀବନର ଉଚ୍ଚାଶା, ତାଆର ଜୀବନ-ବ୍ରତ ନିଷ୍କାମ ସେବା । ଗାଁ ଝିଅଙ୍କ ସଙ୍ଗେ ଧଇଁ ହୋଇଯାଏ, ଚାରି ମାସ ଚଳେଇ ଆସେ । ନୂଆବୋହୂଟିଏ ଆଇଲା, ଯା ନଣନ୍ଦ ନାହିଁ, କେହି ନ ଡାକୁଣୁ ଉପରେ ପଡ଼ି ସେ ଯାଏ । କେହି ନ କହୁଣୁ ନିଜ ମନକୁ ସେ କାମ କରେ । ନୂଆବୋହୂକୁ ସେ ଚଳାଚଳ କରେ । ତା ବାହାରଟା ଅସୁନ୍ଦର ହେଲେ ବି ତା ଭିତରଟା ଠିକ୍ ଓଲଟା । ତାରି ପାଖରେ ଶଶୀ ଛଅମାସ ଚଳିଚି ।

 

ଛାଡ଼ ଲୋ ମୋ ହାତ ମୋତି ! ବୁଢ଼ୀ ହାତ ଓଟାରି ନେବାକୁ ଚେଷ୍ଟା କଲେ ।

 

ମୋତି ହାତ ନ ଛାଡ଼ି କହିଲା, ଖୁଡ଼ୀ, ଗରିବ ଭିଖାରୁଣୀଟା, ଛାଇତଳ ଦେଖି ବସିଯାଇଛି, ତା ଉପରେ କୋପ କର ନାହିଁ । ଆସ ।

 

ଆଉ କଣ କେଉଁଠି ଛାଇ ନାହିଁ କି ? ଛତରଖାଈର ସାହସ ଦେଖ ! ମୋ ମଧୁ ଏଇଠି ଶୋଇଥିଲା, ସେଇଠି ସେ ଶୋଇଛି ।

 

 

ଆଉ କାହୁଁ ପାଇବ ଖୁଡ଼ୀ ? ତମେ କଣ ପାଗଳ ହେଲ କି ସତରେ ? ଯିଏ ଯାଇଛି ତାକୁ ଖୋଜିଲେ କାହୁଁ ପାଇବ? ଯେଉଁ ଛୁଆ ବକଟକୁ ସେ ତମ ଜିମା ଦେଇ ଯାଇଛନ୍ତି, ସେଇଆକୁ ମଣିଷ କର ।

 

ମୋତିର କଥାରେ ବୁଢ଼ୀଙ୍କର ଢଙ୍ଗ ବଦଳିଗଲା । ସେ ତା ମୁହଁକୁ ବଲ ବଲ କରି ଚାହିଁ କହିଲେ, ସତେ ଲୋ ମୋତି, ତୋର କେତେ ବୁଦ୍ଧି, ମୁଁ କଣ ସତେ ପାଗଳ ହୋଇଯିବି ? କିଛି ମୋର ମନେ ରହୁନାହିଁ ଲୋ । ମୁଣ୍ଡଭିତରେ ସବୁ କଥା ଗୋଳିଘାଣ୍ଟି ହୋଇଯାଉଛି ।

 

ଟିକିଏ ତୁନୀ ରହି କହିଲେ, କାଲି ପରି ଲାଗୁଛି, ମଧୁକୁ ମୋ କୋଳରୁ ଟାଣି ନେଇ ଆସିଲେ । ମୋ ଚେତା ହଜିଗଲା । ଚେତା ହେଲା, ଅଇଲି ଦଉଡ଼ି । ଏଇ ଆମ୍ବଗଛମୂଳେ ଜୁଇ ଜଳୁଛି । ମୋ ମୁଣ୍ଡ କଣ ହୋଇଗଲା । ଚେତା ବୁଡ଼ିଲା । କିଏ ଗୋଟାଏ ପଛରୁ ଧଇଲା । ଆଉ କାହୁଁ ପାଇବି ? ମଧୁ ମୋର ନାହିଁ । ଝରି ଆସିଲା ଆଖିରୁ ଲୁହ । ମୁଣ୍ଡରେ ହାତ ଦେଇ ସେଇଠି ସେ ବସି ପଡ଼ିଲେ ।

 

ବସିଲ କାହିଁକି ? ସକାଳୁ କିଛି ଖାଇନାହଁ ପରା ? ତାଙ୍କର ହାତ ଧରି ମୋତି ଉଠାଇଲା ।

 

ରହ ଲୋ ନିଆଁଲାଗି, ମତେ ଚିଡ଼ାନା କହୁଛି । ତୁ ଯା, ଯା, ମୋ ପିଆଦା ଆଇଚି ପରା-!

 

କିଛି ପରା ଖାଇନା–

 

ଘଇତାକୁ ଚିଡ଼େଇ ଚିଡ଼େଇ ଖାଇଲି । ସୁନାନାଖି ବୋହୂକୁ ବିନା ଦୋଷରେ ଖାଇଲି । ଭେଣ୍ଡା ପୁଅକୁ ଖାଇଲି । ଆଉ କଣ ଖାଇବି ଲୋ ? ତୋ ମୁଣ୍ଡ ?

 

ମତେ ଖାଇଲେ ଦିନ ସରିଯାଆନ୍ତା । ତମେ ଆସିବଟି ଆଗ, ଦାଣ୍ଡରେ ତେଣେ କୁଣିଆ-

 

କିଏ ବା ?

 

ତମ ବୋହୂଙ୍କ ଭାଇ । କଅଣ ନାଆଁ ତ, ଜିଭ ଅଗରେ ଅଛି । ସକାଳୁ ବସିଛନ୍ତି, ଅଧୁଆ ଗୋଡ଼ ।

 

କୋଉ ଚୁଲି ଗାତ ବୋହୂ ବା ? ମୋ ବୋହୂ ମରିଛି, ମୋ ବୋହୂର କେହି ନାହିଁ ।

ଶଶୀ ଦୀର୍ଘଶ୍ୱାସ ଛାଡ଼ିଲା ।

 

ଯିବ ନାଇଁ ତେବେ ? ମୁଁ ଯାଉଛି । ଘର କବାଟ ମୁକୁଳା ପକାଇ ଆସିଛି । ଗାଁ କଥା କଣ ଜାଣ ନାହିଁ ଖୁଡ଼ୀ ? ମୁହଁ ବୁଲେଇଲେ ପିନ୍ଧିଲା ଲୁଗାର ପଣତ କାଟିନେବେ, ଆଖିରୁ କଜଳ ନେବେ । ହେଇଟି ପରା ସେ ଦିନ–

 

ଶଶୀକୁ ଚାହିଁଲା ସନ୍ଦେହମିଶା ଆଖିରେ ।

ବିରକ୍ତ ହୋଇ ବୁଢ଼ୀ କହିଲେ, ଯା ଲୋ ଯା, କିଏ ତତେ ଡାକୁଛି ?

ମୋତି କହିଲା, ତମ ଗୋଡ଼ ଧରୁଛି, ଆସ ।

ତୁ ଯା, ମୁଁ ଯିବି ନାହିଁ, ଏଇଠି ବସିବି । ମଧୁ ମୋର । ଏଇଠି ଥିଲା । ସେ ଆସିବ ।

ପୁଣି ସେଇ କଥା, ସେ ପରା ମଲେଣି ।

ତୋର ଏଡ଼େ ବଡ଼େଇ, ଅଶୁଭ କଥା କହୁଛୁ ।

ମୁଁ ଆଉ ପାରିବି ନାହିଁ । ଯାଉଛି ରାଜୁକୁ ଡାକି ଆଣେ ।

 

ଯିବାକୁ ଉଦ୍ୟତ ହୋଇ କହିଲା, ହେଇତ ରାଜୁ ଆସୁଛି । ଆସ ଖୁଡ଼ୀ ଭଲରେ । ଟୁନା ତମର ନାତି, ସେଇ ତମର ପୁଅ । ତାକୁ ତମେ ଦେଖ, ମଣିଷ କର ମଧୁ ସାଆନ୍ତଙ୍କ ମରଣଦୁଃଖ ଭୁଲିବ ।

 

ବୁଢ଼ୀ କହିଲେ, ହଁ ଟୁନା ! ଟୁନା ! ଏଡ଼େ ଟିକେ ଛୁଆ । କଅଣ ପଦେ ରାଗରୋଷରେ କହି ଦେଲି ଯେ ତା ମା ତାକୁ ଛାଡ଼ିପଳାଇଲା । ଘର କରି କିଏ ନ କହୁଛି ? କେମିତି ମା, କେମିତି ମନ । ଏଡ଼େଟିରୁ ଏଡ଼େ କଲି । ଯେତେ କହିଲି ମୋ ପାଖେ ପାଖେ ଥାଏ, ସେ କାହିଁକି ଶୁଣନ୍ତା ! ଯେତେ ମାଡ଼ ଗାଳି ଖାଉ ସେଇ ସାବତ ମା ପାଖରେ । ଡର ହୁଏ, କାଳେ କେବେ ବିଷ ଦେବ । ଟୁନା ମୋର ଆଇଚି ମୋତି ? କେତେ ଖବର ପଠାଇଥିଲି ।

 

ଶଶୀର ଦେହ ଶୀତେଇ ଉଠିଲା । କାଳେ ବିଷ ଦେବ ! କିଏ ? ତଳକୁ ମୁହଁ ପୋତି ବୁଲାକୁ ଆଉଁସିଲା ।

 

ମୋତି କହିଲା, ହଁ, ଆଇଚିକି କଣ ।

 

ଆଇଚି ? ମୋ ମୁହଁରେ ନିଆଁ ଦେବ ? ଏଇଠି, ଏଇ ଗଛତଳେ ? ବୁଢ଼ୀ ଉଠିଲେ । ଶଶୀକୁ ଚାହିଁ କହିଲେ, ତୁ ଏଠି ବସନା ଲୋ, ଯା ସେଠିକି, ସେ ଗଛମୂଳକୁ ।

 

ରାଜୁ ଦାସ ଖଣ୍ଟ । ସେଇ ବାଟଦେଇ ଚାଲିଗଲା । ହାତରେ ପାଞ୍ଚଣ । ଟେରେଇ ଟେରେଇ ଚାହିଁଲା । ମୁହଁରେ ମୁଡ଼ୁକି ହସ । ବୁଢ଼ୀ ବାଟେ ବାଟେ ଗାଁ ଭିତରକୁ ଚାଲିଲେ ।

•••

 

୧୨

 

ମୋତି ଛାଇତଳ ଦେଖି ସେଇ ଗଛମୂଳେ ବସି ମନକୁ ମନ କହି ହେଲା । ଛାଇ ନେଉଟିଲା, ତଥାପି ଖରା ତାଉ କମି ନାହିଁ । ଶଶୀକୁ ଚାହିଁ ପଚାରିଲା, ତୋ ଘର କେଉଁଠି ଭଉଣୀ ? କେଉଁଠି ଦେଖିଲା ପରି ମନେହେଉଛି ।

 

ଶଶି କହିଲା, ମୋ ପରି ଆଉ କାହାକୁ କେଉଁଠି ଦେଖିଥିବ । ତମ ରାଇଜକୁ ଏଇ ମୁଁ ନୂଆ ଆଇଚି । କୁଜଙ୍ଗ ରାଇଜରେ ଘର । ସମସ୍ତେ ମରିହଜି ଗଲେ । ଭିକ ମାଗି ବାରଗାଁ ବୁଲି ପେଟ ପୋଷୁଛି । ଶଶୀ ଭାବିଲା, ଏମିତି କେତେ ଲୋକଙ୍କୁ ପରିଚୟ ଦେବାକୁ ପଡ଼ିବ କେଜାଣି । ଦୁନିଆର ମଣିଷ ଏଡ଼ିକି ସନ୍ଦେହୀ ! କିଛି ପରିଚୟ ନଦେଲେ କେହି ପରତେ ଯିବେ ନାହିଁ ।

 

ମୋତି ଭାବିଲା, ହୋଇଥିବ ସେ ଆଉ କିଏ । ଟିକିଏ ରହି, ମନକୁ ମନ କହିଲା, ଓଃ, ଏ ବାଲି ନିଆଁ ପରି ତାତିଛି, ବାପ୍‌ରେ !

 

ଶଶୀ ପୂର୍ବ ଘଟଣାର ଖିଅ ଯୋଡ଼ି କହିଲା, ଆହା, ବୁଢ଼ୀଟି କେଡ଼େ କଷ୍ଟରେ ଯାଉଛନ୍ତି । ଉପର ପୋଡ଼ି ତଳ ପୋଡ଼ି ।

 

ତାଙ୍କର ଅଭ୍ୟାସ ହୋଇଗଲାଣି ଲୋ । ପୁଅ ମଲାଦିନୁ ଦେହ ସବୁ ସହିଲାଣି । ତାଙ୍କ ଦେହ କାଠ ପଥରଠୁ ବଳିଲାଣି । ମନରେ ତ ନିଆଁ ଜଳୁଛି ?

 

ଶଶୀ କହିଲା, ଆଗ ବୋହୂ ମଲା ପରେ ପଛ ବୋହୂ ତାଙ୍କୁ ପଚାରନ୍ତି ନାହିଁ ପରା ! ବୁଢ଼ୀଙ୍କର ତତ୍ୱ ନେବାକୁ କେହି ନାହିଁ ?

 

ମୋତି କହିଲା, ଥିଲେ ଯେ ପୁଅ । ସେଇଥି ପାଇଁ ବୁଢ଼ୀ ଝୁରି ମରୁଛନ୍ତି । ପଛ ବୋହୂ ବାପଘରେ ଅଛନ୍ତି । ତାଙ୍କ ସଙ୍ଗେ ପଡ଼େ ନାହିଁ । ପୁଣି କହିଲା ଲୁହା କୋଚଟକୁ କମାର କୋଚଟ । ସାପ-ନେହୁଳ ସମ୍ପର୍କ । ୟାଙ୍କ ମୁହଁ ଏଣିକି ତାଙ୍କ ମୁହଁ ତେଣିକି । ବଡ଼ ଘର ଝିଅ, ଡରିବେ କାହିଁକି, ନୁଆଁଣିଆ ହେବେ କାଇଁକି ? ୟାଙ୍କର ପଦେକୁ ତାଙ୍କର ପଦେ । ମୋତି ହସିଲା ।

 

ଶଶୀ ରହି ରହି କହିଲା, ଦୁ-ଷ୍ଟ- ?

 

ମୁଣ୍ଡ ହଲାଇ ମୋତି କହିଲା, ମିଛରେ ନିନ୍ଦିବି ଭଉଣୀ ? ଦୁଷ୍ଟ ନୁହେଁ, ଲୁହା ଜାଣି ସେ ପାଣି ଦିଅନ୍ତି ।

 

ସାବତ ପୁଅକୁ ଦେଖିପାରେଟି ?

ପ୍ରଶ୍ନଟା ପଚାରି ଦେଇ ଶଶୀ ଦବିଗଲା – ଭିକାରୁଣୀର ପୁଣି ପରଘର ଚର୍ଚ୍ଚା !

 

ମୋତି କହିଲା, ଆବୁ ବଥାଏ ନା ବଥ ବଥାଏ ? ସଂସାର କଥା, ସେଥିକି ଦୋଷୀ କରିବ କିଏ ? ବାପ ଥିଲା, ଚଳି ଯାଉଥିଲା । କାହାର ତୁଣ୍ଡ କେହି ଶୁଣିନଥିଲେ । ଏଣିକି ତୁଣ୍ଡ ବାଜିଲା । ସାବତ ମା, ଭଲରେ କହିଲେ ଯାହା, ମନ୍ଦରେ କହିଲେ ସେଇଆ । ଲୋକଙ୍କ କଥା, ସଜ ମାଛରେ ପୋକ ପକାନ୍ତି । ଟିକିଏ ରହି କହିଲା, ପିଲାଟା କିଛି ଗୁଣର ନୁହେଁ, ଯେମିତି ବଗୁଲିଆ ସେମିତି ଡହରା, ବୋଲଣା ।

 

ଶଶୀ କହିଲା, ପିଲାର କି ଦୋଷ ? ଯେମିତି ଶିକ୍ଷା ସେମିତି ଗୁଣ । ମା ଥିଲେ–

 

ମୋତି କହିଲା, ମା ଥିଲେ କଅଣ ଅଧିକ କରନ୍ତା ? ବଡ଼ ଘର, କେଉଁ କଥାରେ ଅଭାବ-?

 

ତଥାପି ମା ଯାହାର ନାହିଁ, ସାହା ତାହାର ନାହିଁ ।

 

ଓହୋ, ଯେଉଁ ମା । ଛି, ଏମିତି ଚୁପ୍‌ ସଇତାନ୍ ! ଆହା, ଦେଖିବାକୁ ଯେମିତି ତୁଳସୀଗଛ ? ପେଟଭିତରେ ଏତିକି ମଇଳା ? ପାପ କଥା ଛପି ରହେ ନାହିଁ ଲୋ, ଯେବେହେଲେ ଫୁଟି ପଦାକୁ ବାହାରେ । ବୁଢ଼ୀ ନିଜେ ଦି ଆଖିରେ ଦେଖିଛନ୍ତି । ଘର ନିଆଁ ବୋଲି ଅଣ୍ଟିରେ ପୁରାନ୍ତେ ? ଘରର ଘରଣୀ, ପର ମଣିଷ ସଙ୍ଗେ ଭାବ ! ଦେଖିଲା କଥା । ଧରାପଡ଼ି ରାତାରାତ୍ ଚଲ୍ ବାପଘରକୁ । ମୋତି ଘୃଣାରେ ନାକ ଟେକିଲା ।

 

ଶଶୀ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା, ସତେ ? ଘର ଭୁଆସୁଣୀ ! ସେ କଅଣ ମରିଗଲେ ?

 

ପ୍ରଶ୍ନଟା ପଚାରି ଆଗ୍ରହରେ ମୋତିର ମୁହଁକୁ ଚାହିଁ ରହିଲା ।

 

ମୋତି ହସି ହସି କହିଲା, ମରନ୍ତି କଅଣ ସେମିତିଆ ଲୋକ ? ମରିଗଲେ ତ ତରି ଯାଆନ୍ତେ । ଠାକୁର ପ୍ରସାଦ ଛାଡ଼ି ଯେ କୁକୁର ଅଇଁଠା ଲୋଡ଼େ, ତା କପାଳେ କେତେ ଅନିଭୋଗ, କେତେ ହୀନାବସ୍ଥା ଥାଏ । ମଧୁ ଭାରି ଭଲ ମଣିଷ । ମନର ଦୁଃଖ କାହାକୁ କହନ୍ତି ନାହିଁ କି ମାଆଙ୍କ କଥାରୁ ବାହାର ହୁଅନ୍ତି ନାହିଁ । ଭାରି ଭଲ ପାଉଥିଲେ ତାକୁ । ଦଗା ଦେଇ ସେ ଚାଲିଗଲା ଦିନୁ ସେ ବି ବଗା ହୋଇଗଲେ । ପିଲାଟାର କଥା ଛାଡ଼ ।

 

ଶଶୀ କେଜାଣି କାହିଁକି କହି ପକାଇଲା, ଭିକାରୁଣୀ ବୋଲି ସମସ୍ତେ ମତେ ଘୃଣା କରନ୍ତି । ପାଖରେ ବସି ଦୁଃଖ ସୁଖ ହେବା ତ ତେଣେର କଥା, ଦୂରରୁ ଦେଖି ନାକ ଟେକନ୍ତି । ଆହା, ତମର କେଡ଼େ ଦୟା ! ଶଶୀ ଆମ୍ବଗଛ ମୂଳେ ମୁଣ୍ଡ ଲଗାଇ ପ୍ରଣାମ କଲା ।

 

ଗର୍ବରେ ଓ ଆନନ୍ଦରେ ଉଜ୍ଜ୍ୱଳ ହେଲା ମୋତିର ମୁହଁ । ସମବେଦନା ଦେଖାଇ ସେ କହିଲା, ମୋର ସେମିତି ବାରଣ ନଥାଏ । କିଏ ଲୁହାରେ ମୁଣ୍ଡ ବାନ୍ଧିଛି ? ମଣିଷ ଜୀବନ, କେତେବେଳେ କି କଥା । କାହା କପାଳେ କଅଣ ଅଛି ଟାଣକରି କିଏ କହିବ ? ଏଇ ଦେଖୁନ, ମଧୁଭାଇର ଭାରିଜା, କାହିଁ ରାଜରାଣୀ ଯୋଗ, କାହିଁ ହାଡ଼ୀ ଘର ! କପାଳ ! ମୋତି ମୁଣ୍ଡରେ ଆଙ୍ଗୁଠି ଠୁଙ୍କିଲା ।

 

ଆଶ୍ଚର୍ଯ୍ୟ ହେଲାପରି ଶଶୀ ପୁନରାବୃତ୍ତି କଲା, ହାଡ଼ୀ ଘର । ବାଟର ଠାକୁରକୁ ମନ୍ଦିର ଯୋଗ କାହିଁ ?

 

ମୋତି ମୁଣ୍ଡ ହଲାଇ କହିଲା, ସେଇଆ । ତଥାପି ମଧୁଭାଇଙ୍କର ଆବାକାବା ଢଙ୍ଗ ଦେଖି, ମନରେ ସରାଗ ନାହିଁ ଜାଣି, ଛଅମାସ ପରେ ବୁଢ଼ୀ ଆଗବୋହୂଙ୍କ ବାପଘରକୁ ଲୋକ ପଠାଇଥିଲେ । ମଧୁଭାଇ ତାଙ୍କୁ ଅବିଶ୍ୱାସ କରନ୍ତି ନାହିଁ । ସେ ସେମିତିଆ ଲୋକ । ନିଜେ ଯେମିତି ଭଲ, ଦୁନିଆଁକୁ ସେମିତି ଭଲ ମନେକରନ୍ତି । ଆଖି ଆଗରେ ଦେଖିଲା କଥା – ଛି, ଛି, ବୁଢ଼ୀ କହିଲେ ସେ ଶୁଣିଲେ, ମୁଡ଼ୁକେଇ ହସିଲେ । ମାଆଙ୍କ କଥାରୁ ତ ବାହାର ହେବେ ନାହିଁ । ମନ ତାଙ୍କର କାନ୍ଦିଲା । ମଲେ ସେ କାନ୍ଦି କାନ୍ଦି, ଝୁରି ଝୁରି ।

 

ଶଶୀ ଆଖିରେ ପୁଣି ଲୁହ ଭରିଗଲା । ସେ କହିଲା, ନ କାନ୍ଦିବ କିଏ ? କାହାର ଛାତି ଏଡ଼େ ପଥର ? ମଣିଷ ତ !

 

ମୋତି ହସିଲା । ଦୁନିଆଁରୁ ବାହାର ଏକା ମୁଇଁ । ଯେତେ ଦୁଃଖ ହେଲେ ବି ଦେଖିଲେ ମୋର ମନ ତଟେ ସିନା, ଆଖିରୁ ଲୁହ ବହେ ନାହିଁ । ମଣିଷ ଜାତିରୁ ସତେକି ମୁଁ ବାହାର । ମୋ ମନଟା ଯେ ପଥର । ସଂସାରର ଢଙ୍ଗ ଦେଖି ସେ ଆପେ ଆପେ ପଥର ହୋଇଛି ।

 

ଶଶୀ କହିଲା, ତାହା ନୁହେଁ । ଆଖି ତମର କାନ୍ଦେ ନାହିଁ ସିନା ଛାତି କାନ୍ଦେ । ତମ ମନ ଅତି କଅଁଳ । ଏଇ ବୁଢ଼ୀ, ଯାହାଙ୍କୁ ତମେ ଏତେ କଠୋର ବୋଲି କହୁଛ, ସେଇ ପୁଣି କୁଳ-କଳଙ୍କିନୀ ବୋହୂଟାକୁ ଆଣିବାକୁ ଲୋକ ପଠାଇଥିଲେ ତ ! ମଣିଷ ମନ ! ଆସିଲା ନାହିଁ, ସେ ତ ଭିନେ କଥା । ଯାହାକୁ ଛତର ଯୋଗ ତାକୁ ଘରକରଣା ଯୋଗ କାହିଁ ? ସେ ଆସିବାକୁ ନାହିଁ କଲେ ପରା ? ଶଶୀ ଜିଜ୍ଞାସୁ ନେତ୍ରରେ ମୋତିର ଗର୍ବିତ ମୁହଁକୁ ଚାହିଁଲା । ନିଜର ଅବସ୍ଥାକୁ ପାଶୋରିଗଲା କ୍ଷଣକ ପାଇଁ ।

 

ମୋତି କହିଲା, ଲୋକ ଗଲା, ଫେରି ଆସି କହିଲା, ଗାଁଲୋକେ ତା ଖବର କେହି କିଛି ଜାଣନ୍ତିନାହିଁ । କିଏ ଜଣେ କହିଲା, ସେ କୁଆଡ଼େ ଦି ଦିନ ହେଲା ଆମ ଗାଁକୁ ଆସିଲାଣି । କାହିଁ ? ଚାହିଁ ଚାହିଁ ଆଖିରୁ ପାଣି ମଲା ।

 

ଘର ଯିଏ ଛାଡ଼େ ସେ କି ଆଉ ଫେରେ ? କାହା ସଙ୍ଗରେ କୁଆଡ଼େ ପଳାଇଯାଇଥିବ ।

 

ମୋତି ଶଶୀର ମୁହଁକୁ ଚାହିଁ ମନକୁ ମନ ହସି ଉତ୍ତର ଦେଲା, ହୁଏ ତ ସେଇଆ; କିନ୍ତୁ ତାଙ୍କ ଗାଁ ଲୋକେ ତାଙ୍କୁ କୁଆଡ଼େ ଭାରି ଭଲ କହୁଥାନ୍ତି । ଛଅ ମାସ ରହିଲା, କେତେ ଉପାସ ଭୋକ ସହିଲା, କାହା ଦୁଆର ମାଡ଼ି ନାହିଁ, କାହା ସଙ୍ଗେ ପଦେ କଥା କହିନାହିଁ । ହୁଏତ ଏ କଥା ମଧୁଭାଇ ବିଶ୍ୱାସ କରିଥିବେ, ବୁଢ଼ୀତ ହସି ହସି କଥାଟା ଉଡ଼ାଇ ଦେଲେ । କହିଲେ, ଗାଁ ଲୋକେ ଗାଁ ଟାଣ ରଖି କହୁଛନ୍ତି ।

 

ବୁଢ଼ୀ ଯାହା କହିଲେ ଠିକ୍ । ଶଶୀ ଦୀର୍ଘଶ୍ୱାସ ଛାଡ଼ିଲା । ଓଠ ଉପରେ କ୍ଷୀଣ ଆଲୁଅର ଚଳନ୍ତି ସୁଅ ଖେଳିଗଲା । ପୁଣି କହିଲା, ଘରକବାଟ ମୁକୁଳା କରି ଆସିଛ ପରା, ଡେରି ହେଲାଣି...ପରେ ଦେଖା ହେବ । ମୋତି ଗାଁ ଆଡ଼େ ଚାଲିଗଲା ।

 

ଶଶୀ ବୁଲାକୁ କୋଳରେ ଧରି କେତେ ବେଳଯାଏ ନୀରବରେ ସେହିଠାରେ ବସିରହିଲା । କେତେ ଭାବନା ମନକୁ ଆସି ଚଳନ୍ତି ବଉଦର ଛାଇ ପକାଇ ଉଭେଇଗଲା । ମୋତିର କଥା କେଇପଦ ତାର ମନ ଭିତରେ ବାରମ୍ବାର ପ୍ରତିଧ୍ୱନିତ ହୋଇ ତାର ପ୍ରାଣକୁ ଅଧୀର କଲା...ଦଗାଦେଇ ସେ ତ ଚାଲିଗଲା ବଗା ହେଲେ ସେ । ଲୋକ ପଠାଇଥିଲେ । ମନ ତାଙ୍କର କାନ୍ଦିଲା ମଲେ ସେ କାନ୍ଦି କାନ୍ଦି ।

 

ଏତିକି କଅଣ ପ୍ରେମର ପ୍ରତିଦାନ ? ମାଆଙ୍କର ଅବାଧ୍ୟ ହେବେ ନାହିଁ ବୋଲି ନିର୍ଦୋଷ ସ୍ତ୍ରୀକୁ ଜାଣି ଜାଣି ନରକକୁ ଠେଲିଦେବେ ? ଲୋକ ପଠାଇ ଖବର ବୁଝିଲେ କଣ ସ୍ୱାମୀର କର୍ତ୍ତବ୍ୟ ସରିଲା ?

 

ଶଶୀ ଆମ୍ବଗଛ ଉପରକୁ ଚାହିଁଲା । ତାର ସଜଳ ଆଖି ଆଗରେ ଉଭା ହେଲା ଦଶବର୍ଷ ଆଗର ସେହି ତରୁଣ ସ୍ୱାମୀଙ୍କର ରୂପ ! ମୁହଁ ମଳିନ । ଦୁଃଖରେ ଦୁଇ ଆଖି ଛଳ ଛଳ, ଅବନତ । ତାର ମନ ଭିତରେ କିଏ ଯେପରି କହିଉଠୁଛି – କାନ୍ଦିଥିଲେ ସେ, ଦିନଟିଏ ଆନନ୍ଦରେ କଟିନାହିଁ । ମାଆର ଆଦେଶ ଚିରଦିନ ପାଳି ଆସିଛନ୍ତି । ବାଧାଦେଇ ମନରେ କଷ୍ଟ ଦେଇନାହାନ୍ତି । କଷ୍ଟକୁ ନିଜେ ବରଣ କରିନେଇଥିଲେ । ହୁଏତ ଆଶା କରିଥିଲେ ସମୟ ପୁଣି ଠିକ୍ କରିଦେବ । ସତ୍ୟ ପଦାକୁ ଫୁଟିଉଠିବ ।

 

ଶଶୀ ଆକୁଳ ହୋଇଉଠିଲା । ଭାବିଲା, ଭୁଲ କରିଛି ସେ ନିଜେ । ଅଧୀର ହୋଇ ତରତର ହୋଇ ନିଜର ସର୍ବନାଶ କଲା । ତାଙ୍କୁ ମଧ୍ୟ ଜଳାଇ ପୋଡ଼ାଇ ମାରିଲା ।

 

ମନେ ପଡ଼ିଲା ଗତକଥା ।

 

ଅନ୍ଧାର ରାତି । ବାଟ ଚାଲିଛନ୍ତି । ଆଗରେ ବୃନ୍ଦାବନ, ପଛରେ ଶଶୀ । ଉତ୍ତେଜିତ ହୋଇ ସେ କହିଲା, ସବୁ ଖୋଲିକରି ତାଙ୍କ ଆଗରେ କହିବ, ଲାଜ ଭୟ କରିବ ନାହିଁ । ସେ ମୂର୍ଖ ନୁହନ୍ତି । ସବୁ ବୁଝିବେ, ବିଶ୍ୱାସ କରିବେ । ଦୋଷ ମୋର ନୁହେଁ, ତମର ବି ନୁହେଁ । ଗୋଟାଏ ଉତ୍ତେଜନା, କ୍ଷଣକର ମୋହ । ତାଙ୍କୁ ସବୁ କହିବ ବୃନ୍ଦାବନ, ତମୁକୁ ମୋ ରାଣ, ତମୁକୁ ଠାକୁରଙ୍କ ଦ୍ୱାହି ।

 

ବୃନ୍ଦାବନ ଅବଶ୍ୟ ସବୁ ସତକଥା କହିଥିବେ । ସ୍ୱାମୀ ତାର ସମୟର ସୁଯୋଗକୁ ଚାହିଁ ରହିଥିଲେ । ମାଆଙ୍କ ପ୍ରକୃତି ତାଙ୍କୁ ଜଣା । ରାଗ କମିଆସିଲେ ନିଜର ଭୁଲ୍ ସେ ବୁଝିପାରନ୍ତି । ସୁଧାରିନେବାକୁ ଚେଷ୍ଟା କରନ୍ତି । ହୁଏତ ତାହା ହିଁ ହୋଇଥିଲା । ପୁଅର ମନରେ ସରାଗ ନାହିଁ ବୁଝି ବୁଢ଼ୀ ନିଜ ମନକୁ ଲୋକ ପଠାଇଥିଲେ । ହୁଏତ ଏହାହିଁ ସ୍ୱାମୀଙ୍କର ଉଦ୍ଦେଶ୍ୟ ଥିଲା । ପ୍ରଗାଢ଼ ବିଶ୍ୱାସ ଥିଲା, ଦୁଃଖୀ ତାଙ୍କରି ପାଇଁ ଦୁଃଖ ସହି ଚାହିଁ ରହିଥିବ । ବେଶୀ ନୁହେଁ, ମୋଟେ ମାସ ଛଅଟା ।

 

ଇସ୍, କଅଣ କଲା ସେ ! ଆଉ କେଇଟି ଦିନ ଉପାସ ଭୋକରେ ରହି ପାରିଲା ନାହିଁ ? ପଦାକୁ ଗୋଡ଼ କାଢ଼ିଲା ? ଅଜାଣତରେ ଅରମାରେ ପଶିଲା ?

 

ସଞ୍ଜ ହୋଇ ଆସୁଥାଏ । ରାଗରେ ଘୃଣାରେ ଶଶୀ ମୁଣ୍ଡର ଅଲରାବାଳକୁ ଟାଣି ଦୂର ଦିଗ୍‌ବଳୟକୁ ଅର୍ଥହୀନ ଆଖିରେ ଚାହିଁ ରହିଲା ।

 

ଶଶୀ ଭାବିବାକୁ ଲାଗିଲା । ଗାଁ ଛାଡ଼ି ଚାଲିଆସିଲା ଏକୁଟିଆ । ଇମିତି ସଞ୍ଜ ବୁଡ଼ି ଆସୁଥାଏ । ଅଚିହ୍ନା ବାଟ । ଉପାସ ଭୋକରେ ଗୋଡ଼ ଚଳୁନାହିଁ । ଚାଲୁଛି ଟଳି ଟଳି । ବାଟରେ ନ ପଡ଼ି ପାଦ ଅବାଟରେ ପଡ଼ୁଛି । ପିନ୍ଧିଲା ଲୁଗା ଛଡ଼ା ସମ୍ବଳ ଆଉ ତାର କିଛି ନାହିଁ । ଏମିତି ଅବସ୍ଥାରେ ଗାଁ, ତାର ଜନ୍ମସ୍ଥାନ ଛାଡ଼ି ସେ ଚାଲିଆସିଲା । ସମସ୍ତେ ତାକୁ ଘୃଣା କରନ୍ତି । ଗାଁ ସାରା ନିନ୍ଦା ରଟିଯାଇଥିଲା । ଲାଜରେ କାହାକୁ ମୁହଁ ଦେଖାଏ ନାହିଁ । ସତକଥା କେହି ଜାଣେ ନାହିଁ । କାହାକୁ କହିବାକୁ ସେ ପସନ୍ଦ କରେ ନାହିଁ । ନିଜ ଦୁଃଖର ବୋଝ ନିଜେ ମୁଣ୍ଡାଇଥାଏ ।

 

ଶ୍ରୀମତୀ ତାର ଧର୍ମର ଭଉଣୀ । ବାଉରୀ ଘର ଝିଅ । ଅତିକଷ୍ଟରେ ଦିନେ ତା ପେଟ ଭିତରୁ ସତକଥାଟି କାଢ଼ିନେଇଥିଲା । କେତେ ନିୟମ ସୁକୃତ କଲା । କାହାରିକୁ କିଛି କହିବ ନାହିଁ-। ଶଶୀ ନାହିଁ କରିପାରି ନଥିଲା । ଶ୍ରୀମତୀ ଛଡ଼ା ତାର ସାହା ଭରସା କେହି ନଥିଲେ । ସମସ୍ତେ ବିପକ୍ଷ । ଯେଉଁମାନେ ଭଲେଇ ହେବାକୁ ଆସନ୍ତି, ସାହାଯ୍ୟର ଲୋଭ ଦେଖାନ୍ତି, ତାଙ୍କର ଆଖିକୁ ଦେଖିଲେ ଡର ମାଡ଼େ....ଠିକ୍ ଯେପରି ବୃନ୍ଦାବନଙ୍କର ଆଖି ଦିଟା । ନାମରେ ଗନ୍ଧ, ଏହା ଜାଣିଲେ ଭୟାଳୁର ସାହସ ବଢ଼େ । ଲାଜକୁରାର ଲାଜ ଛାଡ଼ିଯାଏ । ଦୋଷ କାହାକୁ ଦେବ ?

 

ଶ୍ରୀମତୀ ପଚାରିଲା, କେତେଦିନ ଚାହିଁ ବସିଥିବ ଦେଈ ? ମିଣିପି ଜାତି ଅତି ଆପଣାସାର୍ଥିକା । କାହାରିକୁ ବିଶ୍ୱାସ ନାହିଁ ଗୋ ଏ ଯୁଗରେ । ଯେଡ଼େ ଭଲ ଲୋକ ହେଲେ ବି ପାଞ୍ଚକଥା ଶୁଣିଲେ ମନ ବଦଳେ । ରାଗ ଅଭିମାନ କରି ରହିଛ କାହାକୁ ? କେତେଦିନ ରାଗ କରି ରହିପାରିବ ? ଶେଷକୁ, ଦେଖୁ ଦେଖୁ ଯଦି ଅତେଇ ଲାଗି ପତେଇ ବୁଡ଼େ ବଞ୍ଚିଥିବା ଯାଏ ପସ୍ତାଇବ । ଏ ସବୁ କଥାରେ କି ରାଗ କଲେ ଭଲ ?

 

କଣ କରିବାକୁ କହୁଛୁ ଶ୍ରୀମତୀ ? ମୋ ହାତରେ କଣ ଅଛି ?

ସବୁ ଅଛି ତମରି ହାତରେ । ନିଜେ ଯାଅ, ଗୋଡ଼ ତଳେ ପଡ଼ି ସତ କଥା କହ ।

କେମିତି ଯିବି ଲୋ, କେମିତି କଣ କହିବି ?

ବାଟକୁ ଡରୁଛ ? ରେଲ ଅଛି । ରେଲ ଭଡ଼ା ମୁଁ ଦେବି । କହିବ ତ ସଙ୍ଗରେ ଯିବି ।

କାଳେ ସେ–

ତେଣିକି ଯାହା ଭଲ ଦିଶିବ କରିବ । ପିଲାଟିକୁ ଥରେ ଦେଖି ଆସିବ ତ !

ସେ ଉତ୍ତର ଦେଇନଥିଲା । ସ୍ୱାମୀଙ୍କ ଉପରେ ଅଭିମାନ ବଢ଼ିଯାଇଥିଲା ।

 

ଅଭିମାନ ଭାଙ୍ଗିଲା, ଯେଉଁଦିନ ଶ୍ରୀମତୀ ଆସି ଆଖି ଛଳ ଛଳ କରି କହିଲା, ଦେଈ, କାଲି ମୁଁ ଶାଶୂଘରକୁ ଯାଉଛି । ପାଞ୍ଚବର୍ଷ କାଳ ରାଙ୍ଗାମ ରାଇଜରେ ବୁଲି ବୁଲି ମୋ ଗେରସ୍ତ ଦି’ଦିନ ହେବ ଫେରିଆସିଛନ୍ତି । ଚେହେରା ତାଙ୍କର ଭାଙ୍ଗିଛି । ଦେହରେ ବାର ରୋଗ । କେତେଦିନ ଆଉ ଭାଇଭାଉଜଙ୍କ ଗଞ୍ଜଣା ସହିବ ? ବାପ ମାଆ ତ ନାହାନ୍ତି । କାଲି ସକାଳୁ ଯାଉଛି । ମୋତେ ଛାଡ଼ି ସେ ରାଙ୍ଗାମ ଗଲେ ସାମାନ୍ୟ ଟିକିଏ କଜିଆ ପାଇଁ । ପାଞ୍ଚବରଷ ଅନେଇଛି । କେତେ ଖସଡ଼ା ବାଟରୁ ଖସିଆସିଛି । ଯାଏଁ ଦେଖେଁ ଅବସ୍ଥା କଅଣ ହୋଇଛି ।

 

ଟିକିଏ ରହି କହିଲା ଭୁଲିବ ନାହିଁ ମୋ କଥା । ଥରେ ହୁଡ଼ିଲେ ଭେଳା ବୁଡ଼ିବ । ବାର ଅବସ୍ଥା ହେବ । ହାତ ପିଠିରେ ଲୁହ ପୋଛିବ । ମୋରି ପରି ଲୋକେ କହିବେ । କହନ୍ତୁ । ଶୁଣି ଶୁଣି ଅଭ୍ୟାସ ହେବ । ହୁଡ଼ିଲେ ବୁଡ଼ିବ । ଲୋକେ ମୁହଁକୁ ଅନାଇବେ ନାହିଁ । ଆମ୍ବ ସପୁରୀର ରସ ଚିପୁଡ଼ି ଖାଇ ଚୋପା ଟାକୁଆ ସିଠା ଅଳିଆ ଗଦାକୁ ପକାଇଦେଲା ପରି କରିବେ । ମନେ ରଖିଥିବ ଅପା, ସେଇ ବାରଲୋକେ ମୁହଁ ପୋଛି ନଳାମୁହଁରେ ଅଳିଆ ଗଦାରେ ତମୁକୁ ଦେଖି ଅଥୁକ୍ କରିବେ । ନାକରେ ହାତଦେଇ କହିବେ, ଇସ୍ କି ଗନ୍ଧ ! ଅପା ଗୋ, ତରକିଥିବ ତେର, ବାରଲୋକ ସଙ୍ଗେ ନିଜକୁ ମିଶାଇ ତେର ଗଣିବ ।

 

ଦୁଇଦିନ ପରେ ।

 

ଶ୍ରୀମତୀ ଗଲାରୁ ନିଜକୁ ଶଶୀ ନିଃସହାୟ ମଣିଲା । ସେତେବେଳେ ହେଜିଲା ତାର ହିତକଥା ! ଅଭିମାନ କରିବ କାହା ଉପରେ ? ସଂସାରରେ ଜଣକ ଛଡ଼ା ତାର ଆଉ ଦୁଇଜଣ ନାହିଁ । ସେ ଯଦି ତାକୁ ଭୁଲନ୍ତି, ସର୍ବନାଶ ! ଗାଁ ଛାଡ଼ି ଚାଲିଲା ଏକୁଟିଆ । ଏମିତିକା ସଞ୍ଜବୁଡ଼। ଅଚିହ୍ନା ବାଟ । ହାତରେ କାଣି କଉଡ଼ି ନାହିଁ । ଯାହା ହେବାର ହେବ, ଠାକୁରେ ଅଛନ୍ତି ।

 

ରାତି ଦି’ ଘଡ଼ି କି ଚାରି ଘଡ଼ି କେତେ କେଜାଣି । ଅନ୍ଧାର ରାତି, ଝିପିଝିପି ବର୍ଷା । ଭିଜି ଭିଜି ସେ ଚାଲିଥାଏ । ଆଗ ପଛରେ କେତେ ଲୋକ ଯାଉଥାନ୍ତି । କିଏ କାହାକୁ ଚିହ୍ନେ ? ଦୂରରେ କେତେଟା ଆଲୁଅ ଦିଶିଲା । ପଚାରିଲା, ୟେ କି ଆଲୁଅ ଦିଶୁଛି ?

 

କିଏ ଜଣେ ଉତ୍ତର ଦେଲା, ରେଲ ଷ୍ଟେସନ ।

 

ଶଶୀ ଦୀର୍ଘଶ୍ୱାସ ଛାଡ଼ିଲା । ଭାବିଲା, ଯାହା ହେଉ ବାଟ ଭୁଲିନାହିଁ । ରେଲ ଆସିବାର ଶବ୍ଦ ଶୁଭିଲା । ଲୋକେ ନିଜ ନିଜର ବୋକଚା ଧରି ପ୍ରସ୍ତୁତ ହେଲେ । ଘଣ୍ଟା ବାଜିଲା । ରେଲଗାଡ଼ିର ମୁହଁ ଆଲୁଅ ଦିଶିଲା । ହାଲୋଳମୟ ଛୋଟ ଷ୍ଟେସନଟି । ଗାଡ଼ି ମିନିଟିଏ ରହେ । ଲୋକେ ଚଞ୍ଚଳ ହୋଇଉଠିଲେ । ସେ ବି । ହାତରେ ଟିକଟ ନାହିଁ । ଛାତି ଦୁକୁ ଦୁକୁ - କିଏ ମାଗିଦେବ ପରା !

 

ଗାଡ଼ି ଷ୍ଟେସନରେ ଲାଗିଲା ।

ମଉସା, ଏଟା କି ଗାଡ଼ି ?

ପୁରୀ ପାସେଞ୍ଜର ଗାଡ଼ି ।

 

ଲୋକେ ବ୍ୟସ୍ତ ହୋଇ ଗାଡ଼ିରେ ଚଢ଼ିଲେ । ଏଣିକି ତେଣିକି ଚାହିଁ ଶଶୀ ମଧ୍ୟ ଗାଡ଼ିରେ ଉଠିଲା । ଗାଡ଼ି ଛାଡ଼ିଲା । ଶଶୀ ନିଶ୍ଚିନ୍ତ ହେଲା । କେତେ ବେଳେକେ ଟିକଟ କଲେକଟର ଗାଡ଼ିରେ ପଶିଲା । କେଡ଼େ ବଡ଼ ମଣିଷଟା । ପାଟିରେ ସିଗାରେଟ । ମୁହଁରେ ମଦ ଗନ୍ଧ । ଲୋକେ ଟିକେଟ କାଢ଼ିଲେ । ଶଶୀର ହଲକ ଶୁଖିଲା । ସେ କରେ କଅଣ ?

 

ଶଶୀର ଭାବନା ଅଟକିଲା ।

 

କାନ୍ଧରେ ଗାମୁଛା ପକାଇ କୁଞ୍ଜବାବୁ ପୋଖରୀ ଆଡ଼େ ଯାଉଛନ୍ତି । ପଛରେ ଅଛନ୍ତି ଗନ୍ଧିଆ ଓ ଗୋପି । ସଞ୍ଜ ବୁଡ଼ିଲାଣି । ଦିନର ଆଲୁଅ ଏକାଥରେ ସଞ୍ଜ ଅନ୍ଧାର ଭିତରେ ଛପିଯାଇନାହିଁ । ବାଟ କଡ଼ର ଭିଖାରୁଣୀକୁ ଦେଖି କୁଞ୍ଜବାବୁ ହସି ହସି ପଚାରିଲେ, କିଲୋ, ତୁ ଆସି ଏଠି ?

 

ଶଶୀର ଭାବନା ଭାଙ୍ଗିଲା । ସେ ଚମକି କହିଉଠିଲା, ବାର ଗାଁ ବାର ଦ୍ୱାର ବୁଲି ଭିକ ମାଗୁଛି ବାବା, ଠାଆକରେ ରହିଲେ ସବୁଦିନେ କିଏ ଦେବ ?

 

ବୁଲା ତା କୋଳରେ ଘୁମାଇ ପଡ଼ିଲା । ମଣିଷର ସ୍ୱର ଶୁଣି ସେ ତଳକୁ ଡେଇଁ ଅଳସ ଭାଙ୍ଗିଲା ।

 

କୁଞ୍ଜବାବୁ ଗୋପି ସ୍ୱାଇଁକୁ ଚାହିଁ କହିଲେ, ତୁମେ ଯାଅ । ଯେତେ ରାତି ହେଲେ ବି ମୋତେ ଆଜି ଫେରିବାକୁ ପଡ଼ିବ । ପିଲାଟାର ଦେହ ଖରାପ । ଟୁନା ନକହି ନବୋଲି ପରଶିକ୍ଷାରେ ପଡ଼ି କୁଆଡ଼େ ପଳାଇଛି । ଅପା ଅତି ବ୍ୟସ୍ତ । କନ୍ଦାକଟା କରୁଛି । ମୋରି ଫେରିଲା ବାଟକୁ ଅଖିଆ ଅପିଆ ଚାହିଁରହିଥିବ । ଭାବିଥିଲି ଟୁନା ଏଠିକି ଆସିଥିବ, କିନ୍ତୁ ସେ ଆସିନାହିଁ । କଣଯାଇ କହିବି, ସେଇଆ ଭାବୁଛି । ଯାଅ ତମେ, ମୋତେ ଆଉ ଏଠାରେ ଆଜି ରହିବାକୁ ବଳାଅ ନାହିଁ ।

 

ତୁ ସଙ୍ଗରେ ଯିବୁ ରାଧିଆ । ବାବୁଙ୍କୁ ଗାଁରେ ଛାଡ଼ିଦେଇ ଆସିବୁ ।

ଆଜ୍ଞା ହଁ, ମୋ କଥା କଣ ବୁଝିଲେ ?

 

ଗୋପି କହିଲା, ବେଅକଲ ବାଉରୀ ଟୋକା କାହାଁକା ! ତୋ ଜମିରେ ଫସଲ ହେଲା ନାହିଁ, ସେଥିକି ବାବୁ ଲଗା ନୁହଁନ୍ତି । ତୋ କପାଳ କଥା; ତା ବୋଲି ଆଇନ୍ଦାର ସଲାମି ଟଙ୍କା ଛାଡ଼ ମାଗୁଛୁ ? ଏଡ଼ିକି ବେହିଆ ? ବାବୁ ଆମର ଦୟାବନ୍ତ ପୁରୁଷ । ଗତ ବର୍ଷର ଫସଲ ଭାଗ ଛାଡ଼ିଦେଲେ । ଆଉ ଅଧିକା କଅଣ ?

 

ପିଲାଛୁଆ ମୋର ଗଡ଼ି ମରିବେ ଆଜ୍ଞା । ରାଧିଆ ହାତଯୋଡ଼ି ମୁଣ୍ଡରେ ଲଗାଇଲା । ପୁଣି କହିଲା, ରଜା ମୋର ଆଗରେ ଠିଆ ହୋଇଛନ୍ତି, ମୁଁ ଆପତ୍ତି କରି ଭିଖ ମାଗୁଛି, ତମେ କିଏ ହୋ ?

 

ସାମାନ୍ୟ ହସି କୁଞ୍ଜବାବୁ କହିଲେ, ଟଙ୍କାର ଅତି ଅଭାବ ପଡ଼ିଛିରେ ରାଧିଆ, ନୋହିଲେ ତୋ ସଲାମି ଟଙ୍କା କେତେରେ କେତେ । ହଉ ଯା, ଅଧେ ଛାଡ଼ ପାଇବୁ । ଏତିକି କହି କୁଞ୍ଜବାବୁ ଆଗକୁ ଚାଲିଗଲେ ।

 

ରାଧିଆ ଲମ୍ବା ଦଣ୍ଡବତ ପକାଇ ଫେରି ଯାଉଣୁ କହିଲା, ରଜା ମୋର କେଡ଼େ ଦୟାବନ୍ତ ।

 

କୁଞ୍ଜବାବୁ କହିଲେ, ତୁମେ ଯାଅ ଗୋପି, ବୁଢ଼ୀର ଜାଳାରେ ମୁଁ ଏଠି ରହିପାରିବି ନାହିଁ କି ତମ କହିବା ମତେ ଭାଗଦାରଙ୍କଠାରୁ ନିଜେ ଯାଇ ଫସଲ ଅସୁଲ କରିପାରିବି ନାହିଁ । ମୋଠୁ ଲେଖା ରଖି ତାଙ୍କୁ ଦେଖାଇ ତମେ ଧାନ ଅସୁଲ କରି ପାଖରେ ରଖିବ । ପରେ ମୁଁ ଆସି ହିସାବ ବୁଝିବି ।

 

ଗତ ବର୍ଷର ହିସାବ ?

 

ବୁଝିବାକୁ ମୋର ବେଳ ନାହିଁ । ପରେ ଦରକାର ହେଲେ ବୁଝିବି । ତମଠେଇଁ ତ ମୋର ଅବିଶ୍ୱାସ ନାହିଁ ।

 

ନରଦା ଗୁମାସ୍ତା ବୃନ୍ଦାବନର ଚାକିରି ଖାଇ ତାକୁ ସାଧ୍ୟ ନ କରିବା ଯାଏ ମୁଁ ଶାନ୍ତିରେ ରହିପାରିବି ନାହିଁ । ତା ଷଣ୍ଢପଣିଆ ଯେମିତି ହେଲେ ଭାଙ୍ଗିବି । ଖବର ଦେଲେ କିଛି ଧାନ ବିକି ଟଙ୍କା ପଠାଇବ ।

 

ଛି, ଛି, କାହା ନାଁ ଧରୁଛନ୍ତି ତୁଣ୍ଡରେ ? ବୃନ୍ଦାବନ ! କେତେ ଘର ଭାଙ୍ଗିଛି ଆଜ୍ଞା, କେତେ କୁଳଭୁଆସୁଣୀଙ୍କୁ ଛତରରେ ପୂରାଇଛି । ଆଜ୍ଞା, ସେ ଲୋକଟାକୁ ସାଧ୍ୟ ନକଲେ–

 

ଶଶୀ ମୁହଁ ବୁଲାଇଲା ।

 

ସାଧ୍ୟ ନକଲେ ମୋ ନା କୁଞ୍ଜ ନୁହେଁ । ପିଲାଟାକୁ ସେଇ ଶିଖେଇ ଖରାପ କରି ଦେଲା । ମାହାଲର ଖଜଣା ବାକି । ଅସୁଲ ଟଙ୍କା ନେଇ କଟକରେ ବେଶ୍ୟା ଘରେ ଉଡ଼ାଉଛି । ଦେଖୁଛି କିଏ-? ଜମିଦାର ଦୂରରେ । ତାଙ୍କୁ ଜଣାଉଛି ବା କିଏ ? ସେ ବା ଏତେ ଭିତିରି କଥା ଜାଣିବେ କିମିତି ?

 

ଗୋପି ମୁଣ୍ଡ ନୁଆଇଁ କୁଞ୍ଜବାବୁଙ୍କ କାନରେ ଫୁସ୍ ଫୁସ୍ କରି କଣ କହିଲା ଶଶୀ କିଛି ଶୁଣିପାରିଲା ନାହିଁ । ଶେଷକୁ ଯୋଡ଼ାଏ ଶବ୍ଦ ତାର କାନରେ ପଡ଼ିଲା । ବେନାମି ଚିଠି । ତା ପରେ କୁଞ୍ଜବାବୁ ଆନନ୍ଦରେ ଗୋପିର ପିଠିରେ ହାତ ମାରି କହିଲେ, ଠିକ୍ କହିଛ ଗୋପି, ଭାରି ବୁଦ୍ଧି ତମର ! ସେକଥା କଣ ଆଜିଯାଏ ବାକି ଅଛି ? ଆଗ ଏଇ ବାଣ ମରାଯାଇଛି। ଫଳ ନ ହେଲେ ତେଣିକି ଦୋସରା ବାଟ ଖୋଜିବା । ତମେ କାଲି ଯିବ ?

 

ହଉ ଯିବି । ବୁଢ଼ୀଙ୍କ ସଙ୍ଗେ ଦେଖା ହେଲାଣି ?

 

ନା, ତାଙ୍କ ତୁଣ୍ଡକୁ ଡରି ମୁଁ ବାଁଖାଡ଼ିଆ ଦେଇ ବୁଲୁଛି । ଗଲାବେଳକୁ ଗୋଟାଏ ଦଣ୍ଡବତ କରି ଯିବି ।

 

ଗୋପି ସୋଇଁ ଗାଁଆକୁ ଫେରିଲା । କୁଞ୍ଜବାବୁ ପୋଖରୀ କୂଳକୁ ଯିବା ଆଗରୁ ଶଶୀ ତାଙ୍କ ଆଗକୁ ଆସି ହାତ ପାତି ମାଗିଲା, ଗୋଟିଏ ପଇସା ଦିଅ ବାବୁ, କୋଟି ପରମାୟୁ ହେବ ।

 

ତତେ ପରା କାଲି ପଇସା ଦେଇଥିଲି, ପାଇଲା ଗାଡ଼ିଆ ବୋହୁଛୁ କିଲୋ ।

 

ପଇସା କଣ ଆଜିଯାଏ ଅଛି, ମୁଢ଼ି କିଣି ଖାଇଲି । ଦିଆ ଲୋକଙ୍କୁ ସମସ୍ତେ ମାଗନ୍ତି ବାବା, ଅଦିଆ ଲୋକଙ୍କ ପାଖରେ କେହି ତୁଣ୍ଡ ହରାନ୍ତି ନାହିଁ । ଭିଖାରୀକୁ ଗୋଟିଏ ଦେଲେ କୋଟିଏ ହେବ ।

 

ହସି ହସି କୁଞ୍ଜ କହିଲେ, ପୁରୀ ପଣ୍ଡାଙ୍କ ମାଗି ଓଳିକି ଯାଚି କଲ୍ୟାଣ ପରି କହୁଛୁ । ହଉ, ନେ ନେ, ଯା– ।

 

କୋଟି ପରମାୟୁ ହୋଇଥାଉ ବାବା, ଅଧିକରୁ ଅଧିକ ହେଉ । କଲ୍ୟାଣ କରି ଶଶୀ ପଇସାଟି କାନିରେ ବାନ୍ଧିଲା ।

 

କୁଞ୍ଜବାବୁ ପୋଖରୀ ହୁଡ଼ା କଡ଼ରେ ଲୁଚିଗଲେ । ଶଶୀ ତାର ପୁଡ଼ା ଓ ବାଡ଼ି ହାତରେ ଧରି ବୁଲାକୁ ଡାକି କହିଲା, ତୋର ଆଜି ମନରେ ସରାଗ ନାହିଁ କି ଫୂର୍ତ୍ତି ନାହିଁ କାହିଁକି ? ନେସମା ହୋଇ ଗୋଟାଏ ଜାଗାରେ ବସିଛୁ । ଚାଲି ଚାଲି ଥକିଗଲୁ କିରେ ? ବୁଲାର ମୁଣ୍ଡରେ ହାତ ମାରିଲା-

 

ବୁଲା ଖୁସିରେ ଲାଙ୍ଗୁଡ଼ ହଲାଇଲା ।

 

ଚାଲ ବୁଲା, ସଞ୍ଜ ହେଲା, ଏଥର ପେଟପାଟଣାର କଥା ବୁଝିବା । ଶଶୀ ଆଗେ ଆଗେ ଗାଁ ଭିତରକୁ ପଶିଲା । ବୁଲା ବାଟରେ ଏପାଖ ସେ ପାଖ ଭୂଇଁ ସୁଙ୍ଘି ତାଆର ପଛେ ପଛେ ଚାଲିଲା-। ବେଳେ ବେଳେ ମଝି ବାଟରେ ଟିକିଏ ଅଟକିଯାଏ । ଏଣେ ତେଣେ ଚାହେଁ । ବୁଦାମୂଳେ ଏଣ୍ଡୁଅ, ବାଡ଼ଉପରେ କଙ୍କି, ଫୁଲଉପରେ ରଙ୍ଗିନ୍ ପ୍ରଜାପତି । ଦୂରରେ କାହିଁ ଛେଳି, ମେଣ୍ଢା କି ଗାଈଗୋରୁ ତାର ଆଖିରେ ପଡ଼େ । ସେ ଗମ୍ଭୀର ହୋଇ ଗର୍ଜିଉଠେ । ଶଶୀ ଫେରି ଚାହେଁ । ସେ ପୁଣି ଧାଇଁଆସେ ତା ପାଖକୁ ।

•••

 

୧୩

 

ରାତି ଦି ଘଡ଼ିରୁ ବେଶୀ ହେବ । ଗାଁ ଦାଣ୍ଡର କୋଳାହଳ କମିଆସିଲାଣି । ଖଣ୍ଡେ ପତଳା ଧୋବ ଫରଫର ମେଘ ପଛଆଡ଼େ ଜହ୍ନ । ଛଣା ଆଲୁଅରେ ଗଛ ବୃକ୍ଷର ଛାଇ ଦିଶୁ ନାହିଁ । ପାହାନ୍ତି ଆଲୁଅ ଭ୍ରମରେ ବେଳେ ବେଳେ ଗଛଉପରୁ କାଉ ରାବି ଉଠୁଛନ୍ତି । ବୁଲା ତରଙ୍ଗ ତରଙ୍ଗ ହୋଇ ଏପାଖ ସେପାଖ ଚାହୁଁଛି ଶଶୀ କୋଳରେ । ପିଣ୍ଡା ତଳେ ବସି ଶଶୀ ତୁନି ହୋଇ ଭାବୁଛି । ପିଣ୍ଡା କଡ଼ର ଛୋଟ ବାହାର ଘର, ଆଗେ ଯେଉଁଠି ସବାରି ଥିଲା, ସେଇ ଘର ଭିତରେ ଜଳୁଛି ଗୋଟିଏ ଛୋଟ ଡିବିରି । ବେଳେ ବେଳେ କାହାର ଖୁଁ ଖୁଁ ଶବ୍ଦ ଶୁଭୁଛି । କିଛି ଦିଶୁ ନାହିଁ ।

ଶଶୀର ଶାଶୁଘର ! ନା, ଶଶୀର ନୁହେଁ ଦୁଃଖୀର । ଦଶବର୍ଷ ଆଗେ କେଡ଼େ ଗହଳ ଚହଳ, ଚାକର ପୋଇଲୀ, ଗଲା ଆଇଲା ଲୋକଙ୍କ କାରବାର, ଦେଏଣ ନେଏଣ, କାକୁତି ମିନତି । ଆଜି ସବୁ ତୁନୀତାନୀ । ବାଛୁରୀ ପିଲାଟିର ହମ୍ବାରଡ଼ି ବି ଶୁଣାଯାଉନାହିଁ । ଅଚଳ ନିର୍ଜୀବ ପଦାର୍ଥଗୁଡ଼ା ସବୁ ସେମିତି ରହିଛି ତ ! ସେଇ ପାଞ୍ଚଶେଣିଆ ଉଚ୍ଚ ଚାଳଘର । ତାଳେ ଉଚ୍ଚର ପକ୍‌କାପିଣ୍ଡା, ଘୋଗରା ପାହାଚ, ଚାରିପାଖର ବାଗ୍ ବଗିଚା । ସେତେବେଳେ, ଦଶବର୍ଷ ଆଗେ, ସମସ୍ତେ ଯେପରି ହସ ହସ ହୋଇ କଥା କହୁଥିଲେ, ଆଜି ସମସ୍ତେ ନୀରବ, ଶିରୀତୁଟା ।

ଘରର ଲକ୍ଷ୍ମୀ ଆଜି ଘର ଓଳିତଳେ ମଥା ପୋତି ବସିଛନ୍ତି । ଉପରକୁ ଉଠିବାର ସାହସ ନାହିଁ । ମନ ଡାକୁନାହିଁ । ଉପରକୁ ଉଠି କଅଣ ଦେଖିବ ? କେହି ନାହାନ୍ତି । ସମସ୍ତେ ହଜିଛନ୍ତି । ନିଜେ ସେ ହଜିଛି । ଖୋଜିଲେ ମିଳିବ ନାହିଁ ।

ବୁଲା, କେହି ନାହାନ୍ତିରେ, ଚାଲ୍ ଫେରିଯିବା । ଆଜି ସେଇ ଗଛମୂଳେ ଶୋଇବା ।

କିଏ ଲୋ ତୁ, ଚିହ୍ନା ତୁଣ୍ଡ ପରି ଲାଗୁଛି ।

ହଁ ଭଉଣୀ, ମୁଁ ସେଇ ଭିଖାରୁଣୀ । ଡାକି ଡାକି କେହି ଶୁଣୁନାହାନ୍ତି । ଫେରି ଯାଉଛି । ଆଗରେ ମୋତି ।

ଏଇ ପିଣ୍ଡାରେ ଶୋଉନୁ, ଗଛ ମୂଳକୁ କିଆଁ ଯିବୁଲୋ ? କିଏ ଅଛିକି ଏଠି ?

ଶଶୀ ପିଣ୍ଡା ଉପରକୁ ଗଲା ।

ଖୁଡ଼ୀ, ସଞ୍ଜ ପହରୁ ଶୋଇଛ, ରୋଷେଇ କରିବ ନାହିଁ ? ଯୋଗାଇ ଦେବାକୁ ଆଇଚି ଉଠ ।

ବୁଢ଼ୀ ଘନ ଘନ କାଶିଲେ, ଲଟା କାଶ । କହିଲେ, ତୁ ଯା ପଳା, ମୋତେ ଚିଡ଼ାନା । ମଧୁ ମୋର କଟକ ଯାଇଛି, ଆଜି ରୋଷେଇ ହେବ ନାହିଁ । କିଏ ଖାଇବ ? ବୁଢ଼ୀ ପୁଣି କାଶିଲେ ।

ଓଃ, ଦିହରେ ତାତି ଯେ ଖଇ ଫୁଟୁଛି । ଏତେ ଗାଧୋଇଲେ ଜର ହେବ ନାହିଁ ?

ମୋ ଦିହରେ ହାତ ଦେଏନା ଲୋ ସବାଖାଈ । ଯା, କହୁଛି ।

 

ମୁହୂର୍ତ୍ତକ ପରେ ଫେରି ଯାଉଣୁ ମୋତି କହିଗଲା, ବୁଢ଼ୀଙ୍କି ଭାରି ଜର ଲୋ, ତୁ ପିଣ୍ଡା ଉପରକୁ ଯା । ବେଶୀ ବ୍ୟସ୍ତ ହେଲେ ମୋତେ ଡାକିବୁ । ମୋ ଘରଟା ଏଇ ସେଠି । ଏତିକି କହି ସେ ଚାଲିଗଲା ।

 

ଶଶୀ ପିଣ୍ଡା ଉପରକୁ ଉଠି କରିକିଆ ଶୋଇଲା, ଗୋଡ଼ତଳେ ବୁଲା । ନିଦ ହେବାର କଥା ନୁହେଁ, ହେଲା ନାହିଁ । ଛାତି ଭିତରୁ ଦୁଃଖର ଅଦମ୍ୟ କୋହ ଫୁଲି ଫୁଲି ଉଠିଲା । ତଥାପି ସେ ଆଖି ବୁଜି ପଡ଼ିରହିଲା । ଅବଶ ଦେହ ଓ ମନ କ୍ଲାନ୍ତ । ବ୍ୟଥିତ ଆତ୍ମା । ନିଦ ଆସିବାକୁ ଅମଙ୍ଗ । ତାର ଭାବନାର ଅନ୍ତ ନାହିଁ ।

 

ଘର ଭିତରୁ କାଶି କାଶି ବୁଢ଼ୀ କ୍ଷୀଣ କଣ୍ଠରେ କହିଲେ ମନକୁ ମନ– କିଏ ମଧୁ, ଏତେ ଡେରି କଲୁ ? ଟିକିଏ ତୁନି ରହି ବ୍ୟସ୍ତ ହୋଇ କହିଲେ, ଉହୁଁ, - ନା । ସେ ନାହିଁ । କାନ୍ଦଣା ସ୍ୱରରେ କହିଲେ, କାହୁଁ ପାଇବି ଆଉ ? ମଧୁ ମୋର ନାହିଁ । କାହୁଁ ପାଇବି ମୋ ସୁନା କୁଣ୍ଢେଇକୁ ?

 

ସୁକୁ ସୁକୁ କାନ୍ଦ ଶୁଭିଲା ।

ମୁଇଁ ନିଆଁ ନାଗୀ- ।

ଛାତିରେ ହାତ କୋଡ଼ିବାର ଶବ୍ଦ । ତା ପରେ ପୁଣି ତୁନି ତୁନି କାନ୍ଦ ।

 

ଶଶୀ ଆଖି ଖୋଲିଲା । ଭାବିଲା, ବୁଢ଼ୀ ପାଗଳ ହେଲେ ଶେଷକୁ ! ଭାରି ଜର । ଗୋଡ଼ରେ ହାତ ମାରିବାକୁ ତାର ଅଧିକାର ନାହିଁ । ଗାଳି ମନ୍ଦ, ଗଞ୍ଜଣା, ଛିଛାକର, ଗୋଇଠା ମାଡ଼କୁ ଆଉ ତାର ଡର ନାହିଁ । ଯାହାକୁ ଏତେ ଡରୁଥିଲା ତାହାକୁ ଝୁରି ମରୁଛି ଆଜି । ଗୋଡ଼ରେ ହାତ ମାରି ଗୋଇଠା ଖାଇବାର ସୁଖ, ଆନନ୍ଦ ଅଧିକାରରୁ ସେ ବଞ୍ଚିତା ।

 

ଅତୀତର ଦୁଃଖମୟ ଅଭିଜ୍ଞତାକୁ ସମୟ ସୁଖ-ସ୍ମୁତି କରିଦିଏ ।

ଦାଣ୍ଡ ବାଟରୁ କାହାରି କଥାଭାଷା ଶୁଭିଲା, ମୁଁ ଏଇଠି ଅଛି । ଆପଣ ଆସନ୍ତୁ ।

ହଉ– ।

ଗୋଡ଼ ଶବ୍ଦ କରି ପିଣ୍ଡା ଉପରକୁ ଉଠିଲେ କୁଞ୍ଜବାବୁ ।

କିଏ ଲୋ ତୁ ?

ମୁଁ ଭିଖାରୁଣୀଟା ବାବା !

ତୁ ଆସି ଏଠି ହାଜର ! ଯୁଆଡ଼େ ଗଲେ ତୁ ! ହଉ ହଉ–

ଶଶୀ ଉଠି ବସିଲା ।

 

ବୁଢ଼ୀଥିବା ଘର ଦ୍ୱାରମୁହଁକୁ କୁଞ୍ଜବାବୁ ଗଲେ । ଡାକିଲେ, ମାଉସୀ ମୋର ଏଇଠି । ମୁଣ୍ଡ ଅଣ୍ଟା ନୁଆଁଇ ପ୍ରଣାମ କଲେ । କହିଲେ, ମୁଁ କୁଞ୍ଜ ।

 

ବୁଢ଼ୀ ଚିଡ଼ି ଉଠି ପଚାରିଲେ, ମୋଠେଇଁ ତୋର କି କାମରେ ଖଣ୍ଡିଆ ?

ଅପା ଦେଖିବାକୁ ପଠେଇଛି । କାମ ବି ଥିଲା–

 

ମୁହଁରେ ମୋର ନିଆଁ ଦବାକୁ ଆଇଛୁ ? ଆଇଛୁ ଦେଖିବାକୁ ମଲିଣି କି ନାଇଁ ? କଞ୍ଚା ଡାଆଣୀ ମୁଁ ଜାଣି ଥା । କେତେ ଖାଇଚି, ତୁମକୁ ଖାଇବି, ତେବେ ଯାଇଁ ମରିବି । ମଧୁ–କାହୁଁ ଆଉ ପାଇବି ? ବୁଢ଼ୀଙ୍କର ସ୍ୱର ନରମ ହୋଇଆସିଲା-ଅଲକ୍ଷଣୀ ତାକୁ ଖାଇ ବାପ ଘରେ ପଇଚି । ଆଗ ସେଇଆକୁ ଖାଇବି, ତେବେ ଯାଇଁ ମରିବି । ଟୁନା ମୋର ଆସି ସେଇ ଗଛମୂଳେ ମୋ ମୁହଁରେ ନିଆଁ ଦେବ । ମଧୁ ସେଇଠି ଅଛି ।

 

ଟୁନା କାଲିଠୁଁ କୁଆଡ଼େ ପଳାଇଛି ମାଉସୀ, ତାକୁ ଖୋଜିବାକୁ ଆସିଥିଲି ।

 

ଟିକିଏ ରହି ବୁଢ଼ୀ କାନ୍ଦଣା ସ୍ୱରରେ ମନକୁ ମନ କହିଲେ, ପିଲାଟାକୁ ମୋର ମାରି ପକାଇଲେ । ମୁଁ ମନା କରୁଛି, କଥା ମାନିଲା ନାହିଁ, ଗଲା । କେତେ କହିଲି, ଶୁଣିଲା ନାହିଁ । ପିଲାଟାକୁ ମୋର ବିଷ ଦେଇ ମାରିଦେଲା କଞ୍ଚାଡାଆଣୀ । ହେ ଧର୍ମ, ତୁଇ ବୁଝିବୁ । ବୁଢ଼ୀ କାନ୍ଦିଲେ-

 

ବ୍ୟସ୍ତ ହୁଅନା ମାଉସୀ, ରୁଷିକରି କୁଆଡ଼େ ଯାଇଛି, ବଳେ ଆସିବ । ତା ବୋଉ ଉପାସ ଭୋକରେ କାନ୍ଦୁଛି। ଗୁନା ରାହା ଧରିଛି । କାଲିଠୁ ଜର । କଥା କିଛି ନାହିଁ, ଘରଭଙ୍ଗା ଲୋକଙ୍କ କୁଶିକ୍ଷାରେ ପଡ଼ି କୁଆଡ଼େ ସେ ଯାଇଛି । ହୁଏତ ଆସିବଣି । ସେ ନ ଆସିଲେ ତା ବୋଉ ପାଣି ଛୁଇଁବ ନାଇଁ ।

 

କିଏ ବା ତା ବୋଉ ? ତା ବୋଉ ମରିଛି । କଥା ପଦେ ସହି ପାରିଲା ନାହିଁ, ଚାଲିଗଲା-। ନିଜ ରାଗ ନିଜକୁ ଖାଇଲା । ଏଇଟା କିଏ ବା ? କୋଉ ସାହସରେ ମୋ ଆଗରେ ଭଲେଇ ହୋଇ କହୁଛୁରେ ? ନିଲଠା ମୁହଁରେ ତୋର ପାଣି ପଡ଼ିନାହିଁ । ପିଲାଟାକୁ ମୋର ମାରି ମାରି ଘରୁ ତଡ଼ି ଦେଇଛ, କି ବିଷ ଦେଇ ମାରି ନଈବାଲିରେ ପୋତିଛ । କଥା ଲୁଚାଇବାକୁ ସାଧୁପଣିଆ ଦେଖାଉଛ । ବିଷ ! ମହୁରା ! ସେଇ ଅଲକ୍ଷଣୀର କାନିରୁ ଫିଟାଇ ନଳାରେ ପକାଇଥିଲି ଦି’ ବର୍ଷ ଆଗେ । ମନେଅଛି, ଭୁଲେଇଲେ ଭୁଲିବି ନାହିଁ ।

 

ଶଶୀ ଅବୋଧ୍ୟ ଚିତ୍କାର କରି ଉଠିଲା । ଦୁଇ ଆଖରୁ ଲୁହ ଝରିଲା । କୁକୁରଟାର ପିଠିରେ ସଜୋରେ ଆଘାତ କରି କହିଉଠିଲା, କିରେ କାମୁଡ଼ୁଛୁ ବୁଲା ? ତାର କଣ୍ଠସ୍ୱର ଥରିଉଠିଲା । ନିରୀହ ବୁଲା କ୍ୟାଉଁ କ୍ୟାଉଁ ହୋଇ ଖଣ୍ଡେ ଦୂରକୁ ଘୁଞ୍ଚିଗଲା । ଆବାକାବା ହୋଇ ସେ ଶଶୀ ମୁହଁକୁ ଚାହିଁରହିଲା ।

 

କୁଞ୍ଜବାବୁ କହିଲେ, ବିଧବା ହେଲା ପରେ ଦୁଃଖରେ ନିଜେ ବିଷ ଖାଇବାକୁ ସେ ମହୁରା ରଖିଥିଲା । ମିଛରେ ତାର ଅପବାଦ ଦେଉଛ ।

 

ମିଛ ଅପବାଦ ଦେବାର ପରାଭବ ମୁଁ ପାଇଛି । ଆଉ ମିଛର ପାଖେ ପଶେ ନାହିଁ । ନୋହିଲେ, ଏ ଅଲକ୍ଷଣୀକୁ ଆଣି, ସୁନାଘର ମୋର ଚୂନା କରିନଥାନ୍ତି । ବିଷ ଖାଇ ମଲା ନାହିଁ ? ଆଜିଯାକେ ଖାଉନାହିଁ ? କିଏ ତା ହାତ ଧରୁଛି ? ଟୁନାକୁ ଓଷଦ କରି ପାଖକୁ ନେଇଥିଲା ଏଇଥି ସକାଶେ ? ମୁଁ ମନା କରୁଛି ! ମନା ଘିତିଲା ନାହିଁ । କିମିଆ ଓଷଦ ପେଟରେ ପଡ଼ିଛି, ତାର କି ଚାରା ? ପିଲାଟାକୁ ସେ ମାରିଦେଲା । ଦୟା ହେଲା ନାହିଁରେ ତମର? ଛେଉଣ୍ଡ ପିଲା । ଧର୍ମ ସହିବ ନାହିଁ । ଗୋଟି ଗୋଟି ହୋଇ ବାଡ଼ିରେ ଯିବ । ବୁଢ଼ୀ ଟିକିଏ ତୁନି ହୋଇ କହିଲେ, କିଏ ମୋ ମୁହଁରେ ନିଆଁ ଦେବ, କେମିତି ମୋର ଦିନ ସରିବ ?

 

କୁଞ୍ଜବାବୁ ଧୀରେ ଧୀରେ ପିଣ୍ଡାରୁ ଓହ୍ଲାଇ ଚାଲିଗଲେ ।

 

ମିଛ ଅପବାଦ ଦେବାର ଫଳ ସେ ପାଇଛନ୍ତି । ଯଥେଷ୍ଟ ହୋଇନାହିଁ । ଗୋଟାଏ ସରଳ ନିର୍ମଳ ଜୀବନକୁ ପ୍ରତ୍ୟକ୍ଷରେ ନହେଲେ ପରୋକ୍ଷରେ କାଦୁଅ ଭିତରକୁ ନରକକୁ ଠେଲି ଦେଇଛନ୍ତି-। କି ଦୁଃଖରେ କି ଯନ୍ତ୍ରଣାରେ ଦଶଟି ବର୍ଷ କଟାଇଛି, ତାର ଦିନକର ଦୁଃଖ ସଙ୍ଗେ ବୁଢ଼ୀଙ୍କର ଆଜୀବନ ଅନୁତାପ ଓ ଦୁଃଖ ତଉଲରେ ସମକଛ ହେବ ନାହିଁ । ସାମାନ୍ୟ ହୁଡ଼ିଲାରୁ ଯଦି ଜଣକର ସର୍ବନାଶ ହୁଏ, ପରେ ଅନୁତାପ କଲେ ତାର ଆଉ କି ଲାଭ !

 

ନିଶା ଗର୍ଜ୍ଜୁଛି । ରାତି କେତେ କେଜାଣି । ଶଶୀର ଆଖି କଷା ପଡ଼ି ନାହିଁ । ପାଖ ଟୁଙ୍ଗି ଘରୁ ବୁଢ଼ୀଙ୍କର କୁନ୍ଥା ଶୁଭୁଛି । ବଡ଼ କରୁଣ, ଛାତିଫଟା । କାନରେ ବାଜୁଛି, ହୃଦୟରେ ବାଜୁନାହିଁ, ଉପରେ ଉପରେ ଭାସିଯାଉଛି । କୋମଳ ଛାତି ତାର ପଥର ହୋଇଛି । ସେ ଭାବୁଛି ନିଜର ଗତକଥା । ରାତି ଆସି ଏତେ । ଏଇ ଶାଶୁ ! ଓଃ, କେତେ ସହିଛି, ତୁଣ୍ତ ଖୋଲି ନାହିଁ । ଶେଷକୁ ଅକଥା, ଅପବାଦ । ଛି, ଏଇ ଶାଶୁ ସେ ଘୃଣାରେ ଜୀବ, ଦୟାର ପାତ୍ର ନୁହଁନ୍ତି ।

 

ଅନୁତାପ କରିଥିଲେ ପରା, ଛଅମାସ ପରେ ! ନା, ଅନୁତାପ ନୁହେଁ, ପୁଅର ଦୁଃଖ ସହିନପାରି ଘୃଣାରେ, କେଜାଣି ବା ଅପମାନରେ, ଅନିଚ୍ଛାରେ ଲୋକ ପଠାଇଥିଲେ ଫେରାଇ ଆଣିବାକୁ । ଗ୍ରହଣ କରିଥାନ୍ତେ ? କେତେ ହୀନାବସ୍ଥା କରିଥାନ୍ତେ । ପଦପଦକେ ଖୁଣ୍ଟା, ପଦପଦକେ ଗୋଇ ଖୋଳା, ମାଡ଼ ଗାଳି । କୁକୁର ବିଲେଇ ପରି ତଳେ କୁଢ଼ାଇ ଦିଅନ୍ତେ ମୁଠାଏ । ଘରୁ ବାହାର ଯାଏ ସମସ୍ତେ କହନ୍ତେ । ତୁଣ୍ଡ ସୁଖ, ହାତ ଗୋଡ଼ ସୁଖ, ମନ ସୁଖ, ଟାହି ଟାପରା ଉଡ଼ନ୍ତା ତାଆରି ଉପରେ ।

 

କାନ୍ଦି କାନ୍ଦି ଦିନ କଟନ୍ତା ନାହିଁ । ସରମରେ ମୁଣ୍ଡ ନୁଆଇଁ ରହନ୍ତା । କାମ କରି ହାଡ଼ ଭାଙ୍ଗନ୍ତା । ତଥାପି, ଦିନ ସରନ୍ତା ନାହିଁ । ସରଗରେ ଦାସ ହୋଇ ମଥା ନୁଆଁଇ ରହିବାଠାରୁ ନରକରେ ସ୍ୱାଧୀନ ଚଢ଼େଇ ହୋଇ ମନ ଖୁସିରେ ଉଡ଼ିବୁଲୁଛି ସେ । କେହି କହିବାକୁ ନାହିଁ । ତାର ସ୍ୱାଧୀନ ଗତିରେ ବାଧା ଦେବାକୁ କେହି ନାହିଁ । କେତେ ଡାଳରେ ବସିଛି। କେତେ ଘାଟରେ ପାଣି ପିଇଛ । ଦୁନିଆଁକୁ ହାଡ଼େ ହାଡ଼େ ଚିହ୍ନିଛି । କୌଣସିଠାରେ ବସା ବାନ୍ଧିନାହିଁ । ବାନ୍ଧିବାର ଅଭିପ୍ରାୟ ନାହିଁ ।

 

ଫେରାଇ ନେବାକୁ ଖବର ପଠାଇଥିଲେ ଲୋକ ହାତରେ । ନିଜେ ସେ ଆସିପାରିଲେ ନାହିଁ ? ହୁଏତ ଅବିଶ୍ୱାସ କଲେ । କେଜାଣି ବା ମାଆଙ୍କର ଡର ? ମୂଷାଛୁଆ ପରି ନିରୀହ, ନିର୍ବୋଧ । ସେ ଫେରି ଆସିଥାନ୍ତା ଜଳନ୍ତା କଡ଼େଇ ଭିତରକୁ, ସନ୍ତୁଳି ହୋଇ ଛଟପଟ ହେବାକୁ ?

ଅବୋଧ ବାଳୁତ ଟୁନା ! ତାକୁ ଭୁଲ୍‌ ବୁଝାନ୍ତେ । ବେଳ ଆସନ୍ତା, ସେ ବି ଘୃଣା କରନ୍ତା । ଆଖି ଖୋଲି ଦୁନିଆକୁ ଅନାଇଁବାକୁ ଶଶୀର ସାହସ ହୁଅନ୍ତା ନାହିଁ । ଆଖି ଥାଉଣୁ ସେ ହୁଅନ୍ତା ଅନ୍ଧ, କାନ ଥାଉଣୁ କାଲ, ଜିଭ ଥାଇ ମଧ୍ୟ ମୂକ । ବରଂ ନରକର ପଙ୍କ ଏହାଠାରୁ ଭଲ, ଶହେ ଗୁଣେ ଭଲ । ତା ଭିତରେ ଜୀବନ ଅଛି । ଜୀବନକୁ ଭଲ ମନ୍ଦରେ ଉପଲବ୍ଧି କରିବାର ସୁବିଧା ସୁଯୋଗ ଅଛି ! ଉପଭୋଗ କରିବାର ଆଶା ଆକାଂକ୍ଷା ଅଛି ।

ଶଶୀର ଛାତି ଥରି ଉଠିଲା ଭୟରେ । ଆଖି ଖୋଲି ଚାହିଁଲା ଚାରିଆଡ଼କୁ, ଭୟରେ,ସନ୍ଦେହରେ, ଯେପରି କି ମନର ଚିନ୍ତା କିଏ କାନ ପାରି ଶୁଣୁଛି । କେହି ନାହିଁ । କୋଳରେ ବୁଲା, ଗହନ ନିଦରେ ନିଶ୍ଚିନ୍ତ । ଆର ଘରୁ ଭାସିଆସୁଛି ବୁଢ଼ୀଙ୍କର କୁନ୍ଥା ।

ଅବଶ ଆଖିପତା ବୁଜିହୋଇଗଲା ।

ମନ ଅଧୀର ହୋଇ ପୁଣି ଅତୀତରେ ଭାବନା ବାଟରେ ଧାଇଁଲା, ସେ ଅଟକିରହିବାର ନୁହେଁ ।

 

ନରକକୁ ଖୋଜିବାକୁ ସେ ଯାଇନଥିଲା । ସବୁ ଅଭିମାନ ସବୁ ରାଗ ପଛକୁ ପକାଇ ସେ ଆତ୍ମସମର୍ପଣ କରିବାକୁ ଯାଉଥିଲା । କ୍ଷମା ମାଗିଥାନ୍ତା ବିନା ଦୋଷରେ । ବାଧା ଦେଲା ନିୟତି, ତାର ଅଦୃଷ୍ଟ । ଏଥିକି ହାତ କାହାର ?

 

ରେଲ ଗାଡ଼ି ଭିତରେ - ଟିକଟ୍‌ ଟିକଟ୍‌, ଟି.ଟି.ଆଇ.ର ଧମକ । ଷ୍ଟେସନ ହେଲାଣି, ଓହ୍ଲାଇ ଯାଅ । ଶଶୀର ହାତଧରି ଲୋକଟା ଟାଣିଆଣିଲା ପ୍ଲାଟଫର୍ମ ଉପରକୁ । କେତେ ଲୋକ, କେଡ଼େ ଭିଡ଼ । ସମସ୍ତେ ତତ୍ପର, ସମସ୍ତେ ଚଞ୍ଚଳ । କେତେ ଚଳନ୍ତି ଆଖି ତା ଉପରେ ପଡ଼ିଲା ।

 

ଲୋକଟାର ପଛେ ପଛେ ସେ ଚାଲିଥାଏ, ଜାଣେନା କେଉଁଠିକି । ପ୍ରତିବାଦ କରି ପଚାରିବାକୁ ମୁହଁ ଖୋଲୁନଥାଏ । ଦେହ ବରଡ଼ାପତ୍ର ପରି ଥରୁଥାଏ । ବିନା ଟିକେଟ୍‌ରେ ସେ ଯାଉଛି - ଏତିକି କହି ଆଗନ୍ତୁକ ଫେରିଗଲା । ଆଗରେ ଆଉ ଜଣେ ଲୋକ । କେଡ଼େ ଭୟଙ୍କର ତାର ରୂପ । ତାଆର ହାତରେ ଶଶୀକୁ ସେ ସମର୍ପି ଦେଇଗଲା ।

 

କୁଆଡ଼େ, ହାତ ଦେଖାଇଲା ଗୋଟିଏ କଡ଼କୁ । କଥା ମାନି ଶଶୀ କାନ୍ଥ କଡ଼କୁ ଆଉଜିଗଲା । ଘୋଡ଼ାଗାଡ଼ି ଓ ମଟରଗାଡ଼ିର ଶବ୍ଦ ବନ୍ଦ ହେଲା । ରେଳ ଗାଡ଼ି ଷ୍ଟେସନ ଛାଡ଼ିଲା । ଲୋକ ଗହଳି ଭାଙ୍ଗିଲା । ଲୋକଟି ପାଖକୁ ଆସି ଶଶୀର ରକ୍ତହୀନ ପାଣ୍ଡୁର ମୁହଁକୁ ଚାହିଁଲା । ଦୂରରେ ଉଜ୍ଜ୍ୱଳ ଗ୍ୟାସ ଆଲୁଅ । ଦୟାମାୟାହୀନ କେଡ଼େ କୋଠର ମୁହଁଟା ତାର – ରାକ୍ଷସଠୁଁ ବଳି-

 

ଦେ ଦିଟଙ୍କା ବାରଣା ।

ତାର ଚଢ଼ା କଥା । କେଡ଼େ କର୍କଶ ସ୍ୱର ।

 

ମୋ ପାଖରେ କିଛି ନାହିଁ । ମୁଁ ଗରିବ ଲୋକ – ଗଳା ଥରି ଉଠିଲା । ଶଶୀର ଆଖି ଲୁହ ଢଳଢଳ ହେଲା ।

 

ରେଲ ଗାଡ଼ିରେ ବସିଛୁ ବିନା ପଇସାରେ ?

କି ଭୟଙ୍କର ତୀକ୍ଷ୍ଣ ଆଖି ତାର, ସତେକି ଛାତି ଭେଦିବ ।

 

ଶଶୀ କହିଲା, ମୋ ପୁଅକୁ ଦେଖିବାକୁ ଯାଉଛି । ମୋ ପାଖରେ ପଇସା କଉଡ଼ି କିଛି ନାହିଁ । ତମର ଗୋଡ଼ ଧରୁଛି, ମତେ ଛାଡ଼ିଦିଅ ।

 

ଶଶୀର କଥା ତାର କାନରେ ବାଜିଲା ନାହିଁ । ସେ କହିଲା, ହଉ ଆ ।

 

ଶଶୀର ହାତକୁ ଚାପି ଧରି ଷ୍ଟେସନ ଭିତରୁ ବାହାରିଆସିଲା ପଦାକୁ । ଘୋର ଅନ୍ଧାର-। ମୁହଁକୁ ମୁହଁ ଦିଶୁ ନାହିଁ । ଆଗେ ଆଗେ ସେ ଚାଲିଛି । ଗୋଟିଏ ହାତରେ ଟର୍ଚ୍ଚ ଆଲୁଅ, ବେଳେ ବେଳେ ଟିପି ଦେଉଛି । ଆର ହାତ ମୁଠା ଭିତରେ ଶଶୀର କଚଟି ଓଟାରି ନେଉଛି ଆଗକୁ । ଅଟକି ରହିବାର ଉପାୟ ନାହିଁ । ବାଧା ଦେବାର ଶକ୍ତି ନାହିଁ । ଭାବିବାକୁ ସମୟ ନାହିଁ ।

 

କୁଆଡ଼େ ନେଉଛ ମୋତେ ?

ସେ ନିରୁତ୍ତର ।

 

କେତେ ଦୂର ଆସିଲା ଜାଣେ ନାହିଁ । ଆଗରେ ଘର । ଜଞ୍ଜିର ଖଡ଼ ଖଡ଼ କଲା । ପିଲାଟାଏ କବାଟ ଖୋଲିଲା । ଦଶ ବାର ବର୍ଷର ପିଲାଟି । ହାତରେ ନଲଟଣ । ତାର ବିସ୍ମିତ ଆଖି ଶଶୀ ଉପରେ ପଡ଼ିଲା । ପଚାରି ଦେଲା, କିଏ ସେ ? ଉତ୍ତର ସ୍ୱରୂପ ଗାଲରେ ଗୋଟାଏ ବ୍ରହ୍ମଚାପୁଡ଼ା ବାଜିଲା । ଚାକର ଟୋକାଟି ହେବ ପରା, ଜବାବ ଦେଲା ନାହିଁ । କାନ୍ଦିଲା ନାହିଁ । ପଛକୁ ହଟିଗଲା ।

 

ଆରପାଖ ଘର ଖୋଲି ଦେ ।

 

ପିଲାଟି ଚାଲିଗଲା । ଲୋକଟାର ପଛେ ପଛେ ଶଶୀ ଗଲା ଘର ଭିତରକୁ । ଖଞ୍ଜା ଭିତରେ ଅନ୍ୟ କେହି ନାହିଁ । ଜାଗାଟା ଖାଁ ଖାଁ ଲାଗୁଛି । ମନରେ ସନ୍ଦେହ ହେଲା । ନିରାଶ ଆଖିରେ ଚାରି ଆଡ଼କୁ ଚାହିଁଲା । କାହାକୁ ଡାକିବ ? କିଏ ସାହାଯ୍ୟ କରିବ ? ବିପଦରୁ ଉଧାରିନେବ ? ଆକୁଳ କଣ୍ଠରେ ପଚାରିଲା, ମୋତେ କାହିଁକି ଏଠାକୁ ଆଣିଛ ?

 

ସେଇ ଘରକୁ ଯା, କହି ସେ ଶଶୀକୁ ଖୋଲା କୋଠରୀ ଭିତରକୁ ଠେଲିଦେଲା । ନଲଟଣ ଜଳୁଛି । ବାହାରୁ କବାଟ ବନ୍ଦକଲା । ନଲଟଣ ସେମିତି ଜଳୁଥାଏ । ବେଳ ବିତିଲା । ପଲଙ୍କ ଉପରେ ପରା ହୋଇଛି ସଫା ବିଛଣା । କାହା ପାଇଁ ? ଲୋକଟାର ଉଦ୍ଦେଶ୍ୟ କଣ ? ମୁଣ୍ଡ ଘୁରି ଗଲା । ଘର ଭିତର ଅନ୍ଧାର ଦିଶିଲା ତା ଆଖିକି । ଆହା, ସାଙ୍ଗରେ ଯଦି ଶ୍ରୀମତୀ ଆସିଥାନ୍ତା !

 

ଗୋଟିକ ବୋଲି ଝରକା, ରେଲିଂ ଦିଆ । ଝରକା ଖୋଲିଲା । ବାହାରଟା ଅରମା । ସେ ବାଟେ ପଳାଇ ଯିବା ଅସମ୍ଭବ । ବନ୍ଦୀ ସେ । ଆତ୍ମ ସମର୍ପଣ କରିବ ? ଭାଗ୍ୟରେ ତାର ଏଇଆ ଥିଲା ? ମୁଣ୍ଡରେ ହାତ ଦେଇ ତଳେ ବସିପଡ଼ିଲା । ଅତୀତ, ବର୍ତ୍ତମାନ, ଭବିଷ୍ୟତ ତାର ମୁଣ୍ଡଭିତରେ ଚକାଭଉଁରୀ ଖେଳିଲେ । କାହାର ସ୍ପର୍ଶ ପାଇ ସେ ଚମକିଉଠିଲା । ଘୁଞ୍ଚି ଯାଉଥିଲା ଦୂରକୁ, ହାତ ତାର ବନ୍ଦୀ ହେଲା ।

 

ଓଟାରି ନେଇ ପାରିଲା ନାହିଁ । ନିଶ୍ଚଳ ହୋଇ ତାରି ମୁହଁକୁ ଚାହିଁ ଠିଆ ହୋଇ ରହିଲା । ଆଖିରୁ ଦର ଦର ଲୁହ ଝରିଲା । ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ଲୋକଟି କହିଲା– ଶୁଣ୍, ସଂସାରରେ ମୋର କେହି ନାହିଁ । ମୁଁ ଅଜାତି, ମୁଁ ବେଶ୍ୟାର ପୁଅ । ତାର କଣ୍ଠସ୍ୱର କରୁଣ, ଆଖିର ଆଲୁଅ ନିଷ୍‌ପ୍ରଭ ।

 

ଛାଡ଼ିଦିଅ ମୋତେ । ମୁଁ ଯାଏ.... । ଶଶୀ ଅନୁରୋଧ କଲା ।

 

ଲୋକଟି ତାର ହାତ ଛାଡ଼ିଦେଲା । ଆଖିରେ ପିପାସାର ନିଆଁ ସତେ କି ଜଳିଉଠିଲା ଦାଉ ଦାଉ । କହିଲା, ବନ୍ଧନହୀନ ମୋର ଜୀବନ । ସମାଜ, ସଂସାର ମୋତେ ଘୃଣା କରେ; କିନ୍ତୁ ମୁଁ ବନ୍ଧନ ଚାହେଁ, ନୋହିଲେ ସଂସାରରେ ରହିବି କିପରି ? କେତେ ପଥର ଆଗରେ କେତେ ମିନତି କରିଛି, ଜୀବନ ସାରା । ପ୍ରାଣର କଥା ଖୋଲି କହିଛି - ଉତ୍ତର ପାଇନି । ସମସ୍ତେ ମୋତେ ଘୃଣା କରିଛନ୍ତି; କିନ୍ତୁ ମୁଁ ଚାହେଁ ବନ୍ଧନ । ମୋର ଯାହା ଅଛି ସବୁ ତମରି ଗୋଡ଼ ତଳେ ସମର୍ପି ଦେବି ।

 

ଲୋକଟାର ଛାତି ଭିତରେ କେତେ ଦୁଃଖ, କେତେ ବ୍ୟଥା ! ବାହାରଟା ଏଡ଼େ କଠିନ ?

ତାର ମନର କାମନା ବୁଝିପାରି ଶଶୀ କହିଲା, ମୁଁ ବିବାହିତା, ସ୍ୱାମୀ ପୁଅ ଧରି ଘର କରେ ।

 

ନିଜ ହାତରେ କବାଟ ଖୋଲି ଲୋକଟି ବିନୀତ ହୋଇ କହିଲା, ସତେ, ତମେ ବିବାହିତା ? କ୍ଷମା କର । ଭୁଲ ବୁଝିଥିଲି । ତୁମେ ଘରୁ ପଳାଇ ଆସିଛ, ସମାଜ ତମକୁ ତ୍ୟାଗ କରିଛି । ଜୀବନଟା କାଳେ ନଷ୍ଟ କରିଦେବ, ସମାଜ ଉପରେ ଦାଉ ସାଧିବାକୁ ଯାଇ ନିଜ ଉପରେ ଦାଉ ସାଧିବ, କେତେ ତ ଏହିପରି କରନ୍ତି ମୁଁ ଜାଣେ, ସେଇଥି ପାଇଁ ତୁମକୁ ଘରକୁ ଆଣିଲି । ମନର ଦୁଃଖ ଖୋଲି କହିଲି ।

 

ଟିକିଏ ରହି କହିଲା, ମୋତେ କ୍ଷମା କର । ଯେ ଅବାଟରେ ଚାଲିନାହିଁ ଅଥଚ ଯାହାକୁ ସମାଜ ଅବାଟକୁ ଠେଲିଦେଇଛି, ମୁଁ ତାକୁ ହିଁ ଚାହେଁ । ତାରି ଗୋଡ଼ତଳେ ମୋର ସର୍ବସ୍ୱ ସମର୍ପି ଦେବି । ଅନ୍ୟ କାମନା ମୋର ନାହିଁ । ସମାଜ ମୋତେ ବି ପରିତ୍ୟାଗ କରିଛି, ବେଶ୍ୟାର ପୁଅ ମୁଁ, ସମସ୍ତଙ୍କର ଘୃଣ୍ୟ ।

 

ନୀରବରେ ଘର ଭିତରୁ ବାହାରି ଯାଉଁଣୁ ଦ୍ୱାରବନ୍ଧ ପାଖେ ଗୋଡ଼ ଅଟକିଗଲା । ଲୁହଧୁଆ ମୁହଁ ପଛକୁ ଫେରାଇ ବିସ୍ମିତ ହୋଇ ପଚାରିଲି, ସତେ ? ଆହୁରି ବିସ୍ମିତ ହେଲି ଲୋକଟିର ଆଖିରେ ଲୁହ ଦେଖି । ଛାତି ଭିତରେ ତୁମୁଳ ଆନ୍ଦୋଳନ । ଗୋଟାଏ କଥା ମନକୁ ତୁହାଇ ତୁହାଇ ଘାଣ୍ଟି ଚକଟି ପକାଇଲା, ଗୋଟାଏ ପ୍ରଲୋଭନ- ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବି ?

 

ସେହି ମୋର କାମନା । ଟିକିଏ ରହି ରୁଦ୍ଧ କଣ୍ଠରେ ଲୋକଟି କହିଲା, ମୋତେ ଠକି ନିଜକୁ ଠକି ନରକରେ ପଶ ନାହିଁ । ଆଗରୁ ସାବଧାନ କରି ଦେଉଛି । ମୋର ଶୂନ୍ୟ ଘର, ଶୂନ୍ୟ ପ୍ରାଣ ତମେ ପୂର୍ଣ୍ଣ କର ।

 

ଶଶୀ ନିରୁତ୍ତର । ପଦାକୁ ବାହାରି ଆସିଲା । ଅନ୍ଧାର ରାସ୍ତା । ମୁହଁକୁ ମୁହଁ ଦିଶୁ ନାହିଁ । ଆଗକୁ ଚାଲିଲା । ପଛକୁ ଚାହିଁବାକୁ ଡର ମାଡ଼ିଲା ।

 

ଗୋଟାଏ ଲମ୍ବ ଚଳନ୍ତି ଆଲୁଅ ହଠାତ୍‌ ତା ମୁହଁ ଉପରେ ପଡ଼ିଲା । ଆଖି ଝଲସିଗଲା । ଶୁଣିଲା ମଟର ହର୍ଣ୍ଣ । ବାଜିଲା ମଟର ଧକ୍‌କା । ପର ମୁହୂର୍ତ୍ତରେ ଚିତ୍କାର କରି ସେ ରାସ୍ତା କଡ଼ରେ ପଡ଼ିଲା । ହତଜ୍ଞାନ ।

•••

 

୧୪

 

ଘର ଭିତରୁ ବୁଢ଼ୀଙ୍କର ବାନ୍ତି କରିବା ଶବ୍ଦ ଶୁଣି ଶଶୀର ଭାବନା ଭାଙ୍ଗିଲା । ସେ ଉଠି ବସିଲା । କେତେ ଅବସ୍ଥା ଶାଶୂ ହେଉଛନ୍ତି, ତାଆରି ଆଖି ଆଗରେ । କେମିତି ସହିବ ? ଗଲାକଥା ଯାଇଛି, ଯେତେ ଯାହା କରନ୍ତୁ, ଶାଶୁ ତ ! ସ୍ୱାମୀ ଥିଲେ ଆଜି କେତେ ସେବା କରୁଥାନ୍ତେ ! ଛି, ସେ କାହିଁକି ଅନାଇ ବସିଛି ?

ଘରର ଦ୍ୱାରବନ୍ଧକୁ ଗଲା । ଶାଶୁ ଉଲଗ୍ନ ହୋଇ ପଡ଼ିଛନ୍ତି । ବାନ୍ତି ଉଚ୍ଛାଳ, ଘରସାରା ଭାସୁଛି । ସେ ନିର୍ବିକାର ହୋଇ ଘର ଭିତରକୁ ପଶିଲା । ବୁଢ଼ୀଙ୍କର ଦେହରେ ହାତ ମାରି ଦେଖିଲା, ତାତିରେ ଖଇ ଫୁଟୁଛି । ଛୋଟ ଘରଟି ପରିଷ୍କାର କଲା ନିଜ ହାତରେ । ବୁଢ଼ୀଙ୍କର ଦୁର୍ବଳ ମୁଣ୍ଡ ତାର କୋଡ଼ରେ । ଠଣାରେ ଆଲୁଅ । କାନ୍ଥ କଡ଼ରେ ଆଲମନିଆ ବାଟିରେ ଥଣ୍ଡା ପାଣି । ଖଣ୍ଡେ ଚାରି ଚଉତ ଭଙ୍ଗା କନା ଅଧାବୁଡ଼ା ହୋଇ ଭାସୁଛି । ବୁଢ଼ୀଙ୍କ ମୁଣ୍ଡରେ ପାଣି ପଟି ସେ ଦେଲା ।

ତାତି କମି ଆସିଲା । ଆଖି ମେଲି ବୁଢ଼ୀ ଚାହିଁଲେ । କହି ଉଠିଲେ, କିଏ ତୁ ରାତି ଅଧରେ ? ଯା ଯା, ମୋ ମୁଣ୍ଡରେ ପାଣି ଢାଳୁଛୁ କେଉଁ ସାହସରେ ଲୋ ? ମଧୁ ମୋର ଆସିବ, ଦେଖିଲେ ତୋର ଚୁଟି ରହିବ ନାହିଁ ।

ମୁଣ୍ଡ ଟେକି ଉଠିବାକୁ ଚେଷ୍ଟା କଲେ । ପାରିଲେ ନାହିଁ । ମୁଣ୍ଡ ପୁଣି ଖସିପଡ଼ିଲା ଶଶୀର କୋଡ଼ ଉପରେ । ଆଖି ବୁଜିଲେ ।

ଶୋଇପଡ଼ ମା ।

ପୁଣି ଚିତ୍କାର କରି ଉଠିଲେ- ଯା ଛତରଖାଈ, ଆଇଚି ମୋ ମରଣ ଦେଖିବ । ଖୋଜୁଛୁ ଯାହା ପାଇବୁ ନାଇଁଲୋ, ପାଇବୁ ନାଇଁ । ଟୁନା ମୋର ଆସିବ । ପୁଣି ପାଟି କରି ଉଠିଲେ, ଆଉ କାହୁଁ ପାଇବି ମଧୁକୁ ? ମୁଁ ତାକୁ ଖାଇଛି, ମୁଁ ! ଆହା, ପାଟି ଶୁଖି ଯାଉଚି । ହେଇଟି ସେ ଡାକୁଛି, ଯେମିତି ପଚାରୁଛି– ବୋଉ, ସତ କହ, ସତେ କଅଣ ମୋ ଦୁଃଖୀ ଏଡ଼େ ଖରାପ ? ସତେ ତୁ ତାର ଖରାପ ଢଙ୍ଗ ଦେଖିଛୁ ? ଦେଖି ନାହିଁ, ବାପ ଦେଖି ନାହିଁ, ଖାଲି ସନ୍ଦେହ କରିଥିଲି । ବୁଢ଼ୀର ବୁଜିଲା ଆଖିରୁ ଲୁହ ଝରିଲା ।

ବେଶି ଗପନା, ଶୋଇପଡ଼ । ବୁଢ଼ୀଙ୍କ ମୁଣ୍ଡରେ ଧୀରେ ଧୀରେ ହାତ ଚାଳିଲା । ଶଶୀର ଆଖିରେ ଲୁହ ଭରିଗଲା ।

ବୁଢ଼ୀ କିଛି ସମୟ ତୁନି ହୋଇ ରହିଲେ । କ୍ଷୀଣ କଣ୍ଠରେ କହିଲେ, ଗୋଡ଼ ଦିଟା ମୋର ଛିଣ୍ଡି ପଡ଼ୁଛି । ଓଃ ! ସେ ଗୋଡ଼ ଛଟପଟ କଲେ ।

ମୁଁ ଆଉଁସି ଦିଏଁ । ଶଶୀ ତାଙ୍କର ମୁଣ୍ଡକୁ ଧୀରେ ଧୀରେ ତକିଆ ଉପରେ ରଖି ଗୋଡ଼ ତଳକୁ ଗଲା । ଏ ମୋ ମୁହଁରେ ନିଆଁ ଦେବ ? ଟୁନା ନାହିଁ । ତାକୁ ବିଷ ଦେଇଛି ଚଣ୍ଡାଳୁଣୀ, ବିଷ ! କାନିରେ ବାନ୍ଧିଥିଲା, କାନିରେ !

ତୁନି ହ ମା, ମୁଁ ନିଜେ ଦେଖି ଆସିଛି ଟୁନାକୁ । କେହି ତାର କିଛି କରିପାରିବେ ନାହିଁ । ସେ ଭାରି ଚଲାଖ ।

ମିଛେଇ, ଭାର୍‌ ଏଠୁ ! ବୁଢ଼ୀ ଉତ୍ତେଜିତ ହୋଇଉଠିଲେ ।

ବ୍ୟସ୍ତ ହୁଅନା ସାନ୍ତାଣୀ, ମିଛ କହୁନି । ଭିକାରୁଣୀ, ବାର ଜାଗା ମାଗି ଖାଏ । କାଲି ଥିଲି ସେ ଗାଁରେ - ନରଦା । କଣ କହିବି, ପିଲାଟାକୁ ଯେତେ ଅବସ୍ଥା ଦେଲେ ? ଆଖିରେ ଦେଖିଛି। ବେଶିତ ତାର ସେଇ ବାଘୁଣୀ ସାବତମା ! ଏକା ସେଇ ଶାନ୍ତିଟି ଲକ୍ଷ୍ମୀ ପ୍ରତିମା । ତାରି ମନ ତଟେ । ଭାଇକି ଭାରି ଭଲ ପାଏ – ଏହା କହି ଗୋଡ଼ ଆଙ୍ଗୁଠି ଫୁଟେଇଲା ।

ଖୁସି ହେଲେ ବୁଢ଼ୀ । କହିଲେ, ତୁ ଦେଖିଛୁ ? ଶାନ୍ତି ଖତ କୁଢ଼ରେ ମାଣିକ । ଭାରି ଭଲ ପାଏ । ମୋ କାନି ଧରି ପଛେ ପଛେ ସବୁବେଳେ ଗୋଡ଼ାଇଥାଏ । ବାଘୁଣୀ-ମା ପେଟରେ କେଉଁଠି ଥିଲା ସେ କେଜାଣି ? ଯେତେ କହିଲି, ନେହୁରା ହେଲି, ପିଲାଟା ଯେତେ କାନ୍ଦିଲା, ମୋ କାନିତଳେ ଲୁଚିଲା, ରାହା ଧରିଲା- ଆଈମା ପାଖେ ରହିବି, ଚଣ୍ଡାଳୁଣୀ ଶୁଣିଲା ନାହିଁ । ଏକା ନା- ଶାନ୍ତି ନ ଗଲେ ଗୁନାକୁ କିଏ ସମ୍ଭାଳିବ ? ପିଲାଟାର ଡେଣା ଧରି ଘୋଷାରି ନେଲା । କିଏ କହିବ-? ମହତ ସାରିବ । ସବୁବେଳେ ମୁଁ ଡରି ମରୁଥାଏ ଲୋ !

ବଡ଼ ଦୁଷ୍ଟ ଲୋକ । ବିନା କାରଣରେ ପିଲାଟିକୁ ମାରିପକାଇଲା । ସେ ରାତି ରାତି କୁଆଡ଼େ ପଳେଇଲା ।

ଚିତ୍‌କାର କରି ଉଠିଲେ ଆକୁଳ ହୋଇ, କହ କହ - କାହାକୁ ? ଟୁନାକୁ ? ଅରକ୍ଷିତ ପିଲାଟି । ଛେଉଣ୍ଡ । ଦୟା ହେଲାନି, ମାଇଲା ? ହାତ ଗୋଡ଼ ଛିଡ଼ିପଡ଼ିବ । ଯେତେ କହିଲେ ମାନିଲା ନାହିଁ - ଗଲା । ରହିଥାନ୍ତା ଯଦି ଶାନ୍ତି ଥାଆନ୍ତା । ଏଡ଼ିକି ଭଲ ପାଏ ! ହଉ, ଧର୍ମ ଦେଖୁଛି । ପୁଣି କହିଲେ, କାହାକୁ କହିବି ? ଦେବୀ ପ୍ରତିମାକୁ ନିଜ ହାତରେ ପାଣିକି ଠେଲିଛି । ବୁଡ଼ିଲା କି ଅକୂଳରେ ଲାଗିଲା ଜାଣେ ନାହିଁ । ଲକ୍ଷ୍ମୀ ମୋର ଘରୁ ଗୋଡ଼ କାଢ଼ିଲା । ଶିରୀ ତୁଟିଲା । ବାଛି ବାଛି ଅଲକ୍ଷଣୀକୁ ଆଣି ଘରେ ଥାନ ଦେଲି । କାହୁଁ ଅମଙ୍ଗଳ ଘୋଟିଆସିଲା ।

ତୁନୀ ହ ! ଯାହା ହେବାର ତ ହୋଇ ସାରିଛି ।

ତୁ ମୋ ହାକିମ କିଲୋ, ମୁହଁରେ ହାତଦେଇ ତୁନି କରିବୁ ? ଆଖିରେ ହାତ ଦେଇ ଲୁହ ଅଟକାଇବୁ ? ଛାତିରେ ପଥର ଲଦି ଦୁଃଖର କୋହ ଚାପିଦେବୁ ? ଏଡ଼େ ସାହସ ? ଛତରୀ, ମୋ ଗୋଡ଼ରେ ହାତ ଦେଲୁ, ମୋତେ ଛୁଇଁଲୁ । ରାତି ଅଧରେ କେଉଁଠି ଗାଧୋଇବି ? ବୁଢ଼ୀ ଗୋଡ଼ ଟାଣିନେଲେ ।

ଛୁଆଁ ଅଛୁଆଁ ବାରୁଛ ମା କେଇଦିନକୁ ? ଯେତେବେଳେ ମଶାଣି ଭୂଇଁରେ ନେଇ ଜାଳିଦେଇ ଆସିବେ, ପୋଡ଼ା ପାଉଁଶ ମୁଠାକ ଯେତେବେଳେ ମାଟି ଦେହରେ ମିଶିଯିବ, କେତେ ଅଛୁଆଁ ଲୋକ ତ ତାରି ଉପରେ ଚାଲିଯିବେ ମାଆ !

ଛତରଖାଇ ମୋର ଏଇ ଶୁଭ ମନାସୁଛୁ, ନା ! ଆଖି ନ ଥିବ ଲୋ ଦେଖିବାକୁ ! ଛୁଁ ନା କହୁଛି ।

ଭଲଘରର ଝିଅ ମୁଁ ସାନ୍ତାଣୀ ।

କିଏ ଲୋ ତୁ ଦେଖେ, ତୋ ମୁହଁ ଦେଖେ ଲୋ ! ବୁଢ଼ୀ ଅଧୀର ହୋଇ ପଡ଼ିଲେ ।

ଚିହ୍ନ ନାହିଁ, ଚିହ୍ନିବ ନାହିଁ । ଗରିବ ଭିଖାରୁଣୀଟା ।

ତକିଆ ଉପରେ ମୁଣ୍ଡ ରଖି ତୁନୀ ହୋଇ ଶୋଇଲେ । ଆଖିରୁ ଦିଠୋପା ତତଲା ଲୁହ ଝରିପଡ଼ିଲା ତାଙ୍କର ଗୋଡ଼ ଉପରେ ।

ବୁଢ଼ୀ ପଚାରିଲେ, ଟୁନା ମୋର ଆସିବ ? ଉତ୍ତର ଦେଲେ ନିଜେ, ନା ଆସିବ ନାହିଁ । ମୋ ପାଖକୁ ଆସିଲେ ଏଇ କୁଞ୍ଜିଆ ଚୁଲିପଶା ତାକୁ ରଖାଇ ଦେବ ନାହିଁ । ଯାଉ, ପ୍ରାଣ ଘେନି ମୂଲିଆ ମୂର୍ଖ ହୋଇ ବୁଲୁଥାଉ ।

ଶୋଇପଡ଼ ଥିରି ହୋଇ । ରାତି ପାହିଆସିଲାଣି ।

ମୋତି ବେଳେ ବେଳେ ଘଷେ, ଜାଣେନା । ପର ମଣିଷ, କହି ହୁଏ ନାହିଁ । ନୂଆ ବୋହୂ ! କିଏ କହିବ ? ବଡ଼ଘର ଝିଅ । ଗୋଡ଼ରେ ହାତ ଦେଲେ ପାତକ ଳାଗିବ । ସେ ଥିଲେ ମୋ ଲକ୍ଷ୍ମୀ । ଅବିକଳ ଏମିତି ଘଷେ, ଏମିତି ଅବିକଳ । ହାତ ଦୋଟି ଆହୁରି କଅଁଳ, ଲହୁଣୀ ପରି-। ଯେତେ ଚିପିଲେ କାଟେ ନାହିଁ, କେତେ କହେ ଟାଉଁ ଟାଉଁ କରି - ଶୁଣେ ସବୁ, ସହେ । ଅଢ଼େଇ ବର୍ଷର ବୋହୂ । ପଦେ କଥା ତା ତୁଣ୍ଡରୁ ଶୁଣିନାହିଁ । ଯୁଗଟାଏ ବହିଗଲା । ବୁଢ଼ୀ ଦୀର୍ଘଶ୍ୱାସ ଛାଡ଼ିଲେ । ଗୋଟାଏ ଯୁଗ, କାଲିପରି ଲାଗୁଛି ଲୋ–

ଶଶୀର ହାତ ଅଟକିଗଲା । ବୁଢ଼ୀ ପଚାରିଲେ, କାହା ଘର ବୋହୁ ତୁ ମା, ଆଜି ବାଟର ଭିଖାରୁଣୀ ?

ସିନ୍ଦୁରା ଫାଟିଲାଣି- ଶୋଇପଡ଼ ।

ଇଃ, କେଡ଼େ ଅନ୍ଧାର ! ଗୋଟାଏ ଯୁଗ ବହିଗଲା । ଶୁଏ, ନିଆଁଲଗା ନିଦ !

•••

 

୧୫

 

ଦୁଇଦିନ ଦୁଇରାତି ଦିଇଟା ଯୁଗପରି ବିତିଲା । ଶଶୀ ଖିଆପିଆ ଜାଣେ ନାହିଁ, । ଆଖି କଷା ପଡ଼ିନାହିଁ । ପାଖରେ ବସି କଟାଇଛି । ଦୟା ପାଇ ଗାଁଲୋକେ କିଏ କେତେବେଳେ ଦେଖିବାକୁ ଆସନ୍ତି । ବାହାରେ ଠିଆ ହୋଇ ଭିତରକୁ ମୁହଁ ଗଳାନ୍ତି, ଚୂ ଚୂ କରି ମୁଣ୍ଡ ହଲାଇ ନିଜ ନିଜ ଭିତରେ କଥାଭାଷା ହୁଅନ୍ତି ବୁଢ଼ୀ ଆଉ ଥାକିବ ନାହିଁ । ବାହୁଡ଼ନ୍ତି । ମୋତି ଆସେ । ସନ୍ଦେହମିଶା ସରୁ ଚାହାଁଣିରେ ଗୋଡ଼ରୁ ମୁଣ୍ଡଯାଏ ଚାହେଁ । ଅନ୍ୟମନସ୍କ ହୋଇ ପାଖରେ ବସେ । ବୁଢ଼ୀଙ୍କ ଗୋଡ଼ରେ ହାତ ମାରେ । ଚୋରା ଆଖିରେ ଶଶୀ ମୁହଁକୁ ବାରମ୍ବାର ଚାହିଁଥାଏ । ଉଠେ, କହେ- ଯାଉଛି ଲୋ, ବଇଦକୁ ଡାକିଦେବି ।

ରାଧିଆମା ଆସେ । ପିଣ୍ଡାରୁ ପଚାରେ- କିମିତି ଅଛନ୍ତି ?

ଉତ୍ତର ପାଏ, ସେମିତି ତ ।

ଗାଁ ବଇଦ ବଳରାମ ନାଡ଼ି ଚିପନ୍ତି । ବଟୁଆରୁ କାଢ଼ି ଓଷଦ ଦିଅନ୍ତି ପାଞ୍ଚପାନ । ଘଣ୍ଟାଏ ଅନ୍ତର । ଦୀର୍ଘଶ୍ୱାସ ଛାଡ଼ି ଶଶୀକୁ ଚାହାଁନ୍ତି । ମନରେ ପ୍ରଶ୍ନ ଉଠେ, କିଏ ଲୋକଟା ? ଅଚିହ୍ନା ଭିଖାରୁଣୀ - ପରର ସେବାରେ ମଜ୍ଜି ଯାଇଛି ।

ପ୍ରଶ୍ନ ଆସେ, ଅବସ୍ଥା କେମିତି ଦେଖିଲେ ?

 

ଚମକି ପଡ଼ି ଅଭ୍ୟାସଗତ ଉତ୍ତର ଦିଅନ୍ତି, ବେଶ୍‌ ଭଲ ।ଏଇ ସାମାନ୍ୟ ସର୍ଦ୍ଦି-ଜର ଟିକେ ତ । ଅର୍ଥହୀନ ହସଟିଏ ଖେଳିଯାଏ କଳା ଓଠ ଉପରେ । ଘର ଭିତରୁ ବାହାରିଆସନ୍ତି ପିଣ୍ଡାକୁ । ମନକୁ ମନ କହନ୍ତି, ହରି ରଖେ କି ହରିତାଳ ରଖେ- ଦେଖାଯାଉ ।

ତୁନୀ ହୋଇ ପଡ଼ିଥାନ୍ତି ବୁଢ଼ୀ । ବ୍ୟସ୍ତ ହୋଇ ଗୋଡ଼ ହାତ ପିଟନ୍ତି । କଟମଟ କରି ଏଣିକି ତେଣିକି ଚାହାଁନ୍ତି । କହନ୍ତି, ତୁଇ ବସିଛୁ ? ଏକା ତୁଇ ? କିଏ ବା ତୁ ? ମଶାଣି ଭୂଇଁରୁ ଉଠି ଆସିଛୁ ମତେ ନେଇଯିବୁ ? ପିଶାଚୁଣୀ ! ମୋରି ଉପରେ ଦାଉ ସାଧିବାକୁ ଥିଲା । ବୁଢ଼ା ପୋରଖା ହାଡ଼, ଶୁଖିଲା ଚମରୁ କି ସ୍ୱାଦ ପାଇବୁ ଲୋ ! ତୁନୀ ହୁଅନ୍ତି । ପୁଣି କହନ୍ତି, ପୁଅକୁ ଖାଇଲୁ - ଭେଣ୍ଡା ପୁଅ ମୋର । ଦେ, ତାକୁ ମତେ ଦେ । ମଧୁକୁ ଦେ-

ଶଶୀ ଆଖିରୁ ଲୁହ ପୋଛେ ଗୋପନରେ । ହଁ, ପିଶାଚୁଣୀ ସେ, ବୁଢ଼ୀଙ୍କର ସର୍ବସ୍ୱ ଖାଇଛି । ସାନ୍ତ୍ୱନା ଦେଇ କହେ, ବେଶୀ ଗପ ନାହିଁ, ତୁନୀ ହ । ଦେହ ଭଲ ହୋଇଯିବ ଯେ !

କାହା ପାଟି ପରି ଶୁଭିଯାଉଛି ? ଟୁନା ଆଇଚି ? ଆ ମୋର ଧନ, ପାଖକୁ ଆ, ସେ ବାଘୁଣୀ ପାଖକୁ ଯାଆନା ।

ଦିନେ ଓଳିକରେ ଟୁନା ଫେରିଆସିବ । ବ୍ୟସ୍ତ ହୁଅ ନାହିଁ । ସେ କଟକରେ ଅଛି !

କଟକରେ ଅଛି ? କାହା ପାଖରେ ? ନା, ନା, ସେ ଏଇଠି ଅଛି, ଏଇଠି । ମୁହଁରୁ ଲୁଗା ଘୁଞ୍ଚାଇ ଶଶୀକୁ ଅନାଇଁ କହିଲେ- ଚାଲିଗଲା, ଏଇଠି ତାର ପାଟି ଶୁଭୁଥିଲା, ଚାଲିଗଲା କଟକ ? ଫେରିଆସିବ ?

ବ୍ୟସ୍ତ ହୁଅନା । ତମ ଏଇ ଗାଁର କିଏ ଜଣେ କହୁଥିଲା, ଟୁନା ମାଡ଼ ଡରରେ କଟକ ପଳାଇଛି । କାହା ପିଣ୍ଡାରେ ଧୂଳି ସରସର ହୋଇ ବସିଥିଲା । ପଚାରିଲାରୁ କହିଲା, ମାଆକୁ କହିବୁ ଯିବି ନାହିଁ । ଏଇଠି କାହା ଘରେ ଚାକିରୀ କରି ରହିବି ।

ବୁଢ଼ୀ ବିରକ୍ତ ହୋଇ କହିଲେ, ପିଲା ବକଟେ, କେଡ଼େ ସାହସ ଦେଖ !

ଶଶୀ କହିଲା, ସାହସ ନୁହେଁ ସାନ୍ତାଣୀ, ଅଭିମାନ, ଡର । କଅଁଳ ପ୍ରକୃତି ପିଲା ତ !

ରାଗିଗଲେ ବୁଢ଼ୀ । କହିଲେ, ତୋ ମୁଣ୍ଡ ଗଣ୍ଡି । ଛୁଆଟାର ପୁଣି ଅଭିମାନ ! ବାପ ଅଛି ନା ବୋଉ ଅଛି ଯେ ରୁଷିଲେ ଆଦର କରି କୋଳକୁ ନେବେ ? ମା ବୋଲି ତ ଦିନେ କେବେ ଡାକେ ନାହିଁ । ପାଖକୁ ଆ କହିଲେ ଦୂରକୁ ଯାଏ । ଅବେଇଜ କୁଳାଙ୍ଗାର ଛତରା; ଦୁଃଖ ହେବ ବୋଲି କଣ ନଈରେ ବୁଡ଼ି ମରିବ ! ନିଜ ଗୁଣରୁ ନିଜେ ଦୁଃଖ ପାଉଛି । ଡର ! ଓହୋ ! ଶତ୍ରୁଙ୍କ ପାଖେ ପଶେ କାହିଁକି ? ଚେତେଇଲେ ଚେତେ ନାହିଁ । ବାପକୁ ବ କହିଲେ ସାତଦିନ ସାତରାତି ଠା’କରେ ବସିଥିବ । ବୋଉ ଯେ ତୁଳସୀ ଗଛ ! ପବନ ବାଜିଲେ ଲାଜକୁଳି ଲତା ପରି ଝାଉଁଳିପଡ଼େ । ସେ ପେଟରୁ ଅଲକ୍ଷଣା କାହୁଁ ଅଇଲା, ପରଘରେ ଚାକିରୀ କରିବ ?

ତମେ ତୁନୀ ହବଟି ! ଚାକିରୀ କେଉଁଠି ପଡ଼ିଛି ଯେ ଗୋଟେଇ ଆଣିବ ? ଦିନେ ଅଧେ ଏଣେ ତେଣେ ଡହରା କୁକୁର ପରି ଉପାସ ଭୋକରେ ଧାଉଡ଼ି ଦେଇ ପେଟ ତାତିଲେ ବଳେ ଫେରିଆସିବ ।

ବୁଢ଼ୀ କ୍ଲାନ୍ତ ହୋଇପଡ଼ିଥିଲେ । ତଥାପି କହିଲେ, ଚାକିରୀ କରିବ ପର ଘରେ ! ଚାକିରୀ ! ନିଜ ମାଲ୍‌ ପର ଖାଉଛନ୍ତି, ଧର୍ମ ସହିଛି । ପର ଘରେ ଗାଳି ମନ୍ଦ ସହି ଗୋଇଠା ଖାଇ ଚାକିରୀ କରିବ । ନିଜ ମାଲ୍‌ ପର ଖାଇବେ । ମୁଁ କେହି ନୁହେଁ । ମଲିଣି । ପୋଇଲୀ ପରିବାରୀ ପରି ଦାଣ୍ଡ ଘରେ ପଡ଼ିଥିବି । କାହିଁରେ ହାତ ଦେବି ନାହିଁ । ସେଇ ମୋର ଲୋଡ଼ା । କାହା ପାଇଁ ଲୋଭ ? ମଧୁ ମୋର ନାହିଁ । ମୋ ଦିନ ସରିଯାଉ - ମୋର ସେତିକି ଲୋଡ଼ା ।

ବଇଦ ମନା କରିଛି ବେଶୀ ଗପ ନାହିଁ । ଶଶୀ ମୁଣ୍ଡ ଉପରକୁ ଆସି କପାଳ ଉପରେ ହାତ ରଖିଲା । ତାତି ସେମିତି ଭରତି ହୋଇଚି । ଖର ନିଶ୍ୱାସ । ଆଖି ଖୋଲୁନାହିଁ । ଦେହ ଥରୁଛି-

ତୁନୀ ହେବି, ହଁ ଏକାଥରେ ତୁନୀ ହେବି । ବେଳ ପାଖେଇ ଆଇଲା । ବୁଝିନୁ, ଯିବା ଆସିବା ବେଳ । ଏଥର ତୁନୀ ହେବି । ଯେତେ ଡାକିଲେ ଶୁଣିବି ନାହିଁ ! ଜାଣିବି ନାହିଁ । ମଧୁ ମୋର ନାହିଁ । ଟୁନା ଆଇଲା ନାହିଁ । ଖବର ଦେଇଥିଲି, ବୋହୂ ଅଇଲେ ନାହିଁ । ଅଭକ୍ତି ! ଏଡ଼େ ନିଷ୍ଠୁର ! ଶାନ୍ତି, ଗୁନା କେହି ନାହାନ୍ତି, କାହା ହାତରେ ନିଆଁ ଘିନିବି ?

ତୁନୀ ହ, ବଇଦ ପରା– ।

ତଣ୍ଟି ଶୁଖିଯାଉଛି । ଟୋପାଏ ପାଣି ଦେ ମା ।

ବଡ଼ କରୁଣ ଅନୁରୋଧ ।

କଞ୍ଚାପାଣି ଥଣ୍ଡାପାଣି ଦେବାକୁ ବଇଦ ମନା କରିଛି । ତେଜପତ୍ର ପାଣି ଚୁଲିରେ ବସିଛି, ଓହ୍ଲେଇ ଦିଏଁ ।

ପିଣ୍ଡା କରକୁ ଉଠାଚୁଲି । ତାରି ଉପରେ ଛୋଟ ପୁରୁଣା ହାଣ୍ଡିଟିରେ ପାଣି ବସିଛି, ତେଜପତ୍ର ପାଣି । ନିଆଁ ଦିକି ଦିକି ଜଳୁଛି । ମୋହିଁବାକୁ ଆଉ ଜାଳ ନାହିଁ । ଚୁଲି ଉପରୁ ଓହ୍ଲାଇ ତଳେ ରଖିଲା ।

ଚୁଲିପଶା ବଇଦ ବାଡ଼ିରେ ଯାଉ । ପାଟି ଅଠା ଅଠା ହେଉଛି ପାଣି ଦେ ଝିଅ । ଆହୁରି ବିକଳ କଥା ।

ଦେବି, ପାଣି ଥଣ୍ଡା ହେଉ । ଛାତି ଧରିଛି, କଞ୍ଚାପାଣି ଦେବି ନାହିଁ । ଛାତି ଉପରେ ହାତ ରଖିଲା ।

ଓହୋ-ହୋ, ଛାତି ଭାରି ଦରଜ ।

ଗରମ ତେଲ ଟିକେ ଘଷିଦିଏ । ତମେ ଶୋଇପଡ଼ । ତେଲ ଘଷିଲା ।

ବେଳ ଦି ଘଡ଼ି ହେବ । ବୁଢ଼ୀଙ୍କୁ ନିଦ । ବାହାରେ ଗଛବୃକ୍ଷ ଚାରିଆଡ଼େ ଖରା ବିଞ୍ଚି ହୋଇଗଲାଣି । ଶଶୀର ଆଖି ମାଡ଼ି ମାଡ଼ି ପଡ଼ୁଛି । ଭୋକରେ ପେଟ ଜଳୁଛି । ବୁଢ଼ୀଙ୍କୁ ଛାଡ଼ି କାହା ଘରକୁ ମୁଠାଏ ମାଗି ଖାଇବାକୁ ଯାଇପାରୁନାହିଁ । ଘରର ବୋହୂ ଘରେ ଅଛି । ପରଘରକୁ ମାଗିବାକୁ ଯିବ ?

•••

 

୧୬

 

କେତେଦିନ ତଳର କେତେ କଥା ଶଶୀର ମନେପଡ଼ିଲା । ସେଇ କଟକ ସହରରେ ମଟର ଧକ୍‌କା ପାଇ ସେ ହତଜ୍ଞାନ ହୋଇଥିଲା । ତାର କେତେ ଦିନ ପରେ, ଆଜି ତାର ମନେ ନାହିଁ, ଜ୍ଞାନ ହେଲା । ଆଖି ମେଲି ଚାହିଁଲା । ବଡ଼ କୋଠାଘର, ବଡ଼ କୋଠରୀ । ଟେବୁଲ ଚଉକି ଆଲମାରୀ । ଟେବୁଲ ଉପରେ ବୋତଲ, ଆଉ କେତେ କଅଣ । ଶୋଇଛି ଗୋଟିଏ ପଲଙ୍କ ଉପରେ । ଦୁଇ କଡ଼ରେ ଦୁଇଜଣ ସ୍ତ୍ରୀ ଲୋକ । ବୁଝି ପାରିଲା ନାହିଁ ସେ କେଉଁଠି । ଉଠି ବସି ପାରିଲା ନାହିଁ। ହାତ ଗୋଡ଼ ବନ୍ଧା । ମୁଣ୍ଡରେ ପଟି । କାହାକୁ କିଛି ପଚାରିଲା ନାହିଁ । ଆଖି ବୁଜିଲା-। ଜାଣେ ନା କଣ ହେଲା ତା ପରେ-

 

ଆଖି ଖୋଲିଲା ପୁଣି । ରାତି । ବିଜୁଳି ଆଲୁଅରେ କୋଠରୀ ଉଜ୍ଜ୍ୱଳ । ପାଖରେ ଠିଆ ହୋଇଛନ୍ତି ଜଣେ ବାବୁ, ଦେବତା ପରି ରୂପ ! ପିଠି ଉପରେ ହାତ ଥାପଡ଼ି କଅଁଳେଇ କହିଲେ, ଶୁଅ ! ଯାଦୁକରର ମନ୍ତ୍ର ଶୁଣିଲା ପରି ସେ ଆଖିବୁଜିଲା ।

 

ଭଲ ହେଲା, ଚାରିମାସ କଟିଗଲା । ବଡ଼ ଘରେ ଆଶ୍ରା । ଚିନ୍ତା ନାହିଁ, ଅଭାବ ନାହିଁ । ସମସ୍ତଙ୍କୁ ଆପଣାର କରିପାରିଛି । ସମସ୍ତେ ଭଲପାଆନ୍ତି । ବାବୁ, ବାବୁଆଣୀ ଗୁଡ଼ୁରିଗାଡ଼ିରି ପିଲାଗୁଡ଼ିକ, ଚାକର ବାକର ।

 

ସେ ଥାଏ ଘରର ମଣିଷ ପରି । ସେମିତି ଲୋଭ, ସେମିତି ଅଧିକାର । ତଥାପି ମନରେ ଅଶାନ୍ତି । ଯେତେବେଳେ ନିଜ କଥା ମନେପଡ଼ିଯାଏ, ଆଖିରେ ଲୁହ ଧରେ ନାହିଁ ।

 

ଆହା ! ସେ ଆଜି କେଉଁଠି ? ପୁଅ ପତି ଛାଡ଼ି ଅଲୋଡ଼ା ଜୀବନଟା କଣ ଏମିତି କଟିବ ଏଇଠି ? ଏଇଥିପାଇଁ କଣ ସେ ଘର ଛାଡ଼ି ଆସିଥିଲା ?

 

କାନ୍ଦେ ।

 

ଦୁଃଖୀ, ଇଏ କୁଆଡ଼େ ଗଲେ କି ? କଚେରୀଘରୁ ବାବୁ ଭିତରକୁ ଆସି ପଚାରିଲେ । ଚଷମାଲଗା ଆଖି ଦିଟା ସତେକି ତାଙ୍କର ମୁହଁକୁ ଆବୋରି ରଖିଛି । ସେ ମୁଣ୍ଡକୁ ଲୁଗା ଟାଣି ଧୀରେ ଧୀରେ କହିଲା, ଠାକୁର ଘରେ ପୂଜା କରୁଛନ୍ତି ।

 

ରିଷ୍ଟଓ୍ୟାଚକୁ ଚାହିଁ କହିଲେ, ଆଠଟା ହେଲା, ପୂଜା ଛିଣ୍ଡିନାହିଁ ? - ପୂଜା ବେଶୀ ହେଲାଣି ତୋ ଆସିଲା ଦିନୁ । ହସିଲେ । ଦୁଃଖୀ ହସିଲା ।

 

ଆଠମାସର ଟିକି ଝିଅ ମନା ବାପ କୋଡ଼କୁ ଯିବାକୁ ଉଚ୍ଛନ୍ନ । ଦୁଃଖୀ ତାକୁ କାଖକରି ପାଖକୁ ଆସିଲା । ବାବୁ ହାତ ବଢ଼ାଇ ତା କୋଳରୁ ପିଲାଟିକି ନେଲେ । ଗେଲ କରି ପୁଣି ତା କୋଳରେ ଛାଡ଼ିଲେ । ନିଜେ ଝୁଙ୍କିପଡ଼ିଲେ । ହସ ଖେଳିଗଲା ଓଠରେ । ଜାଣେ ନା କାହିଁକି ହସିଲା ଦୁଃଖୀ ।

 

ଚାରିମାସ ପରେ ।

 

ଘରପଛ ପୋଖରୀକୂଳ ଗୋଲାପଜାମୁ ମୂଳ ଚଉତରା ଉପରେ ସେ ମନମାରି ବସିଛି-। ଛାଇ ନେଉଟ ବେଳ । ଭାବୁଛି, ଘରୁ ଗୋଡ଼ କାଢ଼ିଥିଲା କାହିଁକି, ଜୀବନଟା କଟୁଛି କିପରି, କେତେଦିନ ଏପରି ଚାଲିବ ? ବାବୁଆଣୀ ପଛରୁ ଆସିଲେ । ଡାକି କହିଲେ, ଆଜି ଏତେ ଭାବୁଛୁ କଅଣ ଲୋ, ମନରେ ସରାଗ ନାହିଁ ?

 

ଉତ୍ତର ନପାଇ କହିଲେ, ଘରକଥା ଭାବି ମନ କଷ୍ଟ କରୁଛୁ ? ଏଠି ତୋର କିଛି ଅସୁବିଧା ହେଉନାହିଁ । ଯାଉ ଆଉ ଚାରିମାସ । ସେମାନେ ଖୋଜି ଖୋଜି ନୟାନ୍ତ ହେଉନ୍ତୁ । ମନରେ କଥା ପଶୁ । ତେଣିକି ତୋତେ ପଠାଇଦେବି । ବ୍ୟସ୍ତ ହ ନା । ହସିଲା ମୁହଁ ତାର ଶୁଖିଗଲା-

 

ସେଇଠି । କେବେ ଦିନେ ଏକୁଟିଆ ବସିଛି, ପଛରୁ ଆସି ବାବୁ ତୁନି ତୁନି ଆଖି ଦିଟା ବୁଜି ଧରିଲେ । ବାଧା ଦେଇନି କେବେ । ବାଧା ଦେଲା ନାହିଁ । ସେମିତି ବସିଥାଏ । ତୁନି ତୁନି ହାତ ଦିଟା କୋହଳାଇ ଦେଲେ । ହସି ହସି କହିଲେ, ଘରେ କଣ ଥାନ ନାହିଁ ଯେ ଏଠାଟାରେ ବସିଛୁ ? ବାପ୍‌ ରେ ! କି ଖରା !

 

କଅଣ କହିବ କହିବ ହେଉଥିଲା, ମୁହଁକୁ ଚାହିଁ ମୁଣ୍ଡ ନୋଇଁଲା ।

 

ବାବୁ ତା ଗାଲରେ ଟିକି ଚାପଡ଼ା ମାରି ଥରିଲା ସ୍ୱରରେ କହିଲେ, ଓହୋ, ଲାଜ ! ଚାଲିଗଲେ ଭିତରକୁ ।

 

ଘର କଥା ମନେପଡ଼ିଲା । ଛାତି ଥରିଉଠିଲା । ଯେଉଁ ସାହସରେ ଯେଉଁ ଦମ୍ଭରେ ସେ ବାପଘର ଛାଡ଼ି ଆସିଥିଲା, ସେ ସାହସ ସେ ଦମ୍ଭ ଆଜି ତାର ଭାଙ୍ଗିଛି । କି ଭରସାରେ ଆଜି ସେ ତାର ସ୍ୱାମୀଙ୍କ ଆଗରେ ବୁକୁ ଫୁଲାଇ ଠିଆ ହୋଇ କହିବ– ମୁଁ ନିର୍ମଳ, ମୁଁ ନିର୍ଦ୍ଦୋଷ !

 

ଦେବତା ବୋଲି ଯାହାଙ୍କୁ ମନେକରିଥିଲା, ସେ ନରକର ପୋକ । ବାହାର ଆଉ ଭିତର ଏତେ ଭିନେ ! ଜଣକର ରୂପ ଲାଳସାର ଜଳନ୍ତା ନିଆଁରେ ଜାଣି ଜାଣି ନିଜକୁ ସେ ଆହୂତି ଦେଲା । ଅନୁତାପ ଆସେ, କିନ୍ତୁ ଅବାଟରୁ ଫେରି ଆସିବାର ଉପାୟ ନାହିଁ । ଯାଉ, ବ୍ୟର୍ଥଜୀବନଟା ଯେଉଁ ବାଟରେ ଯାଉ, ଆଉ କି ଚିନ୍ତା ?

 

ସମସ୍ତେ ଜାଣିଲେ ।

 

ନିର୍ଭୟରେ ଥାଏ । ଭାବିଥିଲା ଯିଏ ତାକୁ ପାପବାଟକୁ ଟାଣି ଆଣିଛନ୍ତି ସେହି ତାର ଅବେଳରେ ସହାୟ ହେବେ । ଲୋକେ ଘୃଣା କରିବେ, କରନ୍ତୁ ।

 

ଦିନେ ତାର ମୋହ ଭାଙ୍ଗିଲା । ଅଧରାତି, ଅନ୍ଧାର ରାତି । କାନରେ ବାଜିଲା, ପାଖଘରେ ବାବୁ ଓ ତାଙ୍କର ସ୍ତ୍ରୀ କଥାଭାଷା ହେଉଛନ୍ତି । ଝରକା ପାଖକୁ ଆସି କଡ଼େଇ ଠିଆ ହେଲା ।

 

ତାର ପିଲାପିଲି ହେବ ମ । ଛି, କି ଦୁର୍ନାମ ! ବାବୁଆଣୀ କହିଲେ ।

 

ବାବୁ ଉତ୍ତର ଦେଲେ, ତମରି ମୁହଁବଢ଼ା । ତାକୁ ଯଦି ସାଙ୍ଗେ ସାଙ୍ଗେ ଘରୁ ବିଦା କରିଥାନ୍ତ, ଭଲ ହୋଇଥାନ୍ତା । କଣ କରିବା ଏବେ ?

 

ବାବୁଆଣୀ କହିଲେ, କିଛି ବଳେଇ ପଡ଼ିନାହିଁ । କାଲି ସକାଳେ ତା ହାତରେ କିଛି ଟଙ୍କା ଦେଇ ଘରୁ ବିଦା କରିଦେବା । ତା ଭାଗ୍ୟ ସେ ଉଣ୍ଡୁ । ତା ମୁହଁ ଚାହିଁଲେ ପାପ ।

 

ଶଶୀର ମନରେ ରାଗ ହେଲା । ସେ ଭାବିଲା, ପ୍ରକୃତ ଘଟଣାଟି ପ୍ରଘଟ କରିଦେବ । କିନ୍ତୁ କେହି ପରତେ ଯିବେ ନାହିଁ । ଏତେ ବଡ଼ ଲୋକ, ସୁନାମର ଅନ୍ତ ନାହିଁ, ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି । ଏତେବଡ଼ କଥା କେହି ବିଶ୍ୱାସ ଯିବେ ନାହିଁ । ଲୁହ ନିଗିଡ଼ିପଡ଼ିଲା ଆଖିରୁ ।

 

ଭାବିଲା, କେହି ନଜାଣନ୍ତୁ, ଧର୍ମ ଜାଣେ । କାହିଁକି ଆଉ ଡେରି କରିବ ? ଗଙ୍ଗାମନ୍ଦିର ପୋଖରୀ ! ତାରି କୋଳରେ ଆଶ୍ରା ନେବ ।

 

ରାଗରେ ଘରୁ ବାହାରି ଆସିଲା ପଦାକୁ, ରାସ୍ତା ଉପରକୁ । ପ୍ରୟୋଜନ ନାହିଁ ଏ ଅଲୋଡ଼ା ଜୀବନରେ । ଆଖିରୁ ଝରିପଡ଼ିଲା ଲୁହ ଧାର ।

•••

 

୧୭

 

ବୁଢ଼ୀ କଡ଼ ଲେଉଟାଇଲେ, ଆଖି ଖୋଲିଲେ । ବୁଢ଼ୀଙ୍କୁ ଚାହିଁ ଶଶୀର ଭାବନା ଭାଙ୍ଗିଲା-। ନା, ଶୋଇନାହାନ୍ତି। ଆଲିଜା ହେଇ ପଡ଼ିଥିଲେ । ଦୀର୍ଘଶ୍ୱାସ ଛାଡ଼ିଲା ।

 

ଉଦ୍‌ଗତ କାଶର ରିହକୁ ଦାବି କ୍ଷୀଣସ୍ୱରରେ କହିଲେ, ତୁଇ ବସିଛୁ ମା ? ଯେତେବେଳେ ଆଖି ଖୋଲି ଦେଖିଲେ, ତୋଅରି ମୁହଁ ? କେତେକାଳର କେତେ ଯୁଗର ଚିହ୍ନା । ସୁନା କଣ୍ଢେଇ ମଳିନ ପଡ଼ିଛି, କଳଙ୍କି ଲାଗିଛି, ମଉଳି ଯାଇଛି ହଳଦୀ ଫରଫର କନିଅର ଫୁଲ । ବସିଛୁ ? ଲୁଚା ନା ଲୋ । ମଲାବେଳେ ଆଉ କଷ୍ଟ ଦେନା । ଫେରି ଆସିଛୁ ? ମଧୁ ଆସିବ ? ଘର ପୁଣି ହସିଉଠିବ ? ଆଉ କେବେ ଭୁଲ କରିବି ନାହିଁ । ଚୁଲିପଶା ବୃନ୍ଦାବନ, କାଠ ଫାଳିଆରେ ତାର ଗୋଡ଼ ଭାଙ୍ଗିବି । ଆସୁ–

 

ଛାତି ଭିତର ଥରିଉଠିଲା । ଶେଷକୁ ଚିହ୍ନିଲେ ? କିନ୍ତୁ ଦୁଃଖୀ ତ କେବଠୁଁ ମରିଛି । ଶଶୀ ତାର ପ୍ରେତାତ୍ମା ! ଆଖିରୁ ଲୁହ ଝରିଲା ନାହିଁ । ଗୋଟାଏ ଜନ୍ମ ବୃଥା ହେଲା । ଦୁଃଖ କାହିଁକି ? ଅନନ୍ତକାଳ ପଡ଼ିଛି । ମଧୁ ଆସିବ । ଦୁଃଖୀ ଆସିବ । ଘର ପୁଣି ହସି ଉଠିବ । ଆନନ୍ଦର ଲହଡ଼ି ଖେଳିଯିବ କେଉଁ ଦୁନିଆରେ !

 

ଅସ୍ଥିର ହୋଇ ମୁଣ୍ଡ ଏକଡ଼ ସେକଡ଼ ଲେଉଟାଇଲେ । କହିଲେ – ଟୁନାରେ, ଆସିଛୁ, ଠିକ ବେଳକୁ ଆସିଛୁ ଧନ । ତୋରି ହାତରେ ନିଆଁ ଟିକେ ପାଇଲେ । ଶୁଖିଲା ଓଠରେ ହସର ସ୍ପନ୍ଦନ ଖେଳିଗଲା ।

 

ତୁନୀ ହ, ଟୁନା ଆସିନାହିଁ, ହୁଏତ ଆସୁଥିବ ।

 

ଆଖି ଖୋଲି ମୁହଁକୁ ଚାହିଁଲେ । ଥରିଲା ସ୍ୱରରେ, କ୍ଷୀଣ କଣ୍ଠରେ କହିଲେ, ପାଟି ଶୁଭି ଯାଉଥିଲା । ଏଁ, ତୁଇ ? ତୁଇ କହୁଛୁ ? ବୁଢ଼ୀ କଟମଟ କରି ଚାହିଁଲେ । ଆଖି ପତା ମୁଦି ହୋଇଆସିଲା । ପାଟି ଥମିଲା । ଶଶୀ ଧୀରେ ଧୀରେ ଉଠି ପଦାକୁ ଆସିଲା ।

 

କେତେବେଳକେ ମୋତି ଆସିଲା । କହିଲା, ଟିକିଏ ଡେରି ହୋଇଗଲା ଲୋ । ପାଖରେ ବସି ଶଶୀର ଗୋଡ଼ରୁ ମୁଣ୍ଡଯାଏ ଚାହିଁବାକୁ ଲାଗିଲା ।

 

ସନ୍ଦେହରେ ତା ମୁହଁଟା ମେଘୁଆ ସକାଳ ପରି ବିରସ ହୋଇଉଠିଲା ।

 

ସରାଗଭଙ୍ଗା ସ୍ୱରରେ ଶଶୀ କହିଲା, ଭିଖାରୁଣୀଟା, ବାରଦ୍ୱାର ବୁଲି ମୁଠାଏ କୋଉଠୁ ଖାଇବାର ଯୋଗାଡ଼ କରନ୍ତି । ରାତିକପାଇଁ ଜଗାଇ ଦେଇ ତମେ ନିଶ୍ଚିନ୍ତ ହୋଇ ଧନ୍ଦା କରିବାକୁ ଗଲ । ଅଠାକାଣ୍ଡିଆରେ ପଡ଼ିଗଲି ମୁଁ । ଦିନ ନାହିଁ, ରାତି ନାହିଁ, ଉପାସ ଭୋକରେ ଜଗି ବସିଛି । କେହି ଟିକେ ପଚାରୁନା କି କାହାରି ଖବର ଅନ୍ତର ବୁଝୁନା । ଗମ୍ଭୀର ହେଲା ।

 

ମୋତି କହିଲା, କାହିଁକି, ମୁଁ ତ ବେଳେବେଳେ ଆସେ ।

 

ବେଳେ ବେଳେ ସିନା ଆସ, ମୁଁ ଯେ ସଦାବେଳେ ରହିଛି । ବାପ୍‌ରେ, କିଏ ସହିବ ତାଙ୍କ କଥା ! ତୁଛାକୁ ତ ଏତେ, କଣ ଯଦି ନିଧି ସମ୍ପତ୍ତି କିଏ ଅଜାଡ଼ି ଦେଇଥାନ୍ତା । ମୁଣ୍ଡ ରହନ୍ତା ନାହିଁ । ଉପାସ ଭୋକରେ କାହାର ଗରଜ ପଡ଼ିଛି ବେଠି ଖଟିବ ? ବଇଦର ଓଠ ନେଫଡ଼ା, ରୋଗୀର ଢଙ୍ଗରୁ ଯାହା ବୁଝୁଛି –

 

କଅଣ ବୁଝୁଛୁ ?

ମୋତି ଶଶୀର ଖୋଲା ବାହାକୁ ଚାହିଁଲା । ଆଖିରେ ଆଗ୍ରହର ଆଲୁଅ ଜଳିଉଠିଲା ।

ସେ ଠାକିବେ ନାହିଁ । ଖୁବ୍‌ ବେଶି ହେଲେ ଦିନେ ଓଳିଏ –

 

ଟିକିଏ ତୁନୀ ରହି ଶଶୀ କହିଲା, ଖରା ମାଡ଼ିଆସୁଛି । ଏବେଳା ଆଉ ଯାଇହେବନି, ନାଇଁ ଆର ବେଳା ।

 

ଚାଲିଯିବୁ, କୁଆଡ଼େ ? ଶଶୀର ଗୋଡ଼ଭଣ୍ଡାକୁ ମୋତି ଚାହିଁଲା । ହସିଲା ।

 

ଆର ଗାଁକୁ । ଗୋଟାଏ ଜାଗାରେ ଦିନକରୁ ବେଶି ରହେ ନାହିଁ, କି ପରର ଦୁଃଖ ସୁଖ ଭିତରକୁ ମୁହଁ ଗଳାଏ ନାହିଁ । ନିଜ ଦୁଃଖରେ ନିଜେ ପଡ଼ିଥାଏ । ପରବୋଝ ମୁଣ୍ଡକୁ ନେଇ ହଇରାଣ ହେବି କାହିଁକି ?

 

ଭାବି ଭାବି ମୋତି କହିଲା, ଏ ଗାଁ ଛାଡ଼ି ଯାଇପାରିବୁ ନାହିଁ ।

ରାଗି ଯାଇ ଶଶୀ କହିଲା, କାହିଁକି ବା, କାହାର ମୁଁ ଖାଏ କି କିଏ ଅଟକାଇ ରଖିବ ?

ପୂର୍ବପରି ହସ ହସ ହୋଇ କହିଲା, କେହି ନାହିଁ । ତମରି ମନ ତମକୁ ଅଟକାଇବ ।

 

ବୁଝି ନବୁଝିଲା ପରି କଥାର ଖିଅ ଧରି ବ୍ୟସ୍ତ ହୋଇ ଶଶୀ କହିଲା, ହଁ ମନ । ନିଆଶ୍ରା ଲୋକ ଦେଖିଲେ ଛାଡ଼ି ଯିବାକୁ ମନ ହୁଏ ନାହିଁ । କାହା କପାଳରେ ବିଧାତା କଣ ଲେଖିଛି କିଏ ଜାଣେ ? କେଉଁ ଗଛମୂଳେ କି ଅପନ୍ତରାରେ ପଡ଼ି କେବେ କାହାର ପ୍ରାଣ ଯିବ ।

 

ମୋତି କହିଲା, ଲୁଚାଇଲେ କଥା ଛପି ରହେ ନାହିଁ । ତମରି କଥା ନେଇ ଗାଁ ଯାକ ଭୁଟଭାଟ ହେଉଛନ୍ତି । ମାଇପି ମହଲରେ ଚହଳ ପଡ଼ିଲାଣି । ଦଶବର୍ଷର କଥା କାଲି ପରି ଲାଗୁଛି-। ଲୋକେ ଦୁଃଖରେ ଚୁ ଚୁ କରୁଛନ୍ତି । କଥାର ପ୍ରଭାବ ଶଶୀର ମୁହଁରେ କି ଭାବ ଆଣିବ ସେଇଆ ଦେଖିବାକୁ ମୋତି ଏକ ଆଖିରେ ଚାହିଁ ରହିଲା ।

 

ଅବିଚଳିତ ହୋଇ ଶଶୀ କହିଲା, ମୁଁ ତ କେଉଁଠି ଆଉ ନାଆଁ ପକାଇ ନାହିଁ ଯେ ତମ ଗାଁ ମାଇପେ ମୋ ନାଁରେ ସଭା କରିବେ ! କଲେ ବା ମୋର ଯାଏ ଆସେ କଣ ? ଉଡ଼ା ଚଢ଼େଇ, ଆଜି ଏ ଗଛରେ ତ କାଲି ସେ ଗଛରେ । ମୋ ନେଇ ଲୋକେ ମୁଣ୍ଡ କୋଡ଼ିହେଲେ ମୋର କି ଯାଏ ?

 

କହୁଛନ୍ତି, ତମେ ବୁଢ଼ୀଙ୍କ ଆଗ ବୋହୂ । ବୁଢ଼ୀଙ୍କ ଜାଳାରେ ଘର ଛାଡ଼ି ଚାଲିଯାଇଥିଲ । ଦଶ ବର୍ଷ ପରେ ଫେରିଆସିଛ । ଏବଯାଏ ଲୋକେ ଝୁରିହେଉଛନ୍ତି । ଆହା ! ବୁଢ଼ୀ କଣ ନକଲା ! ଶଶୀର ମୁହଁକୁ ଚାହୁଁ ଚାହୁଁ ମୋତିର ଆଖିରେ ଲୁହ ଢଳ ଢଳ ହେଲା ।

 

ଦୁଃଖର କୋହକୁ ଦମନ କରି ଶଶୀ କହିଲା, ଲୋକେ ଭାରି ସହଜରେ ଅନୁମାନ କରିନିଅନ୍ତି । ପାଣିରେ ସର ପକାଇବା ତାଙ୍କର ଅଭ୍ୟାସ । କାହାକୁ ନେଇ କାହା ସଙ୍ଗରେ କଚ୍ଛନ୍ତି ।

 

ମୋତି ଖର ନିଶ୍ୱାସ ଛାଡ଼ିଲା । ଟିକିଏ କଅଣ ଚିନ୍ତା କରି କହିଦେଲା, ଏମିତି ଚେହେରା ମିଶନ୍ତା ! ଏଇ ହାତରେ କେତେ ତେଲ ହଳଦୀ, ତମର ସେଇ ଆଉଟାସୁନା ଦେହରେ ବୋଳିଛି । ଗାଲ ଉପରେ ଖସା । ବାଁ କାନ୍ଧରେ କଳାଯାଇ ମନ୍ଦା ।

 

ହସି ହସି ଶଶୀ କହିଲା, କହିଯା, ବାଁ ହାତ କାଣିଆଙ୍ଗୁଠିରେ ମଲା ନଖ । ଡାହାଣ ହାତ ପାପୁଲି ଉପରେ କଟା ଦାଗ । ଆଉ ତ କିଛି ଦିଶୁନାଇଁ । ହା - ହା –

 

ହଁ ତ, ଠିକ୍‌ କହିଛି, ଭୁଲିଯାଇଥିଲି । ମୋତି ଚମକିଉଠିଲା । କହିଲା, ତେବେ ତ ତମେ ସେଇ, ମୋର ଦୁଃଖୀସାନ୍ତାଣୀ ।

 

ଶଶୀ କହିଲା, ମୁଁ ଦୁଃଖୀ, ଅତି ଦୁଃଖୀ, ହଁ । ସାନ୍ତାଣୀ ନୁହେଁ, ମୁଁ ବାଟର ନିତିଉପାସୀ ଭିଖାରୁଣୀ ।

 

ଥଟାରେ କଥାଟା ଉଡ଼ାଇଦେବାକୁ ସେ ହୋ ହୋ ହୋଇ ହସିଉଠିଲା । କହିଲା, ନିଆଶ୍ରା ଲୋକ । ଦୁଃଖୀ କହ, ଡାହାଣୀ ଚିରିଗୁଣୀ ଯାହା କହ, ମୋତେ ମାନିବାକୁ ହେବ । ନାହିଁ କରିବାର ସାହସ ନାହିଁ । ଯାହାର ଯେମିତି ଖୁସି । ମତେ ଗୋଟାଏ ମଲା ହଜିଲା ଲୋକର ପ୍ରତିମା ସଙ୍ଗେ ସମସରି କରି ତମ ଗାଁ’ଲୋକଙ୍କୁ ଥଟାତାମସା ଟାହି ଟାପରା କରିବାକୁ ଭଲ ଲାଗୁଛି ନା ?

 

ଆହୁରି ବିସ୍ମିତ ହୋଇ ମୋତି କହିଲା, ହୁଏ ତ ମୁଁ ଭୁଲ ବୁଝିଛି । ଗାଁ ଲୋକେ ଭ୍ରମରେ ପଡ଼ିଛନ୍ତି ।

 

ଶଶୀର ଗୋଡ଼ରୁ ମୁଣ୍ଡଯାଏ ଟିକିଏ ତୀବ୍ର ଦୃଷ୍ଟିରେ ଚାହିଁ ଧୀରେ ଧୀରେ କହିଲା – ବଞ୍ଚିଥାଉଣୁ ମୋର ଏ ଆଖି ଦିଟାକୁ ମୁଁ ଅବିଶ୍ଵାସ କରିବି କେମିତି ?

 

ଅବିଶ୍ୱାସ କରିବାକୁ କେହି କହୁନାହିଁ ତ ! କିନ୍ତୁ ମୋ ମୁଣ୍ଡରେ ଗୋଟାଏ ମଲା ହଜିଲା ଲୋକର ଭୂତ ଲଦି ଲୋକଙ୍କର କି ଲାଭ ? ଅଜଣା ଅଶୁଣା ଗରିବ ଭିଖାରୁଣୀ ବୋଲି ଦୟା ପାଇ ଯେଉଁମାନେ ମୁଠିଏ ଦେଉଥିଲେ, ସେମାନଙ୍କର ମନ ଆଉ ତଟିବ ? ଟିକିଏ ରହି ଗମ୍ଭୀର ହୋଇ କହିଲା, ଯିଏ ଯାହା ଭାବୁଛି ଭାବୁ ।

 

ହେଇଟି, ରାଧିଆମା ଧାଇଁ ଧାଇଁ ଆଉଚି । ମୋତି ଗାଁ ଦାଣ୍ଡକୁ ଅନାଇଲା । କହିଲା, ରାଧିଆ ଯାଇଥିଲା ନରଦା । ଦେଖି ଆଇଲା, ସାନ ସାନ୍ତାଣୀଙ୍କ ପୁଅ ଗୁନିଆ ବାଧକା ପଡ଼ିଛି । ଲୋକ ଚିହ୍ନୁନାହିଁ ।

 

ଶଶୀ କହିଲା, କଣ ମିଳିବ ମତେ । ଯାଏଁ, କୋଉଠୁ ମୁଠାଏ ଖାଇବାକୁ ମାଗେ ।

ଏତେ ବେଳ ହେଲାଣି, କୋଉଠିକି ଯିବ ? ପଖାଳ ଅଛି କଂସାଏ, ଆଣି ଦେବି ?

ଆହା ! ଭାରି ଦୟା ତମର !

•••

 

୧୮

 

ଜହ୍ନରାତି । ନିଃଶବ୍ଦ । ମଶାଣି ପାଖ ସେଇ ଆମ୍ବଗଛ ତଳେ ଶଶୀ ବସିଛି । ପାଖରେ ବୁଲା । ଲୋକଲଜ୍ଜାକୁ ଡରି ଗାଁ ଛାଡ଼ି ଚାଲି ଯିବାକୁ ସଙ୍କଳ୍ପ କରି ଆସିଥିଲା । ଯାଇ ପାରିଲା ନାହିଁ ତ ! କଣ ଗୋଟାଏ ଅଜଣା ମୋହ ଅଦେଖା ଆକର୍ଷଣ ତାକୁ ଅଟକାଇ ରଖିଛି । ବୁଝି ମଧ୍ୟ ବୁଝିପାରୁନାହିଁ । ପ୍ରାଣେ ପ୍ରାଣେ ଯେପରି ଉପଲବ୍‌ଧି କରୁଛି । ସବୁ ତ ସରିଛି । ତଥାପି, ମଶାଣି ଭୂଇଁର ଏଇ ଏକୁଟିଆ ଗଛର ଡାକ, ଧୂଳିକଣାର ଆକର୍ଷଣରେ ସେ ଯେପରି ଟାଣିହୋଇ ଆସିଛି ।ଉପେକ୍ଷା କରି ଚାଲିଯିବାକୁ ଦମ୍ଭ ପାଇନାହିଁ । ଯାହା ପାଇଁ ସେ ଆଜି ଅଧୀର, ସେ ଆଜି ନାହାନ୍ତି । ତଥାପି ମନ ବୁଝୁନାହିଁ ।

 

ଟଣାଟା ଦୁଇଆଡ଼ୁ । ଟୁନା ତେଣେ କଟକ ସହରରେ ବାଟ କଡ଼ରେ ବସି କାନ୍ଦୁଛି । ଅଭାଗା ଅନାଥ ! କଟକ ସହର ! ଇସ୍‌, କେଡ଼େ ଭୟଙ୍କର । ନାମ ପଡ଼ିଲେ କେତେ ଦୃଶ୍ୟ ଆଖି ଆଗକୁ ଆସେ । ଛାଥି ଥରିଉଠେ । ମନ ଚଞ୍ଚଳ ହୋଇଉଠେ । କଟକ ନରକ !

 

ସେହି ନରକ ଭିତରେ ଘାଣ୍ଟି ହୋଇଥିଲା ସେ–

 

ଗଙ୍ଗାମନ୍ଦିର ପୋଖରୀର ପାଣି ! ଆତ୍ମହତ୍ୟା କରିବାକୁ ଭାବୁଛି । ଜୀବନର ମୋହ ତାକୁ ଅଟକାଇ ରଖିଛି ।

 

ଗଙ୍ଗାମନ୍ଦିର ପୋଖରୀକୂଳ । କିଏ ଆସି ତାର ହାତ ଧରି ଟାଣିଲା - ଜୀବନଟା ଏଡ଼େ ଶସ୍ତା ନୁହେଁ ଭଉଣୀ, ଥରେ ହଜିଲେ ଆଉ ନପାଇ ।

 

ସେଇ ସ୍ତ୍ରୀ ଲୋକଟିର ପଛେ ପଛେ ଚାଲିଥିଲା ସେ । ଜାଣିନଥିଲା କାହିଁକି ଯାଉଛି, କୁଆଡ଼େ ଯାଉଛି । ଜାଣିଲା ବଡ଼ ଡେରିରେ । ସେ ବେଶ୍ୟା ଘରେ ଆଶ୍ରା ନେଇଛି ।

 

ଜୀବନର ମୋହ ! ସେଇ ବେଶ୍ୟା ଘରେ, ମାସ କେଇଟା ପରେ ଯେଉଁଦିନ ତାର ଗର୍ଭବେଦନା ହେଲା ସେ ହତଜ୍ଞାନ ହୋଇପଡ଼ିଲା । ଜ୍ଞାନ ଫେରିଲା, ଆଖି ଖୋଲି ଚାହିଁଲା, ପାଖରେ ପିଲା ନାହିଁ କି ଯେ ତାକୁ ଆଶ୍ରୟ ଦେଇଥିଲା ସେ ମଧ୍ୟ ନାହିଁ । କିଏ ଜଣେ ପାଖରେ ବସିଛି । କହିଲା, ମଲା ପିଲାଟାକୁ ନେଇଗଲେଣି ।

 

ଅତି ଦୁଃଖରେ ସେ ଆଖି ବୁଜିଲା । ମନର ସ୍ମୃତି ଉପରେ ଥରକୁ ଥର ପଟୁ ପକାଇ ବେଳ ଗଡ଼ିଚାଲିଲା । ଭାବିଲା, ଶେଷକୁ ସେ ସ୍ୱାଧୀନ !

 

କିନ୍ତୁ, ଘୃଣାରେ ଅନାଇଲା ନିଜକୁ ନିଜେ । ଛି, କୁଳର ବୋହୂ ଆଜି ଦାଣ୍ଡର ବେଶ୍ୟା ।

କାହା ପାଇଁ ?

ବୃନ୍ଦାବନ ? ଓକିଲ ବାବୁ ?

 

ବୁଲା ଉଠିଲା । କାହାର ଉଦ୍ଦେଶ୍ୟରେ କେଜାଣି ପଛକୁ ଚାହିଁଲା । ଦୁଇଜଣ କିଏ କଥାଭାଷା ହୋଇ ପୋଖରୀ ଆଡ଼ୁ ଆସୁଛନ୍ତି । ଶଶୀର ଭାବନା ଭାଙ୍ଗିଲା । ସେ କାନ ପାରିଲା । ଗଛ ପାଖରୁ କୋଡ଼ିଏ ପଚିଶି ହାତ ଛାଡ଼ି ବାଟ । ଦୁଇଜଣ ଲୋକ ସେଇଠି ଆସି ଠିଆହେଲେ । ପଛୁଆଣି ଜହ୍ନ । ଆଗପାଖ ଅନ୍ଧାର ।

 

କିଏ ଜଣେ କହିଲା, ଏଇଠିରେ ଘନ, ଏଇ ଗଛମୂଳେ । ଅନ୍ଧାର ରାତି । ମୁଁ ଆଗରୁ ଆସି ଏକୁଟିଆ ଠିଆ ହୋଇଥାଏ । ଡର ଭୟ ମୋର କିଛି ନଥାଏ । ସାମାନ୍ୟ ଟିକିଏ ଭୁଲ, କିନ୍ତୁ ସେଥିପାଇଁ ନୂଆବୋଉର ଦୋଷ ନାହିଁ । ସବୁ ଦୋଷ ମୋର । ମୋର ଉତ୍ତେଜନା, ମୋଓରି ଭୁଲ୍ ପାଇଁ ଗୋଟିଏ ନିର୍ଦ୍ଦୋଷ ପ୍ରାଣୀ ବିଷ ଖାଇ ମରିବ ? ଜଗୁଆ ମା ଖବର ଦେଲା । ନୂଆବୋଉ ତାଆରି ହାତରେ ସବୁ ଖବର ପଠାଇଥିଲେ । ଜାଣି ଶୁଣି ମୁଁ ତୁନୀ ହୋଇ ରହିପାରିଲି ନାହିଁ । ଆଇଲି । କେତେବେଳେକେ ଯାଇଁ ସେ ଆସିଲେ ।

 

ଶଶୀ ଚମକି ଉଠିଲା । ବୃନ୍ଦାବନ ! ସେ କାହିଁକି ଏଠି ? ଛାତି ଭିତରେ ତୀବ୍ର ବ୍ୟଥା । ସେ ହାତ ପାପୁଲିରେ ମୁହଁ ଲୁଚାଇଲା ।

 

ଆରକ କହିଲେ, ସେସବୁ କଥା ଆଉ ଭାବୁଛ କାହିଁକି ? ଫେରି ଚାଲ ଭାଇ, ଯେ ଯାଇଛି ସେ ଯାଇଛି । ଭାଉଜବୋଉଙ୍କର ଅବସ୍ଥା ଦେଖି ତମ ମନରେ କଷ୍ଟ ହୁଏ ନାହିଁ ? ବିବାହ କରି ଗୋଟାଏ ନିରୀହ ପ୍ରାଣୀକୁ ଘରକୁ ଆଣି ହେଳା କଲେ ଫଳ କଅଣ ହୁଏ ? ସେ ଯଦି ଆତ୍ମହତ୍ୟା କରେ ?

 

ବୃନ୍ଦାବନ କହିଲେ, ସେ ହେବ ତାଙ୍କ ନିଜର ଦୋଷ । ଅବହେଳା କରି କଷ୍ଟ ଦେବାକୁ ତାଙ୍କୁ ମୁଁ ବାହା ହୋଇ ନଥିଲି । ସୁଖରେ ସଂସାର କରିବାକୁ ମୁଁ ବାହା ହୋଇଥିଲି । ସେ ତାହା କରେଇଦେଲେ ନାହିଁ । ଭୁଲ୍‌ରେ ଦିନେ ମୋର ଗତ ଜୀବନର କରୁଣ କାହାଣୀ କହି ବସିଲି ତାଙ୍କ ଆଗରେ । ଭାବିଥିଲି ସାନ୍ତ୍ୱନା ପାଇବି, ସହାନୁଭୂତି ପାଇବି । ଫଳ ହେଲା ବିପରୀତ । ଯାହା କହିଥିଲି ସେହି ହେଲା ମୋର କାଳ । କଥାରେ କଥାରେ ସେହି ଉପଲକ୍ଷ ଦେଇ, ମୋତେ ଅଯଥା ସନ୍ଦେହ କରି ମୋ ଉପରେ ପ୍ରଭୁତ୍ୱ ବିସ୍ତାରର ଚେଷ୍ଟା କଲେ । ମୋତେ ସେ ଅଣହେଳା କଲେ । ପାଖକୁ ଗଲେ ସେ ଦୂରକୁ ଆଡ଼େଇଦେଲେ ।

 

ସେ ଭୁଲ ବୁଝିଥିଲେ । ସେଥିପାଇଁ ସେ ଅନୁତାପ କରିଛନ୍ତି ଭାଇ, ହାତ ପିଠିରେ ଲୁହ ପୋଛୁଛନ୍ତି । ଚାଲ, ଘରକୁ ଫେରିଚାଲ ।

 

ସେଇଆ କହି ତୁ ମତେ ଅନେକ ଥର ଘରକୁ ଟାଣିନେଇଛୁ । ଯାଇ ଦେଖେ କଅଣ ? ପୁଣି ମନ ମାରି ମୁଁ ଫେରି ଆସେ କାହିଁକି ? ସେ ମତେ ଘୃଣା କରନ୍ତିରେ ଘନ, ସେ ମତେ ସନ୍ଦେହ କରନ୍ତି । ସେଇ ମତେ ନରକ ବାଟକୁ ଠେଲିଦେଇଛନ୍ତି – ସେହି ସରସୀ, ଯାହାକୁ ମୁଁ ସୁଖର ସାଥୀ ଭାବିଥିଲି, ପ୍ରାଣରୁ ବଳି ଭଲପାଉଥିଲି । ବୃନ୍ଦାବନ ଆଗକୁ ଚାଲିଲେ ।

 

ହାତଧରି ଅଟକାଇ ଘନ କହିଲେ, ଟିକିଏ ରହ ଭାଇ, ମୋ କଥା ଶୁଣ । ଗତକଥା ଭୁଲିଯାଅ । ଜାଣି ଜାଣି ନିଜର ସର୍ବନାଶ କର ନାହିଁ । ସମୟ ଅଛି, ଅବାଟରୁ ବାଟକୁ ଫେରିବାର ଉପାୟ ଅଛି ।

 

ଘନ, ମୁଁ ଜାଣେ ତୁ ମତେ ଭଲପାଉ । ମୋତେ ବିପଥରୁ ଟାଣିନେବାକୁ କେତେ ଚେଷ୍ଟା କରିଛୁ । ପାରିନାହୁଁ । ପାରିବୁ ନାହିଁ । ବୃଥା ଆଉ ବିରକ୍ତ କର୍‌ନା । ଲୋକ ତୋର ବାରମ୍ବାର ଦୁର୍ନାମ କରନ୍ତି । ସବୁ ମୋର କାନରେ ବାଜେ । ମୁଁ ବିଶ୍ୱାସ କରେ ନାହିଁ । ମୁଁ ଏତିକି ଜାଣେ, ସରସୀ ପାପକୁ ଘୃଣା କରନ୍ତି, ସେଇଥିପାଇଁ ସେ ମୋତେ ଦୂରେଇଦିଅନ୍ତି ।

 

ବିବ୍ରତ ହୋଇ ବୃନ୍ଦାବନଙ୍କର ହାତ ଛାଡ଼ି ବିସ୍ମିତ ସ୍ୱରରେ ଘନ କହିଲା, ମୋର ଦୁର୍ନାମ !

 

ହସି ହସି ବୃନ୍ଦାବନ କହିଲେ, ହଁ ତୋରି । ମୁଁ ବିଶ୍ୱାସ କରେ ନାହିଁ । କାହିଁକି ଜାଣୁ ? ଏଇ ମଧୁଭାଇର ସ୍ତ୍ରୀ । ନିଷ୍କଳଙ୍କ । ଦୁନିଆଁରେ ତା ନାମରେ ଦୁର୍ନାମ ରଟିଗଲା । ଲୋକେ ତ ପରତେ ଗଲେ ! ପରେ ମଧୁଭାଇକି ମୁଁ ସବୁକଥା ଖୋଲି କହିଲି । ମୋର ଦୁଷ୍କର୍ମଟିକ ଲୁଚାଇଲି ନାହିଁ । ସେ ଧୈର୍ଯ୍ୟ ଧରି ସବୁ ଶୁଣିଲେ । ତାଙ୍କ ପରି ଲୋକ, କଅଣ କହିଲେ ମତେ ଜାଣୁ ?

 

ଘନ ନୀରବ ରହିଲେ ।

 

କହିଲେ, ଦୁଃଖୀକୁ ମୁଁ ଅବିଶ୍ୱାସ କରିପାରିବି ନାହିଁ, କିନ୍ତୁ ବୋଉଙ୍କ କଥାରେ ପ୍ରତିବାଦ କରି ତାଙ୍କ ମନରେ କଷ୍ଟ ଦେବା ମୋ ପକ୍ଷରେ ଅସମ୍ଭବ ! ଦୁଃଖୀ ହୁଏତ କଷ୍ଟ ପାଇବ ଦିମାସ, ଚାରିମାସ, ଖୁବ୍ ବେଶୀ ହେଲେ ଛମାସ । ନିଆଁ ତାଉରେ ପକ୍‌କା ସୁନା ଝଟକିଉଠେ । ବେଳ ବହିଯାଉ । ବୋଉ ବଳେ ଜାଣିବେ ।

 

ଶଶୀ ଲୁହ ପୋଛିଲା । ଭାବିଲା, ଏଇ ବେଉରା ଯଦି ଦେଇଥାନ୍ତ ବୃନ୍ଦାବନ, ଗୋଟିଏ ନିଷ୍ପାପ, ନିଷ୍କଳଙ୍କ କୁଳବଧୂ ନରକରେ ଘାଣ୍ଟି ହୋଇଥାଆନ୍ତା କାହିଁକି ?

 

ବୃନ୍ଦାବନ କହିବାକୁ ଲାଗିଲେ, ଦୁଃଖୀ ନିଷ୍କପଟ ନିଷ୍କଳଙ୍କ, ଶେଷକୁ ଅବାଟରେ ଗଲା । ଏଇ ଗଛମୂଳେ, ଏଇଠି ମଧୁଭାଇ ନିଆଁ ଧୂଆଁରେ ମିଶିଲା । ବୁଢ଼ୀ ଅନୁତାପ କଲେ । ଆଜି ବି କରୁଛନ୍ତି, ତଥାପି ବୃନ୍ଦାବନର ଦୁର୍ନାମ ଗଲା ନାହିଁ । ଆଉ ତୋର ଦୁର୍ନାମ ସତ ହେଉ, କି ମିଛ ହେଉ, ଲୋକେ କରିବେ । ରକ୍ଷା ପାଇବାର ଉପାୟ – ନିଜ ଦୁଃଖରେ ନିଜେ ଅଲଗା ରହିବା । ବୃନ୍ଦାବନ ତୁନି ହୋଇ କଣ ଭାବିଲେ ।

 

ଘନ କହିଲେ, ମୁଁ ଏଥର ଏକୁଟିଆ ଫେରିଗଲେ ସେ ନିଶ୍ଚୟ ଜୀବନ ହାରିଦେବେ । ଦୁଃଖ ସହିବାର ସୀମା ଅଛି ତ !

 

ଦୁଃଖ କାହିଁକି ? ତାଙ୍କର କେଉଁକଥାରେ ଅଭାବ ଅଛି ? ପେଟ ପାଇଁ ମଧୁଭାଇର ସ୍ତ୍ରୀ ପରି ସେ ତ ବେଶ୍ୟାଘରକୁ ଯାଉନାହାନ୍ତି ?

 

ତା ଅପେକ୍ଷା ଜୀବନ ହରାଇଦେବାକୁ ସେ ବେଶୀ ପସନ୍ଦ କରିବେ ।

ଶଶୀ ମନକୁ ମନ କହିଲା, ନିର୍ଜଞ୍ଜାଳୀ କି ନା !

 

ବୃନ୍ଦାବନ କହିଲେ, ସେ ସବୁ ବାଜେକଥା, ଏଠାଟାରେ ଠିଆହୋଇ ଗପ କରିବାକୁ ଆଉ ତର ନାହିଁ । ବୁଢ଼ୀଙ୍କର ଯିବା ଆସିବା ବେଳ । ଟିକିଏ ଦେଖିଆସେ ।

 

ତମକୁ ଦେଖିଲେ ସେ କଣ ଖୁସି ହେବେ ଭାବିଛ ?

ଉତ୍ତର ନଦେଇ ବୃନ୍ଦାବନ ଆଗେ ଆଗେ ଚାଲିଲେ । ପଛେ ପଛେ ଘନ ।

 

ଶଶୀ ଭାବିବାକୁ ଲାଗିଲା, ବୃନ୍ଦାବନର ସ୍ତ୍ରୀ, ଘର ଭୁଆସୁଣୀ ହୋଇ ମଧ୍ୟ ଯେପରି କାନ୍ତାରରେ ପଡ଼ିଛି । ଠିକ୍ କଥା । ସୁଖରେ ସଂସାର କରିବାକୁ ସମସ୍ତେ ବାହା ହୁଅନ୍ତି । ବୃନ୍ଦାବନ ବି ବାହା ହୋଇଥିଲେ । ନିଜର ଦୁର୍ବଳତା ସ୍ତ୍ରୀ ଆଗରେ ପ୍ରକାଶ କଲେ । ସେତିକିରେ କଣ ତାଙ୍କର ସୁଖର ସଂସାର ଭାଙ୍ଗନ୍ତା !

 

ମିଳାମିଶା ପାଇଁ ଘନ ତାଙ୍କୁ ଘରକୁ ଡାକି ନିଏ । ଦୁର୍ବଳ ବୃନ୍ଦାବନ । ସୁଖ ଆଶାରେ ଗତଜୀବନର ସବୁ ରାଗରୋଷ ଭୁଲି ବାରମ୍ବାର ଯାଆନ୍ତି । ପାହାଡ଼ ପରି ଆଶା ଟଳିପଡ଼େ । ଭଙ୍ଗା ଛାତି ନେଇ ଫେରିଆସନ୍ତି । ଏଡ଼େ ନିଷ୍ଠୁର, ଏଡ଼େ ନିର୍ବୋଧ ହୋଇପାରେ ତାଙ୍କର ବିବାହିତା ସ୍ତ୍ରୀ ?

 

ଘନ ବାହାର ଲୋକଟି !

ଆଜି କାହିଁକି ଦୁଇଟି ଜୀବନ ମଝିରେ ସେ ଠିଆ ହୋଇଛି ?

 

ଦୁର୍ନାମ ରଟିଲା ଘନ ନାମରେ । ଲୋକେ ନଜାଣି ନଶୁଣି ଦୁର୍ନାମ ରଟାନ୍ତି । ଲୋକେ ଶୁଣି ବିଶ୍ୱାସ କରନ୍ତି । ମିଛ ସତ ବୁଝିବାକୁ କାହାରି ମନ ହୁଏ ନାହିଁ । ବୃନ୍ଦାବନ ଜାଣନ୍ତି, ଦୁର୍ନାମଟା ଘନ ନାମରେ । ତଥାପି ସେ ଘନକୁ ବିଶ୍ୱାସ କରନ୍ତି, ଭଲପାଆନ୍ତି । ଲୋକ ମୁଖରେ ନିନ୍ଦା ଅପବାଦ ଶୁଣି ମଧ୍ୟ ଘନ ଅଲଗା ରହନ୍ତି ନାହିଁ । ଦୁଇଜଣକୁ ମିଳାଇବାର ପ୍ରଗାଢ଼ ଚେଷ୍ଟା କରନ୍ତି । ଆଉ ବୃନ୍ଦାବନର ସ୍ତ୍ରୀ ? ସେ ଏ ଦୁର୍ନାମର ଗନ୍ଧ ପାଇଥିବ । ତଥାପି ନିର୍ଭୟରେ ଘନକୁ ପାଖରେ ପୁରାନ୍ତି କିପରି ?

 

ଶଶୀ ବାଟ ମଝିରେ ଠିଆ ହୋଇ କଣ ଯେପରି ଭାବିଲା । କି ଚିନ୍ତାରେ କେଜାଣି ମୁହଁ ତଳକୁ କରି ସେ ମନକୁ ମନ କହିଉଠିଲା, ନା ନା, ମୁଁ ଭୁଲ ବୁଝିଛି । ମଣିଷ ନରକ ବାଟରେ ଚାଲିଲେ ତାର ବୁଦ୍ଧିବୃତ୍ତି ହୀନ ହୋଇଯାଏ । ପୁନେଇଁ ରାତିରେ ଗଛର ଛାଇ ଦେଖି ଭୂତର ଭ୍ରମ ହୁଏ । ସେ ଭୁଲ କରେ ।

 

ଭୁଲ କରିଥିଲା ତ ଦିନେ ସେ ।

 

ବେଶ୍ୟାର ଜୀବନ ଭଲ ଲାଗିଲା ନାହିଁ । ପ୍ରତିଶୋଧ ନେବାକୁ ମନ ଛଟପଟ ହେଲା । ସେହି ଓକିଲ ବାବୁଙ୍କ ଉପରେ ପ୍ରତିଶୋଧ - ଯିଏ ଅତି ଦୟା ପାଇ ବାଟରୁ ନେଇ ତାକୁ ଘରେ ଆଶ୍ରା ଦେଇଥିଲେ, ସାଧୁପୁରୁଷ ବୋଲି ନିଜକୁ ବାହାରେ ଦେଖାଇ ପ୍ରଗାଢ଼ ସ୍ନେହ ଓ ସହାନୁଭୂତିର ଜାଲରେ ଘେରାଇ ଆଶ୍ରିତାର ନାରୀପଣର ଗରବ ଭାଙ୍ଗିଲେ । ବିଷପାତ୍ର ପଡ଼ିଲା ତାଙ୍କର ରକ୍ଷିତା ସ୍ୱର୍ଣ୍ଣବାଈର ହାତରେ ।

 

ବିଚାରରେ ଶଶୀ ଭୋଗିଲା ଜେଲ୍‌ ।

 

ଜେଲରୁ ଫେରି ଆଉ ନରକ ଭିତରେ ପଶିବାକୁ ଇଚ୍ଛା ହେଲା ନାହିଁ । ମନେପଡ଼ିଲା ଟୁନା ।

 

ତାରି ପଛରେ ଆଜି ସେ ଧାଇଁଛି ।

 

ଶଶୀ ଆଗକୁ ଚାଲିଲା । ନିଜକୁ ନିଜେ ଯେତେ ବୁଝାଇବାକୁ ବସିଲେ ମଧ୍ୟ ଗୋଟାଏ ଦୁର୍ଭାବନା ବାରମ୍ବାର ତାର ମନକୁ ଅସ୍ଥିର କଲା ।

 

ରହ ବୁଲା ରହ, ବାଟ ମୋଡ଼ ଗଛ ଛାଇତଳେ ସେଇ ଦୁଇଜଣ !

 

ଶଶୀ ଟିକିଏ ରହିଲା । ପୁଣି କଣ ଭାବି ବାଡ଼କଡ଼ ଛାଇ ପାଖକୁ ଘୁଞ୍ଚିଆସି କାନ ପାରିଲା । ଶୁଣିଲା –

 

ମୋତେ ବଳାନା ଘନ । ମିଳାମିଶା ପାଇଁ ନିଜକୁ ମୁଁ ଅନେକ ଥର ତଳକୁ ନୁଆଁଇ ନେଇଛି । ଆଉ ନୁହେଁ । ତାଙ୍କର ଗର୍ବ ଘେନି ସେ ଥାଉନ୍ତୁ । ମୁଁ ମୋର ଅଲଗା ରହେ ।

 

ଗର୍ବ ନୁହେଁ ଭାଇ, ଅଭିମାନ !

ଯାହା ହେଉ, ମୋ କଥା ମୁଁ ବୁଝିବି । ତୁ ଅଲଗା ହୋଇ ରହ ।

ଅତି ନରମ ସ୍ୱରରେ ଘନ କହିଲା, ତମର ଏ ନିଷ୍ଠୁର କଥା ଶୁଣି ସେ ଯଦି–

 

ବାଧାଦେଇ ବୃନ୍ଦାବନ କହିଉଠିଲେ, ସେ କଥା ମୁଁ ବୁଝିବି । ବାହାରର ଲୋକ ହୋଇ ଆମ ଭିତରେ ମଧ୍ୟସ୍ଥ ହେବାର ଅଧିକାର ତତେ କିଏ ଦେଲାରେ ? ଯାହାର ହାତ ଧରି ଘରକୁ ଆଣିଛି, ତାର ଭଲ ମନ୍ଦ ମୋ ଅପେକ୍ଷା ତୁ ବେଶୀ ଭାବୁ ବୋଲି କହିଲେ ସୁନ୍ଦର ଶୁଭିବ ନାହିଁ । ଯଦି କୌଣସି କାରଣରୁ ସେ ଅଧିକାର ତୋ ହାତକୁ ଆସିଥାଏ, ଯେ ତୋତେ ସେ ଅଧିକାର ଦେଇଛି, ତାର ଫଳ ସେ ଭୋଗିବ । ମୁଁ ନିର୍ବୋଧ ହୋଇପାରେ, କିନ୍ତୁ ମୋର ଆଖି କାନ ଅଛି ।

 

ଝଡ଼ ପରି କଥାଗୁଡ଼ା ବୃନ୍ଦାବନର ତୁଣ୍ଡରୁ ବାହାରିଗଲା । ଏତିକି କହି ସେ ଚାଲିଗଲେ । ଘନ ତଟସ୍ଥ ହୋଇ ଗଛ ମୂଳରେ ଠିଆହୋଇ ରହିଲା ।

•••

 

୧୯

 

ଶଶୀ ବାଟ କଡ଼ରୁ ବାହାରି ଗଛ ମୂଳକୁ ଆସିଲା । ମନକୁ ମନ କହିହେଲା, ଭଲରେ ଦୁନିଆଁ ନାହିଁ ଲୋ ମା ! ଭଲ କହିଲେ ଲୋକ ସଲ ବୁଝନ୍ତି, ହିତ କଥା ପିତା ଲାଗେ ।

 

ଘନ ଟିକିଏ ଅସ୍ଥିର ହୋଇ ପଚାରିଲା, କିଏ ତୁ ?

 

ଭିଖାରୁଣୀଟା ବାବା, ତମର ସବୁ କଥା ଶୁଣିଚି । ସେ ପୁଅ ତ ବାଟ ଛାଡ଼ିଛି, ତୋର ହିତକଥା ତାକୁ କାହିଁକି ରୁଚିବ ? ଓଲଟି ରାଗ । ଯିଏ ଯାହା କରିବ ତା ଫଳ ପାଇବ । ଅବାଟରେ ଗଲେ ଲୋକେ ଏମିତି ଚିଡ଼ା ଅବୁଝା ହୁଅନ୍ତି । ଟିକିଏ ରହି କହିଲା– କେତେ ଦେଖିଛିରେ ବାପା, ଏଇ ହାତରେ କେତେ ସୁଧାରିଛି । ଖଣ୍ଡେ ପାନ ଖିଲକୁ ଚାତର ନିଅଣ୍ଟ । ଆଜି ନାଇଁ ତ କାଲି କୁକୁର ପରି ପଛରେ ଧାଇଁବେ ।

 

ଘନ ଡରି ଡରି ବିସ୍ମିତ ହୋଇ ପଚାରିଲା, ତୁ ଜାଣୁ ?

ଜାଣେ ନାଇଁ ତ କଅଣ ମିଛ କହୁଛି ?

 

ଘନ କଅଣ ଯେପରି ଚିନ୍ତା କରିବାକୁ ଲାଗିଲା । ବାଟର ଭିଖାରୁଣୀଟା, ତା କଥାରେ ଏତେ ପରତେ ଯିବ କାହିଁକି ? ତଥାପି ଥଙ୍ଗେଇ ଥଙ୍ଗେଇ କହିଲା – ଆଚ୍ଛା, ତୁ ମୋ ସଙ୍ଗେ ଅରିଲୋ ଯାଇପାରିବୁ ? ବଡ଼ ଗୁପ୍ତକଥା, କେହି ଜାଣିବେ ନାହିଁ ।

 

ଶଶୀ କହିଲା, ସବୁ ଜାଣେରେ ପୁଅ ! ପାଟିର କଥାଶୁଣି ପେଟ କଥା ବୁଝେ । କେତେ ଗୁପ୍ତ କଥା ଏଇ ପେଟରେ ଲୁଚିଛି, ଚନ୍ଦ୍ର ସୂର୍ଯ୍ୟଙ୍କୁ ଅଗୋଚର । ଯା, ତୁ ଫେରି ଯା । ଦିନେ ଓଳିକଲେ ମୁଁ ଅରିଲୋ ଯିବି ।

 

ଶଶୀ ଧୀରେ ଧୀରେ ଗାଁ ଦାଣ୍ଡ ପାର ହୋଇ ଘର ଆଗକୁ ଆସିଲା । ପିଣ୍ଡା ଉପରେ କେତେଜଣ ଲୋକ ଠିଆ ହୋଇଛନ୍ତି । ଘର ଭିତରୁ କ୍ଷୀଣ ଆଲୁଅର ଆଭାସ ମିଳୁଛି । ସେ ଦାଣ୍ଡ ଫାଟକକୁ ଆଉଜି ଠିଆହୋଇ ରହିଲା – ଯଦି ମୋତି କି ରାଧିଆମା କେହି ଆସେ ବୁଢୀଙ୍କର ଅବସ୍ଥା ପଚାରି ବୁଝିନେବ । ବେଶୀ ବେଳ ଅପେକ୍ଷା କରିବାକୁ ହେଲା ନାହିଁ । ପାତଳା ନକନକ ଅଧା ତାଳଗଛ ପରି କିଏ ଜଣେ ପିଣ୍ଡାଉପରୁ ଆଗ ଓହ୍ଲାଇଲା । ପଛରେ ଆଉ ଜଣେ କିଏ । ଦିହେଁ ଫାଟକ ଆଡ଼େ ଆସିଲେ । କଥାଭାଷା ହେଉଥାଆନ୍ତି । ଶଶୀ ଆଡ଼େଇଗଲା ।

 

ଅବସ୍ଥା କେମିତି ଦେଖିଲ ଅବଧାନ ? ଆଶା କେତେଦୂର ?

 

ଆରେ ଆଶା ! ଗୋପି, ତୁ ଦେଖୁଛୁ ଚନ୍ଦନ, ପୋଛୁଛୁ କାଠ । ସନ୍ଧି ଧରିଲାଣି । ଶୁଣୁନୁ ପ୍ରଳାପ ? ପାହାନ୍ତା ଟପୁ ଆଗ ।

 

କଣ ଓଷଦ ଆଉ ଦେଉଥିଲ ତମେ ?

 

ଆରେ ତୁ ଆଛା କହୁଛୁ, ଯେମିତି ଦିଅଙ୍କୁ ସେମିତି ପୂଜା । ବୁଝିଲୁ ନାହିଁ, ଚୂନାକୁ ଚାହିଁ ପିଠା । ତୁଣ୍ଡ ହଲେଇ କହି ଦେବାକୁ ଗାଁ ଲୋକେ ତମେ ଭାରି ମଜବୁତ । ଅଣ୍ଟାରୁ ପଇସା କାଢ଼ୁଛି କିଏ ? ବଇଦ ବୋଲି କଣ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବି ?

 

ଉଭୟେ ବାଟେ ବାଟେ ଆଗକୁ ଗଲେ । ଶଶୀ ଫାଟକ ପାରି ହୋଇ ହତା ଭିତରକୁ ପଶିଲା । ପିଣ୍ଡା ତଳକୁ ଆସି ଦେଖିଲା ବୃନ୍ଦାବନ କୋଠରୀ ଆଗରେ ଠିଆ ହୋଇ ଭିତରକୁ ଚାହିଁରହିଛନ୍ତି । ରାଧିଆମା କାନ୍ଥକୁ ଆଉଜି ବସିଛି । ଘର ଭିତରୁ ବୁଢ଼ୀଙ୍କର କ୍ଷୀଣ ପ୍ରଳାପ ଶୁଭୁଛି । ବେଳେ ବେଳେ କିଏ ଯେପରି ତାଙ୍କୁ କଣ ବୁଝାଇ କହୁଛି; କିନ୍ତୁ ସତେକି ତାର କଥା ବୁଢ଼ୀଙ୍କର କାନରେ ବାଜୁନାହିଁ ।

 

ଶଶୀ ପିଣ୍ଡା ଉପରକୁ ଉଠିଲା । ରାଧିଆମା ମୁଣ୍ଡ ଟେକି ଚାହିଁଲା । ଶଶୀକୁ ଦେଖି ଅଧୀର ହୋଇ କହିଲା, ବୁଢ଼ୀ ସାନ୍ତାଣୀ ଖାଲି ବାଉଳା ହୋଇ ଗପୁଛନ୍ତି । ତୁମକୁ ଖୋଜୁଛନ୍ତି । ହେଇଟି ଆଇଲେଣି ତ !

 

ମତେ ଖୋଜୁଛନ୍ତି କାହିଁକି ? ଶଶୀ ପଚାରିଲା । ରାଧିଆମାର ଉତ୍ତରକୁ ଅପେକ୍ଷା ନକରି ସେ ଦ୍ୱାରବନ୍ଧ ପାଖକୁ ଗଲା । ବୃନ୍ଦାବନ କରେଇଗଲେ ।

 

ଶଶୀ କିଛି ନକହି ଘର ଭିତରକୁ ପଶିଲା । ବୁଢ଼ୀ ଚିତ୍ ହୋଇ ଆଖି ବୁଜି ପଡ଼ିଛନ୍ତି । ମୋତି ମୁଣ୍ଡ ଆଉଁସୁଛି । ଆଖିରେ ତାର ଲୁହ । ମୁଣ୍ଡ ଟେକି ଶଶୀକୁ ଅନାଇଲା । କିଛି ନକହି ପୁଣି ନିଜ କାମରେ ମନଦେଲା ।

 

ଶଶୀ ଗୋଡ଼ତଳେ ବସି ବୁଢ଼ୀଙ୍କର ତଳିପାରେ ହାତ ଚଳାଇଲା । ଆଖି ଖୋଲି ବୁଢ଼ୀ ପୁଣି ଆଖି ବୁଜିଲେ । କ୍ଷୀଣ ସ୍ୱରରେ କହିଉଠିଲେ, ଟୁନା ମୋର ଆସିବ ନାହିଁ । ହେଇ, ମଧୁ ଡାକୁଛି । ବୋହୂ, ଶୁଣୁନାହଁ କି ଗୋ ?

 

ମାଉସୀ–

ବୃନ୍ଦାବନ ଘର ଭିତରକୁ ଆସିଲେ । ପାଖରେ ବସି ଡାକିଲେ, ମାଉସୀ–

 

କିଏରେ, ଏଁ - ତୁ ? ବୁରୁନ୍ଦା ! ମଧୁ ମୋର କାଇଁ ? ଆଜିଯାଏ କୋଉଠି ଥିଲୁରେ । ଆଗୋ ବୋହୂ, ଏଇ ବୁରୁନ୍ଦା ଆଇଲାଣି । ବୋହୂ...

 

ବୃନ୍ଦାବନଙ୍କର ଆଖିରେ ଲୁହ ଭରିଗଲା । ସେ ବ୍ୟଥାଭରା କଣ୍ଠରେ କହିଲେ, ମୋତେ କ୍ଷମା କର ମାଉସୀ !

 

ବୁରୁନ୍ଦା, ମଧୁକୁ ଡାକି ଦେ ବାପ ! ଦୁଃଖୀକି ଡାକି ଦେ !

ମୋତି ଶଶୀ ଆଡ଼କୁ ଚାହିଁଲା — ହେଇ ପରା ଦୁଃଖୀଦେଈ, ତମ ଗୋଡ଼ ଆଉଁସୁଛନ୍ତି ।

ବୃନ୍ଦାବନ ଚମକିଉଠିଲେ । ସନ୍ଦେହଭରା ଆଖିରେ ଶଶୀ ମୁହଁକୁ ଚାହିଁରହିଲେ ।

ଶଶୀ କହିଲା, ସେଇଆ କହ ମୋତି, ସେଇଆ କହ । ଶୁଣିଲେ ସେ ତୁନୀ ହୋଇ ଶୋଇବେ ।

 

ବୃନ୍ଦାବନଙ୍କ ଆଖି ଶଶୀ ଉପରୁ ଅଲଗା ହେଲା ନାହିଁ । ବୁଢ଼ୀ ମୁଣ୍ଡ ଏପାଖ ସେପାଖ କରି କହିଲେ, ଦୁଃଖୀ...କୁଳର ଲକ୍ଷ୍ମୀ ମୋର ! ମୋ ପାଖକୁ, ଏଠାକୁ ଡାକି ଦେ । ମୋତି, ସବୁ ଦିନେ କଣ ଗୋଡ଼ ତଳେ ବସି ଗୋଡ଼ ଆଉଁସୁଥିବ ? ହେଇଟି, ସେଇ ହାତ, ସେଇ ଆଉଁସା ।

 

ଆସ ଗୋ ଏଠିକି... ।

 

ମୋତି ଉଠି ଠିଆହେଲା ଶଶୀ ମୁଣ୍ଡ ଉପରକୁ ଆସି କହିଲା – ଯିଏ ଯାହା ନୁହେଁ ତାକୁ ସେଇଆ କହି ଚଳାଇବା ତୋର ପ୍ରକୃତି । କି ଲାଭ ମିଳେ ଲୋ ତତେ ? ମୁଣ୍ଡ ପାଖରେ ବସି କପାଳ ଉପରେ ହାତ ଚଳାଇଲା ।

 

ବୁଢ଼ୀ ମୁଣ୍ଡ କରେଇ ତାଆରି ଆଡ଼କୁ ଚାହିଁଲେ । କେଜାଣି କାହିଁକି ତାଙ୍କର ଶୁଖିଲା ମୁହଁ ବିକୃତ ହେଲା । କହିଲେ, ଏଇ ମଶାଣି ଭୂଇଁର ପିଶାଚୁଣୀଟା ! ମୋ ଲକ୍ଷ୍ମୀ ଠାକୁରାଣୀ କାହିଁ ? ବୁଢ଼ୀ ଦୁଇ ହାତ ଛାତି ଉପରେ ଚାପିରଖିଲେ । ଘଡ଼ଘଡ଼ ହୋଇ କହିଲେ, ଏଇଲେ ଏଇ ମୋ ମଧୁକୁ ଖାଇଛି । ପୋଖରୀ ହୁଡ଼ାରେ ଥାଏ । ଆଇଚି ମତେ ଖାଇବ । ଇସ୍, କି ରୂପ !

 

ଶଶୀ କୋହ ଚାପି କହିଲା, ପିଶାଚୁଣୀ ମୁଁ ନୁହେଁ ମା, ଦେଖ, ଭଲ କରି ଦେଖ । ମୁଁ ମଣିଷ । ଚିହ୍ନ । ମୁଇଁ - ମୁଇଁ ସେଇ ଦୁଃଖୀ, ତମର ବୋହୂ, ଆଉ କେହି ନୁହେଁ । ବେଶୀ କହିପାରିଲା ନାହିଁ । କଣ୍ଠ ରୁଦ୍ଧ ହୋଇଆସିଲା । ଦୁଇ ଆଖିରେ ଲୁହ ଢଳ ଢଳ ହେଲା । ଦେଖିଲା, ବୁଢ଼ୀଙ୍କର ଦୁଇ ଆଖିରେ ପିଞ୍ଛଡ଼ା ପଡ଼ୁନାହିଁ । ତାଙ୍କର ଶୁଖିଲା ଓଠରେ ଗୋଟିଏ ସରୁ ହସର ଗାର ଟାଣିହୋଇଗଲା । ସେ ମୁହଁ ବୁଲାଇଲେ ।

•••

 

୨୦

 

ବଇଦକୁ ଡାକି ଆଣେ ? ମୋତି ଉଦ୍‌ବିଗ୍ନ ହୋଇ ପଚାରିଲା ।

 

ତୁ ଥା ମୋତି, ମୁଁ ଯାଉଛି କହି ଶଶୀ ପଦାକୁ ଉଠିଆସିଲା । ରାଧିଆମା ନିଆଁ ପଲମ ନେଇ ଘର ଭିତରକୁ ପଶିଲା । ସେ ଆଡ଼କୁ ନିଘା ନଦେଇ ଶଶୀ ପାହାଚ ଓହ୍ଲାଇ ଗାଁ ଦାଣ୍ଡକୁ ବାହାରିପଡ଼ିଲା । ପଛକୁ ଫେରି ଚାହିଁଲା ନାହିଁ । ସେ ଜାଣେ, ସହସ୍ର ଚେଷ୍ଟା କଲେ ମଧ୍ୟ ବୁଢ଼ୀ ଆଉ ଥାକିବେ ନାହିଁ । ବଇଦ ଦୁଆରେ ଅଧିଆ ପଡ଼ିଲେ ବି ବଇଦ ଆଉ ଏତେ ରାତିରେ ଆସିବ ନାହିଁ । ଦୁଃଖର କୋହରେ ନିଜକୁ ସେ ଧରାଇଦେଇଛି । ରାତି ପାହିଲେ ଆଉ ପରିତ୍ରାଣ ନାହିଁ । ସମାଜର ବିଡ଼ମ୍ବନା ଭିତରକୁ ଯାଇ ହଇରାଣ ହେବାକୁ ଆଉ ତାର ଇଚ୍ଛା ନାହିଁ । ବାଟ ପାରି ହୋଇ ସେ ବୁଲା ପାଖକୁ ଆସିଲା ।

 

ବୁଲା, ଆ ଯିବା । ଶେଷ ଦୃଶ୍ୟଟି ଦେଖି ଆଇଲି, ଆଉ ରହିବା କାହିଁକି ? ରାତି ନପାହୁଣୁ ଆମେ ଗାଆଁ ପାରିହୋଇଯିବା । କେହି ଜାଣିବେ ନାହିଁ, କେହି ଦେଖିବେ ନାହିଁ । ଶଶୀ ବାଡ଼କଡ଼ ଛାଇରୁ ପୁଡ଼ାଟି ଉଠାଇ ଧରିଲା । ବାଡ଼ିଖଣ୍ଡି ହାତରେ ଧରି କହିଲା, ଓଃ କେତେ ରାତି ! କାହାର ସ୍ୱରଶବ୍ଦ ନାହିଁ । ଏଇ ତ ସୁବିଧା ବେଳ...ଆ...ରେ ଯିବା ।

 

ବୁଲା ତାର କଥାରେ କାନ ନଦେଇ ପଛକୁ ଚାହିଁ ଗାଉଁ ଗାଉଁ ହେଲା । କିଏ ଜଣେ ଆସୁଛି । ଶଶୀ ବୁଲାକୁ ତୁନି କରି ଆଗନ୍ତୁକକୁ ଚାହିଁରହିଲା । ସେ ପାଖକୁ ଆସିଲେ ।

 

ବୃନ୍ଦାବନ ! ଶଶୀ ତୁନୀ ହୋଇ ତାଙ୍କର ଆସିବାର ଉଦ୍ଦେଶ୍ୟ ଭାବିବାକୁ ଲାଗିଲା । କିଛି ସମୟ ତୁନୀ ହୋଇ ରହିଲେ ଦୁହେଁ । କଥା ଖୋଲିବାକୁ ଯେପରି ଭାଷା ପାଇଲେ ନାହିଁ । ମନର ଉଦ୍‌ବେଗକୁ ଦମନ କରି ବୃନ୍ଦାବନ କହିଲେ, ନୂଆବୋହୂ ! ତାଙ୍କର ଓଠ ଥରିଉଠିଲା ।

 

କିଛି ନବୁଝିଲା ପରି ଶଶୀ କହିଲା, କିଏ ତମର ନୂଆବୋହୁ ?

 

ବୃନ୍ଦାବନ ଥକ୍‌କା ମାରି ଠିଆହୋଇ ରହିଲେ । କେତେବେଳକେ ଥଙ୍ଗେଇ ଥଙ୍ଗେଇ କହିଲେ, ମୋତେ ଆଉ ଭୁଲାଅ ନାହିଁ । ବୁଢ଼ୀଙ୍କ ଆଗରେ ତମେ ଯାହା କହିଲ ମୁଁ ଶୁଣିଛି ।

 

ବାଟର ଭିଖାରୁଣୀଟା ମୁଁ, ନିଆଶ୍ରା ଦେଖି ବୁଢ଼ୀଙ୍କର ସେବା କରୁଥିଲି । ତାଙ୍କର ଯିବାବେଳ ପାଖେଇ ଆସିଲା । ଆଉ କାହିଁକି ? ବାଟର ବାଟୋଇ, ଉଡ଼ା ଚଢେଇ ! ନିଜ ରାହା ଧରି ଯିବା ଭଲ । ଯାଉଛି ।

 

ଆଗରେ ବୃନ୍ଦାବନ । ଗତକଥା ଠିକ୍ କାଲିପରି ଲାଗୁଛି । ସାମାନ୍ୟ ଟିକିଏ ଭୁଲ ପାଇଁ ବୃନ୍ଦାବନ ସାରା ଜୀବନ ଅନୁତାପ କରୁଛନ୍ତି । ସୁନାର ସଂସାର ଭାଙ୍ଗି ଛାରଖାର ହୋଇଛି । ମୂର୍ଖ ସେ । ସମୟର ଦୁର୍ବିପାକରେ ପଡ଼ି ତାର ବାହାରଟା ଆଜି ଯେପରି କ୍ଳିଷ୍ଟ, ବୃନ୍ଦାବନ ଜାଣି ଜାଣି ନିଜର ଭିତରଟାକୁ ସେହିପରି କରିଛନ୍ତି । କିନ୍ତୁ ଏ ସବୁ ଭାବିବାକୁ ବେଳ ନାହିଁ । ଅରକ୍ଷିତ ପିଲାଟା କଟକରେ କାହା ଓଳିତଳେ ଆଶ୍ରା ଲୋଡ଼ିଥିବ । ସନ୍ଧାନ ନ ନେବାଯାଏ ମନରେ ଶାନ୍ତି ଆସିବ ନାହିଁ-। ପରିଚୟ ବା ଦେବ କାହିଁକି ? ବରଂ ବୃନ୍ଦାବନର ଭଙ୍ଗା ସଂସାରକୁ ଏକାଠି କରିପାରିଲେ ମନରେ ଶାନ୍ତି ଆସିବ । ଉପାୟ କଣ ? ସ୍ତ୍ରୀ ଯଦି ସ୍ୱାମୀ ପ୍ରତି ବିମୁଖ ହୁଏ, ସ୍ୱାମୀ ଯଦି ସ୍ତ୍ରୀକୁ ଭଲ ନପାଏ, ଘୃଣା କରେ, ତେବେ ଉପାୟ ? ଶଶୀ ଅସ୍ଥିର ହୋଇପଡ଼ିଲା ।

 

ଭିତରର ଭାବ ଗୋପନ କରି କହିଲା, ବୁଝିଲି । ମୋତିର କଥା, ମୋର କଥା ଶୁଣି ତମର ଗୋଟାଏ ଭୁଲ୍ ଧାରଣା ହୋଇଛି । ଏ ସବୁ ସେହି ମୋତିର କାଣ୍ଡ । ମୁଠିଏ ଭିକ ମାଗିବାକୁ ଯାଇଥିଲି । ମୋତେ ପଇସାର ପ୍ରଲୋଭନ ଦେଖାଇ ଦୁଃଖୀ ବୋଲି ବୁଢ଼ୀଙ୍କ ଆଗରେ ପରିଚୟ ଦେବାକୁ ସେ ଶିଖାଇଥିଲା । କିଛି ଫଳ ହେଲା ନାହିଁ । ବୁଢ଼ୀଙ୍କୁ ଠକିବା ସହଜ ନୁହେଁ । ଶଶୀ ମୁଣ୍ଡ ହଲାଇଲା ।

 

ବିସ୍ମିତ ହୋଇ ବୃନ୍ଦାବନ କହିଲେ, ସବୁ କେବଳ ଛଳନା ? ଉଦ୍ଦେଶ୍ୟ କଣ ? କିନ୍ତୁ...ତମର ରୂପ...ତମର ସ୍ୱର, କହୁ କହୁ ଅଟକି ଗଲେ ।

 

ବୃନ୍ଦାବନର ଗୋଡ଼ରୁ ମୁଣ୍ଡଯାଏ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ଶଶୀ କହିଲା, ଉଦ୍ଦେଶ୍ୟ ମୁଁ ବୁଝିପାରିନାହିଁ । ମୋତି କହିଲା, ବୁଢ଼ୀ ସବୁବେଳେ ତାଙ୍କ ଆଗ ବୋହୂ ଦୁଃଖୀକୁ ଝୁରି କାନ୍ଦୁଛନ୍ତି । ପଚାରିଲି, ଦୁଃଖୀ କିଏ ? ମୂଳରୁ ଶେଷଯାଏ ସେ ସବୁ କହିଲା–ତାଙ୍କ କଥା, ତମ କଥା ।

 

ମୋ କଥା ! ନିଃସହାୟ ବାଳକ ପରି ବୃନ୍ଦାବନ ଶଶୀର ମୁହଁକୁ ଚାହିଁଲେ । ଶଶୀ କହିଲା, ସବୁ ଶୁଣିଲି, ପଇସା ଲୋଭରେ ଦୁଃଖୀ ବୋଲି ପରିଚୟ ଦେବାକୁ ମଙ୍ଗିଲି ।

 

ସନ୍ଦିହାନ ହୋଇ ବୃନ୍ଦାବନ କହିଲେ, ଏମିତି ଚେହେରା ମିଶନ୍ତା, ତୁଣ୍ଡର ସ୍ୱର ମିଳନ୍ତା ?

 

ହୋଇଥିବ ବାବା, ମିଶୁଥିବ । ନୋହିଲେ ଏତେ ଭିଖାରୁଣୀ ଦାଣ୍ଡହାଟରେ ବୁଲୁ ଥାଉଁ ଥାଉଁ ଦୁଃଖୀ ସାଜିବାକୁ ମୋତି ମତେ ବାଛନ୍ତା କାହିଁକି ? ଏ ଦୁନିଆଁ ବିଚିତ୍ରରେ ବାପ, ଏଠାରେ ସବୁ ସମ୍ଭବ ହୁଏ । ଠାକୁରେ ବଡ଼ ଖେଳୁଆଡ଼ । ଆଖିରେ ଭେଳିକି ଲଗାନ୍ତି, ଚାହିଁଲା ଲୋକକୁ ଜଳକା ବି କରନ୍ତି । ଏଠି ଅସମ୍ଭବ ସମ୍ଭବ ହୁଏ । ଆମ୍ଵ ବି ପାଲଟେ ଆମ୍ବଡ଼ା ।

 

ଶଶୀ ବୁଝିଲା ବୃନ୍ଦାବନଙ୍କର ମନର ବିଶ୍ୱାସ ପତଳା ହୋଇଆସୁଛି । ସମୟ ବୁଝି ସେ କହିଲା, ସାମାନ୍ୟ ଗୋଟାଏ ଘଟଣା ପାଇଁ ଜାଣି ଜାଣି ତମେ ତମର ସର୍ବନାଶ କରୁଛ । ବୃନ୍ଦାବନଙ୍କର ତୁଣ୍ଡରୁ କଥା ବାହାରିଲା ନାହିଁ । ଖୁଣ୍ଟ ପରି ଠିଆ ହୋଇ ରହିଲେ । ଶଶୀ ପୁଣି କହିଲା, ଘନ କିଏ ? ତା ସଙ୍ଗେ ତମେ ଯାହା କଥାଭାଷା ହୋଇଥିଲ, ପଛରେ ଥାଇ ମୁଁ ସବୁ ଶୁଣିଛି । ମଣିଷ ତ, ଶୁଣିବାକୁ ମୋର ଆଗ୍ରହ ହେଲା । ଯାହା କହ, ସବୁ ଭୁଲ ତମର । ଦୁଃଖୀ ଛତରକୁ ଗଲା ନିଜ ଦୋଷରୁ । ତମେ ଅନୁତାପ କରିପାର । ତା ବୋଲି ଯେଉଁ ପର ଝିଅର ହାତ ଧରି ଘରକୁ ଆଣିଛି, ସେ ନିର୍ବୋଧ ହେଲା ବୋଲି ତମେ ନିର୍ବୋଧ ହୋଇ ସଂସାର ଉଚ୍ଛନ୍ନ କରୁଛ କାହିଁକି ?

 

ତାକୁ ଉତ୍ତର ଦେବାକୁ ସମୟ ଦେଲା, କିନ୍ତୁ ବୃନ୍ଦାବନ ନୀରବ ରହିଲେ ।

 

ସ୍ତ୍ରୀ ଉପରେ, ଘନ ଉପରେ ତମର ସନ୍ଦେହ ହେଉଛି ? ଶଶୀ ଜୋର୍‌ରେ ହସିଉଠିଲା । ପୁଣି କହିଲା, ସନ୍ଦେହ ହେବାର କଥା । ହୁଏ ତ ସତ; କିନ୍ତୁ ସେଥିରେ ତମେ ହିଁ ଦୋଷୀ । ତମେ ଯଦି ଅବାଟରେ ଯାଅ, ବିବାହିତା ସ୍ତ୍ରୀକୁ ଅବହେଳା କର, ଅଜାଣତରେ ତାର ଯଦି ଅବାଟକୁ ଗୋଡ଼ ଖସେ, ଦୋଷ କାହାର ?

 

ଦୁଃଖୀ ପାଇଁ ମନଇଚ୍ଛା ସାରା ଜୀବନ ଅନୁତାପ କରିପାର । ନିଜେ ଅବାଟରୁ ଫେରିଆସ । ବାଟହୁଡ଼ା ସ୍ତ୍ରୀକୁ ତମେ ଅବାଟରୁ ଫେରାଇଆଣ । ତମର ଭଙ୍ଗା ସଂସାର ଯୋଡ଼ିହୋଇଯିବ । ସୁଖରେ ଜୀବନ କଟିବ । ଅତୀତ ଉପରେ ମାଟି ଘୋଡ଼ାଇ ଭବିଷ୍ୟତକୁ ନୂଆକରି ସୁନ୍ଦର କରି ଗଢ଼ିବା ତମ ହାତର କଥା ।

 

ଜୀବନକୁ ପବିତ୍ର, ସୁନ୍ଦର କରିବାକୁ ବେଳ ଅବେଳ ଖୋଜିବା ଭୁଲ । ଆଉ, ଯିଏ ଲୋକଙ୍କ ସମାଲୋଚନାରେ କାନ ଦେଇ ନିଜର ଜୀବନରେ ନିଆଁ ଜାଳେ, ତାଠୁ ବଳି ନିର୍ବୋଧ କେହି ନାହିଁ ।

 

ଦାଣ୍ଡ ସେପାଖରୁ ମୋତିର ବାହୁନା ଭାସିଆସିଲା ଶିରି ଶିରି ପବନର ଲହରୀରେ । ଶଶୀ ଆଗକୁ ଚାଲିଲା । ବୃନ୍ଦାବନ ସେଇଠି କାଠପରି ଠିଆ ହୋଇ ଅପଲକ ଆଖିରେ ଚାହିଁ ରହିଲେ । ମନରେ ଗୋଟିଏ ପ୍ରଶ୍ନ, ସତେ ସେ ଭିଖାରୁଣୀ ?

 

ପାହାନ୍ତି ପହରର ଫିକା ଆଲୁଅରେ ଗଛ ଗହଳି ସେପାଖେ ପ୍ରେତର ମୂକ ଛାଇପରି ଶଶୀ ଛପିଗଲାଣି କେତେବେଳୁ ।

Image